ପ୍ରମୂଖ ଖବର
  • ରାଜ୍ୟରେ ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଶୋଷଣର ଶିକାର ମହୁଲ ସଂଗ୍ରହକାରୀ, ବହୁ କମ୍‌ ମୂଲ୍ୟରେ କିଣି ନେଉଛନ୍ତି ବାହାର ବ୍ୟବସାୟୀ

ପଦ୍ମପୁର,୨୦/୦୫: ଓଡ଼ିଶା  ମାନଚିତ୍ରରେ ରାୟଗଡ଼ା ଜିଲ୍ଲାର ପଦ୍ମପୁର ବ୍ଲକ୍‌ର ଏକ ସ୍ୱତନ୍ତ୍ର ପରିଚୟ  ରହିଛି । ଏହା ଏକ ଆଦିବାସୀ ବହୁଳ  ଅଞ୍ଚଳ । ଏହାର କୋଣ ଅନୁକୋଣରେ ବାସ କରୁଥିବା ଆଦିବାସୀମାନେ ଧାନ ଫସଲ ସହ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରି ଜୀବିକା ନିର୍ବାହ କରୁଛନ୍ତି । ମହୁଲ ଏକ ଅର୍ଥକାରୀ ଲଘୁ ବନଜାତ ଦ୍ରବ୍ୟ । ଆଦିବାସୀମାନେ ବର୍ଷର ତିନିମାସ ଏହାକୁ ସଂଗ୍ରହ କରିଥାନ୍ତି । ହେଲେ ରାଜ୍ୟ ସରକାରଙ୍କ କୌଣସି ବିଭାଗ ଏହାକୁ କିଣୁନଥିବାରୁ ଏହାର ଫାଇଦା ନେଉଛନ୍ତି ବାହାର ବ୍ୟବସାୟୀ । ବହୁ କମ୍‌ ମୂଲ୍ୟାରେ କିଣି ନେଉଛନ୍ତି । ତେଣୁ ଆଦିବାସୀମାନେ  ଅଭାବୀ ବିକ୍ରିର ଶିକାର ହେଉଛନ୍ତି । ଏହାର ସରକାରୀସ୍ତରରେ ବଜାର  ବ୍ୟବସ୍ଥା ସହ ମୂଲ୍ୟ ଧାର୍ଯ୍ୟ କରାଯାଇ  ପ୍ରଚାରପ୍ରସାର କଲେ ମହୁଲ  ସଂଗ୍ରହକାରୀ ସଠିକ୍‌ ମୂଲ୍ୟ ପାଇବେ  ବୋଲି ଚାଷୀକୁଳ ଦାବି କରିଛି । 

ପଦ୍ମପୁର ବ୍ଲକ୍‌ର ଲିକିଟିପଦର,  ଗୁଲୁଗୁଡ଼ା, ନୂଆଗଡ଼, ତେମ୍ବାଗୁଡ଼ା,  ନାଇରା, ଡେରିଙ୍ଗା, ରେଲା, ଜାତ୍ତିଲି,  ସିଙ୍ଗପୁର, ପେରୁପଙ୍ଗୁ, ମରିଚଗୁଡ଼ା,  ଖମାପଦର ପଞ୍ଚାୟତର ବିଭିନ୍ନ  ଗାଁର ଲୋକ ମହୁଲ ଫୁଲ ସଂଗ୍ରହ  କରୁଛନ୍ତି । ତାକୁ ଶୁଖାଇ ବିକ୍ରି ପାଇଁ  ପ୍ରସ୍ତୁତ କରିଛନ୍ତି । ସ୍ଥାନୀୟ ବଜାରରେ  ମହୁଲ କେଜି ୩୦ରୁ ୩୫ ଟଙ୍କାରେ  ବିକ୍ରି ହେଉଛି । ଅଥଚ ବେପାରୀମାନେ  ଦଲାଲ ଲଗାଇ ତା’ଠାରୁ ବି କମ୍‌ ମୂଲ୍ୟରେ କିଣି ନେଉଛନ୍ତି ।  ମହୁଲ ହାତେଇବା ପାଇଁ ବର୍ତ୍ତମାନ  ଦଲାଲମାନେ ଗାଁ ଗୁଡ଼ିକରେ ଆଡ଼ା  ଜମାଇଛନ୍ତି । ଏ ବର୍ଷ ଏହି ଅଞ୍ଚଳରେ ମହୁଲ ଉତ୍ପାଦନ ଭଲ ହୋଇଛି ।  

ସେ ହିସାବରେ ଟୋଲ ଉତ୍ପାଦନ  ହେବ ବୋଲି ଆଦିବାସୀମାନେ  ଆଶା ରଖିଛନ୍ତି । ହେଲେ ଟ୍ରାଇବାଲ୍‌ ଡେଭଲପମେଣ୍ଟ୍‌ କୋପରେଟିଭ କର୍ପୋରେସନ (ଟିଡିସିସି) ଏହାକୁ  ତାଲିକାଭୁକ୍ତ କରିନଥିବାରୁ ଚିନ୍ତାରେ  ପଡ଼ିଛନ୍ତି ଆଦିବାସୀ । ଅସାଧୁ ବେପାରୀମାନେ ଗାଁ ଗାଁ ବୁଲି ଲୁଣ ବଦଳରେ ମହୁଲ ସଂଗ୍ରହ କରୁଛନ୍ତି ।  ଅତି କମ୍‌ ମୂଲ୍ୟରେ କିଣି ବାହାର  ରାଜ୍ୟକୁ ପଠାଇ ମାଲେମାଲ୍‌  ହେଉଛନ୍ତି । ସରକାରୀସ୍ତରରେ ଏହାର ମୂଲ୍ୟ ନିର୍ଦ୍ଧାରଣ କରି  ସିଧାସଳଖ ସଂଗ୍ରହକାରୀଙ୍କଠାରୁ  ମହୁଲ କ୍ରୟ କରାଗଲେ ନୀରିହ  ଆଦିବାସୀ ଉଚିତ ମୂଲ୍ୟ ପାଇପାରିବ । ପ୍ରକାଶଥାଉକି, ଗତବର୍ଷ ଭଳି ଏଥର  ମଧ୍ୟ ଟିଡିସିସି ମହୁଲ ସଂଗ୍ରହକୁ  ତାଲିକାଭୁକ୍ତ କରିନି । ଅଥଚ ମହୁଲ  ଫଳ(ଟୋଲ) ସଂଗ୍ରହ କରିବାକୁ ଲକ୍ଷ୍ୟ ରଖିଛି । ସର୍ବନିମ୍ନ ସହାୟକ  ମୂଲ୍ୟ ୨୯ ଟଙ୍କା ହିସାବରେ ସଂଗ୍ରହ  କରିବାକୁ ଧାର୍ଯ୍ୟ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.