ନୂଆଦିଲ୍ଲୀ: କରିଡର ନିର୍ମାଣ ପରେ କାଶୀ ବିଶ୍ୱନାଥ ଧାମରେ ଦାନର ସମସ୍ତ ରେକର୍ଡ ଭାଙ୍ଗିଛି । ଭକ୍ତମାନେ ବାବାଙ୍କୁ ଦେଖିବା ପରେ ଦାନର ସମସ୍ତ ରେକର୍ଡ ଭାଙ୍ଗିଛନ୍ତି । ଗତ ବର୍ଷ ତୁଳନାରେ ଭକ୍ତମାନେ ଏଥର ପାଞ୍ଚ ଗୁଣ ଅଧିକ ଦାନ ଦେଇଛନ୍ତି । ପବିତ୍ର ଶ୍ରାବଣ ମାସରେ ୧ କୋଟି ୬୩ ଲକ୍ଷ ୧୭ ହଜାର ଭକ୍ତ ବାବାଙ୍କୁ ଦେଖା କରି ୧୬.୮୯ କୋଟି ଟଙ୍କା ଦାନ କରିଥିଲେ । କାଶୀ ବିଶ୍ୱନାଥ ଧାମର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସୁନୀଲ ବର୍ମା କହିଛନ୍ତି ଯେ ଏଥର ଶ୍ରାବଣରେ ବାବାଙ୍କୁ ୧୬.୮୯ କୋଟି ଟଙ୍କା ଦାନ କରାଯାଇଛି । ୨୦୨୨ର ଶ୍ରାବଣରେ ଦାନ ପରିମାଣର ସଂଖ୍ୟା ଥିଲା ୩ କୋଟି ୪୦ ଲକ୍ଷ ୭୧ ହଜାର ୬୫ଟଙ୍କା ।
ସୂଚନାଯୋଗ୍ୟ ଯେ ଏହି ବର୍ଷ ଅଧିକ ମାସ୍ କାରଣରୁ ଶ୍ରାବଣ ପ୍ରାୟ ଦୁଇମାସ ହୋଇଥିଲା । ସୁନୀଲ କୁମାର ବର୍ମା କହିଛନ୍ତି ଯେ ଭକ୍ତଙ୍କ ସୁବିଧାକୁ ସହଜ କରିବାକୁ ମନ୍ଦିର ଟ୍ରଷ୍ଟ ନିରନ୍ତର ଚେଷ୍ଟା କରୁଛି । ପର୍ଯ୍ୟଟକଙ୍କ ପାଇଁ ଉନ୍ନତ ଏବଂ ସହଜ ଦର୍ଶନ ବ୍ୟବସ୍ଥା ପାଇଁ ୫୦ କର୍ମଚାରୀ କାର୍ଯ୍ୟ କରୁଛନ୍ତି । ଉନ୍ନତ ସୁରକ୍ଷା ଏବଂ ସୁବିଧା ଯୋଗାଇବା ପାଇଁ ୨ ଶହ ସୁଇପର ଏବଂ ୧୦୦ କର୍ମଚାରୀ ନିୟୋଜିତ ହୋଇଛନ୍ତି। କାଶୀ ବିଶ୍ୱନାଥ ଧାମରେ ଲକର ଏବଂ ହେଲ୍ପଡେସ୍କର ସୁବିଧା ମଧ୍ୟ ଯୋଗାଇ ଦିଆଯାଉଛି ।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଭକ୍ତଙ୍କ ସଂଖ୍ୟା ପ୍ରାୟ ୨୦ ଗୁଣ ବୃଦ୍ଧି ପାଇଛି । ଶ୍ରୀ କାଶୀ ବିଶ୍ୱନାଥ ଧାମ ପୂର୍ବରୁ ୩ ହଜାର ବର୍ଗଫୁଟରେ ଥିଲେ । ବର୍ତ୍ତମାନ ଏହି କ୍ଷେତ୍ର ପାଞ୍ଚ ଲକ୍ଷ ବର୍ଗଫୁଟରେ ପରିଣତ ହୋଇଛି । ଭକ୍ତଙ୍କ ପାଇଁ ମୌଳିକ ସୁବିଧା ବୃଦ୍ଧି କରାଯାଇଛି । ଏହି କାରଣରୁ ଭକ୍ତଙ୍କ ପାଇଁ ବାବାଙ୍କୁ ଦେଖିବା ସହଜ ହୋଇଯାଇଛି । କାଶୀ ବିଶ୍ୱନାଥ ମନ୍ଦିରର ଭଣ୍ଡାରରେ ବୃଦ୍ଧି ଯୋଗୁଁ ଭକ୍ତମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି ।