ନ୍ୟୁୟର୍କ, ୦୫/୦୬ : ୧୭ବର୍ଷର ପ୍ରତୀକ୍ଷାର ଅନ୍ତ ଘଟାଇ ଅଗଣିତ ଭାରତୀୟଙ୍କୁ ବିଶ୍ୱକପ୍ ଟ୍ରଫି ଭେଟିଦେବା ଲକ୍ଷ୍ୟରେ ଭାରତୀୟ କ୍ରିକେଟ୍ ଦଳ ଆଜି ଅଭିଯାନ ଆରମ୍ଭ କରିବାକୁ ଯାଉଛି । ସମ୍ମୁଖରେ ରହିଛି ଆୟର୍ଲାଣ୍ଡ । ଏପର୍ଯ୍ୟନ୍ତ ଭାରତକୁ ହରାଇ ନଥିଲେ ହେଁ ଆୟର୍ଲାଣ୍ଡ ନିକଟରେ ବିପର୍ଯ୍ୟୟ ଘଟାଇବା ପାଇଁ ଯଥେଷ୍ଟ କ୍ଷମତା ରହିଛି । ନ୍ୟୁ ୟର୍କର ନାସାଉ କାଉଣ୍ଟି ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡ଼ିୟମ୍ରେ ଏହି ମ୍ୟାଚ୍ ଖେଳାଯିବ । ଭାରତୀୟ ସମୟ ରାତି ୮ଟାରେ ଆରମ୍ଭ ହେବ ମ୍ୟାଚ୍ । ଗ୍ରୁପ୍-ଏ’ର ଏହି ମ୍ୟାଚ୍କୁ ନେଇ ଦର୍ଶକ ମହଲରେ ଭରପୁର ଉତ୍କଣ୍ଠା ପ୍ରକାଶ ପାଇଛି ।
ଆମେରିକାରେ ବହୁ ଭାରତୀୟ ଅବସ୍ଥାନ କରୁଥିବାରୁ ଆଜି ନୀଳ ଜର୍ସିରେ ଷ୍ଟାଡ଼ିୟମ୍ ପୂର୍ଣ୍ଣ ହେବା ନିଶ୍ଚିତ । ଦକ୍ଷତା, ଅଭିଜ୍ଞତା ଓ ନିକଟ ଅତୀତର ପ୍ରଦର୍ଶନକୁ ଦେଖିଲେ ଆସନ୍ତା କାଲି ଭାରତର ପଲା ଭାରି ରହିବା ସ୍ୱାଭାବିକ। ମାତ୍ର ଆୟର୍ଲାଣ୍ଡକୁ ହାଲ୍କା ଭାବେ ନେବାକୁ ଦଳ ଚାହୁଁ ନଥିବା କୋଚ୍ ରାହୁଲ ଦ୍ରାବିଡ ସ୍ପଷ୍ଟ କରିଦେଇଛନ୍ତି। ପେସ ବୋଲର ଜୋଶୁଆ ଲିଟିଲ,ହ୍ୟାରୀ ଟେକ୍ଟର, ଅଧିନାୟକ ପଲ୍ ଷ୍ଟର୍ଲିଂ, ଆଣ୍ଡି ବାଲବରିନଙ୍କ ଭଳି ପ୍ରତିଭାବାନ ଖେଳାଳି ଭାରତ ପାଇଁ ଚିନ୍ତା ସୃଷ୍ଟି କରିପାରନ୍ତି । ଯୁବ ଓ ଅଭିଜ୍ଞଙ୍କୁ ନେଇ ଭାରତ ଏକ ସନ୍ତୁଳିତ ଦଳ ଗଠନ କରିଛି। ମାତ୍ର ଏକାଦଶ ଚୟନ କରିବା କାଠିକର ପାଠ ହୋଇଛି। ଆଇପିଏଲ୍ର ପ୍ରଦର୍ଶନକୁ ଦେଖି ବିରାଟ କୋହଲିଙ୍କୁ ଓପନ୍ କରାଇବାକୁ ଅନେକ ପୂର୍ବତନ ଖେଳାଳି ପରାମର୍ଶ ଦେଉଛନ୍ତି । ଏହା ସମ୍ଭବ ହେଲେ ଭାରତ ଅଲ୍ରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଓ ଶିବମ ଦୁବେଙ୍କୁ ଏକତ୍ର ଖେଳାଇ ପାରିବ । ମାତ୍ର