ନୂଆଦିଲ୍ଲୀ,୮।୯: ପ୍ରାୟ ୧୨ କୋଟି ବର୍ଷ ପୂର୍ବେ ଚନ୍ଦ୍ରରେ ହୋଇଥିଲା ଜ୍ବାଳାମୁଖୀ ବିସ୍ଫୋରଣ। ଚନ୍ଦ୍ରଠାରୁ ଅଣାଯାଇଥିବା ଛୋଟ ଛୋଟ କାଚ ଭଳି ଟୁକୁଡାର ଅଧ୍ୟୟନ ପରେ ବୈଜ୍ଞାନିକମାନେ ଏଭଳି ଦାବି କରିଛନ୍ତି। ଏବିସି ନ୍ୟୁଜର ସୂଚନା ଅନୁସାରେ, ପୃଥିବୀ ଉପରେ ଯେତେବେଳେ ଡାଇନୋସର ଯୁଗ ଚାଲୁଥିଲା, ସେତେବେଳେ ଚନ୍ଦ୍ରରେ ମଧ୍ୟ ଜ୍ବାଳାମୁଖୀ ବିସ୍ଫୋରଣ ହେଉଥିଲା। କାଚର ଟୁକୁଡାରେ ମିଳିଥିବା କେମିକାଲ କମ୍ପୋଜିସନରୁ ଜଣାପଡିଛି ଚନ୍ଦ୍ରରେ କେବେ ଲାଭାର ନଦୀ ବୋହୁ ଥିଲା।
ଏହା ପୂର୍ବରୁ ଚାଙ୍ଗ ଇ-୫ ମିଶନ୍ ଅନୁସାରେ, ଅଣାଯାଇଥିବା ଚଟାଣ ଟୁକୁଡାରୁ ଜଣାପଡିଛି ଯେ, ପ୍ରାୟ ୨ ଆରବ ବର୍ଷ ପୂର୍ବେ ଚନ୍ଦ୍ର ପୃଷ୍ଠରେ ଜ୍ବାଳାମୁଖୀ ବିସ୍ଫୋରଣ ହୋଇଥିଲା। ତେବେ ନୂଆ ଷ୍ଟଡି ତାକୁ ଭୁଲ ପ୍ରମାଣିତ କରିଛି। ଜର୍ଣ୍ଣାଲ ସାଇନ୍ସରେ ଛପା ଯାଇଥିବା ରିସର୍ଚ୍ଚରେ କୁହାଯାଇଛି ଯେ, ଏହା ଅପ୍ରତ୍ୟାଶିତ, କିନ୍ତୁ ପୁରା ସମ୍ଭାବନା ରହିଛି ଯେ, ୧୨ କୋଟି ବର୍ଷ ପୂର୍ବେ ଚନ୍ଦ୍ର ଉପରେ ନିଆଁ ବାହାରୁଥିବା ଭଳି ଜ୍ବାଳାମୁଖୀ ରହିଥାଇପାରେ।
ଏହା ପୂର୍ବରୁ ୨୦୧୪ରେ ନାସାର ଅର୍ବିଟରରୁ ଜଣାପଡିଛି ଯେ, ଚନ୍ଦ୍ରରେ ଜ୍ବାଳାମୁଖୀ ବିସ୍ଫୋରଣ ଭଳି ଘଟଣା ଘଟିଛି ଓ ଗ୍ଲାସ୍ ବିଡସ୍ ଚନ୍ଦ୍ରରେ ରହିଛି। ଚାଙ୍ଗ ଇ ୫ ମିଶନ୍ ଅନୁସାରେ, ଆପୋଲୋ ମିଶନ ପରେ ପ୍ରଥମ ଥର ଚନ୍ଦ୍ରରୁ ଚଟାଣର ଟୁକୁଡା ପୃଥିବୀକୁ ଅଣାଯାଇଥିଲା। ଏହି ରିସର୍ଚ୍ଚର ବୈଜ୍ଞାନିକ ୟୁୟାଙ୍ଗ କହିଛନ୍ତି, ଏଥିରୁ ଏହା ବୁଝିବାରେ ସହଜ ହେବ ଚନ୍ଦ୍ରମା, ପୃଥିବୀ ଓ ଅନ୍ୟ ଗ୍ରହରେ କେତେ ଦିନ ପର୍ଯ୍ୟନ୍ତ ଜ୍ବାଳାମୁଖୀ ଆକ୍ଟିଭ ଥିଲା। ବୈଜ୍ଞାନିକମାନେ ଅତି କମ୍ରେ ୩ ହଜାହର ଗ୍ଲାସ୍ ବିଡସ୍ ଉପରେ ଅଧ୍ୟୟନ କରିଥିଲେ। ଏହାପରେ ଜଣାପଡିଥିଲା ଏହାର ଉତ୍ପତ୍ତି ଜ୍ବାଳାମୁଖୀ ବିସ୍ଫୋରଣ କାରଣରୁ ହୋଇଛି। ଚନ୍ଦ୍ରରେ ଜ୍ବାଳାମୁକୀ ଫାଟିବା ଓ ପରେ ଥଣ୍ଡା ହେବାପରେ ଏହି ଟୁକୁଡା ତିଆରି ହୋଇଛି। ନିକଟରେ ଚୀନ୍ର ମହାକାଶ ଯାନ ‘ଚାଙ୍ଗ ଇ ୬’ ଚନ୍ଦ୍ରରୁ ସାମ୍ପଲ ନେଇ ଫେରିଛି। ସେ ଚନ୍ଦ୍ରର ସେହି ସାମ୍ପଲ ଆଣିଛି, ଯାହାକୁ ପୃଥିବୀରେ କେବେ ଦେଖିବାକୁ ମିଳିନି।