ରାଞ୍ଚି : ଜମି ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ପତ୍ନୀ କଳ୍ପନା ଯଦିଓ ମୁଖ୍ୟମନ୍ତ୍ରୀ ଚୌକିରେ ବସି ନାହାନ୍ତି , କିନ୍ତୁ ଏବେ ସେ ସ୍ୱାମୀଙ୍କର ଏକ କାମକୁ କିନ୍ତୁ ସମ୍ଭାଳିଛନ୍ତି। ସେ ହେମନ୍ତ ସୋରେନଙ୍କ ଜେଲ୍ ବାହାରକୁ ଆସିବା ଯାଏ ସୋସିଆଲ ମିଡ଼ିଆରେ ତାଙ୍କର ଆକାଉଣ୍ଟ ମାଧ୍ୟମରେ ମୋର୍ଚ୍ଚା ସମ୍ଭାଳିଛନ୍ତି। ନିଜେ କଳ୍ପନା ସ୍ୱାମୀଙ୍କ ଆକାଉଣ୍ଟରୁ ଏକ ପୋଷ୍ଟ କରି ଏହି ସୂଚନା ଦେଇଛନ୍ତି।
କଳ୍ପନା ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସରେ ଲେଖିଛନ୍ତି , ଯେପର୍ଯ୍ୟନ୍ତ ଝାଡ଼ଖଣ୍ଡ ଯୋଦ୍ଧା ହେମନ୍ତ ସୋରେନ ଜୀ କେନ୍ଦ୍ର ସରକାର ଓ ବିଜେପିର ଷଡ଼ଯନ୍ତ୍ରକୁ ପରାସ୍ତ କରି ଆମ ସମସ୍ତଙ୍କ ମଧ୍ୟକୁ ଆସି ନାହାନ୍ତି , ସେପର୍ଯ୍ୟନ୍ତ ତାଙ୍କର ଏହି ଆକାଉଣ୍ଟ ମୁଁ , ଅର୍ଥାତ୍ ତାଙ୍କର ଜୀବନ ସାଥି କଳ୍ପନା ମୁର୍ମୁ ସୋରେନଙ୍କ ଦ୍ୱାରା ଚଲାଯିବ।
ଉଲ୍ଲେଖନୀୟ ଯେ, ଗତ କିଛି ମାସରୁ ଅଟକଳ ଜୋର ଥିଲା କି , ଯଦି ହେମନ୍ତ ସୋରେନଙ୍କୁ ଗିରଫ କରାଯାଏ ତ ସେ ପତ୍ନୀ କଳ୍ପନା ସୋରେନଙ୍କୁ ଚୌକି ପ୍ରଦାନ କରିବେ। ୯୦ ଦଶକର ବିହାରର ପୂର୍ବତନ ସିଏମ୍ ଲାଲୁ ଯାଦବଙ୍କ ପକ୍ଷରୁ ପତ୍ନୀ ରାବଡିଙ୍କୁ କ୍ଷମତା ପ୍ରଦାନର ଘଟଣାର ଉଦାହରଣ ଦେଇ ଅନୁମାନ କରାଯାଉ ଥିଲା। ଆଉ ଏହି ଅଟକଳ ସେତେବେଳେ ବି ଆହୁରି ତୀବ୍ର ହୋଇଥିଲା ଯେବେ ୩୦ ଜାନୁଆରୀରେ ବିଧାୟକଙ୍କ ବୈଠକରେ କଳ୍ପନା ନଜର ଆସିଥିଲେ।