ଟିମ ମ୍ୟାନେଜମେଣ୍ଟ ବ୍ୟାଟିଂ କ୍ରମରେ ପରିବର୍ତ୍ତନ କରିବାକୁ ଚାହୁଁନାହିଁ । ରିଷଭ ପନ୍ତ ଓ ସଞ୍ଜୁ ସାମସନଙ୍କୁ ନେଇ ଡ୍ରେସିଂ ରୁମ୍ରେ ଜୋରଦାର ଆଲୋଚନା ହେବା ନିଶ୍ଚିତ । ପନ୍ତ ଗତ ଅଭ୍ୟାସ(ବାଂଲାଦେଶ ବିପକ୍ଷ) ମ୍ୟାଚ୍ରେ ଅର୍ଦ୍ଧଶତକ ଅର୍ଜନ କରିଥିଲେ । ତେଣୁ ତାଙ୍କୁ ପ୍ରାଥମିକତା ମିଳିପାରେ । ବୋଲିଂ ବିଭାଗ ନିଶ୍ଚିତ ହୋଇଯାଇଛି । ଯଶପ୍ରୀତ ବୁମରା ଓ ମହମ୍ମଦ ସିରାଜ ପେସ୍ ବିଭାଗ ସମ୍ଭାଳିବେ । ଏହା ସମ୍ଭବ ହେଲେ ଭାରତ ୩ଜଣ ସ୍ପିନର (ରବିନ୍ଦ୍ର ଜାଡେଜା, ଅକ୍ଷର ପଟେଲ ଓ କୁଲଦୀପ ଯାଦବ)ଙ୍କୁ ଖେଳାଇପାରିବ । ନାସାଉ କାଉଣ୍ଟି ଗ୍ରାଉଣ୍ଡର ପିଚ୍ ଓ ଆଉଟ୍ ଫିଲ୍ଡକୁ ନେଇ କୋଚ ଦ୍ରାବିଡ ପୂର୍ବରୁ ଅସନ୍ତୋଷ ପ୍ରକଟ କରିଛନ୍ତି ।
ଶ୍ରୀଲଙ୍କା ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଏଠାରେ ଖେଳାଯାଇଥିବା ମ୍ୟାଚ୍ରେ ବ୍ୟାଟିଂ କଷ୍ଟକର ହୋଇଯାଇଥିଲା । ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା ମାତ୍ର ୭୭ ରନ୍ରେ ଅଲ୍ ଆଉଟ୍ ହୋଇଯାଇଥିଲା । ତେଣୁ ଆସନ୍ତା କାଲି ଭାରତୀୟ ବ୍ୟାଟରମାନଙ୍କୁ ସତର୍କତାର ସହ ବ୍ୟାଟିଂ କରିବାକୁ ହେବ । ସମ୍ଭାବ୍ୟ ଦଳ ଭାରତ: ଯଶସ୍ୱୀ ଜୈସ୍ୱାଲ୍, ରୋହିତ ଶର୍ମା(ଅଧିନାୟକ), ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ରିଷଭ ପନ୍ତ, ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, ଅକ୍ଷର ପଟେଲ, କୁଲଦୀପ ଯାଦବ, ଯଶପ୍ରୀତ ବୁମରା, ମହମ୍ମଦ ସିରାଜ । ଆୟର୍ଲାଣ୍ଡ: ଆଣ୍ଡି ବାଲବରିନ, ପର୍ଲ ଷ୍ଟର୍ଲିଂ(ଅଧିନାୟକ), ଲୋର୍କାନ ଟକ୍କର, ହ୍ୟାରୀ ଟେକ୍ଟର, କର୍ଟିସ କାମ୍ଫର, ଜର୍ଜ ଡକରେଲ, ଗ୍ୟାରେଥ ଡେଲାନି, ମାର୍କ ଆଡେୟର, ବ୍ୟାରୀ ମ୍ୟାକକାର୍ଥୀ, ଜୋଶ ଲିଟିଲ, ବେନ ହ୍ୱାଇଟ୍ ।