ପ୍ରମୂଖ ଖବର

ମୁଁ ଈଶ୍ୱର, ମୁଁ ଅସୁର !

ଭଲ ଓ ଖରାପ କାର୍ଯ୍ୟ ଜୀବନ ମୁଦ୍ରାର ଦୁଇ ପାଶ୍ୱର୍ ପରି । ଭଲ ସହ ମନ୍ଦ ଏକ ଯୁଗଳବନ୍ଦୀ ପରି ଅଟେ । ଗୋଟିଏ ବିନା ଅନ୍ୟଟିର ଅସ୍ତିତ୍ୱ ନଥାଏ । ଏଣୁ ପ୍ରକୃତି ଅବା ସ୍ରଷ୍ଟା ନିଜ ସୃଷ୍ଟିର ସଂରଚନାରେ ଦୁଇଟିଯାକ ଗୁଣକୁ ଗୋଟିଏ ଜୀବର ଅନ୍ତର ମଧ୍ୟରେ ପ୍ରାକୃତିକ ଅବା ସ୍ୱାଭାବିକ ଗୁଣ ଭାବରେ ଅନ୍ତର୍ନିହିତ କରିଥାନ୍ତି । ଉକ୍ତ ଗୁଣଗୁଡ଼ିକୁ ଆଧାର କରି, ମଣିଷ ସମାଜ ନିଜର ସାମାଜିକ ବ୍ୟବସ୍ଥା ଓ ଦୃଷ୍ଟିଭଙ୍ଗୀ ସହ ଦୁଇଟି ଚରିତ୍ରର ନିର୍ମାଣ ତଥା ଗଠନ କରିଥାଏ । ସେଥିମଧ୍ୟରୁ ଗୋଟିଏ ଭଲ ଚରିତ୍ର ଓ ଅନ୍ୟଟି ମନ୍ଦ ଚରିତ୍ର । ବିଭିନ୍ନ ପୌରାଣିକ ମତ ତଥା ଗୀତା, ଭାଗବତ ଓ ରାମାୟଣ ଆଦି ପରି ପବିତ୍ର ଗ୍ରନ୍ଥରେ ବର୍ଣ୍ଣିତ ବିଗତ ତିନିଯୁଗରେ ଘଟିଥିବା ଘଟଣାବଳୀ ଅନୁସାରେ, ପ୍ରତିଟି କାହାଣୀରେ ଜଣେ ନାୟକ ଓ ଜଣେ ଖଳନାୟକ ଚରିତ୍ର ରହିଥାନ୍ତି । ଠିକ୍‌ ସେହିପରି ଆଜିର ଯୁଗ ଓ ସମାଜରେ ମଧ୍ୟ ବାସ୍ତବ ଜୀବନଠାରୁ ଆରମ୍ଭ କରି ନାଟକ ଓ ସିନେମା ପର୍ଯ୍ୟନ୍ତ ପ୍ରତିଟି ବିଷୟ ବସ୍ତୁରେ ଉଭୟ ଚରିତ୍ର ବିଦ୍ୟମାନ ରହିଥାଏ । ତେବେ ଯାଇ କାହାଣୀରେ ଅନେକ ମୋଡ଼ ଆସେ ଏବଂ ତାହା ଚିତ୍ତାକର୍ଷକ ତଥା କୌତୂହଳପୂର୍ଣ୍ଣ ହେବା ସହ ଲୋକପ୍ରିୟତା ହାସଲ କରିଥାଏ । ସାଧାରଣତଃ, ନାୟକ ଚରିତ୍ର ମଧ୍ୟରେ ଅନେକ ଈଶ୍ୱର ସମ୍ବନ୍ଧୀୟ ତଥା ଐଶ୍ୱରିକ ସୁଲଭ ଗୁଣଗୁଡ଼ିକ ବିଦ୍ୟମାନ ଥାଏ । ତାହା ହେଉଛି ପ୍ରେମ, ସ୍ନେହ, ଦୟା, ଧର୍ମ, କ୍ଷମା, ଭକ୍ତି, ଧୈର୍ଯ୍ୟ, ସହନଶୀଳତା, ଦାନ, ସଚ୍ଚୋଟତା, ନିଃସ୍ୱାର୍ଥପରତା ଆଦି ।

