ଇଚ୍ଛା ନାହିଁ କି ଆଗ୍ରହ । ଗାଁ ମାଟି ମାଡ଼ିବାକୁ କୁନ୍ଥକୁନ୍ଥ । ଶୀତତାପ ନିୟନ୍ତ୍ରିତ ଅଫିସ୍ ଛାଡ଼ି କିଏ ଧୂଳି ଧୂସରିଆ ଲୋକଙ୍କ ପାଖକୁ ଯାଉଛି । ନିର୍ଦ୍ଦେଶ ଅଛି, ହେଲେ ପାଣିର ଗାର । ସରକାରୀ ଚାକିରିରେ ଥାଇ ମଧ୍ୟ ଖାମଖିଆଲି, ଢିଲା ଓ ଉଦାସୀନ । ମା’, ମାଟି, ମଣିଷର ସ୍ୱରକୁ ସରକାର ଅଗ୍ରାଧିକାର ତାଲିକାର ସବା ଆଗରେ ରଖୁଛନ୍ତି । ଆମ ଆଇଏଏସ୍ ବାବୁଙ୍କ ଇଚ୍ଛାର ତାଲିକାରେ ଏହା କିନ୍ତୁ ସବୁଠୁ ତଳେ । ଗାଁ ଗଣ୍ଡାକୁ ଯାଇ ଲୋକଙ୍କ ଭଳମନ୍ଦ ବୁଝିବା ସରକାରୀ ଯୋଜନାର ଫଳ ସାଧାରଣ ଲୋକଟିଏ ପାଉଛି ନା ନାହିଁ ତା’କୁ ନିଜେ ପରଖିବାର ମାନସିକତା ନାହିଁ । ମାରଫତଦାର ମାଟିକୁ ଓହ୍ଲାଇବାକୁ ଆଗପଛ । ସରକାରଙ୍କ ଫତ୍ୱା କାଟୁ କରୁନି । ବାବୁମାନଙ୍କ ଏ ଉଦାସପଣ ବିକାଶକୁ ବାଟବଣା କରୁନି କି? ବାବୁ କିନ୍ତୁ ନିଜ ମନୋଭାବକୁ ଛାଡ଼ି ପାରୁନାହାନ୍ତି । ରାଜ୍ୟ ଭାସିଗଲେ, ସାଧାରଣ ମଣିଷ ଅଭାବ ଅସୁବିଧାରେ ଛଟପଟ ହେଲେ ତାଙ୍କର କି ଯାଏ ଆସେ? ତାଙ୍କ ସ୍ୱାଚ୍ଛନ୍ଦ୍ୟ ପାଇଁ ତ ରାଜକୋଷ ସବୁ ଖଞ୍ଜି ଦେଇଛି ।
ସାଧନ ଅଛି, ଇଚ୍ଛା ନାହିଁ
ସଚିବସ୍ତରୀୟ ଅଧିକାରୀ ପ୍ରତି ମାସରେ ଜିଲ୍ଲା ଗସ୍ତରେ ଯିବେ । ଜିଲ୍ଲାପାଳ ନିୟମିତ ବ୍ଲକ ଓ ପଞ୍ଚାୟତ ବୁଲିବେ । ବ୍ଲକ୍ ସ୍ତରୀୟ ଅଧିକାରୀ ଗାଁ ଗଣ୍ଡା ଯାଇ ଲୋକଙ୍କ ଭଲମନ୍ଦ ବୁଝିବେ । ସରକାରୀ ଯୋଜନାର ତଦାରଖ କରିବେ । ସରକାରୀ ଚାକିରିରେ ଥିବା ବାବୁମାନଙ୍କର ଏହା ହେଉଛି ଦୈନନ୍ଦିନ ରୁଟିନ୍ କାମର ପରିସରଭୁକ୍ତ । ମାତ୍ର ବାବୁ ଅମଙ୍ଗ । ଲୋକସେବା ଭବନ ଓ ଜିଲ୍ଲାପାଳ ଅଫିସର ଶୀତତାପ ନିୟନ୍ତ୍ରିତ କକ୍ଷ ଛାଡ଼ି କ୍ଷେତ୍ର ପରିଦର୍ଶନ କରିବାକୁ ବାବୁମାନେ ଆଗ୍ରହ ଦେଖାଉ ନାହାନ୍ତି । ଯଦି ତୃତୀୟ ମହଲାରୁ ଚାପ ପଡ଼ିଲା କାଁ ଭାଁ କେଉଁ ଅଧିକାରୀ ଗାଁ ଗଣ୍ଡାକୁ ଯାଆନ୍ତି । ଦୋଷ ଛଡ଼େଇବାକୁ ଘେରାଏ ବୁଲି ଦେଇ ଆସନ୍ତି । ଏହା ପଛରେ ସେମାନଙ୍କର ଆନ୍ତରିକତା ନଥାଏ । ଗାଁ ହେଉଛି ରାଜ୍ୟର ଆତ୍ମା । ବିକଶିତ ଓଡ଼ିଶା ଗଠନ ପାଇଁ ଗାଁ ବିକାଶ ନିଶ୍ଚୟ ଜରୁରି । ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ଏବଂ ସାଧାରଣ ଲୋକଙ୍କ ସହ ଶାସନକୁ ଯୋଡ଼ିବାକୁ ଅମଲାମାନେ ଲୋକଙ୍କ ପାଖକୁ ଯିବା ଜରୁରି । ମାତ୍ର ଗାଁ ମାଟି ମାଡ଼ିବାକୁ ବାବୁଙ୍କ ଅନାଗ୍ରହ ଲାଗି ରହିଛି । ଦୁଇବର୍ଷ ହେବ ରାଜ୍ୟରେ ସଚିବମାନେ ଜିଲ୍ଲା ଗସ୍ତରେ ଯାଇନାହାନ୍ତି । ନା ଜିଲ୍ଲାର ସମସ୍ୟା ଓ ସରକାରୀ ଯୋଜନାର କାର୍ଯ୍ୟକାରିତା ସଂପର୍କରେ ଅବଗତ ହେଉଛନ୍ତି । ନା ମୁଖ୍ୟ ଶାସନ ସଚିବଙ୍କୁ ରିପୋର୍ଟ ଦେଉଛନ୍ତି । ତୃଣମୂଳସ୍ତରରେ ଶାସନ କେମିତି ଚାଲିଛି ତାହା ମୁଖ୍ୟମନ୍ତ୍ରୀ କିମ୍ବା ମୁଖ୍ୟ ସଚିବ ଜାଣିପାରୁ ନାହାନ୍ତି । ବିକାଶରେ ଏହା ହେଉଛି ବଡ଼ ବାଧକ ।
ପ୍ରଶାସନକୁ ଲୋକାଭିମୁଖୀ କରିବାକୁ ରାଜ୍ୟରେ ଜିଲ୍ଲା ସଂଖ୍ୟା ୧୭ରୁ ୩୦ ଛୁଇଁଲା । ତହସିଲ ସଂଖ୍ୟା ମଧ୍ୟ ବଢ଼ିଲା । ରାଜ୍ୟରେ ବଜେଟ୍ ପରିମାଣ ବଢ଼ି ୨ ଲକ୍ଷ ୬୫ ହଜାର କୋଟି ଛୁଇଁଲାଣି । କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନା ସହ ରାଜ୍ୟ ସରକାର ନିଜସ୍ୱ ବହୁ ଯୋଜନା କାର୍ଯ୍ୟକାରୀ କରୁଛନ୍ତି । ମାତ୍ର ଏହି ଯୋଜନା ତଳସ୍ତରରେ କେତେ ପହଞ୍ଚୁଛି? ଯୋଗ୍ୟ ହିତାଧିକାରୀ ଯୋଜନାର ସୁଫଳ ପାଉଛନ୍ତି