ପ୍ରମୂଖ ଖବର
  • ଭୁବନେଶ୍ୱର: ୧୯ରେ ବିଜେଡି ବିଧାୟକ ଦଳ ବୈଠକ, ଅଧକ୍ଷତା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ
  • ||
  • ଦାର୍ଜିଲିଂରେ ଭୟଙ୍କର ଟ୍ରେନ୍ ଦୁର୍ଘଟଣା, ଏକ୍ସପ୍ରେସ୍ ଟ୍ରେନ୍‌କୁ ପଛ ପଟୁ ଧକ୍କା ଦେଲ ମାଲବାହୀ ଟ୍ରେନ୍, ୮ ଯାତ୍ରୀ ମୃତ, ୨୦ରୁ ଅଧିକ ଆହତ
  • ||
  • ନୀଳଗିରି: ରଜ ଉତ୍ସବରେ ଅଘଟଣ।ଝାଡ଼ାବାନ୍ତି ରେ ୯ ଗୁରୁତର ,୨ ଅସୁସ୍ଥ
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରାଜେନ୍ଦ୍ରାଭିଷେକ ନୀତି, ମଙ୍ଗଳବାର ଋକ୍ମିଣୀ ବିବାହ ଉତ୍ସବ
  • ||
  • ସରିଲା ଗ୍ରୀଷ୍ମ ଛୁଟି, କାଲିଠୁ ଖୋଲିବ ସ୍କୁଲ: ଶିକ୍ଷକ ଆସି କରିବେ ସମସ୍ତ ବ୍ୟବସ୍ଥା
  • ||
  • ନୂଆପଡା ଲଛିପୁର ଛକରେ ଟ୍ରାକ୍ଟର୍କୁ ପିଟିଲା କାର, ମର୍ମନ୍ତୁଦ ଦୁର୍ଘଟଣାରେ ଚାଲିଗଲା ୪ ଜୀବନ
  • ||
  • ନାକେଦମ୍‌ କଲାଣି ଭୀଷଣ ତାତି ସାଙ୍ଗକୁ ଗୁଳୁଗୁଳି: ଆଗଉନି ମୌସୁମୀ, ବର୍ଷା ଗାଏବ
  • ||

ଲୋକଙ୍କ ସ୍ୱାର୍ଥରେ ହେବା ଉଚିତ୍‌

ଭୁବନେଶ୍ୱର: ନିକଟରେ ଭାରତୀୟ ବିଦେଶ କଂଗ୍ରେସର ତତ୍କାଳୀନ ସଭାପତି ସାମ୍‌ ପିତ୍ରୋଡ଼ା ଉତ୍ତରାଧିକାରୀ କର ସମ୍ପର୍କରେ ଏକ ବଡ଼ ବିବୃତି ଦେଇଛନ୍ତି । ସେ ଆମେରିକାରେ ପ୍ରଚଳିତ ଉତ୍ତରାଧିକାରୀ କର ଉଦାହରଣ ଦେଇ ଭାରତରେ ସମାନ କର ବିଷୟରେ କହିବା ସହ ଉତ୍ତରାଧିକାରୀ କର ତାଙ୍କ ପାଇଁ ନ୍ୟାୟପୂର୍ଣ୍ଣ ବୋଲି କହିଥିଲେ । 

