ପ୍ରମୂଖ ଖବର
  • ଭୁବନେଶ୍ବର OSSSC ଅଫିସ ଘେରିଲେ ଶହଶହ ପରୀକ୍ଷାର୍ଥୀ । କମ୍ବାଇନ୍ଡ ରିକ୍ରୁଟମେଣ୍ଟ ପରୀକ୍ଷାରେ ଅନିୟମିତତା ଅଭିଯୋଗରେ ଘେରାଉ
  • ||
  • ଢ଼େଙ୍କାନାଳ: ଦୁଷ୍କର୍ମ ପୀଡ଼ିତାଙ୍କୁ ଭେଟିଲେ ମହିଳା କମିଶନ
  • ||
  • କଳାହାଣ୍ଡି: ପୂଜକଙ୍କୁ ଚାପଡରେ ହାଣିଲେ ଦୁୁର୍ବୃତ୍ତ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ଚନ୍ଦନେଶ୍ବର: ବ୍ୟାଙ୍କ ଭିତରୁ ଲୁଟ୍, ଗ୍ରାହକଙ୍କ ଠାରୁ ୩୦ହଜାର ନେଇଗଲେ ଲୁଟେରା
  • ||
  • ଦୁର୍ନୀତି ଅଭିଯୋଗ ଆସିଲେ ମାଫ୍ ନାହିଁ, ୫ ବର୍ଷରେ ୮୧ ସରପଞ୍ଚଙ୍କ ବିରୋଧରେ ହୋଇଛି କାର୍ଯ୍ୟାନୁଷ୍ଠାନ
  • ||
  • ଭୁବନେଶ୍ଵର : ୧୦ ବର୍ଷରେ ୨୫ ବାଘ ଏବଂ ୪୧ ହାତୀଙ୍କୁ ହତ୍ୟା କରିଛନ୍ତି ଶିକାରୀ, ହାତୀ ମଣିଷ ଲଢେଇରେ ଯାଇଛି ୧୧୪୫ ଜୀବନ
  • ||
  • ଢେଙ୍କାନାଳ ଲଜ୍ଜ୍ୟା : ୪ ଅଭିଯୁକ୍ତଙ୍କ ଡାକ୍ତରୀ ମାଇନା ସହ ଡିଏନଏ ଟେଷ୍ଟ ପାଇଁ ହେଲା ନମୁନା ସଂଗ୍ରହ
  • ||
  • କୋଲକାତା ଆନ୍ଦୋଳନରତ ଡାକ୍ତରଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ, ସନ୍ଧ୍ୟା ସୁଦ୍ଧା କାର୍ଯ୍ୟରେ ଯୋଗ ଦିଅ, ନହେଲେ କାର୍ଯ୍ୟାନୁଷ୍ଠାନ
  • ||
  • ଦୁର୍ବଳ ହୋଇ ଛତିଶଗଡ଼ ମୁହାଁ ଲଘୁଚାପ: ଭୀଷଣ ବର୍ଷା ପାଇଁ ମାଲକାନଗିରି, ଗଞ୍ଜାମରେ ସ୍କୁଲ ଛୁଟି ଘୋଷଣା
  • ||

୮ ଜିଲ୍ଲାରେ ୧୪ ନୂତନ ସରକାରୀ ସ୍ନାତକ ମହାବିଦ୍ୟାଳୟର ଉଦ୍‌ଘାଟନ

ଭୁବନେଶ୍ୱର, ୦୯/୦୮ : ଆଜି ଉଚ୍ଚଶିକ୍ଷା ବିଭାଗ ଆନୁକୂଲ୍ୟରେ ଆଭାସୀ ମାଧ୍ୟମରେ ୮ଟି ଜିଲ୍ଲାରେ ୧୪ଟି ନୂତନ ସରକାରୀ ସ୍ନାତକ ମହାବିଦ୍ୟାଳୟର ଉଦ୍‌ଘାଟନ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଉଚ୍ଚଶିକ୍ଷା ବିଭାଗର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କାର୍ଯ୍ୟକ୍ରମରେ ମୁଖ୍ୟ ଅଥିତି ଭାବେ ଯୋଗଦାନ କରି କାର୍ଯ୍ୟକ୍ରମର ଉଦ୍‌ଘାଟନ କରିଥିଲେ। 

ଆଜିର କାର୍ଯ୍ୟକ୍ରମରେ ଆଭାସୀ ମାଧ୍ୟମରେ ମୟୁରଭଞ୍ଜ ଜିଲ୍ଲାର ତିରିଙ୍ଗ, କଳାହାଣ୍ଡି ଜିଲ୍ଲାର ଥୁଆମୂଳ ରାମପୁର, ସୁନ୍ଦରଗଡ଼ ଜିଲ୍ଲାର ଗୁରୁଣ୍ଡିଆ ଓ ନୂଆଗାଁ, କୋରାପୁଟ ଜିଲ୍ଲାର ବନ୍ଧୁଗାଁ ଓ ନାରାୟଣପାଟଣା, ନବରଙ୍ଗପୁରର ଝରିଗାଁ, କୋସାଗୁମୁଡ଼, ରାଇଘର ଓ ତେନ୍ତୁଳିଖୁଣ୍ଟି, ରାୟଗଡା ଜିଲ୍ଲାର କାଶୀପୁର ଓ ରମଣଗୁଡା, ଗଞ୍ଜାମ ଜିଲ୍ଲାର ଧରାକୋଟ ଓ କନ୍ଧମାଳ ଜିଲ୍ଲାର ଖଜୁରୀପଦା ଆଦି ଅଞ୍ଚଳରେ ନୂତନ ସରକାରୀ ସ୍ନାତକ ମହାବିଦ୍ୟାଳୟର ଉଦ୍‌ଘାଟନ ହୋଇଛି।

