ତେହରାନ୍,୨୧/୦୫: ହେଲିକପ୍ଟର ଦୁର୍ଘଟଣାରେ ଇରାନ୍ର ରାଷ୍ଟ୍ରପତି ଇବ୍ରାହିମ୍ ରଇସିଙ୍କର ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୬୩ ବର୍ଷ ହୋଇଥିଲା । ତାଙ୍କ ସହ ଇରାନ୍ର ବିଦେଶ ମନ୍ତ୍ରୀ ହୋସେନ୍ ଅମୀରାବ୍ଦୁଲ୍ଲାହିୟନ୍ଙ୍କ ସହ ୯ ଜଣ ପ୍ରାଣ ହରାଇଛନ୍ତି । ତାଙ୍କ ବିୟୋଗରେ ଇରାନ୍ ଶୋକରେ ବୁଡ଼ିଛି । ଦେଶବିଦେଶର ନେତାମାନେ ଶୋକବ୍ୟକ୍ତ କରିଛନ୍ତି ।
ମଧ୍ୟପୂର୍ବ ଏସିଆର ଶିୟାବହୁଳ ରାଷ୍ଟ୍ର ଇରାନ୍ ନିଜର ଦୁଇଜଣ ବଡ଼ ନେତାଙ୍କୁ ହରାଇ ଶୋକ ପାଳୁଛି । ରାଷ୍ଟ୍ରପତି ରଇସିଙ୍କୁ ଇରାନ୍ର ସୁପ୍ରିମ ଲିଡର ଆୟତୁଲ୍ଲାହ ଅଲ୍ଲୀ ଖାମେନେଇଙ୍କ ଉତ୍ତରାଧିକାରୀ ବିବେଚନା କରାଯାଉଥିଲା । ରଇସି ଜଣେ କଠୋରପନ୍ଥୀ ନେତା ଥିଲେ । ରାଷ୍ଟ୍ରପତି ହେବା ପୂର୍ବରୁ ସେ ଅନେକ ନ୍ୟାୟିକ ପଦପଦବୀରେ ରହି ଦାୟିତ୍ୱ ନିର୍ବାହ କରିଥିଲେ । ଏମିତି କି ସେ ଦେଶର ପ୍ରଧାନ ବିଚାରପତି ବି ରହିଥିଲେ ।
ଇରାନ୍ରେ ପ୍ରାୟ ୫ ହଜାର ରାଜନୈତିକ କଏଦୀଙ୍କୁ ଫାଶୀଦଣ୍ଡ ଦିଆଯାଇଥିଲା । ଏହା ପଛରେ ତତ୍କାଳୀନ ଡେପୁଟି ପ୍ରସିକ୍ୟୁଟର ଜେନେରାଲ ଇବ୍ରାହିମ୍ ରଇସି ଥିଲେ । ଏଥିପାଇଁ ରଇସିଙ୍କୁ ‘ତେହରାନ୍ର କଂସେଇ’ ଭାବେ ଜଣାଯାଏ । ଇରାନ୍ରେ ୫ ହଜାର ରାଜନୈତିକ କଏଦୀଙ୍କୁ ମୃତ୍ୟୁଦଣ୍ଡ ଦିଆଯିବା ଇସ୍ଲାମିକ୍ ରିପବ୍ଲିକ୍ର ଇତିହାସରେ ସବୁଠୁ ବଡ଼ ଅପରାଧ ଥିଲା ବୋଲି ୧୯୮୮ରେ ଇରାନ୍ର ତତ୍କାଳୀନ ଡେପୁଟି ସୁପ୍ରିମ ଲିଡର ଆୟତୁଲ୍ଲାହ ହୁସେନ୍ ଅଲ୍ଲୀ ମୁନ୍ତଜରୀ କହିଥିଲେ । ଇରାନ୍ର ‘ଡେଥ୍ କମିଟି’ ଏହି ନିଷ୍ପତ୍ତି ୧୯୮୮ରେ ହିଁ ନେଇଥିଲା । କମିଟିର ସଦସ୍ୟ ଥିଲେ ରଇସି । ୫ ହଜାର କଏଦୀଙ୍କୁ ମୃତ୍ୟୁଦଣ୍ଡ ଦିଆଯିବାର ନିଷ୍ପତ୍ତି