ନୂଆଦିଲ୍ଲୀ: ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେନି ଗୁଲାମ ନବୀ ଆଜାଦ । ସେ ନିଜେ ଏହି ଘୋଷଣା କରିଛନ୍ତି । ତାଙ୍କ ପାର୍ଟି ଡେମୋକ୍ରାଟିକ୍ ପ୍ରୋଗ୍ରେସିଭ ଆଜାଦ ପାର୍ଟି (ଡିପିଏପି) ତାଙ୍କୁ ଅନନ୍ତନାଗ-ରାଜୌରୀ ଆସନରୁ ପ୍ରାର୍ଥୀ ଘୋଷଣା କରିଥିଲା । ହେଲେ ଏବେ ସେ ଏହି ଆସନରୁ ତାଙ୍କ ପ୍ରାର୍ଥୀତ୍ବକୁ ପ୍ରତ୍ୟାହାର କରିନେଇଛନ୍ତି । ତାଙ୍କ ବଦଳରେ ଆଡଭୋକେଟ୍ ମହମ୍ମଦ ସଲିମ ପରେ ତାଙ୍କ ଦଳରୁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ । ଗୁଲାମ ନବୀ ଆଜାଦଙ୍କୁ ୨୦୧୪ ମସିହାରେ କଠୁଆ-ଉଦାମପୁର ଲୋକସଭା ନିର୍ବାଚନ ମଣ୍ଡଳୀରେ ବିଜେପିର ଡକ୍ଟର ଜିତେନ୍ଦ୍ର ସିଂ ପରାସ୍ତ କରିଥିଲେ । ଅନ୍ୟ ପକ୍ଷରେ ଅନନ୍ତନାଗ ଲୋକସଭା ଆସନରୁ ପିଡିପି ଅଧ୍ୟକ୍ଷ ମେହବୁବା ମୁଫତି ମଧ୍ୟ ମୈଦାନରେ ଅଛନ୍ତି ।
ଦଳର ପ୍ରାଦେଶିକ ସଭାପତି ଅମିନ ଭଟ୍ଟ କହିଛନ୍ତି, "ଗୁଲାମ ନବୀ ଆଜାଦ ଦୁଇ ଘଣ୍ଟା ଧରି ଦଳର ନେତାଙ୍କ ସହ ଏକ ବୈଠକ କରିଥିଲେ । ଏହି ବୈଠକରେ ନିଷ୍ପତ୍ତି ନିଆଯାଇଛି ଯେ ଅନନ୍ତନାଗ-ରାଜୌରୀ ଆସନରୁ ସଲିମ ପରେ ଦଳର ପ୍ରାର୍ଥୀ ହେବେ। ଗୁଲାମ ନବୀ ଆଜାଦ କାହିଁକି ଏଭଳି ନିଷ୍ପତ୍ତି ନେଲେ ସେନେଇ ଦଳର ନେତା କହିଛନ୍ତି ଯେ, ଏହା ପଛରେ କିଛି କାରଣ ଅଛି ।ସମସ୍ତେ ସର୍ବସମ୍ମତି କ୍ରମେ ସଲିମ ପାରେଙ୍କୁ ପ୍ରାର୍ଥୀ କରିବାକୁ ନିଷ୍ପତ୍ତି ନେଇଛନ୍ତି।
ସେପଟେ ଜମ୍ମୁକାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା କହିଛନ୍ତି ଯେ ପରାଜୟର ଭୟ କାରଣରୁ ଗୁଲାମ ନବୀ ଆଜାଦ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁନାହାଁନ୍ତି । ସେ ଭୟଭୀତ ।