ଭୁବନେଶ୍ୱର ୧୨/୦୪: ସୁସ୍ଥ ରହିବା ପାଇଁ ବ୍ୟାୟାମ ଜରୁରି । ଫିଟ୍ ରହିବା ଦ୍ୱାରା ମେଟାବଲିଜିମ୍ ବଢିଥାଏ । କିନ୍ତୁ ଗରମରେ ୱାର୍କଆଉଟ୍କୁ ନେଇ ବହୁଲୋକ ଦ୍ୱନ୍ଦ୍ୱରେ । ବିଶେଷକରି ତାପମାତ୍ରା ୪୦ ଡିଗ୍ରୀ ଛୁଇଁବା ପରେ ଦୀର୍ଘ ସମୟ ୱାର୍କଆଉଟ୍ କରିବା କେତେଦୂର ଠିକ୍? ସବୁ ଋତୁରେ ବ୍ୟାୟାମ କରିବା ଆବଶ୍ୟକ । ଏହାଦ୍ୱାରା ବ୍ୟକ୍ତି କେବଳ ଶାରିରୀକ ଭାବେ ନୁହେଁ, ମାନସିକ ଭାବେ ମଧ୍ୟ ସୁସ୍ଥ ରହିଥାଏ । ତଥାପି ଗରମ ଦିନେ ସକାଳେ ନା ସନ୍ଧ୍ୟାରେ ୱାକ୍ଆଉଟ୍ କରିବା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ?
ସକାଳେ ୱାର୍କଆଉଟ୍
ସକାଳେ ୱାର୍କଆଉଟ୍ କରିବା ଖୁବ୍ ଲାଭଦାୟକ । ଏହି ସମୟରେ ବାୟୁମଣ୍ଡଳରେ ଅଧିକ ମାତ୍ରାରେ ଶୁଦ୍ଧ ଅମ୍ଲଜାନ୍ ରହିଥାଏ । ମୁକ୍ତ ବାତାବରଣରେ ବୁଲିବା ଦ୍ୱାରା ମସ୍ତିଷ୍କ ଶାନ୍ତ ଓ ସତେଜ ରହିଥାଏ । କୁହାଯାଏ ସକାଳର ୱାର୍କଆଉଟ୍ ନିଦର ଗୁଣବତ୍ତାକୁ ସହ ମେଟାବଲିଜିମ୍କୁ ବଢାଇଥାଏ ।
ସନ୍ଧ୍ୟା ୱାର୍କଆଉଟ୍
କିଛିଲୋକ ସନ୍ଧ୍ୟାରେ ୱାର୍କଆଉଟ୍ କରିଥାନ୍ତି । ଯେଉଁ ଲୋକମାନେ ସକାଳ ଉଠିପାରନ୍ତି ନାହିଁ କିମ୍ବା ଅଫିସ୍ ବା କଲେଜ ଯିବାର ବ୍ୟସ୍ତତା ଭିତରେ ସମୟ ବାହାର କରିପାରି ନଥାନ୍ତି । ସେମାନଙ୍କ ପାଇଁ ଏହି ସମୟ ଭଲ ବିକଳ୍ପ । ଏହି ସମୟରେ ୱାର୍କଆଉଟ୍ କରିବା ଦ୍ୱାରା ମସ୍ତିଷ୍କରୁ କାର୍ଟିସୋଲ୍ ନାମକ ଷ୍ଟ୍ରେସ୍ ହର୍ମୋନ୍ କ୍ଷରଣ ହୋଇଥାଏ, ଯାହା ବ୍ୟକ୍ତିକୁ ରିଲାକ୍ସ ଅନୁଭବ କରାଇଥାଏ ।
ଗରମ ଦିନେ ୱାର୍କଆଉଟ୍ ପାଇଁ ଭଲ ସମୟ?
ଗରମ ଦିନେ ୱାର୍କଆଉଟ୍ କରିବା ସମୟରେ କିଛି ଜିନିଷ ପ୍ରତି ବିଶେଷ ଧ୍ୟାନ ଦେବା ଜରୁରୀ । ବିଶେଷଜ୍ଞଙ୍କ ମତରେ ବ୍ୟାୟାମ ପାଇଁ ଶ୍ରେଷ୍ଠ ସମୟ ହେଉଛି ହାଲ୍କା ସୂର୍ଯ୍ୟକିରଣ । ଏହି ସମୟରେ କମ୍ ତାପମାତ୍ରା ସହ ବାୟୁ ଚଳାଚଳ ଭଲ ରହିଥାଏ । ଯେଉଁମାନେ ଅଧିକ ସମୟ ବ୍ୟାୟାମ କରିବାକୁ ଚାହାନ୍ତି, ସେମାନଙ୍କ ପାଇଁ ସକାଳ ପ୍ରକୃଷ୍ଠ ସମୟ । ଏହି ସମୟରେ ଶରୀରକୁ ଗରମ ସହ ହାଲ୍କା ଥଣ୍ଡାର ଅନୁଭବ ମିଳିଥାଏ । ଯଦି ସକାଳେ ସମୟ ମିଳିବା କଷ୍ଟକର, ତେବେ ସନ୍ଧ୍ୟାରେ କମ୍ ୱାର୍କଆଉଟ୍ କରିବା ପାଇଁ ଚେଷ୍ଟା କରନ୍ତୁ । ନଚେତ୍ ଗରମ ଯୋଗୁ ଅନ୍ୟାନ୍ୟ ବିଭିନ୍ନ ସମସ୍ୟା ସୃଷ୍ଟି ହୋଇପାରେ । ଅତ୍ୟଧିକ ଗରମ ଯୋଗୁ ଶରୀରରେ ପାଣିର ଅଭାବ, ହାର୍ଟ ଓ କିଡ୍ନୀ ଉପରେ ଚାପ ପଡିପାରେ, ଯାହା ଅନ୍ୟାନ୍ୟ ସମସ୍ୟାକୁ ନିମନ୍ତ୍ରଣ ଦେଇଥାଏ । ୱାର୍କଆଉଟ୍ ପୂର୍ବରୁ ଓ ପରେ ପାଣି ପିଇବାକୁ ଭୁଲନ୍ତୁ ନାହିଁ । ଅଧିକ ସମୟ ଯାଏ ଗଳାକୁ ଶୁଖିଲା ରହିବାକୁ ଦିଅନ୍ତୁ ନାହିଁ । ନଚେତ୍ ଶରୀରରେ ଜଳାଭାବ ଦେଖା ଦେଇପାରେ । ଏହି ସମୟରେ ହାଲ୍କା ସୂତା ପୋଷାକ ବ୍ୟବହାର କରନ୍ତୁ ।