ସହ ଜଡ଼ିତ ଏକ ଅଡିଓ ଟେପ୍ ୨୦୧୬ରେ ଲିକ୍ ହୋଇଥିଲା । ଅଡିଓ ରେକର୍ଡିଂରେ ମୁନ୍ତଜରୀ ଇରାନ୍ର ‘ଡେଥ୍ କମିଟି’ ସଦସ୍ୟଙ୍କ ଉପରେ ଚିଲ୍ଲାଉଥିଲେ । ସେ ଏହି ନିଷ୍ପତ୍ତିରେ ଖୁସି ନ ଥିଲେ । କୁହାଯାଏ ଯେ ମୁନ୍ତଜରୀଙ୍କ ପରିବାର ଲୋକ ଏହି ଟେପ୍କୁ ଲିକ୍ କରାଇଥିଲେ । ଅଡିଓ ଲିକ୍ ହେବାର ୫ ବର୍ଷ ଭିତରେ ରଇସି ପ୍ରଥମେ ଇରାନ୍ର ପ୍ରଧାନ ବିଚାରପତି ଏବଂ ଏହାର ଦୁଇବର୍ଷ ପରେ ଦେଶର ରାଷ୍ଟ୍ରପତି ହୋଇଥିଲେ । ଇରାନ୍ର ରାଜନୈତକ କଏଦୀଙ୍କୁ ମୃତ୍ୟୁଦଣ୍ଡ ମିଳିବାର ବର୍ଷେ ପରେ ଦେଶର ତତ୍କାଳୀନ ସୁପ୍ରିମ ଲିଡର ଆୟତୁଲ୍ଲାହ ଖୁମୈନିଙ୍କ ପରଲୋକ ଘଟିଥିଲା । କିନ୍ତୁ ଆଶ୍ଚର୍ଯ୍ୟଜନକ ଭାବେ ଡେପୁଟି ସୁପ୍ରିମ ଲିଡର ମୁନ୍ତଜରୀଙ୍କ ପରିବର୍ତ୍ତେ ଇରାନ୍ର ସୁପ୍ରିମ ଲିଡର କମାଣ ଖାମେନେଇଙ୍କୁ ଦିଆଯାଇଥିଲା । କୁହାଯାଏ ଯେ ଖାମେନେଇ ଇରାନ୍ର ସର୍ବୋଚ୍ଚ ଧାର୍ମିକ ନେତା ହେବା ଦ୍ୱାରା ଯଦି ଯାହାର ସର୍ବାଧିକ ଫାଇଦା ହୋଇଥିଲା, ସେ ଥିଲେ ରଇସି । ଖାମେନେଇଙ୍କ ଛତ୍ରଛାୟାରେ ରଇସି ସଫଳତାର ଶିଢ଼ି ଚଢ଼ିଚାଲିଥିଲେ ।
୨୦୨୧ରେ ଇରାନ୍ର ରାଷ୍ଟ୍ରପତି ନିର୍ବାଚିତ ହେବା ପରେ ତାଙ୍କୁ ୧୯୮୮ର ସାମୂହିକ ମୃତ୍ୟୁଦଣ୍ଡକୁ ନେଇ ପ୍ରଶ୍ନ ହେବାରୁ ସେ କହିଥିଲେ, ଯଦି କୌଣସି ବିଚାରପତି କିମ୍ବା ଓକିଲ ଦେଶର ସୁରକ୍ଷା କରିଛନ୍ତି, ତାହାର ପ୍ରଶଂସା ହେବା ଉଚିତ । ରଇସି ଇରାନ୍ର ଏଭଳି ପ୍ରଥମ ରାଷ୍ଟ୍ରପତି ଥିଲେ, ପଦଭାର ସମ୍ଭାଳିବା ପୂର୍ବରୁ ଆମେରିକା ତାଙ୍କ ଉପରେ ପ୍ରତିବନ୍ଧକ ଲଗାଇ ସାରିଥିଲା । ୫ ହଜାର କଏଦୀଙ୍କୁ ସାମୂହିକ ମୃତ୍ୟୁଦଣ୍ଡ ଦିଆଯିବାକୁ ନେଇ ଆମେରିକା ଏଭଳି କାର୍ଯ୍ୟାନୁଷ୍ଠାନ ନେଇଥିଲା । ମୃତ୍ୟୁଦଣ୍ଡ ପାଇଥିବା ରାଜନୈତିକ କଏଦୀମାନଙ୍କର ସମ୍ପର୍କ ମୁଜାହିଦ୍ଦିନ୍-ଏ-ଖଲ୍ଫ (ଏମ୍ଇକେ) ସହ ଥିଲା । ଇରାନ୍ର ରାଜନୀତିକୁ ଇସ୍ଲାମ ଆଧାରରେ ଚଳାଇବାକୁ ନେଇ ଏମାନେ ବିରୋଧ କରୁଥିଲେ ।
