ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ମଣିପୁର ଦଙ୍ଗା ପଛରେ ହାତ କାହାର ?

ପୂର୍ବୋତ୍ତର ରାଜ୍ୟ ମଣିପୁରରେ ହିଂସା ଥମିବାର ନାଁ ନେଉନାହିଁ । ସବୁପ୍ରକାର ଉଦ୍ୟମ ପରେ ବି ସେଠାରେ ବାରମ୍ବାର ହିଂସା କାହିଁକି ଘଟୁଛି ସେ ନେଇ ବିଶେଷ ଭାବେ ଚର୍ଚ୍ଚା ଆଲୋଚନା ହେବା ଉଚିତ୍‌ । ମଣିପୁର ପରି ଶାନ୍ତିପ୍ରିୟ କ୍ଷେତ୍ରରେ ଗତ କିଛିଦିନ ହେଲା ଯେଭଳି ଭୟଙ୍କର ଦଙ୍ଗା ହେଉଛି ଏବଂ ଶତାଧିକ ନିରୀହ ଲୋକଙ୍କ ପ୍ରାଣହାନି ଘଟୁଛି ତାହା ଉଦ୍‌ବେଗଜନକ । ଗତ ଗୁରୁବାର ରାତିରେ କେନ୍ଦ୍ର ବିଦେଶ ରାଜ୍ୟମନ୍ତ୍ରୀ ଆର. କେ. ରଞ୍ଜନ ସିଂହଙ୍କ କଙ୍ଗୋୱା ସ୍ଥିତ ବାସଗୃହକୁ ଉଗ୍ରବାଦୀ ହିଂସ୍ରକ ଗୋଷ୍ଠୀ ନିଆଁ ଲଗାଇ ପୋଡ଼ି ଦେଇଛନ୍ତି । ସୌଭାଗ୍ୟର କଥା ଯେ, ଏହି ଘଟଣା ବେଳେ କେନ୍ଦ୍ରମନ୍ତ୍ରୀ ବାସଗୃହରେ ନଥିଲେ । ଏହାର ଗୋଟିଏ ଦିନ ଆଗରୁ ପଶ୍ଚିମ ଇମ୍ପାଲର ତାମ୍ପେଲ କ୍ଷେତ୍ରରେ ସ୍ଥାନୀୟ ମନ୍ତ୍ରୀ ନେମର୍‌ କିପଜେନଙ୍କ ଘରେ ମଧ୍ୟ ଦଙ୍ଗାକାରୀମାନେ ନିଆଁ ଲଗାଇ ଦେଇଥିଲେ । କିପଜେନ ୨୦୧୭ରୁ ମଣିପୁର ବିଧାନସଭାର ସଦସ୍ୟ ଅଛନ୍ତି । ଗତ ପାଖାପାଖି ଦୁଇମାସ ହେଲା କ୍ରମାଗତ ଭାବରେ ଚାଲିଥିବା ଏହି ହିଂସାରେ ଏପର୍ଯ୍ୟନ୍ତ ୧୦୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ଶହରୁ ଅଧିକ ଆହତ ହୋଇଛନ୍ତି । ବିଭିନ୍ନ ସ୍ଥାନରେ ଜଳାପୋଡ଼ାର ଖବର ନଜରକୁ ଆସୁଛି । ୮୦ ହଜାରରୁ ଅଧିକ ଲୋକ ନିଜ ଘର ଛାଡ଼ି ଶିବିରରେ ରହୁଛନ୍ତି ।

ଗତ ମଇ ୩ ତାରିଖରୁ ଆରମ୍ଭ ହୋଇଥିବା ମଣିପୁର ହିଂସାକାଣ୍ଡରେ ୧୭ଶହରୁ ଅଧିକ ଘରକୁ ଦଙ୍ଗାକାରୀମାନେ ଜଳାଇ ଦେଇଛନ୍ତି । ମୃତ୍ୟୁସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । ବ୍ୟାପକ ଭାବରେ ସରକାରୀ ଏବଂ ବେସରକାରୀ ଯାନବାହନରେ ମଧ୍ୟ ଉଭୟ ଗୋଷ୍ଠୀର ଉପଦ୍ରବକାରୀମାନେ ନିଆଁ ଲଗାଇ ପୋଡ଼ି ଦେଇଛନ୍ତି । ଦଙ୍ଗା ନିୟନ୍ତ୍ରଣ ତଥା ଧନ ଜୀବନର ସୁରକ୍ଷା ପାଇଁ ମଣିପୁର ସେନା, ସିଆରପିଏଫ ଏବଂ ଆସାମ ରାଇଫଲର ୧୦୫ କଲମ୍‌ ନିଯୁକ୍ତ କରାଯାଇଛି । ସେନା ପକ୍ଷରୁ ପ୍ରସ୍ତୁତ ଆଶ୍ରୟ ଶିବିରଗୁଡ଼ିକରେ ୪୦ହଜାର ଲୋକ ଅଛନ୍ତି । ମଣିପୁର ଏଭଳି ଏକ ସୁନ୍ଦର ରାଜ୍ୟ, ଯାହାର ଚତୁର୍ଦ୍ଦିଗରେ ପର୍ବତମାଳାରେ ପରିବେଷ୍ଟିତ ହୋଇ ଏକ ଅନନ୍ୟ ପ୍ରାକୃତିକ ସୌନ୍ଦର୍ଯ୍ୟ ପ୍ରଦାନ କରିଥାଏ । ମଣିପୁରକୁ ଉତ୍ତର-ପୂର୍ବାଞ୍ଚଳର ଗହଣା ମଧ୍ୟ କୁହାଯାଏ । ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର ଏହି ରାଜ୍ୟ ଏବେ ଘୃଣା ପ୍ରତିଶୋଧର ଅଗ୍ନି ଜଳିପୋଡ଼ି ଛାରଖାର ହେବାରେ ଲାଗିଛି । ସଡ଼କ ଉପରେ ଜଳୁଥିବା ଗାଡ଼ି ଯାନବାହନ ଏବଂ ଦୋକାନ ବଜାର ଦେଖି ଲଙ୍କାଦହନ ପରି ଲାଗୁଛି । ମଣିପୁର ରାଜଧାନୀ ଇମ୍ପାଲରେ ସବୁଠାରୁ ଅଧିକ ହିଂସାକାଣ୍ଡ ଅଗ୍ନିକାଣ୍ଡ ଚାଲିଛି । ସେଠାରେ ବିଜେପିର ନେତାମାନଙ୍କ ଘର ଉପରେ କ୍ରମାଗତ ଆକ୍ରମଣ ଚାଳିଛି ।

କେବଳ କେନ୍ଦ୍ରର ମନ୍ତ୍ରୀ କିମ୍ବା ରାଜ୍ୟର ଜଣେ ମନ୍ତ୍ରୀଙ୍କ ଘର ନୁହେଁ, ଅନେକ ବିଧାୟକଙ୍କ ଘରେ ଦଙ୍ଗାକାରୀମାନେ ପଶି ଭଙ୍ଗାରୁଜା ଓ ଅଗ୍ନିକାଣ୍ଡ ଭଳି ଘଟଣାମାନ ଘଟାଇଛନ୍ତି ବାରମ୍ବାର ସେନା, ପୁଲିସ ଓ ଅନ୍ୟ ସୁରକ୍ଷା କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଛି ଏବଂ ସେଥିରେ ଉଭୟ ପକ୍ଷରୁ ଅନେକ ଆହତ ହୋଇଛନ୍ତି । ମଣିପୁରର ସଂଘ୍ୟାଗରିଷ୍ଠ ଅଧିବାସୀ ମୈତେଇ ଏବଂ କୁକୀ ଜନଜାତି ମଧ୍ୟରେ ଆରମ୍ଭ ହୋଇଥିବା ଜାତିଗତ ହିଂସା ବିଜେପି ବିରୋଧୀ ଅଭିଯାନର ରାଜନୈତିକ ଷଡ଼ଯନ୍ତ୍ରର ରୂପ ନେଇଛି । ମଣିପୁରରେ ନକ୍ସଲ ପ୍ରଭାବିତ ଅଞ୍ଚଳ ଏବଂ କାଶ୍ମୀର ପରି ଅବସ୍ଥା