ନୂଆଦିଲ୍ଲୀ: ଋଷକୁ ଶତାଧିକ ମିସାଇଲ୍ ପଠାଇଛି ଇରାନ୍ । ଏନେଇ ଦାବି କରିଛନ୍ତି ୟୁକ୍ରେନୀୟ ଅଧିକାରୀ । ଇରାନ୍ ମିସାଇଲ୍ ପଠାଇ ୟୁକ୍ରେନ୍ ବିରୋଧରେ ଋଷର ଆକ୍ରମଣକୁ ସମର୍ଥନ କରିଛି ବୋଲି ସେ କହିଛନ୍ତି । ସେପଟେ ଋଷକୁ ଇରାନ୍ ମିସାଇଲ୍ ପଠାଇବା ଖବର ଇସ୍ରାଏଲ ପାଇଁ ଶୁଭ ସଂକେତ ବୋଲି କୁହାଯାଉଛି । ବିଶେଷଜ୍ଞଙ୍କ ମତରେ, ନିକଟ ଭବିଷ୍ୟତରେ ଇସ୍ରାଏଲ ଉପରେ ଆକ୍ରମଣ କରିବାକୁ ଯୋଜନା କରୁନାହିଁ ଇରାନ । ସେପଟେ ୟୁକ୍ରେନ୍ ପାଇଁ ଏହା ଆଦୌ ଭଲ ଖବର ନୁହେଁ । କାରଣ ଋଷ ଇରାନ୍ର ମିସାଇଲକୁ ୟୁକ୍ରେନ୍ ବିରୋଧରେ ବ୍ୟବହାର କରିବ । ତେବେ ଫେବୃଆରୀ ୨୦୨୨ରୁ ଜାରି ରହିଥିବା ଋଷ-ୟୁକ୍ରେନ୍ ଯୁଦ୍ଧ ଏବେ ବି ଜାରି ରହିଛି ।
ୟୁକ୍ରେନର ଜଣେ ବରିଷ୍ଠ ଅଧିକାରୀଙ୍କ ଅନୁସାରେ, ଚଳିତ ସପ୍ତାହରେ ଋଷର କାସ୍ପିଆନ ସାଗର ବନ୍ଦରରେ ୨୦୦ରୁ ଅଧିକ ଫଥ୍-୩୬୦ ସ୍ବଳ୍ପଗାମୀ ବାଲିଷ୍ଟିକ୍ ମିସାଇଲ୍ ପହଞ୍ଚିଛି । ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ କରିବାର କ୍ଷମତା ରଖିଥିବା ଫଥ-୩୬୦ ମିସାଇଲ ୧୨୦ କିଲୋମିଟର ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରିପାରିବ । ଋଷ ଏହି ସବୁ ମିସାଇଲକୁ ନିଜ ସୀମା ନିକଟରେ ଥିବା ୟୁକ୍ରେନୀୟ ସହର ଖାରକିଭ୍ ଏବଂ ସୁମି ଉପରେ ଆକ୍ରମଣ ଲାଗି ବ୍ୟବହାର କରିପାରେ ।
ସେପଟେ ଇରାନ ପାଖରୁ ସ୍ବଳ୍ପଗାମୀ ମିସାଇଲ ପାଇବା ପରେ ଏବେ ଋଷକୁ ନିଜର ଅତ୍ୟାଧୁନିକ କିଂଜଲ ମିସାଇଲ ବ୍ୟବହାର କରିବାରେ ଆହୁରି ସୁବିଧା ହୋଇଯିବ । ସୀମା ନିକଟରେ ଥିବା ୟୁକ୍ରେନୀୟ ସହରରେ ଫଥ୍-୩୬୦ ମିସାଇଲ୍ ବ୍ୟବହାର କରିବ ଋଷ । ସେହିଭଳି କିଂଜଲ ମିସାଇଲକୁ ୟୁକ୍ରେନର ଆଭ୍ୟନ୍ତରୀଣ ସହରରେ ମାଡ଼ କରିପାରେ ଋଷ ସେନା । ସେପଟେ ଇରାନ୍ର ଏହି ମିସାଇଲକୁ ଦେଶ ପାଇଁ ବିପଦ ବୋଲି କହିଛନ୍ତି ୟୁକ୍ରେନର ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ । ୟୁକ୍ରେନର ପାଓ୍ବାର ସିଷ୍ଟମକୁ ଧ୍ବଂସ କରିବା ପାଇଁ ଏହାକୁ ଇରାନ୍ ପଠାଇଛି ବୋଲି ସେ କହିଛନ୍ତି ।