ନା ନାହିଁ? ଏହାର ଅନୁଧ୍ୟାନ କରିବାକୁ ବ୍ୟାପକ କ୍ଷେତ୍ର ପରିଦର୍ଶନର ଆବଶ୍ୟକତା ଅଛି । ଅମଲାଙ୍କ ମାନସିକତା ଏଥିରେ ବଡ଼ ପ୍ରତିବନ୍ଧକ । ସଚିବମାନଙ୍କ ଅନାଗ୍ରହକୁ ଦେଖି ଜିଲ୍ଲାପାଳମାନେ ମଧ୍ୟ ଢିଲା ମାରୁଛନ୍ତି । ସରକାରଙ୍କ ମୂଳ ଲକ୍ଷ୍ୟ ଫେଲ୍ ମାରୁଛି । କ୍ଷେତ୍ର ପରିଦର୍ଶନ ପାଇଁ ବାବୁଙ୍କ ପାଖରେ ଗାଡ଼ିଘୋଡ଼ାର ଅଭାବ ନାହିଁ । ମାତ୍ର ପୂର୍ବରୁ ସଚିବ ଓ ଜିଲ୍ଲାପାଳମାନେ ସାଧନର ଅଭାବ ଥାଇ ଜିଲ୍ଲା ଓ ବ୍ଲକ ଗସ୍ତ କରିବାକୁ ଯେତିକି ତତ୍ପରତା ଦେଖାଉଥିଲେ ଏବେ ତାହା ଦେଖାଯାଉନି । ଏହାକୁ ଅନୁଭବ କରି ପୂର୍ବ ସରକାର ସଚିବମାନଙ୍କୁ ଜିଲ୍ଲା ବଣ୍ଟନ କରିବା ସହ ଯୋଜନା ତଦାରଖ କରିବାକୁ ମଧ୍ୟ ନିର୍ଦ୍ଦିଷ୍ଟ ଦାୟିତ୍ୱ ଦେଇଥିଲେ ।
ମାତ୍ର ତାହା ଆଖିଦୃଶିଆ ହେଲାନାହିଁ । କେଉଁ ସଚିବ ଗଲେ, ଆଉ କିଏ ଗଲେ ନାହିଁ। ଯୋଜନାର ବାସ୍ତବତାକୁ ଅନୁଧ୍ୟାନ କି ସମୀକ୍ଷା କରାଗଲାନି । ତୃଣମୂଳସ୍ତରରେ ବହୁ ଯୋଜନାର ଲାଭ ଅଯୋଗ୍ୟ ହିତାଧିକାରୀ ଉଠାଉଛନ୍ତି । ଯୋଗ୍ୟ ହିତାଧିକାରୀ ରାସନ କାର୍ଡ ପାଉନାହାନ୍ତି । ୧୫ ଲକ୍ଷ ଅଯୋଗ୍ୟ ହିତାଧିକାରୀ ଖାଦ୍ୟ ସାମଗ୍ରୀ ବୋହି ଚାଲିଛନ୍ତି । ରାଜ୍ୟରେ ଆବାସ ଯୋଜନା ଦୁର୍ନୀତିକୁ ଉତ୍ସାହିତ କଲା ବାବୁଙ୍କ ଉଦାସୀନତା । କେନ୍ଦ୍ର-ରାଜ୍ୟ ଟଣା ଓଟରା ଲାଗିଲା । ବର୍ଷ ବର୍ଷ ଧରି ଆବାସରେ ଘର ମିଳିଲାନି । ସଚିବଙ୍କ ଅନାଗ୍ରହ, ଜିଲ୍ଲାପାଳଙ୍କ ଢିଲା ମାନସିକତାର ଫାଇଦା ଉଠାଇଲେ ଅଯୋଗ୍ୟ ହିତାଧିକାରୀ । ବହୁ ଯୋଜନାକୁ ହଡ଼ପ କରି ଚାଲିଲେ । ସରକାର ବି ଆଖିରେ ଅନ୍ଧପୁଟୁଳି ବାନ୍ଧି ବସିଛନ୍ତି ।
ଗାଁକୁ ଯିବେ ବାବୁ?
