ଭୁବନେଶ୍ୱର,୨୮/୦୮: ପ୍ରାଣ ହରାଇଲା "ମାମା" ହାତୀ । ମାମାକୁ ଚଳିତ ବର୍ଷ ମାର୍ଚ୍ଚ ୩ ତାରିଖରେ ନନ୍ଦନକାନନରୁ କୁମାର ଖୁଣ୍ଟି ହାତୀ ଶିବିରକୁ ପାଠ ପଢିବା ପାଇଁ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ସେ ପ୍ରାଣ ହରାଇଥିବା ବେଳେ ତାର ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ତେବେ ମାମାର ଏଭଳି ସନ୍ଦେହଜନକ ମୃତ୍ୟୁ ସମସ୍ତଙ୍କ ଚିନ୍ତା ବଢାଇଛି ।
ସୂଚନା ଅନୁଯାୟୀ, ମାମାକୁ ୨୦୧୭ ଜୁନ୍ ୩ ତାରିଖରେ ଖୋର୍ଦ୍ଧା ଡିଭିଜନର ଟାଙ୍ଗୀ ରେଞ୍ଜରୁ ନନ୍ଦନକାନନକୁ ଅଣାଯାଇଥିଲା । ପରେ ଚଳିତ ବର୍ଷ ମାର୍ଚ୍ଚ ମାସରେ ନନ୍ଦନକାନନରେ ରହୁଥିବା ମାମା ପାଠ ପଢିବା ପାଇଁ ଚାନ୍ଦକା କୁମାର ଖୁଣ୍ଟି ହାତୀ ଶିବିରକୁ ସ୍ଥାନାନ୍ତରିତ ହୋଇଥିଲା । ସେଠାରେ ଅଧ୍ୟୟନରତ ଥିବାବେଳେ ମାମାର ଅକାଳ ମୃତ୍ୟୁ ହୋଇଛି । ତେବେ ମାମାର ହଠାତ୍ ଏପରି ମୃତ୍ୟୁକୁ ସହଜରେ ଗ୍ରହଣ କରାଯାଇପାରୁନାହିଁ । ମାମାର ମୃତ୍ୟୁର କାରଣ ମଧ୍ୟ ଅସ୍ପଷ୍ଟ ରହିଛି । ମାମା ନିଜର ଫୁଟବଲ ଖେଳ ପାଇଁ ସ୍ୱତନ୍ତ୍ର ପରିଚୟ ହାସଲ କରି ପର୍ଯ୍ୟଟକଙ୍କ ମନରେ ବିଶେଷ ଜାଗା ସୃଷ୍ଟି କରିଥିଲା । ତେବେ ରାମୁ ପରେ ମାମାର ମୃତ୍ୟୁ ସମସ୍ତଙ୍କ ସନ୍ଦେହ ବଢ଼ାଇଛି । ଏନେଇ ପିସିସିଏଫ୍ ୱାଇଲ୍ଡ ଲାଇଫ ଏବଂ ଚିଫ୍ ୱାଇଲ୍ଡ ଲାଇଫ୍ ୱାର୍ଡେନ ସୂଚନା ଦେଇଛନ୍ତି ।