୧୯୬୦ ଡିସେମ୍ବର ୧୪ରେ ଜନ୍ମିତ ଇବ୍ରାହିମ୍ ରଇସି ୧୯୯୪ରେ ତେହରାନର ପ୍ରସିକ୍ୟୁଟର ଜେନେରାଲ ହୋଇଥିଲେ । ୨୦୧୯ରେ ଦେଶର ପ୍ରଧାନ ବିଚାରପତି ହୋଇଥିଲେ । ଏହାର ଦୁଇବର୍ଷ ପରେ ଅର୍ଥାତ୍ ୨୦୨୧ ଜୁନ୍ ୧୯ରେ ସେ ଇରାନ୍ର ରାଷ୍ଟ୍ରପତି ବନିଥିଲେ । ୨୦୨୨ ସେପ୍ଟେମ୍ବରରେ ଇରାନ୍ରେ କଟ୍ଟର ଇସ୍ଲାମିକ୍ ଶାସନ ବିରୋଧରେ ଆନ୍ଦୋଳନ ହୋଇଥିଲା । ଇରାନ୍ର ନୈତିକତା ପୁଲିସ ଠିକ୍ ଭାବେ ହିଜାବ ନ ପିନ୍ଧିବାକୁ ନେଇ ୨୨ ବର୍ଷୀୟା ମହସା ଅମିନିଙ୍କୁ ଗିରଫ କରିଥିଲା । ୩ ଦିନ ପରେ ପୁଲିସ ହାଜତରେ ତାଙ୍କର ମୃତ୍ୟୁ ହୋଇଥିଲା । ଏହାକୁ ନେଇ ଆନ୍ଦୋଳନ ତୀବ୍ରତର ହୋଇଥିଲା ।
ଜାତିସଂଘ ମିଶନ ରିପୋର୍ଟ ମୁତାବକ ଆନ୍ଦୋଳନ ବେଳେ ୫୫୧ ବିକ୍ଷୋଭକାରୀଙ୍କୁ ହତ୍ୟା କରାଯାଇଥିଲା । ମୁହାଁମୁହିଁ ବେଳେ ୭୫ ସୁରକ୍ଷା କର୍ମୀ ବି ପ୍ରାଣ ହରାଇଥିଲେ । ଏହାଛଡ଼ା ୨୦ ହଜାରରୁ ଅଧିକ ଲୋକଙ୍କୁ ଗିରଫ କରାଯାଇଥିଲା । ସଦ୍ୟ ଘଟଣାରେ ରଇସିଙ୍କ ନିର୍ଦ୍ଦେଶରେ ଇସ୍ରାଏଲ୍ ଉପରେ ଇରାନ୍ ସେନା ୩୦୦ ଡ୍ରୋନ୍ ଓ ମିସାଇଲ୍ ମାଡ଼ କରିଥିଲା । ଏହା ପୂର୍ବରୁ ଇସ୍ରାଏଲ୍ର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁଙ୍କ ନିର୍ଦ୍ଦେଶରେ ସିରିୟାସ୍ଥିତ ଇରାନ୍ର ଦୂତାବାସ କୋଠା ଉପରେ ଏୟାରଷ୍ଟ୍ରାଇକ୍ ହୋଇଥିଲା । ଏଥିରେ ଇରାନ୍ର ୨ ପ୍ରମୁଖ କମାଣ୍ଡରଙ୍କ ସମେତ ୧୩ ଜଣ ପ୍ରାଣ ହରାଇଥିଲେ । ଜବାବ ସ୍ୱରୂପ ଇରାନ୍ ପ୍ରତି ଆକ୍ରମଣ କରିଥିଲା । ରଇସିଙ୍କର ପତ୍ନୀ ଓ ଦୁଇ ସନ୍ତାନ ଅଛନ୍ତି ।