ସୃଷ୍ଟି ହୋଇଛି । କେନ୍ଦ୍ର ଗୃହମନ୍ତ୍ରୀ ତିନି ଦିନ ମଣିପୁର ଗସ୍ତ କରି ଫେରିବା ପରେ ମଧ୍ୟ ସ୍ଥିତିରେ ବିଶେଷ କିଛି ଉନ୍ନତି ପରିଲକ୍ଷିତ ହୋଇନାହିଁ । ମଣିପୁର ହିଂସାରେ ନାଗା, କୁକୀ ଏବଂ ମୈତେଇ ସମୁଦାୟର ଦଙ୍ଗାକାରୀମାନେ ସାମିଲ ଅଛନ୍ତି । ପରସ୍ପର ବିରୋଧରେ ସଂଘର୍ଷରେ ପ୍ରାୟ ସବୁ ସମୁଦାୟ ବ୍ୟାପକ ଭାବରେ କ୍ଷତିଗ୍ରସ୍ତ ହେବାରେ ଲାଗିଛନ୍ତି । ଗତ ସପ୍ତାହରେ ଦଙ୍ଗାକାରୀ ବିଭିନ୍ନ ଥାନା, ଚୌକ, ସେନାଛାଉଣୀ ଓ ଅର୍ଦ୍ଧସାମରିକ ବଳଙ୍କ ଠାରୁ ହଜାରରୁ ଅଧିକ ସ୍ୱୟଂଚାଳିତ ଅସ୍ତ୍ରଶସ୍ତ୍ର ଲୁଟ୍‌ କରି ଅମାନୁଷିକ ଭାବରେ ନିରୀହ ଲୋକଙ୍କ ଉପରେ ସେ ସବୁର ଉପଯୋଗ କରୁଛନ୍ତି ।

ଏବେ ସଂଘର୍ଷ ଆତଙ୍କବାଦୀ ଦଙ୍ଗାକାରୀ ଏବଂ ସେନା ମଧ୍ୟରେ ଚାଲିଛି । ଦଙ୍ଗାକାରୀ ପାଖାପାଖି ୪୦ଜଣ ସୈନିକଙ୍କୁ ହତ୍ୟା କରିଥିବା କୁହାଯାଉଛି । ମଣିପୁରର ହିଂସାଗ୍ରସ୍ତ ଅଞ୍ଚଳ କୌଣସି ଯୁଦ୍ଧଗ୍ରସ୍ତ କ୍ଷେତ୍ର ପରି ଦେଖାଯାଉଛି । ସଡ଼କ ଉପରେ ଜଳୁଥିବା ଗାଡ଼ି, ସହରରେ ଜଳୁଥିବା କୋଠାବାଡ଼ି ଭୟଙ୍କର ହିଂସାର ଦୃଶ୍ୟ ବୟାନ କରୁଛି । ମଣିପୁରର ସମୁଦାୟ ୧୬ଟି ଜିଲ୍ଲାରୁ ଏପର୍ଯ୍ୟନ୍ତ ୮ଟି ଜିଲ୍ଲାରେ କର୍ଫ୍ୟୁ ଲଗାଯାଇଛି । ଇଣ୍ଟରନେଟ ସେବା ବନ୍ଦ କରାଯାଇଛି । ସ୍ଥିତି ସୁରକ୍ଷା ବାହିନୀ ଏବଂ ସେନା ନିୟନ୍ତ୍ରଣରେ ଥିବା କୁହାଯାଉଛି । ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୀଷଣ ଭୟ ଓ ଆତଙ୍କ କାରଣରୁ ସେମାନେ ଅଶାନ୍ତ, ଅଣନିଃଶ୍ୱାସୀ ଜୀବନ ଜିଉଁଛନ୍ତି । ଏହି କାରଣରୁ ହଜାର ହଜାର ଲୋକ ମଣିପୁର ଛାଡ଼ି ଅନ୍ୟ ରାଜ୍ୟକୁ ପଳାଇ ଯାଉଛନ୍ତି । ପଡ଼ୋଶୀ ରାଜ୍ୟ ଆସାମର କଚ୍ଛାର ଜିଲ୍ଲାରେ ହଜାର ହଜାର ମଣିପୁର ବାସିନ୍ଦା ଶରଣ ନେଇଛନ୍ତି । ମଣିପୁରରେ ଫସି ରହିଥିବା ଅନ୍ୟ ରାଜ୍ୟରୁ ଶହ ଶହ ଛାତ୍ରଛାତ୍ରୀଙ୍କୁ ମଧ୍ୟ ସୁରକ୍ଷା ସହିତ ରାଜ୍ୟ ବାହାରକୁ ପଠାଇ ଦିଆଯିବାର ବ୍ୟବସ୍ଥା କରାଯାଉଛି । ଆଗରୁ ଭାରତର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକ ସଶସ୍ତ୍ର ଦଙ୍ଗାକାରୀ ଆତଙ୍କବାଦୀ ସମୂହ ଦ୍ୱାରା ହିଂସାର ଏକ ଲମ୍ବା ସମୟ ଦେଖିଛନ୍ତି । ମଣିପୁର ରାଜ୍ୟ ଚୀନ, ଭୁଟାନ, ମିଆଁମାର, ନେପାଳ ଏବଂ ବଙ୍ଗଳାଦେଶ ଏହି ପାଞ୍ଚଟି ରାଜ୍ୟର ସୀମା ସହ ସଂଲଗ୍ନ ରହିଛି ।

ଏହି କାରଣରୁ ପ୍ରାୟ ୬୦ଟି ଉଗ୍ରବାଦୀ ସଂଗଠନ ବର୍ଷ ବର୍ଷ ଧରି ସେଠାରେ ଆତଙ୍କରାଜ ଚଳାଇଥିଲେ । ସମୟ ଅନୁସାରେ ଏହି ଉତ୍ତର-ପୂର୍ବାଞ୍ଚଳରେ ସକ୍ରିୟ ବିଭିନ୍ନ ସଶସ୍ତ୍ରସମୂହ ମଧ୍ୟରୁ କେତେକ ମୁଖ୍ୟଧାରାର ରାଜନୀତିରେ ସାମିଲ ହୋଇଗଲେ ଏବଂ ଅନ୍ୟ କେତେକ ସୁରକ୍ଷାବଳଙ୍କ ସହିତ ସଂଘର୍ଷରେ ନିହତ ହେଲେ । କହିବାକୁ ଗଲେ, କେତେ ବର୍ଷ ଧରି ମଣିପୁର ଏକ ଶାନ୍ତିପ୍ରିୟ ଅଞ୍ଚଳରେ ପରିଣତ ହୋଇଥିଲା । ଜାତି ସଂଘର୍ଷ ପାଇଁ ଏବେ ପୁଣି ମଣିପୁର ଜଳିବାରେ ଲାଗିଛି । ବିଗତ ଦିନରେ ମଣିପୁର ହାଇକୋର୍ଟ ମୈତେଇ ସମୁଦାୟଙ୍କୁ ଜନଜାତି (ଏସ୍‌ଟି) ଶ୍ରେଣୀରେ ସାମିଲ ପାଇଁ ବିଚାର କରିବାକୁ ଆଦେଶ ଦେବାପରେ ନାଗା ଏବଂ କୁକୀ ଜନଜାତିର ଲୋକେ ବିଦ୍ରୋହ କରିବା ଆରମ୍ଭ କଲେ । ଆଗରୁ କୁହାଯାଇଛି, ଗତ ମେ’ ମାସ ୩ ତାରିଖରେ ଚୂରାଚାନ୍ଦପୁର ଜିଲ୍ଲାରେ ମୈତେଇଙ୍କୁ ଏସ୍‌ଟି ଦର୍ଜା ଦେବା ବିରୋଧରେ ଅଲ୍‌ ଟ୍ରାଇବାଲ ଷ୍ଟୁଡେଣ୍ଟସ ୟୁନିଅନ, ମଣିପୁର ଆହ୍ୱାନରେ ଆଦିବାସୀ ଏକତା ମାର୍ଚ୍ଚ କରାଗଲା । ସେ ସମୟରେ ଜିଲ୍ଲାର ତୋରବଙ୍ଗ କ୍ଷେତ୍ରରେ ବ୍ୟାପକ ହିଂସା ଉପଦ୍ରବ ଆରମ୍ଭ ହେଲା । ବିକ୍ଷୋଭ ଶୋଭାଯାତ୍ରାରେ ସାମିଲ କେତେକ ସଶସ୍ତ୍ର ଉଗ୍ରବାଦୀ ମୈତେଇ ଲୋକମାନଙ୍କ ଉପରେ ଆକ୍ରମଣ କରିବା ପରେ ଏହାର ପ୍ରତ୍ୟୁତ୍ତରରେ ମୈତେଇମାନେ ନାଗା ଓ କୁକୀଙ୍କୁ ଆକ୍ରମଣ କଲେ । ଏହି ଘଟଣା ପରେ ପରେ ରାଜ୍ୟର ୮ଟି ଜିଲ୍ଲାରେ ନାଗା, କୁକୀ ଏବ ମୈତେଇଙ୍କ ମଧ୍ୟରେ ବିଚ୍‌ ରାସ୍ତା ଉପରେ ହଣାକଟା, ଜଳାପୋଡ଼ା ପରି ସାଂଘାତିକ ଦୃଶ୍ୟ ଦେଖିବାକୁ ମିଳିଲା ।