ସେ କହିଛନ୍ତି, ଏହା ଏକ ମଜାଦାର ନିୟମ । ଏହା ଅଧୀନରେ ଏକ ବ୍ୟବସ୍ଥା ଅଛି ଯେ, ତୁମେ ତୁମ ଜୀବନରେ ଅନେକ ଧନ ସଞ୍ଚୟ କରିଛ ଏବଂ ତୁମର ମୃତ୍ୟୁ ପରେ ତୁମେ ତୁମର ଧନକୁ ଜନସାଧାରଣଙ୍କ ନିକଟରେ ବାଣ୍ଟିଦେବା ଉଚିତ୍‌ । ପୂରା ସମ୍ପତ୍ତି ନୁହେଁ ବରଂ ଅଧା, ଯାହା ମୋ’ପାଇଁ ଠିକ୍‌ ମନେହୁଏ । କିନ୍ତୁ ଭାରତରେ ସେପରି କୌଣସି ଆଇନ ନାହିଁ । ଯଦି ଏଠାରେ କାହାର ସମ୍ପତ୍ତି ୧୦ ବିଲିୟନ ଟଙ୍କା ଅଛି, ତାଙ୍କ ମୃତ୍ୟୁ ପରେ ତାଙ୍କର ପିଲାମାନେ ସମସ୍ତ ସମ୍ପତ୍ତି ପାଇଲେ, ଜନସାଧାରଣଙ୍କ ପାଇଁ କିଛି ବାକି ରହିଲା ନାହିଁ । ଆମେ ନୂତନ ନୀତି ଏବଂ ନୂତନ କାର୍ଯ୍ୟକ୍ରମ ବିଷୟରେ କହୁଛୁ, ଯାହା କେବଳ ଧନୀମାନଙ୍କ ସ୍ୱାର୍ଥରେ ନୁହେଁ, ଲୋକଙ୍କ ସ୍ୱାର୍ଥରେ ହେବା ଉଚିତ୍‌ ।

ତାଙ୍କ ବିବୃତି ପରେ ଉତ୍ତରାଧିକାରୀ କର ସହିତ ସମ୍ପଦ କର ଉପରେ ଏକ ତୀବ୍ର ରାଜନୈତିକ ବିତର୍କ ଆରମ୍ଭ ହୋଇଛି । କଂଗ୍ରେସ ନିଜକୁ ଦୂରେଇ ରଖିଲାବେଳେ ବିଜେପି ଦୃଢ଼ ବିରୋଧ କରିଛି । ବିଜେପି କହିଛି ଉତ୍ତରାଧିକାରୀ କର ପୁନଃ ପ୍ରଚଳନ ଅର୍ଥ କଠିନ ପରିଶ୍ରମ ଦ୍ୱାରା ଲୋକମାନେ ଅର୍ଜନ କରିଥିବା ସମ୍ପତ୍ତିର ପଚାଶ ପ୍ରତିଶତ ଛଡ଼ାଇ ନେବା । କିନ୍ତୁ ବାସ୍ତବରେ ଜଣେ ବ୍ୟକ୍ତିଙ୍କ ଦ୍ୱାରା ଉତ୍ତରାଧିକାରୀ ସୂତ୍ରରେ ପ୍ରାପ୍ତ ଅଳ୍ପ ସମ୍ପତ୍ତି ଉପରେ ନୁହେଁ, ବରଂ ପ୍ରଚୁର ସମ୍ପତ୍ତି ଉପରେ ଟିକସ ଆଦାୟ କରି ଗୋଟିଏ ପିଢ଼ିରୁ ଆଉ ଗୋଟିଏ ପିଢ଼ିକୁ ବ୍ୟାପୁଥିବା ଅସମାନତାକୁ ରୋକିବା ପାଇଁ ଉତ୍ତରାଧିକାରୀ କର ବା ସମ୍ପଦ କର ଅତ୍ୟନ୍ତ ଜରୁରି । କଠିନ ପରିଶ୍ରମ କରି କେହି ବଡ଼ ଧନୀ ହୋଇନାହାଁନ୍ତି, ବରଂ ମାନିପୁଲେସନ, ଟିକସ ଫାଙ୍କି ବା କଳାଧନର ଅପବ୍ୟବହାର, ସରକାରଙ୍କ ଧନୀ ସପକ୍ଷବାଦୀ ନୀତି, ସର୍ବାଧିକ ଟିକସ ହାର କମ୍‌ ରଖିବା, କର୍ପୋରେଟ ଟିକସ ହାର ହ୍ରାସ କରିବା, ପ୍ରାକୃତିକ ଓ ଖଣିଜ ସମ୍ପଦ ଶାଗ ମାଛ ମୂଲ୍ୟରେ କମ୍ପାନୀଙ୍କୁ ଦେବା, ବାସ୍ତବ ଋଣ ସୁଧହାର କମ୍‌ ରଖିବା, ଷ୍ଟକ ମାର୍କେଟର ମାନିପୁଲେସନ, ଟିକସ ଭୂସ୍ୱର୍ଗରେ ଲୁକ୍କାୟିତ ଭାବେ କଳାଧନ ରଖିବାର ସୁବିଧା ଇତ୍ୟାଦି କାରଣ ଅଟେ । ବାସ୍ତବରେ ଭାରତ ସମେତ ବିଶ୍ୱ ବ୍ୟବସ୍ଥାକୁ ଏପରି ପରିବର୍ତ୍ତନ କରାଯାଉଛି, ଯେପରି ଧନୀ ଅଧିକ ଧନୀ ହେବେ ।

ବର୍ତ୍ତମାନ ଭାରତରେ କୌଣସି ଉତ୍ତରାଧିକାରୀ କର ଏବଂ ସମ୍ପଦ କର ନାହିଁ । କିନ୍ତୁ ଉତ୍ତରାଧିକାରୀ ସୂତ୍ରରେ ଅର୍ଜିତ ସମ୍ପତ୍ତି ଉପରେ ନୁହେଁ, ସେଥିରୁ ଯେଉଁ ଆୟ ବା ଲାଭ ପ୍ରାପ୍ତ ହେବ, ତାହା ଉପରେ ଟିକସ ଦେବାକୁ ପଡ଼ିଥାଏ, ଯାହା ଏକ ସ୍ୱାଭାବିକ ପ୍ରକ୍ରିୟା । ଉତ୍ତରାଧିକାରୀ କର ହେଉଛି ଜଣେ ମୃତବ୍ୟକ୍ତିଙ୍କ ଠାରୁ ଉତ୍ତରାଧିକାରୀ ସୂତ୍ରରେ ପ୍ରାପ୍ତ ସମ୍ପତ୍ତି ଉପରେ ଏକ ଶୁଳ୍କ । ଏହା ହିତାଧିକାରୀଙ୍କ ଦ୍ୱାରା ପ୍ରଦାନ କରାଯାଇଥାଏ । ଅନେକ ଦେଶରେ, ଯେତେବେଳେ ଜଣେ ମୃତବ୍ୟକ୍ତିଙ୍କ ସମ୍ପତ୍ତି ସେମାନଙ୍କର ଆଇନଗତ ଉତ୍ତରାଧିକାରୀ ପିଲା, ଭାଇଭଉଣୀ, ଜୀବନସାଥୀ ଇତ୍ୟାଦିକୁ ହସ୍ତାନ୍ତର ହୋଇଥାଏ, ସେହି ସମ୍ପତ୍ତିର ମୂଲ୍ୟ ଉପରେ ଟିକସ ଆଦାୟ କରାଯାଏ । ଉତ୍ତରାଧିକାରୀ କର ଏବଂ ଇଷ୍ଟେଟ୍‌ ଟ୍ୟାକ୍ସ ମଧ୍ୟରେ ମୁଖ୍ୟ ପାର୍ଥକ୍ୟ ହେଉଛି, ସେହି ବ୍ୟକ୍ତି ଯିଏ ଟିକସ ଦିଅନ୍ତି । ହିତାଧିକାରୀଙ୍କ ଦ୍ୱାରା ଉତ୍ତରାଧିକାରୀ କର ପ୍ରଦାନ କରାଯାଉଥିବାବେଳେ ସମ୍ପତ୍ତି ଉତ୍ତରାଧିକାରୀଙ୍କୁ ହସ୍ତାନ୍ତର ହେବା ପୂର୍ବରୁ ମୃତବ୍ୟକ୍ତିଙ୍କ ସମ୍ପତ୍ତି ଉପରେ ଇଷ୍ଟେଟ୍‌ ଟ୍ୟାକ୍ସ ପ୍ରଦାନ କରାଯାଇଥାଏ । 

