ନୂଆଦିଲ୍ଲୀ,୧୨/୦୯: ଚୀନ୍ ଏବଂ ଏହାର ପଡ଼ୋଶୀ ଦେଶ ଫିଲିପାଇନ୍ସ ମଧ୍ୟରେ ତିକ୍ତତା କାହାକୁ ଅଛପା ନାହିଁ। ସୀମା ବିବାଦ ଯୋଗୁଁ ଭାରତ ସହିତ ଚୀନର ସମ୍ପର୍କ ମଧ୍ୟ ଭଲ ନୁହେଁ। ବର୍ତ୍ତମାନ ଭାରତ ଚୀନ୍ର ଟେନ୍ସନ୍ ଆହୁରି ବଢ଼ାଇବାକୁ ଯାଉଛି। ଭାରତ ପ୍ରତିରକ୍ଷା ଶିଳ୍ପ ସହିତ ସାମରିକ ଉପକରଣର ସହ-ବିକାଶ ତଥା ସହ-ଉତ୍ପାଦନରେ ଭାଗ ନେବାକୁ ଫିଲିପାଇନ୍ସକୁ ବୁଧବାର ଆମନ୍ତ୍ରଣ କରିଛି।
ମନିଲାରେ ଭାରତ-ଫିଲିପାଇନ୍ସ ମିଳିତ ପ୍ରତିରକ୍ଷା ସହଯୋଗ ସମିତିର ପଞ୍ଚମ ବୈଠକରେ ପ୍ରତିରକ୍ଷା ସଚିବ ଗିରିଧର ଅରମାନେ ତାଙ୍କ ଅଭିଭାଷଣରେ କହିଛନ୍ତି ଯେ ଭାରତ କିପରି ଏହାର ପ୍ରତିରକ୍ଷା ଉତ୍ପାଦନ କ୍ଷମତା ବଢ଼ାଉଛି ଏବଂ ବିଭିନ୍ନ ଦେଶକୁ ସାମରିକ ହାର୍ଡୱେର ରପ୍ତାନି କରୁଛି। ତମାମ ଆଲୋଚନା ଭିତରେ ହ୍ବାଇଟ ସିପିଂର କାର୍ଯ୍ୟକାରିତା ଏବଂ ମାନିଲା ସ୍ଥିତ ଭାରତୀୟ ଦୂତାବାସରେ ପ୍ରତିରକ୍ଷା ଶାଖା ଖୋଲିବାକୁ ନିଷ୍ପତ୍ତି ନେଇ ଉଭୟ ପକ୍ଷ ପରଷ୍ପରକୁ ପ୍ରଶଂସା କରିଥିଲେ।
ହ୍ବାଇଟ ସିପିଂ ଅଧୀନରେ ସାମୁଦ୍ରିକ ସୁରକ୍ଷା ପାଇଁ ଦୁଇ ଦେଶ ମଧ୍ୟରେ ସୂଚନା ଆଦାନପ୍ରଦାନ ହୋଇଛି। ଏହି ସୂଚନା ସାମୁଦ୍ରିକ ପାଟ୍ରୋଲିଂ ଓ ମାରାଇନ୍ ଟ୍ରାଫିକ୍ ଉପରେ ନଜର ରଖିବା ଏବଂ ସୁରକ୍ଷା କରିବାରେ ସାହାଯ୍ୟ କରିବ। ଏହି ପଦକ୍ଷେପଗୁଡ଼ିକର ମୂଳ ଉଦ୍ଦେଶ୍ୟ ହେଉଛି ଭାରତ ଏବଂ ଫିଲିପାଇନ୍ସ ମଧ୍ୟରେ ପ୍ରତିରକ୍ଷା ଏବଂ ରଣନୀତିକ ଭାଗିଦାରୀକୁ ବୃଦ୍ଧି କରିବା। ଦକ୍ଷିଣ ଚୀନ୍ ସାଗରରେ ଚୀନ୍ର ଆକ୍ରମଣାତ୍ମକ କାର୍ଯ୍ୟକଳାପକୁ ଦୃଷ୍ଟିରେ ରଖି ଏହା ବିଶେଷ ଗୁରୁତ୍ୱପୂର୍ଣ୍ଣ। ଏହି ଆଲୋଚନାରେ ଭାରତ ଏବଂ ଫିଲିପାଇନ୍ସ ମଧ୍ୟ ସେମାନଙ୍କର ପ୍ରତିରକ୍ଷା ଏବଂ ରଣନୀତିକ ଭାଗିଦାରୀକୁ ବିସ୍ତୃତ ଭାବରେ ସମୀକ୍ଷା କରିଛନ୍ତି।