କଲୋମ୍ବୋ,୧୨/୦୯: ଏସିଆ କପ୍ ୨୦୨୩ର ସୁପର ୪ର ତୃତୀୟ ମ୍ୟାଚ୍ରେ ଟିମ୍ ଇଣ୍ଡିଆ ପାକିସ୍ତାନକୁ ୨୨୮ ରନରେ ପରାସ୍ତ କରି ଫାଇନାଲ ଆଡକୁ ବଢ଼ିିଛି। ପାକିସ୍ତାନ ପରେ ବର୍ତ୍ତମାନ ଟିମ୍ ଇଣ୍ଡିଆ ମଙ୍ଗଳବାର ଶ୍ରୀଲଙ୍କାକୁ ଭେଟିବାକୁ ଯାଉଛି। ଯଦି ଭାରତୀୟ ଦଳ ମଧ୍ୟ ଏହି ମ୍ୟାଚ୍ ଜିତିବାରେ ସଫଳ ହୁଏ, ତେବେ ଏହା ପ୍ରଥମ ଦଳ ଭାବେ ଏସିଆ କପ୍ ୨୦୨୩ ର ଫାଇନାଲରେ ସିଧାସଳଖ ପ୍ରବେଶ କରିବ। ଯଦି ଆଜି ମ୍ୟାଚ୍ ଭାରତ ହାରେ ତଥାପି ଭାରତକୁ ଫାଇନାଲରେ ପହଞ୍ଚିବାକୁ ବିକଳ୍ପ ରହିବ।
ରାଉଣ୍ଡ ୪ର ମ୍ୟାଚ୍ ଜିତିବା ପରେ ଟିମ୍ ଇଣ୍ଡିଆ ପଏଣ୍ଟ ଟେବୁଲରେ ପ୍ରଥମ ସ୍ଥାନ ହାସଲ କରିଛି। ଅବଶ୍ୟ ଭାରତ ପାଇଁ ଚ୍ୟାଲେଞ୍ଜ ସହଜ ନୁହେଁ। କାରଣ ୧୮ ଘଣ୍ଟାର ଅନ୍ତର ପରେ ପୁଣିଥରେ ମଇଦାନକୁ ଓହ୍ଲାଇବ ଟିମ୍ ଇଣ୍ଡିଆ। ଅନ୍ୟପକ୍ଷରେ ଶ୍ରୀଲଙ୍କା ଟିମ୍ ଦୁଇ ଦିନର ବିଶ୍ରାମ ପରେ ପଡ଼ିଆକୁ ଓହ୍ଲାଇବ। ଶ୍ରୀଲଙ୍କା ମଧ୍ୟ ବାଂଲାଦେଶକୁ ହରାଇଛି ଏବଂ ଫାଇନାଲ ରେସ୍ରେ ଅଛି।
ବର୍ତ୍ତମାନର ଫର୍ମକୁ ଦେଖିଲେ ଶ୍ରୀଲଙ୍କା ଉପରେ ଭାରତର ପଲା ଭାରି ଥିବା ଦେଖିବାକୁ ମିଳିଛି। ପାକିସ୍ତାନ ସହ ହୋଇଥିବା ମ୍ୟାଚରେ ଭାରତ କେବଳ ବ୍ୟାଟିଂରେ ନୁହେଁ ବୋଲିଂରେ ମଧ୍ୟ ଚମତ୍କାର ପ୍ରଦର୍ଶନ କରିଥିଲା। ପାକିସ୍ତାନ ବିପକ୍ଷରେ ଭାରତ ୩୫୬ ରନ୍ ସଂଗ୍ରହ କରିଥିଲା। ଏହା ପରେ ଭାରତୀୟ ବୋଲରମାନେ ପାକିସ୍ତାନର ଇନିଂସକୁ ମାତ୍ର ୧୨୮ ରନ୍ରେ ଅଟକାଇଥିଲେ। ଭାରତ ଏହି ମ୍ୟାଚକୁ ୨୨୮ ରନ୍ ବ୍ୟବଧାନରେ ଜିତିବାରେ ସଫଳ ହୋଇଥିଲା ଏବଂ ଏହାର ନେଟ୍ ରନ୍ ରେଟ୍ ମଧ୍ୟ ବହୁତ ଅଧିକ ହୋଇଥିଲା।
ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍ ବି ଯଦି ଭାରତ ହାରିଯାଏ, ତଥାପି ନେଟ୍ ରନ୍ ରେଟ୍ ଭଲ ହେତୁ ଫାଇନାଲ ପାଇଁ ପ୍ରତିଦ୍ୱନ୍ଦ୍ୱୀ ରହିବ। ୧୫ ସେପ୍ଟେମ୍ବରରେ ବାଂଲାଦେଶ ବିପକ୍ଷ ମ୍ୟାଚରୁ ଫାଇନାଲ ପାଇଁ ବାଟ ଫିଟିପାରେ। ଭାରତ ପାଇଁ ବାଂଲାଦେଶକୁ ପରାସ୍ତ କରିବା ଅତ୍ୟନ୍ତ କଷ୍ଟକର ହେବ ନାହିଁ। ଟୁର୍ଣ୍ଣାମେଣ୍ଟରେ ଏପର୍ଯ୍ୟନ୍ତ ବାଂଲାଦେଶର ବ୍ୟାଟ୍ସମ୍ୟାନ୍ ମାନେ ଅତ୍ୟନ୍ତ ନୈରାଶ୍ୟଜନକ ପ୍ରଦର୍ଶନ କରିଛନ୍ତି। ଯଦି ଶ୍ରୀଲଙ୍କା ଆଜିର ମ୍ୟାଚ୍ ହାରିଯାଏ ତେବେ ଫାଇନାଲ ପାଇଁ ରାସ୍ତା ସେମାନଙ୍କ ପାଇଁ ଟିକିଏ କଷ୍ଟସାଧ୍ୟ ହେବ। ତେବେ ପରେ ଶ୍ରୀଲଙ୍କା ପାକିସ୍ତାନକୁ ପରାସ୍ତ କରି ଫାଇନାଲ ପାଇଁ ଟିକେଟ୍ ପାଇପାରିବ।