ଯେହେତୁ ଇଷ୍ଟେଟ ଉପରେ ଏକ ଇଷ୍ଟେଟ ଟ୍ୟାକ୍ସ ହିସାବ କରାଯାଏ, ଇଷ୍ଟେଟର ହିତାଧିକାରୀ କିଏ ତାହା ଗୁରୁତ୍ୱପୂର୍ଣ୍ଣ ନୁହେଁ। କିନ୍ତୁ ଉତ୍ତରାଧିକାରୀ କର କ୍ଷେତ୍ରରେ ମୃତ୍ୟୁବରଣ କରିଥିବା ବ୍ୟକ୍ତି ଏବଂ ହିତାଧିକାରୀଙ୍କ ମଧ୍ୟରେ ସମ୍ପର୍କ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ୧୯୫୩ ମସିହାରେ ଭାରତର ସଂସଦ ଇଷ୍ଟେଟ ଡ୍ୟୁଟି "ମୃତ୍ୟୁ କର' ଆଇନ ପ୍ରଣୟନ କରିଥିଲା । ଅର୍ଥନୈତିକ ଅସମାନତା ହ୍ରାସ କରିବା ପାଇଁ ଏହା ଏକ ପ୍ରଗତିଶୀଳ ଟିକସ ବ୍ୟବସ୍ଥା ଥିଲା । ଅଧିନିୟମ ଅନୁଯାୟୀ, କୃଷି ଜମି ସମେତ ସ୍ଥାବର ତଥା ଅସ୍ଥାବର ସମ୍ପତ୍ତିର ମୂଳ ମୂଲ୍ୟ ଉପରେ ଟିକସ ବା ଶୁଳ୍କ ଲାଗୁ କରାଯାଇଥିଲା, ଯାହା ସମ୍ପତ୍ତି ମାଲିକଙ୍କ ମୃତ୍ୟୁ ପରେ ଯେକୌଣସି ବ୍ୟକ୍ତିଙ୍କୁ ଦିଆଯାଇଥିଲା । ମୃତ୍ୟୁ ସମୟରେ ସମ୍ପତ୍ତିର ବଜାର ମୂଲ୍ୟ ଅନୁଯାୟୀ ଟିକସ ହିସାବ କରାଯାଇଥିଲା । ମୃତ୍ୟୁ କର ୮୫% ପର୍ଯ୍ୟନ୍ତ ପହଞ୍ଚିଥିଲା, ଯାହା ଜନପ୍ରିୟ ହୋଇନଥିଲା । ଏହି କର ମାଧ୍ୟମରେ ଯେତିକି ଆୟ ହେଉଥିଲା ଏହାକୁ କାର୍ଯ୍ୟକାରୀ କରିବାରେ ପ୍ରଶାସନିକ ପ୍ରକ୍ରିୟାଜନିତ ଖର୍ଚ୍ଚ ଅଧିକ ଥିଲା । ତେଣୁ ୧୯୮୫ରେ ରାଜୀବ ଗାନ୍ଧିଙ୍କ ପ୍ରଧାନମନ୍ତ୍ରୀ ସମୟରେ ତତ୍କାଳୀନ ଅର୍ଥମନ୍ତ୍ରୀ ଭି. ପି. ସିଂହ, ଏହାକୁ ରବ୍ଦ କରିଥିଲେ । ଏହା ଏପର୍ଯ୍ୟନ୍ତ ପୁନଃ ପ୍ରଚଳନ କରାଯାଇନାହିଁ ।

