ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଫ୍ରେଞ୍ଚ ଓପନ୍ ୨୦୨୪: ଇଗା ସ୍ୱିଟେକ୍‌ ମହିଳା ସିଙ୍ଗଲ୍ସ ଚାମ୍ପିଅନ୍‌, ପୁରୁଷରେ ଅଲ୍‌କାରାଜ-ଭେରେଭ ଫାଇନାଲ

ପ୍ୟାରିସ୍‌,୦୯/୦୬: ସବୁ ଆକଳନ ଓ ପୂର୍ବାନୁମାନର ଅନ୍ତ ଘଟାଇପୋଲାଣ୍ଡର ଇଗା ସ୍ୱିଟେକ ଚତୁର୍ଥ ଥର ଫ୍ରେଞ୍ଚ ଓପନ ମହିଳା ସିଙ୍ଗଲ୍ସ ଚାମ୍ପିଅନ୍‌ ଆଖ୍ୟା ଅର୍ଜନ କରିଛନ୍ତି । ଶନିବାର ଅନୁଷ୍ଠିତ ଫାଇନାଲ୍‌ ମୁକାବିଲାରେ ସେ ଇଟାଲୀର ଜସ୍ମିନ ପାଓଲିନ୍‌ଙ୍କୁ ସିଧାସଳଖ ୬-୨, ୬-୧ ସେଟ୍‌ରେ ପରାସ୍ତ କରିଥିଲେ । ଏହି ମ୍ୟାଚ୍‌ ଜିତିବା ପାଇଁ ସ୍ୱିଟେକଙ୍କୁ ମାତ୍ର ୬୮ମିନିଟ୍‌ ଲାଗିଥିଲା । ଟୁର୍ଣ୍ଣାମେଣ୍ଟ ଆରମ୍ଭରୁ ଫାଇନାଲ୍‌ ପର୍ଯ୍ୟନ୍ତ ତାଙ୍କ ଆଧିପତ୍ୟ ଜାରି ରହିଥିଲା । କେବଳ ନାଓମି ଓସାକାଙ୍କ ବିପକ୍ଷ ଦ୍ୱିତୀୟ ରାଉଣ୍ଡ ମୁକାବିଲାକୁ  ଛାଡ଼ିଦେଲେ ବାକି ୬ଟି ଯାକ ମ୍ୟାଚ୍‌ରେ ସେ ସିଧାସଳଖ ସେଟ୍‌ରେ ବିଜୟୀ ହୋଇଥିଲେ । 

ଶନିବାର ମଧ୍ୟ ପାଓଲିନ୍‌ଙ୍କ ବିପକ୍ଷରେ ସ୍ୱିଟେକ ପ୍ରଭାବ ଜାରି ରଖିଥିଲେ । ସବୁ ବିଭାଗରେ ଚମତ୍କାର ପ୍ରଦର୍ଶନ କରି ସେ ପାଓଲିନଙ୍କୁ  ପ୍ରତ୍ୟାବର୍ତ୍ତନ କରିବାକୁ ସୁଯୋଗ ଦେଇ ନଥିଲେ । ପ୍ରଥମ ସେଟ୍‌ରେ ସ୍ୱିଟେକ ପ୍ରଥମ ପଏଣ୍ଟ ଅର୍ଜନ କରିବା ପରେ ପାଓଲିନ୍‌ ନିଜ ସର୍ଭିସରେ ପଏଣ୍ଟ ସହ ସ୍ୱିଟେକଙ୍କ ସର୍ଭିସ ବ୍ରେକ୍‌ କରି ୨-୧ରେ ଅଗ୍ରଣୀ ହାସଲ କରିଥିଲେ। ମାତ୍ର ଏହାପରେ ସ୍ୱିଟେକ୍‌ କ୍ରମାନ୍ୱୟରେ ୫ ପଏଣ୍ଟ ହାତେଇ ୬-୨ରେ ପ୍ରଥମ  ସେଟ୍‌ ଅକ୍ତିଆର କରିଥିଲେ । ଏହି ସେଟ୍‌ ଜିତିବା ପାଇଁ ସ୍ୱିଟେକଙ୍କୁ ୩୪ ମିନିଟ୍‌  ଲାଗିଥିଲା । ଏହାପରେ ସେ ସାମାନ୍ୟ ତ୍ରୁଟି ଦୋହରାଇ ନଥିଲେ । ପାଓଲିନ୍‌ଙ୍କ  ପାଇଁ ପ୍ରତି ପଏଣ୍ଟ କଷ୍ଟକର ହୋଇ ଯାଇଥିଲା । 

