ନୂଆଦିଲ୍ଲୀ,୧୫।୯: ଶୁକ୍ରବାର ସକାଳେ ଗ୍ରେଟର ନୋଏଡାଠାରେ ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି। ଯେଉଁଠି ଏକ ନିର୍ମାଣାଧୀନ କୋଠାର ଲିଫ୍ଟ ଭାଙ୍ଗିପଡ଼ିବାରୁ ୪ ଜଣଙ୍କର ମୃତ୍ୟୁ ଘଟିଛି। ନିର୍ମାଣାଧୀନ କୋଠାଟି ଅମ୍ରାପାଲି ଗ୍ରୁପର ବୋଲି କୁହାଯାଉଛି। ଏହି ଦୁର୍ଘଟଣା ବିସରଖ ଥାନା ଅନ୍ତର୍ଗତ ଆମ୍ରପାଲି ଡ୍ରୀମ୍ ଭ୍ୟାଲିରେ ଘଟିଛି। କୁହାଯାଉଛି ଯେ, ନିର୍ମାଣଧୀନ ଲିଫ୍ଟ ହଠାତ୍ ଖସି ପଡିଥିଲା। ୪ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଆହତ ହୋଇଛନ୍ତି।
ମିଳିଥିବା ସୂଚନା ଅନୁସାରେ, ଲିଫ୍ଟରେ ନିର୍ମାଣ ସାମଗ୍ରୀ ନିଆଯାଉଥିବା ବେଳେ ତାହା ଭାଙ୍ଗି ଯାଇଥିଲା। ଲିଫ୍ଟରେ ଏହି ସମୟରେ ଶ୍ରମିକମାନେ ଥିଲେ। ସେତେବେଳେ ଲିଫ୍ଟ ହଠାତ ଭାଙ୍ଗି ଯାଇ ତଳେ ପଡିଥିଲା। ମୃତ ଶ୍ରମିକଙ୍କ ଶବକୁ ପୋଷ୍ଟମର୍ଟମ ପାଇଁ ପଠାଇ ଦିଆଯାଇଛି। ଉଲ୍ଲେଖନୀୟ ଯେ, ଏହା ପୂର୍ବରୁ ମହାରାଷ୍ଟ୍ରର ଥାନେରେ ୧୨ ସେପ୍ଟେମ୍ବରରେ ନିର୍ମାଣଧୀନ ବିଲ୍ଡିଂର ଲିଫ୍ଟ ମଧ୍ୟ ଖସି ପଡିଥିଲ। ଏହି ଦୁର୍ଘଟଣାରେ ୭ ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଥିଲା। ଥାନେର ବାଲକୁମ ନାକା ପାଖରେ ଥିବା ସିଙ୍ଘାନିଆ ରନଓ୍ବା ପ୍ରାଇଭେଟ୍ ଲିମିଟେଡ୍ କମ୍ପାନୀ ବିଲ୍ଡିଂର ନିର୍ମାଣ କରାଯାଇଥିଲା।