ନୂଆଦିଲ୍ଲୀ ୨୨/୦୮: ଆସନ୍ତା ବର୍ଷ ଏପ୍ରିଲ ସୁଦ୍ଧା ଜଣେ ଭାରତୀୟ ମହାକାଶଚାରୀ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରକୁ ଯିବେ । ନାସା-ଇସ୍ରୋର ମିଳିତ ପ୍ରୟାସର ଅଂଶବିଶେଷ ଭାରତ ଏହି ଉପଲବ୍ଧି ହାସଲ କରିବ ବୋଲି ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଜିତେନ୍ଦ୍ର ସିଂହ କହିଛନ୍ତି । ଆଗାମି ଆକ୍ସିଓମ୍ ସ୍ପେସ୍ ଏଏକ୍ସ-୪ ମିଶନ ପାଇଁ ଦୁଇ ଭାରତୀୟ ମହାକାଶଚାରୀ ଗ୍ରୁପ୍ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଲା ଓ ପ୍ରଶାନ୍ତ ବାଲକ୍ରୀଷ୍ଣନ ନାୟର ଆମେରିକାରେ ତାଲିମ ନେଉଛନ୍ତି । ଇସ୍ରୋ ଶୁଭାଂଶୁଙ୍କୁ ଏଏକ୍ସ-୪ ମଶନ ପାଇଁ ଚୟନ କରିଥିବାବେଳେ ପ୍ରଶାନ୍ତ ବ୍ୟାକ୍ଅପ୍ ସଦସ୍ୟ ଭାବେ ମିଶନରେ ରହିବେ ।
ଗତ ବର୍ଷ ଅଗଷ୍ଟ ୨୩ ତାରିଖରେ ବିକ୍ରମ ଲ୍ୟାଣ୍ଡର୍ ଚନ୍ଦ୍ର ପୃଷ୍ଠରେ ଅବତରଣ କରିଥିଲା । ଏହାର ସ୍ମୃତି ସ୍ୱରୂପ ଆସନ୍ତା ୨୩ ତାରିଖରେ ଭାରତ ପ୍ରଥମ ଥର ପାଳନ କରିବ ଜାତୀୟ ମହାକାଶ ଦିବସ । ଏହି ଦିବସର ବିଷୟ ରହିଛି ‘ଚନ୍ଦ୍ରକୁ ଛୁଇଁ ଜୀବନକୁ ଛୁଇଁବା: ଭାରତର ମହାକାଶ ଗାଥା ।’ ଇସ୍ରୋ ଏ ଅବସରରେ ଚନ୍ଦ୍ରଯାନ-୩ ଚନ୍ଦ୍ରପୃଷ୍ଠରେ ସଂଗ୍ରହ କରିଥିବା ବୈଜ୍ଞାନିକ ତଥ୍ୟକୁ ସାର୍ବଜନୀନ କରିବ, ଯାହାକୁ ବୈଜ୍ଞାନିକମାନେ ଅଧ୍ୟୟନରେ ପ୍ରୟୋଗ କରିପାରିବେ । ଭାରତ ମଣ୍ଡପମ୍ରେ ଆୟୋଜିତ ଜାତୀୟ ମହାକାଶ ଦିବସ ସେଲିବ୍ରେସନ୍ରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଯୋଗ ଦେବେ । ଭାରତୀୟ ଅନ୍ତରୀକ୍ଷ ହାକାଥନ୍ ଓ ଇସ୍ରୋ ରୋବୋଟିକ୍ସ ଚ୍ୟାଲେଞ୍ଜ୍ର ବିଜେତାଙ୍କୁ ସେ ପୁରସ୍କୃତ କରିବେ । ସୂଚନାଯୋଗ୍ୟ, ଗତ ଦୁଇ ମାସ ହେଲା ସମଗ୍ର ଦେଶରେ ଏ ସମ୍ପର୍କିତ ୧ ହଜାରରୁ ଅଧିକ ପ୍ରତିଯୋଗିତା ଆୟୋଜିତ ହୋଇଛି ।
ଦେଶର ଆଗାମି ମହାକାଶ ମିଶନ ବିଷୟରେ ସୂଚନା ଦେଇ ଇସ୍ରୋ ସାଇଣ୍ଟିଫିକ୍ ସେକ୍ରେଟାରୀ ଶାନ୍ତନୁ ଭଟାୱେଦେକର କହିଛନ୍ତି, ଇସ୍ରୋ-ନାସା ଯୁଗ୍ମ ମିଶନ ‘ନିସାର’ ଆସନ୍ତା ବର୍ଷ ଫେବ୍ରୁଆରୀ ପରେ ଲଞ୍ଚ୍ ହେବ ବୋଲି ଆଶା କରାଯାଉଛି । ଆସନ୍ତା ନଭେମ୍ବରରୁ ଜାନୁଆରୀ ପର୍ଯ୍ୟନ୍ତ ସୂର୍ଯ୍ୟ ଗ୍ରହଣର ଅବଧି ହୋଇଥିବାବେଳେ ଫେବ୍ରୁଆରୀ ପୂର୍ବରୁ ନିସାର ଉତ୍କ୍ଷେପଣ ସମ୍ଭବ ନୁହେଁ । ସେହିପରି ସରକାରଙ୍କ ଅନୁମତି ପରେ ୨୦୨୭ ମସିହାରେ ଚନ୍ଦ୍ରଯାନ-୪ ମିଶନ ଲଞ୍ଚ୍ ହୋଇପାରେ । ଚନ୍ଦ୍ରରୁ ମାଟି-ପଥର ନମୁନା ପୃଥିବୀକୁ ଆଣିବା ଏହି ମିଶନର ଲକ୍ଷ୍ୟ ବୋଲି ସେ କହିଛନ୍ତି ।