କଟକ,୨୩/୦୮: ଏସ୍ସିବିରେ ଚାଲିଥିବା ଡାକ୍ତରଙ୍କ ଆନ୍ଦୋଳନର ୮ ଦିନ ପରେ କନିଷ୍ଠ ଡାକ୍ତର ସଂଘ ଏକ ବଡ଼ ନିଷ୍ପତ୍ତି ନେଇଛି । ଶୁକ୍ରବାର ସକାଳ ସୁଦ୍ଧା ଯଦି ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରାଳୟର କେହି ପ୍ରତିନିଧି ସଂଘ ସହିତ ଡାକ୍ତରଙ୍କ ଦାବି ବାବଦରେ ଆଲୋଚନା ନକରନ୍ତି ତାହେଲେ ଏଯାବତ୍ ଚାଲୁଥିବା ଜରୁରିକାଳୀନ ସେବାରୁ ମଧ୍ୟ ଡାକ୍ତରମାନେ ଓହରିଯିବେ ବୋଲି ଚେତାବନୀ ଦିଆଯାଇଛି । ଅର୍ଥାତ୍ ଶୁକ୍ରବାର ସୁଦ୍ଧା ଆଲୋଚନା ନହେଲେ କି କିଛି ସମାଧାନ ରାସ୍ତା ନବାହାରିଲେ ଜରୁରିକାଳୀନ ସେବା ବି ବନ୍ଦ ହୋଇଯିବ । ଏସ୍ସିବିର ଚିକିତ୍ସା ବ୍ୟବସ୍ଥା ସଂପୂର୍ଣ୍ଣ ଠପ୍ ହୋଇଯିବ ।
ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି, ଗୁରୁବାର ରାତି ୧୧ଟା ସୁଦ୍ଧା କନିଷ୍ଠ ଡାକ୍ତର ସଂଘ ସହିତ ସ୍ୱାସ୍ଥ୍ୟ ମନ୍ତ୍ରାଳୟର କେହି ଆଲୋଚନା କରିନାହାନ୍ତି ବୋଲି ସଂଘ ପକ୍ଷରୁ ସୂଚନା ଦିଆଯାଇଛି । ତେଣୁ ଶୁକ୍ରବାର ସକାଳେ ସଂଘ ଜରୁରିକାଳୀନ ସେବାରୁ ମଧ୍ୟ ନିବୃତ୍ତ ରହିପାରେ ବୋଲି ଆଶଙ୍କା କରାଯାଉଛି । ଅନ୍ୟପକ୍ଷରେ ଡାକ୍ତରଙ୍କ ଆନ୍ଦୋଳନ ପ୍ରଭାବରେ ଏସ୍ସିବି ଆଉଟ୍ଡୋର୍ ସମେତ ବିଭିନ୍ନ ୱାର୍ଡରେ ରୋଗୀଙ୍କ ସମସ୍ୟା ବଢ଼ିବାରେ ଲାଗିଛି । ବିଶେଷ କରି ୱାର୍ଡରେ ନୂଆ ରୋଗୀଙ୍କୁ ଆଡମିସନ୍ କରାଯାଉନଥିବାରୁ ରୋଗୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି । ଯଦି ଶୁକ୍ରବାର ସକାଳେ କନିଷ୍ଠ ଡାକ୍ତରମାନେ ଜରୁରି ସେବାରୁ ଓହରିଯାଆନ୍ତି ତାହେଲେ ସ୍ଥିତି ଅଧିକ ବିଗିଡ଼ିଯିବ ବୋଲି ଆଶଙ୍କା କରାଯାଉଛି ।
ସୂଚନାଯୋଗ୍ୟ, କୋଲକାତାରେ ଜଣେ ଡାକ୍ତରୀ ଛାତ୍ରୀଙ୍କୁ ବଳାତ୍କାର ଓ ହତ୍ୟା ଘଟଣା ପରେ ସୁରକ୍ଷା ଦାବିରେ ଅନ୍ୟ ଡାକ୍ତରଖାନା ଭଳି ଏସ୍ସିବିରେ ଏକାଧିକ ଡାକ୍ତରୀ ଛାତ୍ର ସଂଘ କାର୍ଯ୍ୟବନ୍ଦ ଆନ୍ଦୋଳନ ଚଳାଇଛନ୍ତି । ଆଜି ସକାଳେ ଏସ୍ସିବି କନିଷ୍ଠ ଡାକ୍ତର ସଂଘ ପକ୍ଷରୁ ପ୍ରେସ୍ ବିବୃତି ଜାରି କରାଗଲା ଯେ ଗତ ୮ ଦିନ ହେବ ସ୍ୱାସ୍ଥ୍ୟ ମନ୍ତ୍ରାଳୟ କିମ୍ବା ସ୍ଥାନୀୟ ଜନପ୍ରତିନିଧି କେହି ଡାକ୍ତରମାନଙ୍କ ସହିତ ଏହି ଘଟଣା ନେଇ ଆଲୋଚନା କରିନାହାନ୍ତି । ଆନ୍ଦୋଳନରତ ଡାକ୍ତରମାନେ ସ୍ୱାସ୍ଥ୍ୟମନ୍ତ୍ରୀ ଓ ମନ୍ତ୍ରାଳୟର ଅଧିକାରୀଙ୍କ ସହିତ ଆଲେଚନା ପାଇଁ ରାଜି ଅଛନ୍ତି । ୨୪ ଘଣ୍ଟା ଭିତରେ କେହି ସଂଘ ସହିତ ଆଲୋଚନା କରି ଦାବି ସମ୍ପର୍କରେ ପ୍ରତିଶ୍ରୁତି ଦେବାକୁ ସଂଘ ପକ୍ଷରୁ କଣ୍ଟ ଦିଆଯାଇଥିଲା । ମାତ୍ର ଗୁରୁବାର ରାତି ୧୧ଟା ସୁଦ୍ଧା କେହି ଆଲୋଚନା କରିନଥିବା ଜେଡିଏ ପକ୍ଷରୁ ସୂଚନା ଦିଆଯାଇଛି । ଶୁକ୍ରବାର ସକାଳେ କଣ୍ଟ ପୂରୁଥିବାରୁ ସ୍ଥିତି ଅଧିକ ବିଗିଡ଼ିବାର ଆଶଙ୍କା ଦେଖା ଦେଇଛି ।