ଚନ୍ଦାହାଣ୍ଡି, ୨୩/୮ : ଚନ୍ଦାହାଣ୍ଡି ବ୍ଲକରେ ପ୍ରତି ବର୍ଷ ଶତାଧିକ ଛାତ୍ରଛାତ୍ରୀ ଯୁକ୍ତ ଦୁଇ ବିଜ୍ଞାନରେ ଉତ୍ତୀର୍ଣ୍ଣ ହୋଇ ଯୁକ୍ତ ତିନି ବିଜ୍ଞାନ କଲେଜ ନ ଥିବାରୁ ଗରିବ ଶ୍ରେଣୀର ଛାତ୍ରଛାତ୍ରୀମାନେ ଉଚ୍ଚ ଶିକ୍ଷା ଲାଭରୁ ବଞ୍ଚିତ ହେଉଛନ୍ତି । ଆଉ କିଛି ଛାତ୍ରଛାତ୍ରୀ ସୀମାନ୍ତ କଳାହାଣ୍ଡି ଓ ନବରଙ୍ଗପୁର ଯାଇ ପାଠ ପଢିବା ପାଇଁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
ଚନ୍ଦାହାଣ୍ଡି ବ୍ଲକରେ ପାନାବେଡା ମହାବିଦ୍ୟାଳୟରେ ଯୁକ୍ତ ଦୁଇ ବିଜ୍ଞାନ ଓ ଧୋଡିପାଣିଠାରେ ଯୁକ୍ତ ଦୁଇ ବିଜ୍ଞାନ କଲେଜ ରହିଥିଲେ ହେଁ ଯୁକ୍ତ ତିନି ବିଜ୍ଞାନ କଲେଜ ଏ ପର୍ଯ୍ୟନ୍ତ ଖୋଲାଯାଇ ପାରିନାହିଁ । ଏ ନେଇ ଆଜି ଝରିଗାଁ ବିଧାୟକ ନରସିଂ ଭତ୍ରା ଏବଂ ଚନ୍ଦାହାଣ୍ଡି ଅଞ୍ଚଳର ବରିଷ୍ଠ ବିଜେପି ନେତା ଗୋବିନ୍ଦ କୁମାର ଜୈନ ଓଡ଼ିଶା ସରକାରଙ୍କ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟ ବଂଶୀ ସୁରଜଙ୍କୁ ଲିଖିତ ଭାବେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।