ନୂଆଦିଲ୍ଲୀ: ଆମେରିକା ଲାସ୍ ବେଗାସରେ ହୋଟେଲରେ ରହିବା ସମୟରେ ଜଣେ ବ୍ୟକ୍ତି ବିଛା କାମୁଡା ଯୋଗୁଁ ହୋଇଥିବା ଯନ୍ତ୍ରଣା ଏବଂ ଅସୁବିଧା ପାଇଁ ହୋଟେଲ ବିରୋଧରେ ମାମଲା ଦାୟର କରିଛନ୍ତି । ଏହି ବ୍ୟକ୍ତି ଜଣକ ହେଉଛନ୍ତି କାଲିଫର୍ନିଆର ଆଗୋରା ହିଲ୍ସର ୬୨ ବର୍ଷିୟ ମାଇକେଲ ଫାର୍ଚି । ଦ ଭେନେଟିଆନ ହୋଟେଲରେ ରହିବା ସମୟରେ ତାଙ୍କ ଗୁପ୍ତାଙ୍ଗରେ ବିଛା ଆଘାତ ପାଇଥିଲେ । ଫାର୍ଚି ଦାବି କରିଛନ୍ତି ଯେ, ଏହି ଆଘାତ ତାଙ୍କ ଯୌନ କ୍ଷମତାରେ ଗୁରୁତର ସମସ୍ୟା ସୃଷ୍ଟି କରିଛି। ଏହାକୁ ନେଇ ବ୍ୟକ୍ତି ଜଣକ ଏବେ ହୋଟେଲ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।
ଗତ ବର୍ଷ ଖ୍ରୀଷ୍ଟମାସ ପରେ ଫାର୍ଚି ଏହି ହୋଟେଲ ରୁମରେ ଶୋଇଥିବା ବେଳେ ଏହି ଘଟଣା ଘଟିଥିଲା । ରାତିରେ ସେ ହଠାତ୍ ତାଙ୍କ ବ୍ୟକ୍ତିଗତ ଅଂଶରେ ପ୍ରବଳ ଯନ୍ତ୍ରଣା ଅନୁଭବ କଲେ । ଯନ୍ତ୍ରଣାର ତୀବ୍ରତା ଏତେ ଥିଲା ଯେ ସେ ଅନୁଭବ କଲେ ଯେପରି କେହି ତାଙ୍କୁ ଛୁରୀରେ ଆକ୍ରମଣ କରିଛନ୍ତି । ତେବେ ଅନୁସନ୍ଧାନ ବେଳେ ସେ ଜାଣିବାକୁ ପାଇଲେ ଯେ ବେଡ୍ ଉପରେ ଏକ ବିଛା ଅଛି, ଯାହା ତାଙ୍କ ଅଣ୍ଡକୋଷକୁ କାମୁଡି ଦେଇଛି । ଏହି ସମୟରେ ଫାର୍ଚି ବିଛାର ଏକ ଫଟୋ ମଧ୍ୟ ନେଇଥିଲେ, ଯାହା ପରେ ପ୍ରମାଣ ଭାବରେ କୋର୍ଟରେ ଉପସ୍ଥାପିତ ହୋଇଥିଲା । ଫାର୍ଚି ହୋଟେଲ କର୍ମଚାରୀଙ୍କୁ ଏହି ଘଟଣା ଜଣାଇଥିଲେ, କିନ୍ତୁ ତାଙ୍କ କହିବାନୁସାରେ, କର୍ମଚାରୀମାନେ ଏହାକୁ ହାଲୁକା ଭାବେ ନେଇ ଥଟ୍ଟା କରିଥିଲେ। ଏହା ପରେ ଫାର୍ଚି କୋର୍ଟରେ ଏକ ଅଭିଯୋଗ ଦାଖଲ କରିଥିଲେ, ଯେଉଁଥିରେ ସେ କହିଥିଲେ ଯେ ଏହି ଘଟଣା ଯୋଗୁଁ ସେ ମାନସିକ ସ୍ତରରେ ବିବ୍ରତ ହୋଇପଡିଛନ୍ତି ଏବଂ ପୋଷ୍ଟ ଟ୍ରମାଟିକ୍ ଷ୍ଟ୍ରେସ୍ ଡିସଅର୍ଡର (PTSD) ର ସମ୍ମୁଖୀନ ହେଉଛନ୍ତି।
ଫାର୍ଚି କହିଛନ୍ତି ଯେ ଏହି ବିଛାଟିର କାମୁଡା ଯୋଗୁଁ ତାଙ୍କ ଯୌନ ଜୀବନରେ ଏକ ବଡ ପରିବର୍ତ୍ତନ ଆସିଛି। ସେ କହିଛନ୍ତି ଯେ ତାଙ୍କ ପତ୍ନୀ ମଧ୍ୟ ଏହି ପରିବର୍ତ୍ତନକୁ ନିଶ୍ଚିତ କରିଛନ୍ତି । ହୋଟେଲ ବିରୋଧରେ ଫାର୍ଚି କ୍ଷତିପୂରଣ ମାଗିଛନ୍ତି ଏବଂ ମାମଲା ବର୍ତ୍ତମାନ କୋର୍ଟରେ ଅଛି । ଫାର୍ଚିଙ୍କ ଓକିଲ କହିଛନ୍ତି ଯେ ହୋଟେଲ ଏହି ମାମଲାକୁ ଗମ୍ଭୀରତାର ସହ ନେଇ ନାହିଁ ଏବଂ ସେଥିପାଇଁ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଫାର୍ଚିଙ୍କ ମାମଲା ବର୍ତ୍ତମାନ କୋର୍ଟରେ ଶୁଣାଣି ପାଇଁ ରଖାଯାଇଛି ।