ଭୁବନେଶ୍ୱର ୩୦/୦୩ : ମହାପ୍ରଭୁ ଲିଙ୍ଗରାଜଙ୍କ ଚଳିତ ବର୍ଷ ଅଶୋକାଷ୍ଟମୀ ରଥଯାତ୍ରାର ସୁପରିଚାଳନା ନିମନ୍ତେ ଖୋର୍ଦ୍ଧା ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ସର୍କିଟ ହାଉସ ସମ୍ମିଳନୀ କକ୍ଷରେ ଏକ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକ ପ୍ରାରମ୍ଭରେ ଚଳିତ ବର୍ଷ ଶୃଙ୍ଖଳିତ ଭାବରେ ଜାଗରଯାତ୍ରା ଅନୁଷ୍ଠିତ ହୋଇଥିବାରୁ ସେବାୟତ ଓ ସଂପୃକ୍ତ ବ୍ୟକ୍ତିବିଶେଷଙ୍କୁ ଜିଲ୍ଲାପାଳ ଧନ୍ୟବାଦ ଦେଇଥିଲେ । ଜିଲ୍ଲାପାଳ ଶ୍ରୀ ରାଣା ଚଳିତ ବର୍ଷ ଅଶୋକାଷ୍ଟମୀ ରଥଯାତ୍ରା ନିମନ୍ତେ ସମସ୍ତଙ୍କର ସହଯୋଗ ଲୋଡ଼ିଥିଲେ ।
ଆସନ୍ତା ମାସ ୧୬ ତାରିଖରେ ମହାପ୍ରଭୁ ଲିଙ୍ଗରାଜଙ୍କର ରଥଯାତ୍ରା ଅନୁଷ୍ଠିତ ହେବ । ଏହି ଦିନ ଭୋର ୫ ଘଟିକା ସମୟରେ ମଙ୍ଗଳ ଆଳତି ଓ ଅବକାଶ, ସମୟାନୁଯାୟୀ ଅନ୍ୟାନ୍ୟ ନୀତିକାନ୍ତି ଅନୁଷ୍ଠିତ ହୋଇ ଅପରାହ୍ନ ୩.୩୦ ସମୟରେ ରଥଟଣା ହେବ । ସେହିଭଳି ୨୦ ତାରିଖରେ ବାହୁଡ଼ା ଯାତ୍ରା ଅନୁଷ୍ଠିତ ହେବ । ଉକ୍ତ ରଥଯାତ୍ରା ସମୟରେ ସଂପୃକ୍ତ ବିଭାଗଗୁଡ଼ିକ ନିଜ ନିଜର ଦାୟିତ୍ୱ ସଂପନ୍ନ କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ମନ୍ଦିର ଆଲୋକ ସଜ୍ଜା, ପରିଷ୍କାର ପରିଚ୍ଛନ୍ନତା, ଆଲୋକୀକରଣ, ଜଳଯୋଗାଣ, ଅଗ୍ନିଶମ ବାହିନୀ ମୁତୟନ, ଆଶୁ ଆରୋଗ୍ୟ କେନ୍ଦ୍ର, ଆମ୍ବୁଲାନ୍ସ ସେବା, ଶାନ୍ତିଶୃଙ୍ଖଳା ରକ୍ଷା ଏବଂ ଅସ୍ଥାୟୀ ସୂଚନା କେନ୍ଦ୍ର ଖୋଲିବା ପାଇଁ ଅଧିକାରୀମାନଙ୍କୁ ଦାୟିତ୍ୱ ଦିଆଯାଇଛି । ଚଳିତ ବର୍ଷ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯିବ । ଏଥି ସହ ପାନୀୟ ଜଳଯୋଗାଣ ଓ ଜଳସିଂଚନ ନିମନ୍ତେ ବିଭିନ୍ନ ବେସରକାରୀ ସଂଗଠନଗୁଡ଼ିକର ମଧ୍ୟ ସହଯୋଗ ଲୋଡ଼ା ଯାଇଛି ।
ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଭୁବନେଶ୍ୱରର ଅତିରିକ୍ତ ଜିଲ୍ଲାପାଳ ରୁଦ୍ରନାରାୟଣ ମହାନ୍ତି, ଉପଜିଲ୍ଲାପାଳ ଚିନ୍ମୟ ଆଚାର୍ଯ୍ୟ, ଦେବୋତ୍ତର ବିଭାଗର ଆସିଷ୍ଟାଣ୍ଟ କମିଶନର, ଭୁବନେଶ୍ୱର ତହସିଲଦାର, ଭୁବନେଶ୍ୱର ମହାନଗର ନିଗମର ଅଧିକାରୀ, ସେବାୟତ, ବିଭିନ୍ନ ନିଯୋଗର କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ ।