ନୂଆଦିଲ୍ଲୀ ୦୪/୦୩: ସୁନ୍ଦର ଦିଶିବାକୁ କାହାର ବା ଇଚ୍ଛା ନଥାଏ । ତେବେ ନିଜର ସୁନ୍ଦରତାକୁ ବୃଦ୍ଧି କରିବା ଲାଗି ଚୀନ୍ର ଜଣେ ଝିଅ ୧୦୦ରୁ ଅଧିକ ଥର ପ୍ଲାଷ୍ଟିକ୍ ସର୍ଜରୀ କରାଇଛନ୍ତି । ତାଙ୍କର ବୟସ ମାତ୍ର ୧୮ ବର୍ଷ । ଅଦ୍ୟାବଧି ସର୍ଜରୀ ବାବଦରେ ସେ ଭାରତୀୟ ମୁଦ୍ରାରେ ପ୍ରାୟ ୪.୬୬ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । ତାଙ୍କର ଏହି କାହାଣୀ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି ।
ସାଉଥ୍ ଚାଇନା ମର୍ଣ୍ଣିଂ ପୋଷ୍ଟର ରିପୋର୍ଟ ଅନୁସାରେ, ପୂର୍ବ ଚୀନ୍ର ଝୋଜିୟାଙ୍ଗ ପ୍ରଦେଶରେ ରହୁଥିବା ଝାଓ ଚୁନା ନାମକ ଏହି ଝିଅ ଜଣକ ବିଗତ ୫ ବର୍ଷ ହେଲା ଅସ୍ତ୍ରୋପଚାର କରାଉଛନ୍ତି । ସେ ନିଜ ପସନ୍ଦର ଅଭିନେତ୍ରୀ ଏସଥଲ ୟୁଙ୍କ ଭଳି ସୁନ୍ଦର ଦିଶିବାକୁ ଚାହାନ୍ତି । ଏଥିସହିତ ପ୍ରସିଦ୍ଧ ହେବାକୁ ବି ତାଙ୍କର ସ୍ୱପ୍ନ ରହିଛି । ତାଙ୍କର ପ୍ଲାଷ୍ଟିକ୍ ସର୍ଜରୀ ବାବଦ ପୂରା ଖର୍ଚ୍ଚକୁ ତାଙ୍କ ବାପା ମା’ ବହନ କରିଛନ୍ତି । ସ୍କୁଲ ସମୟରୁ ହିଁ ଝାଓ ନିଜର ଲୁକ୍କୁ ନେଇ ଚିନ୍ତାରେ ରହୁଥିଲେ । ପରବର୍ତ୍ତୀ ସମୟରେ ସାଂଘାଇ ଇଣ୍ଟରନ୍ୟାସନାଲ ସ୍କୁଲରେ ପଢ଼ିବା ଆରମ୍ଭ କରିବା ପରେ ନିଜଠୁ ଅଧିକ ସୁନ୍ଦର ସହପାଠୀଙ୍କୁ ଦେଖି ତାଙ୍କ ମନରେ ହୀନମନ୍ୟତା ଆସିଲା । ଏହାପରେ ଲୁକ୍ ପରିବର୍ତ୍ତନ ଲାଗି ପ୍ଲାଷ୍ଟିକ ସର୍ଜରୀ କରାଇବାକୁ ସେ ବାପାମା’ ନିକଟରେ ଅଳି କଲେ ।
ମାତ୍ର ୧୩ ବର୍ଷ ବୟସର ହୋଇଥିବାବେଳେ ତାଙ୍କର ପ୍ରଥମ ପ୍ଲାଷ୍ଟିକ ସର୍ଜରୀ ହୋଇଥିଲା । ସେତେବେଳେ ସେ ନିଜର ଆଖିର ପତାକୁ ଦୁଇ ଗୁଣ ବଡ଼ କରାଇଥିଲେ । ସେପଟେ ବାରମ୍ବାର ଅସ୍ତ୍ରୋପଚାର କରାଇବା ଯୋଗୁ ତାଙ୍କୁ ସ୍କୁଲ ବି ଛାଡ଼ିବାକୁ ପଡ଼ିଛି । ବର୍ତ୍ତମାନ ଡାକ୍ତରମାନେ ଝାଓଙ୍କୁ ଆଖିକୁ ଆହୁରି ବଡ଼ କରିହେବନାହିଁ ବୋଲି ଚେତାବନୀ ଦେଇଛନ୍ତି । ପୂର୍ବରୁ ୧୦ ଥର ଆଖିରେ ଅସ୍ତ୍ରୋପଚାର ହୋଇଥିବାବେଳେ ଆଉ ଅସ୍ତ୍ରୋପଚାର କରାଇବା କ୍ଷତିକାରକ ହୋଇପାରେ ବୋଲି ସେମାନେ ଆଶଙ୍କା ପ୍ରକାଶ କରିଛନ୍ତି ।