ଉଚ୍ଚଶିକ୍ଷା ବିଭାଗ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ନିଜ ଅଭିଭାଷଣରେ କହିଥିଲେ ଯେ, ଶିକ୍ଷା ହିଁ କେବେଳ ସେହି ମାଧ୍ୟମ ଯାହାଦ୍ୱାରା ଯୁବବର୍ଗମାନେ ନିଜକୁ ସଶକ୍ତ କରିବା ସହ ସମାଜରେ ପରିବର୍ତ୍ତନ ଆଣିପାରିବେ। ଉପାନ୍ତ ଅଞ୍ଚଳରେ ନବ ନିର୍ମିତ ଏହି ୧୪ଟି ସରକାରୀ ସ୍ନାତକ ମହାବିଦ୍ୟାଳୟ ଶିକ୍ଷାକ୍ଷେତ୍ରରେ ନିଶ୍ଚିତ ରୂପେ ବିପ୍ଳବ ଆଣିବ। ଏଥି ସହିତ ଛାତ୍ରଛାତ୍ରୀମାନଙ୍କର ଉଚ୍ଚଶିକ୍ଷା ପ୍ରତି ଆଗ୍ରହ ବଢିବା ସହିତ ଡ୍ରପ୍ଆଉଟ୍ ପ୍ରତିଶତ ହ୍ରାସ ପାଇବ। ମନ୍ତ୍ରୀ ସୂରଜ ଆଜିର ଉଦ୍‌ଘାଟନ ସମାରୋହରେ ଆଭାସୀ ମାଧ୍ୟମରେ ଉପସ୍ଥିତ ଥିବା ନବନିର୍ମିତ ସ୍ନାତକ ମହାବିଦ୍ୟାଳୟର ଅଧ୍ଯକ୍ଷ, ଛାତ୍ରଛାତ୍ରୀ, ସରକାରୀ ଅଧିକାରୀ ଓ ଜନପ୍ରତିନିଧିମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ। 

ଉଚ୍ଚଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଅରବିନ୍ଦ ଅଗ୍ରୱାଲ କହିଥିଲେ ଯେ, ୮ଟି ଜିଲ୍ଲାର ୧୪ଟି ବ୍ଲକରେ ସ୍ନାତକ ମହାବିଦ୍ୟାଳୟର ସ୍ଥାପନ ଫଳରେ ଶିକ୍ଷା ଆଜି ଓଡ଼ିଶାର ଉପାନ୍ତ ଅଞ୍ଚଳରେ ବସବାସ କରୁଥିବା ଛାତ୍ରଛାତ୍ରୀମାନଙ୍କ ନିକଟରେ ପହଂଚି ପାରିଛି। ଏହିସହିତ ସେ ଛାତ୍ରଛାତ୍ରୀମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ସେମାନେ କଠିନ ପରିଶ୍ରମ କରି ଏକ ସୁନ୍ଦର ଭବିଷ୍ୟତ ନିର୍ମାଣ କରନ୍ତୁ ବୋଲି ଉପଦେଶ ଦେଇଥିଲେ।

କାର୍ଯ୍ୟକ୍ରମରେ ଆଭାସୀ ମାଧ୍ୟମରେ ମାନ୍ୟବର ବିଧାୟକ, ବଣାଇ ଶ୍ରୀ ଲକ୍ଷ୍ମଣ ମୁଣ୍ଡା ଓ ମାନ୍ୟବର ବିଧାୟକ, ଲକ୍ଷ୍ମୀପୁର ଶ୍ରୀ ପବିତ୍ର ସାଉଁଟା ଯୋଗଦାନ କରି ମହାବିଦ୍ୟାଳୟ ଉଦ୍‌ଘାଟନ ସମାରୋହ ଅବସରରେ ଉଚ୍ଚଶିକ୍ଷା ବିଭାଗ ମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ ଏଥି ସହିତ ସରକାରଙ୍କ ଏହି ପଦକ୍ଷେପ ଶିକ୍ଷାକ୍ଷେତ୍ରରେ ଏକ ଯୁଗାନ୍ତକାରୀ ପଦକ୍ଷେପ ବୋଲି ମତ ପ୍ରକାଶ କରିଥିଲେ । ଏଥି ସହିତ ମହାବିଦ୍ୟାଳୟରେ ନବନିଯୁକ୍ତ ଅଧ୍ୟକ୍ଷ ଓ ନୂତନ ଭାବେ ଯୋଗଦେଇଥିବା ଛାତ୍ରଛାତ୍ରୀମାନେ ନିଜର ଅନୁଭୂତି ଜଣାଇବା ସହ ଉଚ୍ଚଶିକ୍ଷା ବିଭାଗର କର୍ତ୍ତୃପକ୍ଷଙ୍କୁ ଧନ୍ୟବାଦ ଜଣାଇଥିଲେ।

କାର୍ଯ୍ୟକ୍ରମରେ ଉଚ୍ଚଶିକ୍ଷା ବିଭାଗର ସମସ୍ତ ଅଧିକାରୀ ଓ କର୍ମଚାରୀ, ଆଭାସୀ ମାଧ୍ୟମରେ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳ, ଗୋଷ୍ଠୀ ଉନ୍ନୟନ ଅଧିକାରୀମାନେ ଉପସ୍ଥିତ ଥିଲେ। ଉଚ୍ଚଶିକ୍ଷା ବିଭାଗର ଯୁଗ୍ମସଚିବ ସ୍ନିଗ୍ଧା ଚମ୍ପତରାୟ କାର୍ଯ୍ୟକ୍ରମ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.