ଶେଷରେ ରୋଲାଣ୍ଡ ଗ୍ୟାରସରେ ୩୫ତମ ବିଜୟ ସହ ସ୍ୱିଟେକ ଚାମ୍ପିଅନ୍‌ ହୋଇଥିଲେ। ସମ୍ପୂର୍ଣ୍ଣ ମ୍ୟାଚ୍‌ରେ ସେ ୫ଟି ବ୍ରେକ୍‌ ପଏଣ୍ଟ ହାସଲ କରିଥିଲେ । ପୂର୍ବରୁ ସ୍ୱିଟେକ ୨୦୨୦, ୨୦୨୨ ଓ ୨୦୨୩ରେ ଫ୍ରେଞ୍ଚ ଓପନ ଚାମ୍ପିଅନ୍‌ ହୋଇଥିଲେ । ଏହା ବ୍ୟତୀତ ୨୦୨୨ରେ ସେ ୟୁଏସ ଓପନ ଟାଇଟଲ ମଧ୍ୟ  ଜିତିଥିଲେ । ୨୦୨୧ ଫ୍ରେଞ୍ଚ ଓପନ କ୍ୱାର୍ଟର ଫାଇନାଲ୍‌ରେ ମାରିଆ ସାକାରିଙ୍କ ଠାରୁ  ପରାଜିତ ହେବା ପରଠୁ ସ୍ୱିଟେକ ଆଉ ରୋଲାଣ୍ଡ ଗ୍ୟାରସ୍‌ରେ ଗୋଟିଏ ହେଲେ  ମ୍ୟାଚ୍‌ ପରାଜିତ ହୋଇ ନାହାନ୍ତି । କ୍ରମାନ୍ୱୟରେ ସେ ୨୧ଟି ମ୍ୟାଚ୍‌ ଜିତିସାରିଛନ୍ତି । ମାତ୍ର ୨୩ ବର୍ଷ ବୟସରେ ସେ ୫ଟି ଗ୍ରାଣ୍ଡସ୍ଲାମ୍‌ ଟାଇଟଲ ଜିତି ସାରିଛନ୍ତି। 

କେବଳ ସେତିକି ନୁହେଁ, ଫାଇନାଲ୍‌ରେ ସେ ଏପର୍ଯ୍ୟନ୍ତ ପରାଜିତ ହୋଇନାହାନ୍ତି ।  ଓପନ ଏରାରେ ସର୍ବକନିଷ୍ଠ ଖେଳାଳି ଭାବେ ସ୍ୱିଟେକ ରୋଲାଣ୍ଡ ଗ୍ୟାରସରେ ୪ଟି ଟାଇଟଲ  ଜିତିସାରିଛନ୍ତି । ୨୦୨୦ରେ ପ୍ରଥମ ଫ୍ରେଞ୍ଚ ଓପନ ଟ୍ରଫି ହାସଲ କରିବା ସମୟରେ ସେ ମଧ୍ୟ  ଏକ ରେକର୍ଡ କରିଥିଲେ । ସେ ନିମ୍ନ ମାନ୍ୟତାପ୍ରାପ୍ତ ଖେଳାଳି ଭାବେ ଚାମ୍ପିଅନ୍‌ ହୋଇଥିଲେ ।  ସେତେବେଳେ ସେ ଡବ୍ଲ୍ୟୁଟିଏ ମାନ୍ୟତା ତାଲିକାର ୫୦ତମ ସ୍ଥାନରେ ରହିଥିଲେ ।

ଭେରେଭ-ଅଲ୍‌କାରାଜ ଟାଇଟଲ ମୁକାବିଲା

ପୁରୁଷ ସିଙ୍ଗଲ୍ସରେ ତୃତୀୟ ସିଡ୍‌ କାର୍ଲୋସ ଅଲ୍‌କାରାଜ ଓ ଚତୁର୍ଥ ସିଡ୍‌  ଆଲେକଜାଣ୍ଡର ଭେରେଭଙ୍କ ମଧ୍ୟରେ ଟ୍ରଫି ପାଇଁ ଲଢେଇ ହେବ । ସେମି  ଫାଇନାଲ୍‌ରେ ଭେରେଭ ୨-୬, ୬-୨, ୬-୪, ୬-୨ ସେଟ୍‌ରେ ସପ୍ତମ ସିଡ୍‌  ନରୱେର କାସ୍ପର ରୁଡଙ୍କୁ ପରାସ୍ତ କରିଥିଲେ । ଏହି ମ୍ୟାଚ୍‌ ଜିତିବା ପାଇଁ ଭେରେଭଙ୍କୁ  ୨ଘଣ୍ଟା ୩୫ ମିନିଟ୍‌ ଲାଗିଥିଲା । ସେ ମୋଟ୍‌ ୫ଟି ବ୍ରେକ୍‌ ପଏଣ୍ଟ ହାସଲ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.