କାଦୁଅ ପଚ ପଚ ରାସ୍ତା । ଅଭାବୀ ମଣିଷଙ୍କ ଭିଡ଼ । ଗାଁ ଦାଣ୍ଡରେ ଲୋକଙ୍କ ସମସ୍ୟା ଶୁଣିବା ଆଉ ସମାଧାନ କରିବା ହେଉଛି ବିଭାଗୀୟ ସଚିବ ଓ ଜିଲ୍ଲାପାଳଙ୍କ ଦାୟିତ୍ୱ । ଏହା ହିଁ ଶାସନକୁ ସିଧାସଳଖ ଲୋକଙ୍କ ସହ ଯୋଡ଼ିବ । ତୃଣମୂଳସ୍ତରରେ କେଉଁଠି ଦୋଷ ତ୍ରୁଟି ରହୁଛି ତାହା ପଦାକୁ ଆସିବ । ସଂଶୋଧନ ଓ ସମାଧାନର ବାଟ ଫିଟିବ । ପୂର୍ବ ସରକାର ଏହାକୁ ଗମ୍ଭୀରତା ସହ ନେଇ ବାରମ୍ବାର ଚିଠି କଲେ । ହେଲେ ବାବୁମାନେ ଆମର ନିଦାବିଷ୍ଣୁ । କିଏ ଶୁଣିଲା, ଆଉ କିଏ ଗାଲୁ ମାରି ଗାଁ ଆଡ଼େ ଗୋଡ଼ ବଢ଼ାଇଲେନି । ରାଜ୍ୟରେ ନୂଆ ସରକାର ଆସିବା ପରେ ପୁଣି ଜାରି କରିଛନ୍ତି ନିର୍ଦ୍ଦେଶନାମା । ଜିଲ୍ଲା ବୁଲିବେ ସଚିବ । ପ୍ରତି ମାସରେ ଦୁଇରୁ ତିନି ଦିନ ନିଶ୍ଚିତ ଜିଲ୍ଲାକୁ ଯିବେ । ପଞ୍ଚାୟତକୁ ଯିବେ ।
ଯୋଜନାର ତଦାରଖ କରିବେ । ଯେଉଁଠିକୁ ଚାହିଁବେ ଅଚାନକ ପରିଦର୍ଶନ କରି ସତ ମିଛ ଜାଣିପାରିବେ । ଅପହଞ୍ଚ ଓ ଆଦିବାସୀ ଅଞ୍ଚଳକୁ ଯାଇ ବିକାଶ କାମ କେଉଁଠି ପହଞ୍ଚିଛି, ତାକୁ ନିଜ ଆଖିରେ ଦେଖିବେ । ସରକାରୀ ଯୋଜନାରେ ଲୋକେ ମୌଳିକ ସୁବିଧା ପାଉଛନ୍ତି ନା’ ବଞ୍ଚିତ ଅଛନ୍ତି, ପଚାରି ବୁଝିବେ । ଅନାଥାଶ୍ରମ କିମ୍ବା ଆହାର କେନ୍ଦ୍ରରେ ବାବୁ ମଧ୍ୟାହ୍ନ ଭୋଜନ ଖାଇବେ । ଯାଞ୍ଚ କରିବେ ଖାଦ୍ୟର ଗୁଣବତ୍ତା । ପରିଷ୍କାର, ପରିଚ୍ଛନ୍ନତା ଓ ସୁରକ୍ଷା ଦିଗକୁ ପରଖିବେ । କାର୍ଯ୍ୟକାରୀ ହେଉଥିବା ଯୋଜନାର ଟିକିନିଖି ସମୀକ୍ଷା ହେବ । ଅଭିଯୋଗ ଶୁଣାଣିରେ କେତେ ସମାଧାନ ହୋଇଛି ତାହାକୁ ମଧ୍ୟ ଯାଞ୍ଚ କରିବେ ସଚିବ । ଏ ନିର୍ଦ୍ଦେଶ ଦେଇଛନ୍ତି ସରକାର ।
କେବଳ ଏତିକି ନୁହେଁ, ୧୬ ଜିଲ୍ଲାରେ ଥିବା ୨୯ଟି ଆକାଂକ୍ଷୀ ବ୍ଲକ୍ ବୁଲିବାକୁ ଆଇଏଏସ୍ ଅଧିକାରୀଙ୍କୁ କୁହାଯାଇଛି । ୮ ଡିଏମ୍ଏଫ୍ ଜିଲ୍ଲାରେ ଜିଲ୍ଲା ଖଣିଜ ପାଣ୍ଠି ଓ ଓମ୍ବାଡ୍ସି ପାଣ୍ଠିର କିଭଳି ବିନିଯୋଗ ହୋଇଛି, ତା’ର ତଦାରଖ କରିବେ । ଜିଲ୍ଲାରେ ଥିବା