ଭୁବନେଶ୍ୱର ୩୦/୦୯: କିଛିଦିନ ତଳେ ବରମୁଣ୍ଡା ବସ୍ଷ୍ଟାଣ୍ଡରେ ଥିବା ଓଡ଼ିଆ ଡିସ୍ପ୍ଲେ ଦେଖୁଥିଲୁ । ସେଥିରେ ନୟାଗଡ଼ର ଆଡ଼କଟାକୁ ଅଡ଼କତା, କଣ୍ଟିଲୋକୁ କାନ୍ତିଲୋ, ବ୍ରହ୍ମପୁରକୁ ବରହମ୍ପୁର, ଅସ୍ତରଙ୍ଗର ଆଳସାହିକୁ ଆଲୋସାହି ପ୍ରଦର୍ଶିତ ହେଉଥିଲା । ଏହାର କାରଣ ହୋଇପାରେ ଓଡ଼ିଆ ଅନୁବାଦ ପାଇଁ ଯାନ୍ତ୍ରିକ ଅନୁବାଦ ଉପରେ ନିର୍ଭର କରିବା । ସମସ୍ୟା କେବଳ ଏଠି ନାହିଁ, ବିଭିନ୍ନ ସ୍ଥାନରେ ରହିଛି । ବିଭିନ୍ନ ଅନୁଷ୍ଠାନରୁ ଯେଉଁ ସବୁ ପ୍ରେସ୍ବିବୃତି ଆସୁଛି, ସେଥିରେ ସେଭଳି ମାଳମାଳ ଭାଷା ତ୍ରୁଟି ରହୁଛି । ଅକ୍ଷର ମଧ୍ୟ ଓଲଟପାଲଟ । ଆମ ଭାଷା ଓଡ଼ିଆ ଲିଖିତ ଓ କଥିତ ଭାବେ ଅତ୍ୟନ୍ତ ସମୃଦ୍ଧ । ହେଲେ ଆମେ ଦରକାରବେଳେ ଶବ୍ଦକୋଷ ବା ଭାଷାକୋଷର ସହାୟତା ନନେଇ ଗୁଗଲକୁ ଭରସା କରୁଛୁ । ଏହା ବିଡ଼ମ୍ବନାର ବିଷୟ ବୋଲି ଭାଷାବିତ୍ ଓ ଅନୁବାଦକମାନେ କହିଛନ୍ତି ।
ନିଜ ମାତୃଭାଷାକୁ ଛାଡ଼ି ଅନ୍ୟ ଭାଷାକୁ ଜାଣିବା ପାଇଁ ଅନୁବାଦ ଦରକାର । ସେଥିପାଇଁ ସାହିତ୍ୟରେ ଅନୁବାଦକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ । ବଙ୍ଗଳା, ହିନ୍ଦୀ, ତେଲୁଗୁ, ତାମିଲ, ମାଲାୟାଲମ୍, ଅହମିଆ ଭଳି ଅନ୍ୟ ପ୍ରାନ୍ତର ଭାଷାରୁ ଆରମ୍ଭ କରି ଇଂରାଜୀ, ଚାଇନିଜ୍ ଓ କୋରିଆନ୍ ଭଳି ମୂଳ ଭାଷାରୁ ଗଳ୍ପ ଏବଂ କବିତାକୁ ଓଡ଼ିଆ ଭାଷାରେ ରୂପାନ୍ତର କରାଯାଉଛି । ଅନୁବାଦକମାନେ ଭାଷା ଓ ଭାବକୁ ଅନୁବାଦ କରି ପରିପ୍ରକାଶ କରିଥାନ୍ତି । ବ୍ୟାସଦେବଙ୍କ ରଚିତ ସଂସ୍କୃତ ମହାଭାରତକୁ ଆଦିକବି ଶାରଳା ଦାସ ସାଧାରଣ ଲୋକ ବୁଝିଲା ଭଳି ଓଡ଼ିଆରେ ଅନୁବାଦ କରିଛନ୍ତି ।
ସେହିଭଳି ସଂସ୍କୃତ ଭାଗବତ ମଧ୍ୟ ଅତି ସରଳ ଭାବରେ ଓଡ଼ିଆରେ ଅନୁବାଦିତ ହୋଇଛି । ଏସବୁରେ ରହିଛି ଭାଷା ସହ ଭାବର ମିଶ୍ରଣ । କିନ୍ତୁ ଏବେ ପ୍ରଯୁକ୍ତି ବିଦ୍ୟା ଯୁଗରେ ମଣିଷ ଯଦି ଯନ୍ତ୍ରର ସହାୟତା ନେଲା ‘କଣ୍ଟିଲୋ’ଟା କାନ୍ତିଲୋ ହେବା ସ୍ୱାଭାବିକ । ଏଭଳି ଅନୁବାଦ ଗ୍ରହଣୀୟ ନୁହେଁ, ଯାହାକୁ ନେଇ ଚିନ୍ତାରେ ପଡ଼ିଛନ୍ତି ଅଭିଜ୍ଞତାସମ୍ପନ୍ନ ଅନୁବାଦକମାନେ । ଇଂରାଜୀ ଶବ୍ଦ ନେଫ୍ୟୁର ପ୍ରକୃତ ଅର୍ଥ ହେଉଛି ଭଣଜା କିମ୍ବା ପୁତୁରା । ହେଲେ ଆଶ୍ଚର୍ଯ୍ୟ ଭାବେ ଗୁଗଲ ଅନୁବାଦରେ ଏହାର ଅର୍ଥ ଜ୍ୱାଇଁ ରହିଛି । ସେହିପରି ପିପଲ ଟ୍ରି’ର ମାନେ କଦଳୀ ଗଛ ଆସୁଛି । ତେଣୁ ଗୁଗଲର ସହାୟତା ନନେଇ ଯଦି ଆମ ଭାଷାରେ ଲିଖିତ ଶବ୍ଦକୋଷ କିମ୍ବା ପୁସ୍ତକ ଅଧ୍ୟୟନ କରିବା ତେବେ ଅନେକ ନୂତନ ଶବ୍ଦ ଜାଣିପାରିବା । ଏହା ଫଳରେ ଭାଷା ଜ୍ଞାନ ବୃଦ୍ଧି ପାଇବ ଏବଂ ଉପଯୁକ୍ତ ଅନୁବାଦ ହୋଇପାରିବ । ତେବେ ଖୁସିର କଥା, ଓଡ଼ିଆ ଭାଷା ପ୍ରତି ଯୁବ ଅନୁବାଦକଙ୍କୁ ଯୋଡ଼ିବା ପାଇଁ ‘ଭାରତୀୟ ଅନୁବାଦ ସାହିତ୍ୟ’ ନାମକ ଏକ ସଂସ୍ଥା ଗତ ୩ ବର୍ଷ ହେବ ଅନୁବାଦକ ସମ୍ମିଳନୀ କରିଆସୁଛି । ଏଥର ବାଲେଶ୍ୱର ଜିଲ୍ଲା ଫକୀରମୋହନ ବିଶ୍ୱବିଦ୍ୟାଳୟରେ ଏହି ସମ୍ମିଳନୀ ହେବାକୁ ଯାଉଛି । ଏହି ଅବସରରେ ବ୍ୟାସକବି ଫକୀରମୋହନଙ୍କ ୧୦ଟି ପୁସ୍ତକ ହିନ୍ଦୀ ଭାଷାରେ ଅନୁବାଦ ହୋଇଛି । ଯାହା ଲୋକାର୍ପିତ ହେବ ବୋଲି ସଂସ୍ଥା ପକ୍ଷରୁ କୁହାଯାଇଛି ।