ଅପରପକ୍ଷରେ ଖଳନାୟକ ଚରିତ୍ରରେ ଅନେକ ରାକ୍ଷସ ତଥା ଆସୁରିକ ସ୍ୱଭାବ ଓ ଗୁଣମାନ ସଂଯୁକ୍ତ ହୋଇ ରହିଥାଏ । ସେଗୁଡ଼ିକ ହେଉଛି କାମ, କ୍ରୋଧ, ହିଂସା, ଅହଂ, ପରଶ୍ରୀକାତରତା, ଉଗ୍ରତା, ସ୍ୱାର୍ଥପରତା, ଦାୟିତ୍ୱହୀନତା, ଅଧୈର୍ଯ୍ୟ, ଘୃଣା, ଅନ୍ୟର କ୍ଷତି ଓ ଅନିଷ୍ଟ କରିବାର ଚିନ୍ତା ଇତ୍ୟାଦି । ଉପରୋକ୍ତ ବର୍ଣ୍ଣିତ ସମସ୍ତ ସକାରାତ୍ମକ ଓ ନକାରାତ୍ମକ ଗୁଣ ଅବା ସ୍ୱଭାବଗୁଡ଼ିକ ପ୍ରାକୃତିକ ଭାବରେ ଗୋଟିଏ ବ୍ୟକ୍ତି ମଧ୍ୟରେ ଅନ୍ତର୍ନିହିତ ହୋଇ ରହିଥାଏ । ଗୋଟିଏ ପରିସ୍ଥିତିରେ ଜଣେ ବ୍ୟକ୍ତି ଯେଉଁ ଗୁଣକୁ ଧାରଣ କରି କୌଣସି ଘଟଣାରେ ଯେଉଁଭଳି ଭାବରେ ନିଜର ପ୍ରତିକ୍ରିୟା ଓ ବ୍ୟବହାର ପ୍ରଦର୍ଶନ କରିଥାନ୍ତି, ବ୍ୟକ୍ତି ଜଣଙ୍କ ଉକ୍ତ ଚରିତ୍ରରେ ଅନ୍ୟମାନଙ୍କ ସମ୍ମୁଖରେ ଉପସ୍ଥାପିତ ହୋଇଥାନ୍ତି । ଏହା ସତ୍ୟ ଯେ, ଦୁନିଆରେ କେହି ଜଣେହେଲେ ବ୍ୟକ୍ତି ଶତକଡ଼ା ଶହେଭାଗ ଠିକ୍‌ ଓ ଭଲ ନୁହଁନ୍ତି । ଏହାର ଅର୍ଥ, ଜଣେ ସକାରାତ୍ମକ ବ୍ୟକ୍ତି ନିଜ ଜୀବନ ତଥା ଜୀବନ କାଳ ମଧ୍ୟରେ ସମସ୍ତ କାର୍ଯ୍ୟ ଭଲ ଓ ଠିକ୍‌ କରିନଥାନ୍ତି । ଜଣେ ନକାରାତ୍ମକ ବ୍ୟକ୍ତି ନିଜ ଜୀବନରେ ସମସ୍ତ କାର୍ଯ୍ୟ ଖରାପ ତଥା ଭୁଲ୍‌ କରିନଥାନ୍ତି । କିନ୍ତୁ ବାସ୍ତବତା ହେଉଛି, ସକାରାତ୍ମକ ବ୍ୟକ୍ତି ଜଣଙ୍କର ଭଲ ଓ ଠିକ୍‌ କାର୍ଯ୍ୟର ମାତ୍ରା ଓ ପରିମାଣ ଏତେ ଅଧିକ ଥାଏ ଯେ, ତାଙ୍କର ଅନ୍ୟ ସମସ୍ତ ଖରାପ ଗୁଣ ଓ କାର୍ଯ୍ୟଗୁଡ଼ିକ ଉକ୍ତ ଭଲକାର୍ଯ୍ୟ ଦ୍ୱାରା ଲୁଚିଯାଇଥାଏ ଏବଂ ସମାଜରେ ଲୋକମାନେ ସାଧାରଣତଃ ତାଙ୍କୁ ଜଣେ ଭଲ ଚରିତ୍ର ଓ ବ୍ୟକ୍ତିତ୍ୱ ଭାବରେ ବିବେଚନା କରିଥାନ୍ତି ।

