ପ୍ୟାରିସ,୦୩/୦୮: ପ୍ୟାରିସ ଅଲିମ୍ପିକ୍ସ ୨୦୨୪ ରେ ହାଟ୍ରିକ ପଦକ ଜିତିବାରୁ ବାଦ୍ ପଡ଼ିଛନ୍ତି ମନୁ ଭାକର। ପୂର୍ବରୁ ଦୁଇଟି ପଦକ ଜିତିଥିବା ମନୁ ଭାକର ଏଥର ମହିଳା ୨୫ ମିଟର ପିସ୍ତଲ ଇଭେଣ୍ଟ ପାଇଁ ମଇଦାନରେ ଥିଲେ। ମନୁ ଇଭେଣ୍ଟର ଫାଇନାଲରେ ପ୍ରବେଶ କରିଥିଲେ। ପୂର୍ବରୁ ଦୁଇଟି ବ୍ରୋଞ୍ଜ ପଦକ ଜିତିଥିବା ମନୁ ଏଥର ସ୍ୱର୍ଣ୍ଣ ପଦକ ଜିତିବେ ବୋଲି ଆଶା କରାଯାଉଥିଲା। ତେବେ ସେ ୨୫ ମିଟର ପିସ୍ତଲ ଇଭେଣ୍ଟରେ ପଦକ ପାଇବା ଠାରୁ ମାତ୍ର ଗୋଟିଏ ପାଦ ଦୂରରେ ରହିଥିଲେ ମନୁ।
ଇଭେଣ୍ଟର ଫାଇନାଲ୍ ଖେଳୁଥିବା ମନୁ ମୋଟ ୨୮ ସ୍କୋର ସହିତ ଚତୁର୍ଥ ସ୍ଥାନରେ ରହିଥିଲେ। ସେ ପଦକ ହାସଲ କରିବା ଠାରୁ ମାତ୍ର ଗୋଟିଏ ପାଦ ଦୂରରେ ରହିଥିଲେ । ଯଦି ମନୁ ତୃତୀୟ ସ୍ଥାନ ହାସଲ କରିଥାନ୍ତେ, ତେବେ ସେ ପ୍ୟାରିସ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତିଥାନ୍ତେ ଏବଂ ହ୍ୟାଟ୍ରିକ୍ ପଦକ କରିଥାନ୍ତେ। ତେବେ ଏଥର ସେ ପଦକ ଜିତିପାରିନଥିଲେ। ଏହି ଇଭେଣ୍ଟରେ ଦକ୍ଷିଣ କୋରିଆର ଜିନ୍ ୟାଙ୍ଗ ସ୍ୱର୍ଣ୍ଣ ପଦକ ଜିତିଛନ୍ତି।
ଏହା ବ୍ୟତୀତ ଫ୍ରାନ୍ସର କାମିଲ ଜେଡ୍ରେଜେଉସ୍କି ଦ୍ୱିତୀୟ ସ୍ଥାନରେ ରହି ରୌପ୍ୟ ଏବଂ ହଙ୍ଗେରୀର ଭେରୋନିକା ମେଜର ତୃତୀୟ ସ୍ଥାନ ଅଧିକାର କରି ବ୍ରୋଞ୍ଜ ଜିତିଛନ୍ତି। ସ୍ୱର୍ଣ୍ଣ ପଦକ ଜିତିଥିବା ଜିନ୍ ୟାଙ୍ଗଙ୍କ ମୋଟ ସ୍କୋର ୩୭ ଥିଲା। ଏହା ବ୍ୟତୀତ ରୌପ୍ୟ ପଦକ ଜିତିଥିବା କାମିଲ ଜେଡ୍ରେଜେଉସ୍କି ମଧ୍ୟ ୩୭ ସ୍କୋର କରିଥିଲେ ସୁଦ୍ଧା ସେ ଦ୍ୱିତୀୟ ସ୍ଥାନରେ ରହିଥିଲେ। ତାଙ୍କ ପରେ ତିନି ନମ୍ବରରେ ଥିବା ଭେରୋନିକା ମେଜର ୩୧ ସ୍କୋର କରିଥିଲେ।