ନୂଆଦିଲ୍ଲୀ,୨୩/୮: କୋଲକାତା ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଥିବା ମହିଳା ଡାକ୍ତର ଓ ନର୍ସ ଭୟଭୀତ । ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ୟା ପରେ ମେଡିକାଲରେ ଟ୍ରେନିଂ ନେଉଥିବା ୧୦୦ରୁ ଅଧିକ ଡାକ୍ତରୀ ଛାତ୍ରୀ ଭୟରେ ଛାଡିଲେ ହଷ୍ଟେଲ । ଅଗଷ୍ଟ ୯ ତାରିଖ ପୂର୍ବରୁ ୧୬୦ ଡାକ୍ତର ରହୁଥିବାବେଳେ ବର୍ତ୍ତମାନ କେବଳ ୧୭ ଜଣ ହଷ୍ଟେଲରେ ଥିବା ସୂଚନା ମିଳିଛି। ସେହିପରି ଆରଜି କର ମେଡିକାଲ କଲେଜର ନର୍ସିଂ ହଷ୍ଟେଲରେ ଥିବା ନର୍ସମାନେ ମଧ୍ୟ ଭୟଭୀତ ଥିବା ଜଣାପଡିଛି ।
ସୂଚନା ମୁତାବକ, ଆରଜି କର ମେଡିକାଲ କଲେଜ ବର୍ତ୍ତମାନ ଅଧିଂକାଶ ହଷ୍ଟେଲ ଖାଲିପଡିଛି। ଅଗଷ୍ଟ ୯ ରେ ଜଣେ ଡାକ୍ତରୀ ଛାତ୍ରୀଙ୍କ ଦୁଷ୍କର୍ମ ଓ ହତ୍ୟା ପରେ ସେଠାରେ ପଢୁଥିବା ଛାତ୍ରଛାତ୍ରୀ ହଷ୍ଟେଲ ଛାଡିବା ଆରମ୍ଭ କରିଥିଲେ। କିଛି ଛାତ୍ର ସାହସ ଦେଖାଇ ଦିନେ କିମ୍ବା ଦୁଇ ଦିନ ପରେ ପୁଣି ଫେରି ଆସିଥିଲେ। ହେଲେ ୧୪ ଅଗଷ୍ଟ ରାତିରେ ଡାକ୍ତରଖାନାରେ ଆକ୍ରମଣ ପରେ ହଷ୍ଟେଲରେ ରହୁଥିବା ଅଧିକାଂଶ ଛାତ୍ରୀ ପଳାଇଥିଲେ। ତେବେ ଆରଜି କର ମେଡିକାଲ କଲେଜରେ ମହିଳା ଡାକ୍ତରୀ ଛାତ୍ରୀମାନଙ୍କ ପାଇଁ ପାଞ୍ଚଟି ହଷ୍ଟେଲ ଥିବା ବେଳେ ବର୍ତ୍ତମାନ ସବୁ ଖାଲି ପଡିଛି। ଏନେଇ ଜଣେ ଏମବିବିଏସ୍ ଛାତ୍ରୀ କହିଛନ୍ତି ଯେ, ଅଗଷ୍ଟ ୧୪ ରେ ଧାରଣା ବସିଥିବା ପିଲାଙ୍କ ଉପରେ ହଜାର ହଜାର ଲୋକ ଆକ୍ରମଣ କରିଥିଲେ। ଫଳରେ ସମସ୍ତ ମହିଳା ଡାକ୍ତରୀ ଏବଂ ନର୍ସମାନେ ସେମାନଙ୍କ ଜୀବନ ବଞ୍ଚାଇବା ପାଇଁ ହଷ୍ଟେଲରେ ଆଶ୍ରୟ ନେଇଥିଲେ। ତେବେ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଜୁନିୟର ଡାକ୍ତରଙ୍କ ଓକିଲ ଆପରାଜିତା ସିଂ ଏହି ପରିସ୍ଥିତି ସମ୍ପର୍କରେ କୋର୍ଟଙ୍କୁ ସୂଚନା ଦେଇଥିଲେ। ସେ କହିଥିଲେ ଯେ ଅଗଷ୍ଟ ୧୪ର ଭଙ୍ଗାରୁଜା ପରେ ପ୍ରାୟ ୭୦୦ ଡାକ୍ତରଙ୍କ ମଧ୍ୟରୁ କେବଳ ୩୦-୪୦ ମହିଳା ଡାକ୍ତର କ୍ୟାମ୍ପସରେ ରହିଛନ୍ତି।