ମଣିପୁରରେ ଚାଲିଥିବା ଜାତିସଂଘର୍ଷ ଦାବାନଳକୁ ଦମନ କରିବା ପାଇଁ ସେଠାରେ ବିଜେପି ବିଧାୟକ ଡିଙ୍ଗାବାଲୁଙ୍ଗ ଗଙ୍ଗମେଇ ହାଇକୋର୍ଟର ନିଷ୍ପତ୍ତି ଉପରେ ଷ୍ଟେ’ ଲଗାଇବା ପାଇଁ ସୁପ୍ରିମ କୋର୍ଟରେ ପିଟିସନ ଦାଏର କରିଛନ୍ତି, ଯାହା ଶୁଣାଣି ପାଇଁ ଗ୍ରହଣ କରାଯାଇଛି । ନାଗା ଓ କୁକୀମାନଙ୍କ ଅଭିଯୋଗ ହେଲା- ମୈତେଇଙ୍କୁ ଏସ୍‌ଟି ଦର୍ଜା ମିଳିଲେ ସେମାନେ ଜଙ୍ଗଲ ଜମି ଉପରେ ଅଧିକାର ସାବ୍ୟସ୍ତ କରିବା ସହିତ ସରକାରୀ ଚାକିରିମାନଙ୍କରେ ସର୍ବାଧିକ ଚାକିରି ପାଇବେ । ଏହାଛଡ଼ା ସ୍କୁଲ କଲେଜରେ ମଧ୍ୟ ସେମାନେ ଅଧିକ ଆସନ ପାଇବେ । ଏହା ହେଲେ ଏପର୍ଯ୍ୟନ୍ତ ସର୍ବାଧିକ ସୁବିଧା ପାଇଆସୁଥିବା ମୈତେଇମାନେ ଆହୁରି ଅଧିକ ଫାଇଦା ହାସଲ କରି କୁକୀ ଏବଂ ନାଗା ଅଳ୍ପସଂଖ୍ୟକଙ୍କୁ ଶୋଷଣ କରିବାର ସୁଯୋଗ ପାଇବେ । ନାଗା କୁକୀଙ୍କ ମନ୍ତବ୍ୟ ହେଲା ଯେ, ଆମେ ଯେଉଁ କ୍ଷେତ୍ରରେ ଶହ ଶହ ବର୍ଷ ଧରି ସୁରକ୍ଷିତ ଅବସ୍ଥାରେ ରହିଛୁ ସେଥିରେ ମୈତେଇ ଅନୁପ୍ରବେଶକୁ ଆଦୌ ପ୍ରଶ୍ରୟ ଦେବୁନାହିଁ । ପ୍ରକାଶଥାଉ କି, ମଣିପୁର ଜନସଂଖ୍ୟାର ୫୫% ହେଉଛି ମୈତେଇ ଏବଂ ଅବଶିଷ୍ଟ କୁକୀ ଓ ନାଗା ସଂଖ୍ୟାଲଘୁ । କୁକୀ ଓ ନାଗାମାନେ ଖ୍ରୀଷ୍ଟିଆନ ଧର୍ମର ଏବଂ ମୈତେଇମାନେ ହିନ୍ଦୁ । ମଣିପୁରରେ ବିଜେପି ସରକାର ଥିବା କାରଣରୁ ଏବଂ ସେଠାରେ ଧର୍ମାନ୍ତରକୁ ବେଆଇନ କରାଯାଇଥିବାରୁ ଖ୍ରୀଷ୍ଟିଆନ ସମ୍ପ୍ରଦାୟ ବହୁଦିନରୁ ଏଭଳି ଏକ ହିଂସାତ୍ମକ ସ୍ଥିତି ସୃଷ୍ଟି କରିବାପାଇଁ ଚାହୁଁଥିଲା ।

ଏହି ହିଂସାକାଣ୍ଡକୁ କେତେକ ବିଦେଶୀ ଶକ୍ତି ଓ ମିଶନ ଅର୍ଥ ଓ ଅନ୍ୟପ୍ରକାର ସହଯୋଗ ଦେଇ ପ୍ରୋତ୍ସାହିତ କରୁଥିବା କୁହାଯାଉଛି । ମୈତେଇମାନେ ଅଧିକାଂଶ ବୈଷ୍ଣବ ଏବଂ ଧର୍ମଭୀରୁ । ପ୍ରଧାନମନ୍ତ୍ରୀ ଏପର୍ଯ୍ୟନ୍ତ ମଣିପୁର ପ୍ରସଙ୍ଗ ନେଇ ନିରବ ଅଛନ୍ତି । ମଣିପୁର ହିଂସାକୁ ରୋକିବା ସହିତ ସେଠାରେ ସ୍ଥିତି ନିୟନ୍ତ୍ରଣ ପାଇଁ କେନ୍ଦ୍ର ସରକାର ସମ୍ବିଧାନର ୩୫୫ ଧାରା ଲାଗୁ କରିବାପାଇଁ ଚିନ୍ତା କରୁଛନ୍ତି । ଏହା ହେଲେ ମଣିପୁର ସମ୍ପୂର୍ଣ୍ଣ ଭାବରେ କେନ୍ଦ୍ର ନିୟନ୍ତ୍ରଣକୁ ଆସିବ । ମୈତେଇ ବିରୋଧୀ ଆନ୍ଦୋଳନ ଓ ଦଙ୍ଗାର ପୃଷ୍ଠଭୂମିରେ ‘ଟ୍ରାଇବଲ ଚର୍ଚ୍ଚ ଲିଡରସ୍‌ ଫୋରମ୍‌’ ରହିଛି ଏବଂ ଏଥିପାଇଁ ବିଦେଶରୁ ପ୍ରଚୁର ଅର୍ଥ ଆସୁଥିବା କୁହାଯାଉଛି । ରିଜର୍ଭ ଜଙ୍ଗଲର ସୁରକ୍ଷା ଓ ସଂରକ୍ଷଣ ପାଇଁ ରାଜ୍ୟ ସରକାର କରୁଥିବା ଉଦ୍ୟମକୁ କୁକୀମାନେ କଡ଼ା ବିରୋଧ କରୁଛନ୍ତି । ଶାନ୍ତି ଯାତ୍ରା ନାଁରେ ସବୁ ରାଜ୍ୟର ସବୁ ଖ୍ରୀଷ୍ଟିଆନ ସଂଗଠନ ଏକତ୍ରିତ କରି ଯୋଜନାବଦ୍ଧ ଭାବରେ ଆରମ୍ଭ ହୋଇଥିବା ଏହି ହିଂସା ଏବେ ଅଲଗା ରାଜ୍ୟ ଦାବି ପାଇଁ ସ୍ୱର ଉଠାଇଛି । ମଣିପୁରର ମୈତେଇ ସମୁଦାୟର ଅଧିକାଂଶ ମହିଳା ଓ ପୁରୁଷ ତୁଳସୀମାଳା ଏବଂ ତିଳକ ଧାରଣ କରିଥାନ୍ତି । ମଣିପୁରର ନୃତ୍ୟାଙ୍ଗନା ଓ ସାମରିକ ନୃତ୍ୟ କଳାକାରମାନେ ପ୍ରତିବର୍ଷ ଓଡ଼ିଶାକୁ ଆସି ସେମାନଙ୍କ କଳା ପ୍ରଦର୍ଶନ କରିଥାନ୍ତି । ଏକ ଶାନ୍ତିପ୍ରିୟ କ୍ଷେତ୍ରକୁ ଅଶାନ୍ତ କରୁଥିବା ଦେଶଦ୍ରୋହୀ ଶକ୍ତିମାନଙ୍କୁ ଦମନ କରିବା ସହିତ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ପ୍ରଧାନମନ୍ତ୍ରୀ ଦୃଢ଼ ନିଷ୍ପତ୍ତି ନେବା ଆବଶ୍ୟକ ।

{"id":594326,"width":186,"height":208,"sizeSlug":"full","linkDestination":"none"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.