ପ୍ରମୂଖ ଖବର
  • କେନ୍ଦୁଝର : ଚୋରା କାଠ ଚାଲାଣ ବେଳେ ମାଡ଼ି ବସିଲା ବନ ବିଭାଗ, ୭ ଟ୍ରିପରୁ ଉର୍ଦ୍ଧ୍ଵ କାଠ ଜବତ
  • ||
  • ଯାଜପୁର : ଶୌଚ ହେବାକୁ ଯାଇ କେନାଲରେ ଭାସିଗଲେ ନାବାଳକ
  • ||
  • ଭୁବନେଶ୍ଵର : ୨୭ରେ ବସିବ ନୀତି ଆୟୋଗ ବୈଠକ, ଯୋଗଦେବେ ମୁଖ୍ୟମନ୍ତ୍ରୀ
  • ||

ନାସ୍ତି ଯୋଗାତ୍‌ ପରମ୍‌ ବଳମ୍‌

ଭୁବନେଶ୍ୱର: କିଏ ତାରେ କହୁଥାଏ ‘ସାଇନୋସାଇଟିସ୍‌', ଆଉ କାହା ପାଇଁ ‘ହେ ଫିଭର୍‌' ବା ‘ଏଲର୍ଜିକ୍‌ ରାଇନିଟିସ୍‌' ତ ଆଉ ଜଣକ ପାଇଁ ‘ଡଷ୍ଟ୍‌ ମାଇଟ୍‌' ଜନିତ ରୋଗ । ଆଖି କୋଟର ହାଡ଼କୁ ଚାପି ଧରି ଏକ ଅଦୃଶ୍ୟ ଶତ୍ରୁ ସଙ୍ଗେ ଲଢୁ ଲଢୁ ଅନେକ ସମୟରେ ତରୁଣଟି ଖୋଜୁଥାଏ ଟ୍ରୟ ଯୁଦ୍ଧର ଘୋଡ଼ା ରୂପକ ଏକ ଅମୋଘ ଉପାୟକୁ, କାଳେ ସେ ନର୍କ ଯାତନାରୁ ତାକୁ ମୁକ୍ତ କରିଦେବ କି ବୋଲି? ଏମିତି ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ କେମିତି ଦିନେ ସିଏ ପହଞ୍ଚିଯାଏ ବାବା ମଠକୁ ଲାଗି ରହିଥିବା ସେଇ ସତ୍ୟାନନ୍ଦ ଯୋଗାଶ୍ରମରେ । ସେତେବେଳର ଆଶ୍ରମଟି କହିଲେ ଛୋଟିଆ ଏକ ହଲ, ଆଗ ପଟକୁ ଲାଗି ବାରଣ୍ଡା ତଥା ଅଣଓସାରିଆ ଅଗଣାଟିଏ ଆଉ ପଛକୁ ଲଗାଲଗି ହୋଇ କୁନି କୁନି ଦୁଇଟି ବଖରା, ସନ୍ନ୍ୟାସୀ ତଥା ଅନ୍ତେବାସୀଙ୍କ ରହିବା ସକାଶେ । 

ବାରଣ୍ଡାରେ ଏକ ପୁରୁଣା ଟିଣ କୁର୍ସି ଉପରେ ବସିଥାନ୍ତି ଗେରୁଆ କପଡ଼ାପିନ୍ଧା କଳାଧଳା ଶ୍ମଶ୍ରୁଧାରୀ ସନ୍ନ୍ୟାସୀ ଜଣେ । ତାରେ ଦେଖି ଆସିବା କାରଣ ପଚାରନ୍ତେ କୌଣସି ବିଶେଷ ଅଭିପ୍ରାୟ ବିନା ସିଏ ଏମିତି ବୁଲୁ ବୁଲୁ ପଶି ଆସିଥିବା କଥା ଜଣାଏ ତରୁଣଟି । ସନ୍ନ୍ୟାସୀ ତା’ ବିଷୟରେ ପଚାରୁଥାନ୍ତି ଓ ସିଏ କହି ଚାଲିଥାଏ । କଥା ହେଉ ହେଉ ସିଏ ତା ସାଇନୋସାଇଟିସ୍‌ ରୋଗ କଥାଟି ବି କହି ପକାଏ । ଗମ୍ଭୀରତାର ସହ ଶୁଣୁଥାନ୍ତି ସିଏ ପିଲାଟିର ଘାଣ୍ଟିହେବା କଥା ଯେତେ, ମଝିରେ ଗୋଟିଏ ବି ଶବ୍ଦ ଉଚ୍ଚାରଣ ନକରି ପ୍ରାୟ ଅଧଘଣ୍ଟା ଯାଏ । କଥା ସରିଲା ପରେ ଟିକିଏ ଚୁପ୍‌ ରହି ଶାନ୍ତଭାବରେ କହନ୍ତି ଏତେ ହରବର ହେଲଣି, ଯଦି ଆଗରୁ ଏଠାକୁ ଆସିଥାନ୍ତ ହୁଏତ ରୋଗ କଥାଟିକୁ ବି ଭୁଲି ଯାଇଥାନ୍ତ ଏତେବେଳକୁ । ତାଙ୍କ ହସି ହସି କଥା କହିବାର ଢଙ୍ଗରେ ହୁଏତ ସମ୍ମୋହିତ ହୋଇଯାଇଥାଏ ସେ ତରୁଣ ଜଣକ ସେତେବେଳକୁ । ଫଳସ୍ୱରୂପ, ସେଦିନ ହିଁ ଯୋଗାଶ୍ରମର ନିୟମିତ ଯୋଗ କ୍ଲାସରେ ଦାଖଲ ହୁଏ ଆଶାୟୀ ପ୍ରାଣୀଟି ।

‘ଯୋଗ' ଶବ୍ଦଟି ମୂଳ ସଂସ୍କୃତ ଶବ୍ଦ ‘ୟୁଜ୍‌'ରୁ ଆସିଛି, ଯାହାକି ପ୍ରକାରାନ୍ତରେ ‘ମିଳନ ବା ସଂଯୋଗ'କୁ ବୁଝାଇଥାଏ । ଯୋଗର ଉତ୍ପତ୍ତି ସମ୍ବନ୍ଧରେ ନିଶ୍ଚିତରେ କିଛି କୁହାଯାଇନପାରିଲେ ମଧ୍ୟ ଅନେକ ଯୋଗ ବିଶାରଦଙ୍କ ମତରେ ହଜାର ହଜାର ବର୍ଷ ପୂର୍ବରୁ ଏହା ଆଦିଯୋଗୀ ଶିବଙ୍କ ଦ୍ୱାରା ସପ୍ତଋଷିଙ୍କୁ ହିମାଳୟର କାନ୍ତିସାଗର ହ୍ରଦଠାରେ ପ୍ରଦତ୍ତ ତତ୍ତ୍ୱ ମାଧ୍ୟମରେ ଧରାପୃଷ୍ଠକୁ ଆସି କ୍ରମେ ଭିନ୍ନ ଭିନ୍ନ ଅଞ୍ଚଳକୁ ବ୍ୟାପିଯାଇଥିଲା । ଏଇମାତ୍ର ପ୍ରକାଶିତ ଅର୍ଣ୍ଣବ ବସୁ ନାମକ ଗବେଷକଙ୍କ ଏକ ଗବେଷଣାଲବ୍ଧ ପ୍ରବନ୍ଧରୁ ଜଣାଯାଏ ଯୋଗ ୫୦୦୦ ବର୍ଷରୁ ଊଦ୍ଧ୍ୱର୍ ସମୟ ଧରି ମାନବ ସମାଜର କଲ୍ୟାଣ ସାଧନ କରିଆସୁଛି । ସିନ୍ଧୁ ସଭ୍ୟତାର ଖନନ ବେଳେ ମିଳିଥିବା ‘ପଶୁପତି' ତଥା ଅନ୍ୟାନ୍ୟ ‘ସିଲ୍‌' ମଧ୍ୟ ଏହାର ବହୁ ପୁରାତନ ଉତ୍ପତ୍ତି ଉପରେ ମୋହର ଲଗାଏ । ଏପର୍ଯ୍ୟନ୍ତ ଏକ ନିଶ୍ଚିତ କାଳ ନିର୍ଦ୍ଧାରଣ କରିବା ସମ୍ଭବ ନହେଲେ ହେଁ ହିନ୍ଦୁ ଆଧ୍ୟାତ୍ମିକ ସଂଭାର ବେଦ, ଉପନିଷଦ ତଥା ଭଗବତ୍‌ ଗୀତା ଆଦିରେ ମଧ୍ୟ ଯୋଗ ବିଷୟରେ ସୂଚନା ମିଳୁଥିବା କଥା ଭିନ୍ନ ଭିନ୍ନ ଲେଖାରୁ ଜଣାଯାଏ । କିନ୍ତୁ ଏ ସଂପର୍କରେ ଏକ ନିଶ୍ଚିତ ତଥ୍ୟ ମିଳେ ଖ୍ରୀଷ୍ଟପୂର୍ବ ପ୍ରାୟ ପ୍ରଥମ-ଦ୍ୱିତୀୟ ଶତାବ୍ଦୀ ବେଳକୁ । 