ଭାରତରେ ଆଉ ଏକ ସମାନ ଧରଣର ଟ୍ୟାକ୍ସ ବା କର ହେଉଛି ୧୯୫୭ ମସିହାରେ ଜଣେ ବ୍ୟକ୍ତିଙ୍କ ନେଟ୍‌ ମୂଲ୍ୟ ବା ନିଟ୍‌ ୱର୍ଥ ଉପରେ ଏକ ଶୁଳ୍କ ଲାଗୁ କରିବା, ଯାହାକୁ ସମ୍ପଦ କର କୁହାଯାଏ । ଭାରତରେ ସମ୍ପଦ କର ଅଧିନିୟମ ୧୯୫୭ ଦ୍ୱାରା ପରିଚାଳିତ ଥିଲା । ଏକ ନିର୍ଦ୍ଦିଷ୍ଟ ସୀମାରୁ ଅଧିକ ସମ୍ପଦ ଥିବା ବିଶିଷ୍ଟ ବ୍ୟକ୍ତିଙ୍କ ସମ୍ପତ୍ତି ଉପରେ ଟିକସ ଆଦାୟ କରାଯାଏ । ଏହି ଶାସନ ଅଧୀନରେ ଏକ ଆର୍ଥିକ ବର୍ଷରେ ଜଣେ ନାଗରିକଙ୍କ ଦ୍ୱାରା ଅର୍ଜନ କରିଥିବା ୩୦ଲକ୍ଷରୁ ଅଧିକ ଟଙ୍କା ରୋଜଗାର ଉପରେ ୧% ଶୁଳ୍କ ଲାଗୁ କରାଯାଇଥିଲା । ଭାରତୀୟ ନାଗରିକଙ୍କ ସମସ୍ତ ସମ୍ପତ୍ତି ଏବଂ କେବଳ ପ୍ରବାସୀ ଭାରତୀୟଙ୍କର ଭାରତରେ ଥିବା ସମ୍ପତ୍ତି ଉପରେ ଏହି ଟିକସ ଲାଗୁ କରାଯାଇଥିଲା । ଏହି ବ୍ୟବସ୍ଥା ଅଧୀନରେ ଥିବା ସମ୍ପତ୍ତିଗୁଡ଼ିକ ହେଲା ସୁନା, ରୁପା ଏବଂ ପ୍ଲାଟିନମ ଅଳଙ୍କାର, ଘରୋଇ ବିମାନ, ଜାହାଜ ଏବଂ କାର୍‌ ପରି ପରିବହନ ଯାନ, ନିଜର ଆବାସିକ ଘର ବ୍ୟତୀତ ଅନ୍ୟାନ୍ୟ ସମ୍ପତ୍ତି ଏବଂ ୫୦,୦୦୦ରୁ ଅଧିକ ନଗଦ ଟଙ୍କା । ନିୟମ ଅନୁଯାୟୀ, ଟିକସ ଆକଳନ ବେଳେ ଭଡ଼ା ସମ୍ପତ୍ତି, ବ୍ୟବସାୟ ସମ୍ପତ୍ତି, ନିର୍ଦ୍ଦିଷ୍ଟ ସୀମାଠାରୁ କ୍ଷୁଦ୍ର ସମ୍ପତ୍ତି ଏବଂ ବିଭିନ୍ନ ସଞ୍ଚୟ ଓ ନିବେଶ ଯୋଜନାରେ ବିନିଯୋଗ ଅର୍ଥ ଅନ୍ତର୍ଭୁକ୍ତ । ଏହି ଟ୍ୟାକ୍ସର ଉଦ୍ଦେଶ୍ୟ ହେଉଛି, ସମ୍ପଦଜନିତ ଅସମାନତା ହ୍ରାସ କରିବା । ଏହା ବ୍ୟକ୍ତିବିଶେଷ, ହିନ୍ଦୁ ଅନଡିଭାଇଡେଡ ଫାମିଲି ଏବଂ କମ୍ପାନୀଗୁଡିକ ପାଇଁ ପ୍ରଯୁଜ୍ୟ ଥିଲା । ୨୦୧୫-୧୬ରେ ଅରୁଣ ଜେଟଲୀ ଅର୍ଥମନ୍ତ୍ରୀ ଥିଲାବେଳେ ସମ୍ପଦ କର ବଦଳରେ ମୋଟ୍‌ ଆୟକର ଉପରେ ଏକ ସରଚାର୍ଜ ପ୍ରବର୍ତ୍ତନ କରିଥିଲେ । କିନ୍ତୁ ଧନୀଙ୍କ ଉପରେ ଅଧିକ ଟିକସ ଧାର୍ଯ୍ୟ କରି ସମ୍ବଳ ସଂଗ୍ରହ କରିବାର ଆବଶ୍ୟକତା ଥିଲାବେଳେ ଗତବର୍ଷ ବଜେଟରେ ସରକାର ବାର୍ଷିକ ୫କୋଟି ଟଙ୍କାରୁ ଅଧିକ ଆୟକାରୀ ଉପରେ ସରଚାର୍ଜ ୩୭%ରୁ ୨୫%କୁ ହ୍ରାସ କରିଛନ୍ତି ।

ଯୁକ୍ତରାଷ୍ଟ୍ର ଆମେରିକାରେ କେନ୍ଦ୍ର ସରକାର କୌଣସି ଉତ୍ତରାଧିକାରୀ ଟିକସ ଆଦାୟ କରନ୍ତିନାହିଁ । ଏହା କେତେକ ରାଜ୍ୟଦ୍ୱାରା ସଂଗୃହୀତ । ତେଣୁ ଆମେରିକାରେ କୌଣସି ୟୁନିଫର୍ମ ଉତ୍ତରାଧିକାରୀ କର ନାହିଁ । ଏହା ରାଜ୍ୟଠାରୁ ଭିନ୍ନ ଅଟେ । ତେବେ ଆମେରିକା ସରକାର ଇଷ୍ଟେଟ ଟ୍ୟାକ୍ସ ଲାଗୁ କରିଛନ୍ତି । ଅଗ୍ରଣୀ ଆର୍ଥିକ ସଂସ୍ଥା ପ୍ରାଇସ୍‌ ୱାଟର ହାଉସ୍‌ କୋପର୍ସ (ପିଡବ୍ଲୁସି) ଅନୁଯାୟୀ ଅଧିକାଂଶ ୟୁରୋପୀୟ, ଆମେରିକୀୟ ଏବଂ ଆଫ୍ରିକୀୟ ଦେଶ ଉତ୍ତରାଧିକାରୀ ଟିକସ ଆଦାୟ କରନ୍ତି ।

ସେହିପରି ସମୁଦାୟ ୧୨ଟି ଦେଶ- ଅଷ୍ଟ୍ରିଆ, ଡେନମାର୍କ, ଫିନଲ୍ୟାଣ୍ଡ, ଫ୍ରାନ୍ସ, ଜର୍ମାନୀ, ଆଇସଲ୍ୟାଣ୍ଡ, ଇଟାଲୀ, ନେଦରଲ୍ୟାଣ୍ଡ, ନରୱେ, ସ୍ପେନ୍‌, ସ୍ୱିଡେନ ଏବଂ ସ୍ୱିଜରଲ୍ୟାଣ୍ଡ ସମ୍ପଦ କରରୁ ରାଜସ୍ୱ ସଂଗ୍ରହ କରୁଛନ୍ତି । ସମ୍ପଦ କର ଦ୍ୱାରା ନରୱେର ମୋଟ୍‌ ଟିକସ ରାଜସ୍ୱର ୧.୧%, ସ୍ପେନ ୦.୫୫% ଏବଂ ସ୍ୱିଜରଲ୍ୟାଣ୍ଡରେ ୩.୬% ରହିଥିଲା । ୨୦୨୨ ଅଧ୍ୟୟନରୁ ଜଣାପଡ଼ିଛି ଯେ, ସମୁଦାୟ ଟିକସ ରାଜସ୍ୱରେ ସମ୍ପଦ କର, ଉତ୍ତରାଧିକାରୀ କର ବାବଦରେ ସାଧାରଣତଃ ଧନୀ ଦେଶମାନଙ୍କର ଜାତୀୟ ଆୟର ୨ରୁ ୩%, ମଧ୍ୟମ ଆୟ ଦେଶରେ ୧% ଏବଂ ସ୍ୱଳ୍ପ ଆୟଭିତ୍ତିକ ଦେଶ ଓ ଉଦୀୟମାନ ଦେଶଗୁଡିକ ୦.୫% ଆଦାୟ କରିଥାନ୍ତି ।