ଅପରପକ୍ଷରେ, ଜଣେ ନକାରାତ୍ମକ ତଥା ମନ୍ଦ ବ୍ୟକ୍ତିଙ୍କର ଖରାପ ଗୁଣ ଓ କାର୍ଯ୍ୟର ପରିମାଣ ଏତେ ଅଧିକ ଥାଏ ଯେ, ତାଙ୍କର ଅନ୍ୟ ସମସ୍ତ ଭଲ ଗୁଣ ଓ କାର୍ଯ୍ୟ, ଉକ୍ତ ଖରାପ କାର୍ଯ୍ୟ ଦ୍ୱାରା ଆଚ୍ଛାଦିତ ହୋଇଯାଇଥାଏ । ସମାଜ ଦ୍ୱାରା ସେ ଜଣେ ମନ୍ଦ ଚରିତ୍ର ତଥା ଖଳନାୟକ ଭାବରେ ବିବେଚିତ ହୋଇଥାନ୍ତି । ପୁରାଣ ବର୍ଣ୍ଣିତ ବିଭିନ୍ନ ପ୍ରମୁଖ ଚରିତ୍ର ମଧ୍ୟରୁ "ରାବଣ' ଅନ୍ୟତମ । ସେ ଜଣେ ମହାପଣ୍ଡିତ, ମହାଜ୍ଞାନୀ ଏବଂ ତପସ୍ୱୀ ଥିଲେ । ଅନେକ ଶକ୍ତି ଓ ସାମର୍ଥ୍ୟର ଅଧିକାରୀ ମଧ୍ୟ ଥିଲେ । ଯିଏକି ନିଜର ଭକ୍ତି ଓ ତପସ୍ୟା ବଳରେ ମହାଦେବଙ୍କୁ ନିଜର କରିପାରିଥିଲେ । ମର୍ତ୍ତ୍ୟପୁରରେ ଅବିଶ୍ୱସନୀୟ ସ୍ୱର୍ଣ୍ଣର ଲଙ୍କାପୁରୀ ରଚନା କରିଥିଲେ ଓ ପୁଷ୍ପକ ବିମାନରେ ଯାତାୟାତ କରୁଥିଲେ । ଏମିତିକି, ସ୍ୱୟଂ ନାରାୟଣଙ୍କର ମାନବ ଅବତାର, ପ୍ରଭୁ ଶ୍ରୀରାମଚନ୍ଦ୍ର ସମୁଦ୍ର ମଧ୍ୟରେ ଲଙ୍କାକୁ ନିର୍ମାଣ କରିଥିବା ସେତୁ ବନ୍ଧର ପ୍ରତିଷ୍ଠା ନିମନ୍ତେ ସାରା ବ୍ରହ୍ମାଣ୍ଡରେ କୌଣସି ଦକ୍ଷ ଓ ଯୋଗ୍ୟ ବ୍ରାହ୍ମଣ ତଥା ପଣ୍ଡିତ ନପାଇ ରାବଣଙ୍କର ସାହାଯ୍ୟ ଲୋଡ଼ିଥିଲେ! ଅପରପକ୍ଷରେ ରାବଣର ଅନେକ ଖରାପ ଓ ମନ୍ଦ ଗୁଣ ତଥା ଆସୁରିକ କଳା ମଧ୍ୟ ଥିଲା, ଯାହାକି ତାଙ୍କର କାର୍ଯ୍ୟ ଓ ବ୍ୟବହାରରେ ପ୍ରତ୍ୟହ ପ୍ରତିଫଳିତ ହେଉଥିଲା । ଏହାର ପରିମାଣ ଏତେ ଅଧିକ ଥିଲା ଯେ, ତାହା ତାଙ୍କର ସମସ୍ତ ଭଲ ଗୁଣ, ସ୍ୱଭାବ, ଜ୍ଞାନ ଓ କାର୍ଯ୍ୟ ଉପରେ ପରଦା ସଦୃଶ କାର୍ଯ୍ୟ କରିଥିଲା ଏବଂ ତାଙ୍କର ଅନ୍ୟାୟ, ଅନୀତି, ଘୃଣା, ଅହଂ, ହିଂସା ଆଦି ଗୁଣ ଓ କୁକର୍ମ ତାଙ୍କୁ ସମାଜ ଓ ଇତିହାସ ପୃଷ୍ଠାରେ ଏକ ମନ୍ଦ ଚରିତ୍ର ତଥା ଖଳନାୟକ ଭୂମିକାରେ ପ୍ରତିପାଦିତ କରିଥିଲା । ତେବେ ଦୁନିଆର ପ୍ରତିଟି ମଣିଷ, ଉଭୟ ନାୟକ ଓ ଖଳନାୟକ ଚରିତ୍ର ଅବା ବ୍ୟକ୍ତିକୁ ମନେରଖେ ଏବଂ ମନେପକାଏ । କିନ୍ତୁ ଫରକ ହେଉଛି, ଭଲ ବ୍ୟକ୍ତି ଜଣଙ୍କୁ ମନେ ପକେଇବାରେ ସାଧାରଣ ଲୋକଟିର ମନ ମଧ୍ୟରେ ସ୍ୱତଃ ଭଲ ଭାବନା, ଚେତନା ଓ ପ୍ରେରଣା ସୃଷ୍ଟି ହୋଇଥାଏ ।

