ନ୍ୟୁୟର୍କ,୨୭/୦୯: ଆମେରିକାରେ ସୃଷ୍ଟି ହୋଇଛି ସାମୁଦ୍ରିକ ଝଡ଼ ‘ହେଲେନେ’ । ଆଟଲାଣ୍ଟିକ୍ ସାଗରରେ ସୃଷ୍ଟ ‘ହେଲେନେ’ ଫ୍ଲୋରିଡାମୁହାଁ ହେଉଛି । ଏହାର ପ୍ରଭାବ ସାଙ୍ଘାତିକ ତଥା ଘାତକ ହେବ । କାଟେଗୋରି ୪ ବର୍ଗରେ ଏହା ରହିଥିବାରୁ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳରେ ବିନାଶଲୀଳା ରଚିବା ନେଇ ଆଶଙ୍କା କରାଯାଉଛି । ଏହି ସମୟରେ ୨୦-୨୫ ଫୁଟ ଜୁଆର ଉଠିବା ଆଶଙ୍କା ରହିଛି । ପାଣିପାଗ ବିଭାଗର ସତର୍କବାଣୀ ପରେ ତଟବର୍ତ୍ତୀ ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଚାଲିଯିବା ପାଇଁ କୁହାଯାଇଛି ।
ପାଣିପାଗ ବିଶେଷଜ୍ଞଙ୍କ ମୁତାବକ, ‘ହେଲେନେ’ ପ୍ରଭାବରେ ୧୫ ଇଞ୍ଚ ବର୍ଷା ହୋଇପାରେ । ଜର୍ଜିଆ ଓ କାରୋଲିନା ପର୍ଯ୍ୟନ୍ତ ଏହାର ପ୍ରଭାବ ରହିପାରେ । କାଟେଗୋରି ୪ ଅନୁସାରେ ଫ୍ଲୋରିଡାରେ ‘ହେଲେନେ’ ପ୍ରଭାବରେ ଘଣ୍ଟା ପିଛା ୧୫୫ କିଲୋମିଟର ବେଗରେ ପବନ ବହିବା ନେଇ ଅନୁମାନ କରାଯାଉଛି ।
ପାଣିପାଗ ବିଭାଗ ମୁତାବକ, ଶୁକ୍ରବାର ଫ୍ଲୋରିଡାର ବିଗ୍ ବେଣ୍ଡ୍ ଅଞ୍ଚଳରେ ଏହା ସ୍ଥଳଭାଗ ଛୁଇଁପାରେ । ଅଧିକାରୀମାନେ ଲୋକଙ୍କୁ ତୁରନ୍ତ ସୁରକ୍ଷିତ ସ୍ଥାନକୁ ଚାଲିଯିବା ପାଇଁ କହିଛନ୍ତି । ଏହାକୁ ଦୃଷ୍ଟିରେ ରଖି କିଛି ଲୋକ ନିଜ ଘରେ ଅତ୍ୟାବଶ୍ୟକ ସାମଗ୍ରୀ ମହଜୁଦ ରଖୁଥିବା ଦେଖିବାକୁ ମିଳିଛି । ଝଡ଼ ହେଲେନେକୁ ଅଧିକାରୀମାନେ ‘ସାଙ୍ଘାତିକ’ ଦର୍ଶାଇବା ସହ ଏଥିରୁ ତିଷ୍ଠିବା କଷ୍ଟକର ବୋଲି କହିଛନ୍ତି । ଫ୍ଲୋରିଡାବାସୀଙ୍କୁ ବୁଧବାରଠାରୁ ଏ ପର୍ଯ୍ୟନ୍ତ ୧୪ଟି ସତର୍କ ସୂଚନା ଦିଆଗଲାଣି । ସହରର ପ୍ରାୟ ୨ ଲକ୍ଷ ଲୋକ ଏହାଯୋଗୁ ପ୍ରଭାବିତ ହେବା ଆଶଙ୍କା ରହିଛି ।