ମାଲକାନଗିରି,୩୧/୮ : ମାଲକାନଗିରି ପୌରପରିଷଦ ପକ୍ଷରୁ ସ୍ୱାୟତ୍ତ ଶାସନ ଦିବସ ପାଳନ ଅବସରରେ ପ୍ରଥମ ଥର କରି ସହରରେ ୧୧୦ଫୁଟ ଉଚ୍ଚର ଜାତୀୟ ପତାକା ଉତ୍ତୋଳନ କରାଯାଇଛି । ମାଲକାନଗିରି ପୌର ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ରାଜେନ୍ଦ୍ର ଖରାଙ୍କ ଅଧ୍ୟକ୍ଷତାରେ ଆଡ଼ମ୍ବର ସହକାରେ ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟଅତିଥି ଭାବେ ପୌରପରିଷଦ ଉପାଧ୍ୟକ୍ଷ ମନୋଜ ବାରିକ, ସମ୍ମାନିତ ଅତିଥି ଭାବେ ଉପାଧ୍ୟକ୍ଷା କବିତା ମାହୁନ୍ତ ଓ ବରିଷ୍ଠ ସାମ୍ବାଦିକ ରତ୍ନାକର ଦାଶ ଯୋଗଦେଇ ବିଭିନ୍ନ ମହାପୁରଷଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି କାର୍ଯ୍ୟାଳୟ ସମ୍ମୁଖରେ ପତାକା ଉତ୍ତୋଳନ କରି ସ୍ୱାୟତ୍ତ ଶାସନ ଦିବସର ତାତ୍ପର୍ଯ୍ୟ ଓ ପୌରପରିଷଦର ଭୂମିକା ସମ୍ପର୍କରେ କହିଥିଲେ ।
ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖ ବିବିଗୁଡା ପୁଷ୍କରଣୀ ହୁଡାରେ ନବନିର୍ମିତ ପାର୍କରେ ଥିବା ପ୍ରବାଦପୁରୁଷ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ବିରାଟକାୟ ବ୍ରୋଞ୍ଚ ପ୍ରତିମୂର୍ତ୍ତିରେ ଅତିଥିମାନେ ମାଲ୍ୟାର୍ପଣ କରିବା ସହ ସେଠାରେ ପ୍ରଥମ ଥର କରି ୩୩ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ସ୍ଥାପନ କରାଯାଇଥିବା ଅତ୍ୟାଧୁନିକ ଶୈଳୀରେ ନିର୍ମିତ ସ୍ୱୟଂଚାଳିତ ୧୧୦ଫୁଟ ଉଚ୍ଚତା ସମ୍ପନ ଜାତୀୟ ପତାକା ସ୍ତମ୍ବକୁ ଅତିଥିମାନେ ପୂଜା ପାଠ କରି ନଡ଼ିଆ ଭାଙ୍ଗି ଉଦଘାଟନ କରିଥିଲେ । ସେହି ସ୍ତମ୍ବରେ ୪୦ଫୁଟ ଲମ୍ବର ଜାତୀୟ ପତ୍ତକାକୁ ଉତ୍ତୋଳନ କରି ଜାତୀୟ ସଙ୍ଗୀତ ଗାନ କରିଥିଲେ।
ଏହି କାର୍ଯ୍ୟକ୍ରମରେ ପୌରପରିଷଦର ସମସ୍ତ କାଉଁସିଲର, କର୍ମଚାରୀମାନେ ଉପସ୍ଥିତ ଥିଲେ । ପୌରପରିଷଦ ସହକାରୀ ଯନ୍ତ୍ରୀ ଇଂ ଇନ୍ଦୁମାଧବ ସରକାର, କନିଷ୍ଠ ଯନ୍ତ୍ରୀ ଇଂ କରଣ ବୁରୁଦା ଓ ଅନ୍ୟା କର୍ମଚାରୀମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଜିଲ୍ଲାରେ ପ୍ରଥମ ଥର ୧୧୦ଫୁଟ ଉଚ୍ଚତା ଜାତୀୟ ପତକା ଉତ୍ତୋଳନ ଦେଖିବା ପାଇଁ ଦର୍ଶକମାନଙ୍କ ଭିଡ଼ ଲାଗିଥିଲା।