ଏନସାଇକ୍ଲୋପେଡିଆ ବ୍ରିଟାନିକା ଅନୁସାରେ, ଖ୍ରୀଷ୍ଟପୂର୍ବ ଦ୍ୱିତୀୟ ଶତାବ୍ଦୀରୁ ପଞ୍ଚମ ଖ୍ରୀଷ୍ଟାବ୍ଦ ମଧ୍ୟରେ ଚାରିଭାଗ ହୋଇ ରଚିତ ହୁଏ ପତଞ୍ଜଳିଙ୍କ ‘ଯୋଗସୂତ୍ର' ପାଖାପାଖି ୨୦୦ଟି ଯୋଗ ସମ୍ବନ୍ଧୀୟ ଶ୍ଳୋକର ଗୁଚ୍ଛକୁ ଧରି । ଏଥିସହ କ୍ଷେତ୍ର ପ୍ରସ୍ତୁତ ହୋଇଯାଏ ପତଞ୍ଜଳିକୃତ ୟମ, ନିୟମ, ଆସନ, ପ୍ରାଣାୟାମ, ପ୍ରତ୍ୟାହାର, ଧ୍ୟାନ, ଧାରଣା ଏବଂ ସମାଧି ପରି ଅଷ୍ଟାଙ୍ଗ ଯୋଗ ସାଧନାର ପ୍ରଚଳନ ପାଇଁ । ପରେ ପରେ ଈଶ୍ୱରକୃଷ୍ଣକୃତ ଗୁପ୍ତଯୁଗୀୟ ‘ସାଂଖ୍ୟ କାରିକା', ପ୍ରାୟ ଏକାଦଶରୁ ସପ୍ତାଦଶ ଖ୍ରୀଷ୍ଟାବ୍ଦ ମଧ୍ୟରେ ଭାଗ ହୋଇ ରଚିତ ରାଜଯୋଗ ସମ୍ବନ୍ଧୀୟ ପ୍ରଥମ ଶ୍ଳୋକଗୁଚ୍ଛ (ଶିବ-ବାମଦେବ ବାର୍ତ୍ତାଳାପ) ‘ଅମନସ୍କ ଯୋଗ' ସେଇ ପାଖାପାଖି ଏକାଦଶ ଶତାବ୍ଦୀର ମାଧବଚନ୍ଦ୍ରଙ୍କ ହଠଯୋଗ ସମ୍ପର୍କିତ ଲେଖା ‘ଅମୃତ ସିଦ୍ଧି’, ତ୍ରୟୋଦଶ ଶତାବ୍ଦୀର ‘ଦତ୍ତାତ୍ରେୟ ଯୋଗ ଶାସ୍ତ୍ର' ଆଦି ଅନେକ ଉପାଦେୟ ରଚନା ଯୋଗ ସମ୍ବନ୍ଧୀୟ ଜ୍ଞାନକୁ ଜନସାଧାରଣରେ ବିତରଣ କରିଥିଲେ ହେଁ ଚତୁର୍ଦ୍ଦଶ-ପଞ୍ଚଦଶ ଶତାବ୍ଦୀର ନାଥଯୋଗୀ ସ୍ୱାତ୍ମାରାମକୃତ ‘ହଠଯୋଗ ପ୍ରଦୀପିକା' ଏବଂ ସପ୍ତଦଶ ଶତାବ୍ଦୀର ‘ଘେରଣ୍ଡ ସଂହିତା' (ଘେରଣ୍ଡ-ଚନ୍ଦ୍ର ବାର୍ତ୍ତାଳାପ) ହଠଯୋଗ ଉପରେ ବିଶେଷ ଭାବରେ ଆଲୋକପାତ କରିଥିବା ସୂଚନା ମିଳେ । ଏ ଦିଗରେ ପେସାରେ ଡାକ୍ତର ସ୍ୱାମୀ ଶିବାନନ୍ଦଙ୍କ କାର୍ଯ୍ୟ ଦୁଇଟି ହିସାବରେ ଅତୁଳନୀୟ ବୋଲି କହିବାକୁ ହୁଏ, କାରଣ ସେ ଗୂଢ଼ ଯୋଗତତ୍ତ୍ୱକୁ ଅତି ସାଧାରଣ ଲୋକଙ୍କ ଭାଷାରେ ସରଳ ଭାବରେ ବର୍ଣ୍ଣନା କରିବା ସଙ୍ଗେ ସଙ୍ଗେ ଆସନ, ପ୍ରାଣାୟାମ, ଧ୍ୟାନ, ଭକ୍ତି ଆଦି ସବୁ ଦିଗରୁ ପରିପୁଷ୍ଟ ଏକ ଗ୍ରହଣୀୟ ପଦ୍ଧତିକୁ ପରଷିଦେବା ସହିତ ସ୍ୱାମୀ ଚିଦାନନ୍ଦ ସରସ୍ୱତୀ, ସ୍ୱାମୀ ସତ୍ୟାନନ୍ଦ ସରସ୍ୱତୀ, ସ୍ୱାମୀ ଚିନ୍ମୟାନନ୍ଦ ସରସ୍ୱତୀ ଭଳି ମହାନ ଶିଷ୍ୟଗଣଙ୍କୁ ତିଆରି କରିଥିଲେ ତାଙ୍କ ପରେ ଏ ବିସ୍ତୃତ ବିଜ୍ଞାନର ପ୍ରଚାର ପ୍ରସାର ନିମନ୍ତେ । ପରେ ପରମହଂସ ସତ୍ୟାନନ୍ଦ ସରସ୍ୱତୀ ବିହାରର ମୁଙ୍ଗେରଠାରେ ପ୍ରସିଦ୍ଧ ‘ବିହାର ସ୍କୁଲ ଅଫ୍‌ ଯୋଗ'ର ପ୍ରତିଷ୍ଠାତା ରୂପେ ଏବଂ ତାଙ୍କ ଅଗଣିତ ରଚନା ମାଧ୍ୟମରେ ତାଙ୍କ ଦାୟିତ୍ୱ ନିର୍ବାହ କରିଥିଲେ, ବିଦ୍ୟାଟିର ବିଜ୍ଞାନ ସମ୍ମତ ଦିଗକୁ ଦୃଷ୍ଟିଦେଇ । 

ଯୋଗର ପ୍ରକାର ଭେଦ ଖୋଜିବସିଲେ ଏହା ଯେ ବହୁ ଭାଗରେ ବିଭକ୍ତ ତାହା ଆପେ ଆପେ ଜାଣି ହୋଇଯାଏ । ହେଲେ ଜ୍ଞାନଯୋଗ, ଭକ୍ତିଯୋଗ, କର୍ମଯୋଗ, ହଠଯୋଗ, ରାଜଯୋଗ ଏବଂ କ୍ରିୟାଯୋଗ ପରି ମୁଖ୍ୟ ଛଅଟି ଭାଗରେ ବର୍ଗୀକରଣ କରାଯାଇପାରେ । ମାନବ ଧର୍ମ ଉପରେ ପର୍ଯ୍ୟବସିତ ଜ୍ଞାନଯୋଗ, ଅନ୍ତର୍ଦୃଷ୍ଟି, ଅଭ୍ୟାସ ଏବଂ ପରିଚୟର ଆଧାରରେ ବାସ୍ତବିକତାର ବିଶ୍ଳେଷଣ କରିବାର ପଥକୁ ସୂଚାଉଥିବା ବେଳେ ଭକ୍ତିଯୋଗ, ଆବେଗ ନିୟନ୍ତ୍ରଣପୂର୍ବକ ନିଷ୍କାମ ଭକ୍ତି ଏବଂ ଶ୍ରଦ୍ଧା ମାଧ୍ୟମରେ ଭଗବତ୍‌ ସତ୍ତାର ଉପଲବ୍ଧିକୁ ବୁଝାଇଥାଏ । ଠିକ୍‌ ସେହିପରି କର୍ମଯୋଗ ଫଳରେ ଆଶା ନରଖି କାମକୁ ଏକ ସାଧନା ବା ସେବା ଭାବରେ ଗ୍ରହଣକରି ତଥା ଅହଂକୁ ପରିତ୍ୟାଗ କରିବାର ମାଧ୍ୟମ ହୋଇଥିବାବେଳେ, ହଠଯୋଗ ଆସନ, ଷଟ୍‌କର୍ମ ଆଦି ସାହାଯ୍ୟରେ ଶରୀରତନ୍ତ୍ରର ସୁନିୟନ୍ତ୍ରଣକୁ ଦର୍ଶାଇଥାଏ । ଋଷି ପତଞ୍ଜଳିଙ୍କ ଅଷ୍ଟାଙ୍ଗ ଯୋଗସୂତ୍ର ଉପରେ ଆଧାରିତ ରାଜଯୋଗ ଏକ ସୁବ୍ୟବସ୍ଥିତ ପ୍ରଣାଳୀ, ଯାହାକି ମାବବୀୟ ଚେତନା ଏବଂ ବ୍ୟକ୍ତିତ୍ୱକୁ ଶୁଦ୍ଧ କରିଥାଏ । କ୍ରିୟାଯୋଗ ଏକ ବହୁ ପୁରାତନ ଯୋଗତନ୍ତ୍ର ପଦ୍ଧତି ଯେଉଁଥିରେ କି ଚେତନାରେ ସକାରାତ୍ମକ ତରଙ୍ଗ ସୃଷ୍ଟି କରାଯାଇ ଶକ୍ତି ଆହରଣ କରାଯାଏ । ବିଭିନ୍ନ କାଳରେ ଭିନ୍ନ ଭିନ୍ନ ଯୋଗ ବିଶାରଦଙ୍କ ଦ୍ୱାରା କୁଣ୍ଡଳିନୀ ଯୋଗ, ବିନ୍ୟାସ ଯୋଗ, ଅଷ୍ଟାଙ୍ଗ ଯୋଗ ପରି ଆହୁରି କେତେ ପ୍ରକାରର ଯୋଗ କଥା କୁହାଯାଇଥିଲେ ହେଁ ଏ ସଭିଙ୍କ ସତ୍ତା ବର୍ଣ୍ଣିତ ଛଅଟି ଯୋଗ ଭିତରେ ଦେଖାଯାଇପାରେ ବୋଲି ବିଶ୍ୱାସ ହୁଏ ।

ଏବେ ବିଜ୍ଞାନର ଚଉହଦୀ ଭିତରେ ତଥା ବ୍ୟାବହାରିକ ଦୃଷ୍ଟିକୋଣରୁ ସାଧାରଣ ଲୋକଙ୍କ ପାଇଁ ବରଦାନ ସଦୃଶ କାର୍ଯ୍ୟ କରୁଥିବା ଯୋଗର କିଛି ମାର୍ଗ ଉପରେ ଆଲୋଚନା କରିପାରିଲେ ଭଲ । ଯୋଗାଭ୍ୟାସ ବିଶେଷତଃ ପ୍ରାତଃକାଳରେ ନିତ୍ୟକର୍ମ ଓ ସ୍ନାନାଦି ପରେ, ଖାଲି ପେଟରେ, ଏକ କୋମଳ ଖସୁନଥିବା ଆସନ ଉପରେ ଓ ମୁକ୍ତ ବାୟୁ ଚଳାଚଳ ହେଉଥିବା ସ୍ଥାନରେ କରିବା ଉଚିତ । ଏଥିସହ ହାଲୁକା ବୁଣାଲୁଗା ପରିଧାନ କରି, ପରିବେଶର ତାପମାତ୍ରା, ଶରୀରର ସୁସ୍ଥତା ତଥା ବୟସକୁ ଦୃଷ୍ଟିରେ ରଖି ଜଣେ ଉପଯୁକ୍ତ ଗୁରୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ହେବା ବିଧେୟ । ପୁଣି ୨୪ଟି ଆସନର ଏକ ନିୟନ୍ତ୍ରିତ ଆସନ ଶୃଙ୍ଖଳା ବା ସୂର୍ଯ୍ୟନମସ୍କାରକୁ ମଧ୍ୟ ଏଥିରେ ସାମିଲ କରାଯାଇଛି । ଦ୍ୱିତୀୟରେ ଟିକିଏ ପରଖିବା ପ୍ରାଣାୟାମକୁ, ଯାହାକି ଭିନ୍ନ ଏକ ମାଧ୍ୟମ, ନିୟନ୍ତ୍ରିତ ଶ୍ୱାସକ୍ରିୟା ମାଧ୍ୟମରେ ଶରୀର ଭିତର ଶକ୍ତି ସଂଚାଳନକୁ ବ୍ୟବସ୍ଥିତ କରିବା ପାଇଁ । ଯୋଗାଧାରିତ ଶ୍ୱାସକ୍ରିୟାରୁ ଆରମ୍ଭ ହୁଏ ଏହାର ଯାତ୍ରା ଯାହାକି ପୁରକ (ପ୍ରଶ୍ୱାସ), କୁମ୍ଭକ (ଶ୍ୱାସ ଧାରଣ) ଓ ରେଚକ (ନିଶ୍ୱାସ)ର ତାଳରେ ଆଗକୁ ବଢ଼େ ନାଡ଼ି ଶୋଧନ ବା ଅନୁଲୋମ-ବିଲୋମ ରୂପକ ପ୍ରାଣାୟାମର ଛତ୍ରଛାୟାରେ ତଥା କପାଲଭାତି, ଭସ୍ତ୍ରିକା, ଉଜ୍ଜାୟୀ, ଭ୍ରାମରି, ଶିତଲୀ, ଶିତକାରୀ ଆଦି ଆହୁରି କେତେ ସହୋଦରଙ୍କୁ ସାଥିରେ ନେଇ । ତୃତୀୟରେ ମନେପଡ଼େ ‘ମୁଦ୍ରା ଓ ବନ୍ଧ' କଥା । ଯାହାକୁ ହୁଏତ କୁହାଯାଇପାରେ ବିଶେଷ ପ୍ରକାରର ଭଙ୍ଗୀ ବୋଲି, ଯାହା ପ୍ରକାରାନ୍ତରେ ଆସନ ବା ପ୍ରାଣାୟାମ ସହ ସଂଶ୍ଳିଷ୍ଟ ହୋଇଥାଏ । ହସ୍ତ ମୁଦ୍ରା (ଜ୍ଞାନ, ଚିନ୍‌ ଆଦି), ମନ ମୁଦ୍ରା (ସଂଭାବି, ଖେଚରୀ ଆଦି), କାୟ ମୁଦ୍ରା (ପ୍ରାଣ, ବିପରିତ କରଣୀ ଆଦି), ବନ୍ଧ ମୁଦ୍ରା (ମହା, ମହା ଭେଦ ଆଦି) ଓ ଆଧାର ମୁଦ୍ରା (ଅଶ୍ୱିନୀ, ବଜ୍ରୋଲି ଆଦି) ଓ ଏଥିସହ ମହା, ଉଡ୍ଡିୟାନ ଭଳି ‘ବନ୍ଧ' ଯେତେକ  ଶରୀର ଓ ମନ ମଧ୍ୟରେ ସମନୱୟ ରକ୍ଷାକରି ଚେତନାକୁ ସଂପ୍ରସାରିତ କରିବା ଦାୟିତ୍ୱଟି ବହନ କରିଥାନ୍ତି ଆରମ୍ଭରୁ ଶେଷଯାଏ । ପରିଶେଷରେ, ଯୋଗ ବିଜ୍ଞାନର ଏକ ଅବିଚ୍ଛେଦ୍ୟ ଅଙ୍ଗ ହେଉଛି ଷଟ୍‌କର୍ମ ଏବଂ ଏହା ଶରୀରର ବିଭିନ୍ନ ଅଙ୍ଗବିଶେଷର ପ୍ରାକୃତିକ ଶୁଦ୍ଧିକରଣର ଏକ ପ୍ରଶସ୍ତ ମାର୍ଗ ବୋଇଲେ ଅତ୍ୟୁକ୍ତି ହେବନାହିଁ । 

ଏମିତି ଯେତେ କହୁଥିଲେ ବି ଏ ଦେହ-ମନ, ଆତ୍ମା-ପରମାତ୍ମା, ଜୀବ-ପରିବେଶ ଭଳି ଜ୍ଞାନର ଅସରନ୍ତି ଭଣ୍ଡାର ସରିବାର ନାମ ନିଏନି । ଏଠାରେ ‘ନାସ୍ତି ଯୋଗାତ୍‌ ପରମ୍‌ ବଳମ୍‌' କହିବାର ଯଥାର୍ଥତା ଏହିକି ଯେ ସେଦିନର ତରୁଣ ବା ଆଜିର ଏ ଲେଖକର ପୁରୁଣା ‘ସାଇନସ୍‌' ରୋଗଟି ଛୁ ମନ୍ତର ହୋଇସାରିଥିଲା ବାରଟି ମାତ୍ର ଦିନର ନେତି, ସୂର୍ଯ୍ୟନମସ୍କାର ଓ ପ୍ରାଣାୟାମର ଯାଦୁକରୀ ଶକ୍ତି ଦୟାରୁ ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.