ଭାରତର ପ୍ରଗତି ପାଇଁ ସବୁଠୁ ବଡ଼ ପ୍ରତିବନ୍ଧକ ହେଉଛି ସ୍ୱଳ୍ପ ଟିକସ-ଜିଡିପି ଅନୁପାତ, ଯାହା ପ୍ରାୟ ୧୧% ଅଟେ । ୨୦୨୪-୨୫ରେ ଜିଡିପିର ରେକର୍ଡ ୧୧.୭% ହେବ ବୋଲି ଆଶା କରାଯାଉଛି । ଉଭୟ କେନ୍ଦ୍ର ଓ ରାଜ୍ୟ ମିଶିଲେ ୧୭% ହେବ, କିନ୍ତୁ ଏହା ଅନ୍ୟ ଦେଶରେ ୪୦ରୁ ୫୦ । ଅର୍ଗାନାଇଜେସନ୍‌ ଫର୍‌ ଇକୋନୋମିକ୍‌ କୋଅପରେସନ ଆଣ୍ଡ ଡେଭଲପମେଣ୍ଟ (ଓଇସିଡି) ଦେଶରେ ହାରାହାରି ୩୪% । ସେହିପରି ଜିଡିପି ଅନୁସାରେ ମୋଟ୍‌ ବ୍ୟୟବରାଦ ୨୦୨୦-୨୧ରେ ୧୭.୭% ଥିଲାବେଳେ, ୨୦୨୪-୨୫ରେ ୧୩.୭୦% ହେବ ବୋଲି ଧାର୍ଯ୍ୟ କରାଯାଇଛି । ଉନ୍ନତ ଦେଶରେ ଏହା ୪୦ରୁ ୬୦% ମଧ୍ୟରେ ରହିଛି । ଯଦି ଜିଡିପି ଅନୁସାରେ ଟିକସ ବୃଦ୍ଧିପାଉନି କି ବ୍ୟୟ ବୃଦ୍ଧିପାଉନି, ତେବେ କେଉଁଠି ନା କେଉଁଠି ଏହାର ନକାରାତ୍ମକ ପ୍ରଭାବ ପଡୁଛି ଓ ବିକାଶ ବାଧାପ୍ରାପ୍ତ ହେଉଛି? ଯାହାର ଏକ ବଡ଼ ଉଦାହରଣ ଶିକ୍ଷା, ସ୍ୱାସ୍ଥ୍ୟ ଓ ଅତ୍ୟାବଶ୍ୟକ ସେବାର ବ୍ୟାପକ ଘରୋଇକରଣ । ପୁନଶ୍ଚ ବେଶୀ ସମ୍ବଳ ପ୍ରତ୍ୟକ୍ଷ ଟିକସ ଯଥା- ଆୟକର, ସମ୍ପଦ କର, ଉତ୍ତରାଧିକାରୀ କର ଓ କର୍ପୋରେଟ ଟିକସ ଓ କମ୍‌ ସମ୍ବଳ ପରୋକ୍ଷ କର ଯଥା- ଅବକାରୀ ବା ଉତ୍ପାଦ କର, ସୀମାଶୁଳ୍କ ଜିଏସଟି ବାବଦରେ ସଂଗ୍ରହ କରିବା ଉଚିତ । କାରଣ ପରୋକ୍ଷ କର ପ୍ରତିଗାମୀ ଅଟେ ଓ ଟିକସର ବୋଝ ସିଧାସଳଖ କରଦାତାଙ୍କ ଉପରେ ପଡ଼ିଥାଏ । ବିଭିନ୍ନ ଦ୍ରବ୍ୟ ଓ ସେବା କ୍ରୟ କରିଲାବେଳେ ଏହି ଟିକସ  ଗରିବଠାରୁ ଧନୀ ପର୍ଯ୍ୟନ୍ତ ସମସ୍ତେ ସମାନ ହାରରେ ଦେଇଥାନ୍ତି ।

