ନୂଆଦିଲ୍ଲୀ: ନିର୍ବାଚନ ପୂର୍ବରୁ ଅଶାନ୍ତ ହୋଇଉଠିଛି ଜାମ୍ମୁକାଶ୍ମୀର । ହିଂସା ସୃଷ୍ଟି କରିବାକୁ ଉଦ୍ୟମ ଜାରି ରଖିଛନ୍ତି ଆତଙ୍କବାଦୀ । ସେମାନଙ୍କୁ ଜବାବ ବି ଦେଉଛନ୍ତି ଭାରତର ସୁରକ୍ଷାକର୍ମୀ । ଆଜି ଜାମ୍ମୁକାଶ୍ମୀରର କଠୁଆ ଓ କିଶ୍ତୱାଡ଼ରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ଦୁଇଟି ପୃଥକ ସ୍ଥାନରେ ୨ ଜଣ ଆତଙ୍କବାଦୀ ନିହତ ହୋଇଥିବା ବେଳେ ୪ ଜଣ ଯବାନ ଆହତ ହୋଇଛନ୍ତି । ଏବେ ବି ଉଭୟ ସ୍ଥାନରେ ଗୁଳି ବିନିମୟ ଜାରି ରହିଛି।
ଆଜି ସୁରକ୍ଷାକର୍ମୀଙ୍କ ପକ୍ଷରୁ କିଶ୍ତୱାଡ଼ର ଛତ୍ରୋ ଅଞ୍ଚଳରେ ସର୍ଚ୍ଚ ଅପରେସନ ଚାଲିଥିଲା । ଏହି ସମୟରେ ଆତଙ୍କବାଦୀମାନେ ଗୁଳି ମାଡ଼ କରିଥିଲେ । ଏହାର ଜୋରଦାର ପ୍ରତିଜବାବ ଦେଇଥିଲେ ସୁରକ୍ଷାକର୍ମୀ । ଦୀର୍ଘ ସମୟ ଧରି ଜାରି ରହିଥିବା ଏହି ଗୁଳି ବିନିମୟରେ ୪ ଜଣ ଯବାନ ଆହତ ହୋଇଥିଲେ । ଆହତଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରାଯାଇ ହସ୍ପିଟାଲ ପଠାଯାଇଛି । ସେହିପରି ଅଧିକ ସଂଖ୍ୟକ ଯବାନଙ୍କୁ ଘଟଣାସ୍ଥଳକୁ ପଠାଯାଇଥିବା ଜଣାପଡ଼ିଛି ।
କିଶ୍ତୱାଡ଼ ଏନକାଉଣ୍ଟରରେ ସାମିଲ ଆତଙ୍କବାଦୀମାନେ ଏହା ପୂର୍ବରୁ ଜୁଲାଇ ମାସରେ ଡୋଡାରେ ସୁରକ୍ଷାକର୍ମୀଙ୍କ ଉପରେ ଆକ୍ରମଣ କରିଥିଲେ । ଏଥିରେ ଜଣେ ସେନା ଅଧିକାରୀଙ୍କ ସମେତ ୪ ଜଣ ସୁରକ୍ଷାକର୍ମୀ ସହିଦ ହୋଇଥିଲେ ।