ବନ୍ଦର, ବିମାନବନ୍ଦର, ଶିଳ୍ପପାର୍କ, ମେଡିକାଲ କଲେଜ ଓ ଜଳସେଚନ ପ୍ରକଳ୍ପର ସମୀକ୍ଷା କରି ମୁଖ୍ୟ ସଚିବଙ୍କୁ ରିପୋର୍ଟ ଦେବେ । ବାବୁମାନେ ନୂଆ ସରକାରଙ୍କ ଏ ନିର୍ଦ୍ଦେଶକୁ ପାଳନ କରିବେ ନା ଅଳିଆଗଦାକୁ ଫିଙ୍ଗିବେ ତା’ର ଉତ୍ତର ତ ସମୟ କହିବ । ମାତ୍ର ବାବୁମାନେ ଆନ୍ତରିକତା ଓ ଆଗ୍ରହ ଦେଖାଇଲେ ରାଜ୍ୟ ପାଇଁ ହେବ ଶୁଭଙ୍କର ।
‘ବିକଶିତ ଓଡ଼ିଶା’ ଗଠନ ଆଗକୁ ଯିବ
ଗଣତନ୍ତ୍ରରେ ଜନତା ହେଉଛନ୍ତି ଜନାର୍ଦ୍ଦନ । ଆମମାନଙ୍କୁ ଲୋକମାନେ ଭଲପାଇଛନ୍ତି । ବିଜେପିକୁ ଆଶୀର୍ବାଦ ଦେଇଛନ୍ତି । ଲୋକଙ୍କ ସମସ୍ୟା ଶୁଣ । ସମାଧାନ କର । ନିଷ୍ଠାର ସହ ଏମିତି ଲୋକ କଲ୍ୟାଣ କାମ କର, ଯେମିତି ଆମେ ଦୀର୍ଘବର୍ଷ ଯାଏ କ୍ଷମତାରେ ରହିବା । ଓଡ଼ିଶାର ମୁଖ୍ୟମନ୍ତ୍ରୀ ଓ ସାଂସଦମାନଙ୍କୁ ଏମିତି ମନ୍ତ୍ର ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଶାସନକୁ ଲୋକଙ୍କ ପାଖକୁ ନେବାକୁ ଅମଲାଙ୍କୁ ଲୋକଙ୍କ ସହ ଯୋଡ଼ିବା ଉପରେ ପ୍ରଧାନମନ୍ତ୍ରୀ ଜୋର୍ ଦେଇଛନ୍ତି ।
ମୋଦି ଫର୍ମୁଲାକୁ ଆପଣାଇବାକୁ ଅଣ୍ଟା ଭିଡ଼ିଛି ରାଜ୍ୟର ନୂଆ ସରକାର । ୧୯୩୬ରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଶହେ ବର୍ଷ ପୂର୍ତ୍ତି ପାଳିବ ରାଜ୍ୟ । ୧୨ ବର୍ଷ ମଧ୍ୟରେ ‘ବିକଶିତ ଓଡ଼ିଶା’ ଗଠନ ପାଇଁ ମୋହନ ସରକାର ପରିକଳ୍ପନା ରଖିଛନ୍ତି । ସଚିବ ଓ ଜିଲ୍ଲାପାଳମାନେ ଯେତେ ଗାଁକୁ ଯାଇ ଲୋକଙ୍କ ସହ ଯୋଡ଼ିହେବେ ବିକାଶ ସେତିକି ଆଗକୁ ଯିବ । ବିକଶିତ ଓଡ଼ିଶା ଗଠନରେ ଏହା ବେଶ୍ ସହାୟକ ହେବ। ଏଥିପାଇଁ ବାବୁମାନଙ୍କ ଆଭିମୁଖ୍ୟରେ ପରିବର୍ତ୍ତନ ଲୋଡ଼ା । ବାବୁଗିରି ଛାଡ଼ି ଗାଁ ମାଟିରେ ପାଦ ରଖିବାକୁ ହେବ । ମାଟି ମଣିଷଙ୍କ ମେଳରେ ବସି ଭଲମନ୍ଦ ବୁଝିଲେ ହିଁ ଶାସନ ଅଧିକ ସମ୍ବେଦନଶୀଳ, ଲୋକାଭିମୁଖୀ, ଉତ୍ତରଦାୟୀ ହେବ । ଅଧିକ ଦକ୍ଷ ହେବ ଶାସନ ବ୍ୟବସ୍ଥା । ମେଧାରେ ପରିପୂର୍ଣ୍ଣ ବାବୁମାନଙ୍କୁ କ’ଣ ଏହା ବୁଝାଇବାକୁ ପଡ଼ିବ?