ଅପରପକ୍ଷରେ, ଖଳନାୟକ ଚରିତ୍ରଟିକୁ ମନେ ପକେଇବାରେ ତା'ର ମନରେ ଘୃଣା ଓ ବିଷାଦ ଭାବ ଜାଗ୍ରତ ହୋଇଥାଏ । ଏଣୁ ପ୍ରତିଟି ବ୍ୟକ୍ତି ଭିତରେ ଅସୁର ଏବଂ ଆସୁରିକ କଳା ଓ ଗୁଣ ସହ ଐଶ୍ୱରିକ ସ୍ୱଭାବ ତଥା ଈଶ୍ୱର ଲୁଚି ରହିଥାନ୍ତି । ଅର୍ଥାତ୍‌, ପ୍ରତିଟି ବ୍ୟକ୍ତି ମଧ୍ୟରେ ଉଭୟ ଈଶ୍ୱର ଓ ଅସୁର ବାସ କରିଥାନ୍ତି । ତେବେ କୌଣସି ଏକ ନକାରାତ୍ମକ ପରିସ୍ଥିତି ଓ ଘଟଣାରେ ଜଣେ ବ୍ୟକ୍ତିଙ୍କ ମନରେ କାମ, କ୍ରୋଧ, ଘୃଣା, ହିଂସା ଆଦି ଖରାପ ଗୁଣଗୁଡ଼ିକ ପ୍ରତିଫଳିତ ହେବା ସ୍ୱାଭାବିକ ବିଷୟ ଅଟେ । କିନ୍ତୁ ନିଜ ମଧ୍ୟରେ ଧୈର୍ଯ୍ୟ, ସହନଶୀଳତା, ଦୟା, କ୍ଷମା ଆଦି ଗୁଣକୁ ଜାଗ୍ରତ କରି ଉକ୍ତ ନକାରାତ୍ମକ ସ୍ୱଭାବଗୁଡିକ ଉପରେ ଜଣେ ସକାରାତ୍ମକ ଭାବନା ରଖୁଥିବା ବ୍ୟକ୍ତି ନିୟନ୍ତ୍ରଣ ଆଣିବାରେ ସଫଳ ହୋଇଥାନ୍ତି । ଉକ୍ତ ଭଲ ଗୁଣଗୁଡିକ ପ୍ରଭାବରେ ପ୍ରଭାବିତ ହୋଇ ବ୍ୟକ୍ତି ଜଣଙ୍କ କାର୍ଯ୍ୟ କରିଥାନ୍ତି, ଯାହା ତାଙ୍କୁ ସମାଜରେ ଈଶ୍ୱର ତଥା ନାୟକ ଚରିତ୍ରରେ ଉପସ୍ଥାପିତ କରିଥାଏ । ତେବେ ଜଣେ ବ୍ୟକ୍ତିଙ୍କୁ ଅନ୍ୟ ଜଣେ ବ୍ୟକ୍ତିଙ୍କ ସମ୍ମୁଖରେ "ସେ ଈଶ୍ୱର ଅବା ଅସୁର' ଅଟନ୍ତି, ତାହା କେବଳ ତାଙ୍କର ଗୁଣ, ସ୍ୱଭାବ ଓ କର୍ମ ହିଁ ନିର୍ଦ୍ଧାରିତ କରିଥାଏ । ଅତଏବ ନିଜ ମଧ୍ୟରେ ଅନ୍ତର୍ନିହିତ ଈଶ୍ୱରଙ୍କ ସତ୍ତାକୁ ଉଜାଗର କରିବା ଉଚିତ୍‌ ।

{"id":594307,"width":418,"height":178,"sizeSlug":"full","linkDestination":"none"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.