ଭୁବନେଶ୍ୱର,୨୫/୦୮: ୱାର୍ଡ ନଂ ୫୩ ଝରଣା (ଉପରସାହି) ବସ୍ତିରେ ଜଣେ ବ୍ୟକ୍ତି ଭୂମି ଅଧିକାର ପ୍ରମାଣ ପତ୍ର (ଏଲ୍ଆରସି) ପାଇଛନ୍ତି। ସେହି ବସ୍ତିରେ ମାତ୍ର ୨ ହାତ ଦୂରରେ ଘର ତୋଳିଥିବା ଅନ୍ୟ ଜଣେ ବ୍ୟକ୍ତି ଏଲ୍ଆରସି ପାଇବାରୁ ବଞ୍ଚିତ ହେଲେ । ଘର ଜମି ରେଲୱେ ଅଧୀନ ଜମିରେ ଥିବାରୁ ତାଙ୍କୁ ଜମି ଅଧିକାର ପ୍ରମାଣପତ୍ର ମିଳୁନି । ସେ ଏବେ ଚିନ୍ତାରେ .. ।
ଭୋଇ ସାହିର ଜଣେ ବ୍ୟକ୍ତିଙ୍କର ସର୍ଭେରେ ନାଁ ଥିଲା । ତାଙ୍କ ଘର ୩୩୨ ବର୍ଗ ଫୁଟରୁ ଅଧିକ ରହିଛି । ନିୟମ ଅନୁସାରେ ସରକାରୀ ଜମି ଦରର ୫ ପ୍ରତିଶତ ଟଙ୍କା ତାଙ୍କୁ ବିଏମ୍ସିରେ ଦାଖଲ କରିବାକୁ ପଡ଼ିବ । ହେଲେ ସେ ଟଙ୍କା ଦାଖଲ କରିବାରେ ଅସମର୍ଥ । ତେଣୁ ତାଙ୍କୁ ପ୍ରମାଣପତ୍ର ମିଳିନଥିଲା । ଏବେ ସେ ବହୁକଷ୍ଟରେ ଟଙ୍କା ଯୋଗାଡ଼ କରିଛନ୍ତି । ହେଲେ ସରକାର ବଦଳି ଗଲା ପରେ ତାଙ୍କର ପ୍ରମାଣପତ୍ର ଅନୁମୋଦନ ହୋଇପାରୁନି । ସେ ଜାଗା ପାଇବେ କି ନାହିଁ ସନ୍ଦେହରେ । ଏମତି ଶହ ଶହ ବସ୍ତିବାସିନ୍ଦା ଜାଗା ମିଶନର ପ୍ରମାଣପତ୍ର ଅପେକ୍ଷାରେ ଅଛନ୍ତି ।
ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ସହାରଞ୍ଚଳରେ ବାସ କରୁଥିବା ଭୂମିହୀନ ବସ୍ତିବାସିନ୍ଦାଙ୍କୁ ଥଇଥାନ କରିବାକୁ ଜାଗା ମିଶନ ଯୋଜନା ହୋଇଥିଲା । ଏନେଇ ବିଏମ୍ସି ଅଞ୍ଚଳରେ ପ୍ରାୟ ୪୫୭ ବସ୍ତି ଚିହ୍ନଟ କରାଯାଇ ଡ୍ରୋନ୍ରେ ସର୍ଭେ କରାଯାଇଥିଲା । ଯୋଗ୍ୟ ହିତାଧିକାରୀଙ୍କ ତାଲିକା ପ୍ରକାଶ ପାଇଥିଲା । ସେଥିମଧ୍ୟରେ ୬୦ ହଜାର ଲୋକଙ୍କୁ ବର୍ତ୍ତମାନ ସୁଦ୍ଧା ପ୍ରମାଣପତ୍ର ପ୍ରଦାନ କରାଯାଇଛି । ଏହି ସବୁ ବସ୍ତି ମଧ୍ୟରୁ ଏବେ ୧୦୩ ବସ୍ତିର ଲୋକେ ଜାଗା ମିଶନର ପ୍ରମାଣପତ୍ର ପାଇବାରୁ ବଞ୍ଚିତ ରହିଛନ୍ତି ।
ଏହି ସବୁ ବସ୍ତି ଜଙ୍ଗଲଜମି, ରେଲୱେ, ଜଳସମ୍ପଦ, ରାଜସ୍ୱର ଥିବାରୁ ସେମାନଙ୍କୁ ଜମି ବଣ୍ଟାଯାଇ ପାରିନି । ସେଥିମଧ୍ୟରେ ସବୁଠି ସିଂହଭାଗ ରହିଛି ସାଲିଆ ସାହି । ଏଥିରେ ମୋଟ୍ ୩୯ଟି ବସ୍ତି ବଞ୍ଚିତ ରହିଛନ୍ତି । ଜଙ୍ଗଲ ବିଭାଗ ପକ୍ଷରୁ ଅନୁମୋଦନ ମିଳୁନଥିବାରୁ ଏଲ୍ଆରସି ଦିଆଯାଇ ପାରୁନି । ସେହିପରି କେଳାସାହି , ଭୋଇ ସାହିର କିଛି ଅଂଶ,କୁକୁଟେଶ୍ୱର ବସ୍ତି ରେଲୱେ ଅଧୀନରେ ରହିଛି । ସେହପରି ୨୭ଟି ବସ୍ତି ଜଳସମ୍ପଦ ବିଭାଗ ଅଧୀନରେ ରହିଛି । ଏହି ସବୁ ବସ୍ତି ଲୋକେ ଏବେ ଆଶା ଆଶଙ୍କାରେ ରହିଛନ୍ତି । ସେମାନଙ୍କୁ ଜମି ମିଳିବ ନା ଝୁଲି ରହିବ ।
ରାଜ୍ୟରେ ବିଜେପି ସରକାର ଶାସନ ଭାର ନେଇଛି । ସରକାର ବଦଳିବା ପରେ ନୂଆ ପ୍ରମାଣପତ୍ର ଅନୁମୋଦନ ହେବ କି ନାହିଁ, ସେ ନେଇ ପ୍ରଶ୍ନ ଉଠିଛି । ଏ ସମ୍ପର୍କରେ ବିଏମ୍ସି କମିଶନର କହିଛନ୍ତି, ଜମି ପ୍ରମାଣପତ୍ର ଦେବାକୁ ଆମେ ବିଭାଗୀୟ ଅଧିକାରୀମାନଙ୍କୁ ଚିଠି ଲେଖିଛୁ । ସେମାନଙ୍କ ଉତ୍ତରକୁ ଅପେକ୍ଷା ରହିଛି । ପର୍ଯ୍ୟାୟକ୍ରମେ ବାକି ଥିବା ବସ୍ତିବାସିନ୍ଦା ମାନେ ପ୍ରମାଣପତ୍ର ପାଇବେ