ପୁନଶ୍ଚ ଭାରତର ବର୍ତ୍ତମାନର ଅସମାନତା ଭୟଙ୍କର । ଯୋଜନାବଦ୍ଧ ଭାବେ କର୍ପୋରେଟ, ବିଲିୟନେୟାର ବା ଅରବପତି ଶ୍ରେଣୀ ଟିକସ ଫାଙ୍କି ବା କମ୍‌ ଦେଇ ଏହି ବୈଷମ୍ୟ ସୃଷ୍ଟି ନିଶ୍ଚିତ କରୁଛନ୍ତି । ଧନୀକ ଶ୍ରେଣୀର ଲୋକମାନଙ୍କ ପାଖରେ ବିପୁଳ ସମ୍ପଦ ଥିବାବେଳେ ଗରିବ ଲୋକମାନେ ଠିକ୍‌ ଢଙ୍ଗରେ ଜୀବନ କାଟିବାକୁ ସଂଘର୍ଷ କରୁଛନ୍ତି । ଗତ ୧୦୦ବର୍ଷ ଭିତରେ ଏଭଳି ସ୍ଥିତି ଦେଶରେ ଦେଖିବାକୁ ମିଳିନଥିଲା । ବର୍ତ୍ତମାନ ସମୟର ସ୍ଥିତି ଉପନିବେଶବାଦ ବେଳର ସ୍ଥିତିଠାରୁ ଖରାପ ରହିଛି । 

୨୦୨୪ର ୱାର୍ଲଡ ଇନ୍‌ଇକ୍ୱାଲିଟି ଲ୍ୟାବର ରିପୋର୍ଟ ଅନୁସାରେ, ଭାରତର ସର୍ବୋଚ୍ଚ ୧%ଙ୍କ ଆୟ  ଜାତୀୟ ଆୟର ଅଂଶରେ ବିଶ୍ୱରେ ସର୍ବୋଚ୍ଚ ସ୍ତରରେ ରହିଛି । ପ୍ରଗତିଶୀଳ ସମ୍ପଦ କର ବା ଉତ୍ତରାଧିକାରୀ କର ଦ୍ୱାରା ବିପୁଳ ପରିମାଣର ସମ୍ବଳ ସଂଗ୍ରହ କରିବା ଯୋଗୁଁ ଆୟ ଅସମାନତାକୁ ହ୍ରାସ କରିବ ବୋଲି ଅନେକ ଯୁକ୍ତି କରନ୍ତି । କିନ୍ତୁ କିଛି ଯୁକ୍ତି କରନ୍ତି ଯେ, ଏହା ପ୍ରଚଳନ ବ୍ୟୟସାପେକ୍ଷ ଓ ନକାରାତ୍ମକ ପ୍ରଭାବ ପକାଇବ । ଧନୀ କମ୍‌ ଟିକସ ପଡୁଥିବା ଦେଶକୁ ପଳାଇବେ । ଧନୀ ପଳେଇବେ ବୋଲି କ’ଣ ତାଙ୍କ ଉପରେ କମ୍‌ ଟିକସ ବସାଇ ଗରିବଙ୍କ ଠାରୁ  ବେଶୀ ଟିକସ ଆଦାୟ କରିବା ଓ ଲୋକଙ୍କ ସଞ୍ଚୟ ଉପରେ ଟିକସ ଧାର୍ଯ୍ୟ କରିବା? ଯଦି ଅନ୍ୟ ଦେଶରେ ଉତ୍ତରାଧିକାରୀ କର ଏବଂ ସମ୍ପଦ କର ରହିଛି, ଭାରତରେ ଅସମ୍ଭବ ନୁହେଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.