ପୁରୀ, ୧୪/୦୮ : ଓଡ଼ିଆ ଅସ୍ମିତାକୁ ଅବହେଳା । ନବ ନିର୍ମିତ ଓଡ଼ିଆ ବିଶ୍ୱବିଦ୍ୟାଳୟରେ ଅଧିକାଂଶ ଅଧ୍ୟାପକ ପଦବୀ ଖାଲି ପଡ଼ିଥିବା ଯୋଗୁ ଠିକ୍ ଭାବେ ପାଠପଢ଼ା ହୋଇପାରୁନି । ସେପଟେ ଏହି ବିଶ୍ୱବିଦ୍ୟାଳୟ ଆଗରେ ଓଡ଼ିଆ ଅସ୍ମିତାର ପ୍ରତୀକ ବକୁଳ ବନ ବିଦ୍ୟାଳୟର ଉନ୍ନତୀକରଣ ନିମନ୍ତେ ସରକାରୀ ଉଦାସୀନତା ଜାରି ରହିଛି । ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ, ଆଚାର୍ଯ୍ୟ ହରିହର ଦାସ, ପଣ୍ଡିତ ନୀଳକଣ୍ଠ ଦାସ, ପଣ୍ଡିତ କୃପାସିନ୍ଧୁ ମିଶ୍ର, ପଣ୍ଡିତ ଗୋଦାବରିଶ ମିଶ୍ର ପ୍ରମୁଖ ପଞ୍ଚଶଖାଙ୍କ ଉଦ୍ୟମରେ ସ୍ୱାଧୀନତା ସମୟରେ ବକୁଳ ବନ ବିଦ୍ୟାଳୟ ମଣିଷ ଗଢ଼ା କାରଖାନା ସାଜିଥିଲା । ହେଲେ ଏହି ସ୍ଥାନର ଉନ୍ନତୀକରଣ ଓ ସୁରକ୍ଷା ପ୍ରତି ଦାୟିତ୍ୱହୀନତା ଏହାକୁ ଭୂତକୋଠିରେ ପରିଣତ କରିଛି ।
ଓଡ଼ିଆ ଅସ୍ମିତା କଥା କହିବା ବେଳକୁ ସତ୍ୟବାଦୀ ବକୁଳବନ ବିଦ୍ୟାଳୟରେ ପ୍ରତିଷ୍ଠିତ ଓଡ଼ିଆ ବିଶ୍ୱବିଦ୍ୟାଳୟର ଚିତ୍ର ସାମ୍ନାକୁ ଆସିଥାଏ । ଏହା ନିର୍ମାଣ ହୋଇ ପାଠପଢ଼ା ଆରମ୍ଭ ହୋଇଗଲାଣି । ମାତ୍ର ଏପର୍ଯ୍ୟନ୍ତ ଏଠାରେ ସମସ୍ତ ଅଧ୍ୟାପକ ଓ କର୍ମଚାରୀ ପଦବୀ ପୂରଣ କରିବା ପ୍ରତି ସରକାର ଦୃଷ୍ଟି ଦେଉନାହାନ୍ତି । ଏଠାରେ ୩ ପ୍ରଫେସର ପଦବୀରୁ ୩ଟି ଯାକ ଖାଲି ପଡ଼ିଛି । ଆସୋସିଏଟ୍ ପ୍ରଫେସର ୬ ପଦବୀରୁ ୬ ଖାଲି ପଡ଼ିଛି । ସେହିପରି ଆସିଷ୍ଟାଣ୍ଟ ପ୍ରଫେସର ୧୨ ପଦବୀରୁ ୧୨ ଖାଲି ପଡ଼ିଛି । ଗୁରୁତ୍ୱପୂର୍ଣ୍ଣ ଏହି ୨୧ ପଦବୀରେ ନିଯୁକ୍ତି ବ୍ୟବସ୍ଥା ନହେବା ଛାତ୍ରଛାତ୍ରୀ ଓ ବୁଦ୍ଧିଜୀବୀଙ୍କ ମହଲରେ ଅସନ୍ତୋଷ ସୃଷ୍ଟି କରିଛି । ଏହି ବିଶ୍ୱବିଦ୍ୟାଳୟରେ ଖାଲିଥିବା ମୋଟ ପଦବୀ ମଧ୍ୟରୁ ୩ ପ୍ରଫେସର, ୭ ଆସିଷ୍ଟାଣ୍ଟ ପ୍ରଫେସର ପଦବୀକୁ ମିଶାଇ ମୋଟ ୧୦ଟି ପଦବୀ ପୂରଣ ନିମନ୍ତେ ସାକ୍ଷାତାକାର ଓ ପରୀକ୍ଷା ଚାଲିଥିବା ବେଳେ ଏହା କେବେ ସରିବ ତାହା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଆବଶ୍ୟକତା ମେଣ୍ଟାଇବା ନିମନ୍ତେ ୬ ଜଣ ଅଧ୍ୟାପକଙ୍କୁ ଏଠାରେ ଡେପୁଟେସନରେ ନିୟୋଜିତ କରାଯାଇଛି ।
ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ଅଧ୍ୟୟନ ଓ ପ୍ରଚାର ପ୍ରସାର ପାଇଁ ଏହି ବିଶ୍ୱବିଦ୍ୟାଳକୁ ସରକାର ସମର୍ପିତ କରିଥିଲେ । ମାତ୍ର ଏହା ସଫଳ ହେଉଛି ନା ନାହିଁ ତାହା ଉପରେ ସନ୍ଦେହ ପ୍ରକାଶ ପାଇଛି । ଓଡିଶା ସରକାର ୨୦୧୭ରେ ଏହି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ । ବିଶ୍ୱବିଦ୍ୟାଳୟର ପ୍ରଥମ ଶିକ୍ଷାବର୍ଷ ୨୦୨୩ ସେପ୍ଟେମ୍ବର ୫ ତାରିଖରୁ ଆରମ୍ଭ ହୋଇଥିଲା । ଏହି ବଶ୍ୱବିଦ୍ୟାଳୟରେ ଓଡ଼ିଆ ସାହିତ୍ୟ, ଭାଷା ବିଜ୍ଞାନ, ଇତିହାସ, ଏବଂ ସଂସ୍କୃତି ସମ୍ବନ୍ଧୀୟ ଗବେଷଣା, ଅଧ୍ୟୟନ ଏବଂ ଜ୍ଞାନର ବ୍ୟାପକ ପ୍ରସାର ଉପରେ ଗୁରୁତ୍ୱାରୋପ କରାଯିବା ପାଇଁ ବିଭିନ୍ନ ପଦକ୍ଷେପମାନ ଗ୍ରହଣ କରାଯାଉଅଛି । ଓଡ଼ିଆ ବିଶ୍ୱବିଦ୍ୟାଳୟର ପରିସର ୧୭ ଏକର ଜମିରେ ପରିବ୍ୟାପ୍ତ ଏବଂ ଏହା ସବୁଜ ପରିବେଶ ମଧ୍ୟରେ ଅବସ୍ଥିତ । ଏହିଠାରେ ଓଡ଼ିଆ ଭାଷା ଓ ସାହିତ୍ୟ ସମ୍ବନ୍ଧୀୟ ବିଭିନ୍ନ ବିଭାଗରେ ସ୍ନାତକାତ୍ତର ଓ ଡକ୍ଟରେଟ ପ୍ରମାଣପତ୍ର ପ୍ରଦାନ କରାଯିବାର ପ୍ରସ୍ତାବ ରହିଛି ।
ସେପଟେ ପୁରୀ ମାଟିର ସନ୍ଥ ତଥା ପଞ୍ଚ ସ୍ୱାଧୀନତା ସଂଗ୍ରାମୀଙ୍କ ଦ୍ୱାରା ପ୍ରତିଷ୍ଠିତ ବକୁଳବନ ବିଦ୍ୟାଳୟ ଏବେ ଭୂତକୋଠି ପାଲଟିବା ବୁଦ୍ଧିଜୀବୀ ମହଲରେ ଉଦ୍ବେଗର କାରଣ ହୋଇଛି । ଓଡ଼ିଆ ବିଶ୍ୱବିଦ୍ୟାଳୟ ସ୍ଥାପନ ନିଷ୍ପତ୍ତି ବେଳେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଠାକୁ ଆସି ଏହାର ବିକାଶ କାର୍ଯ୍ୟ କରାଯିବ ବୋଲି କହିଥିଲେ । ସମଗ୍ର ଓଡ଼ିଶାର ନଦୀ ଓ ପବିତ୍ର ସ୍ଥଳରୁ ମାଟି, ପାଣି ଏଠାକୁ ଅଣାଯାଇ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଏହି ମାଟି ପାଣିରେ ବଉଳ ଗଛଟିଏ ପୋତିଥିଲେ । ଏହି ବଳଉ ଗଛ ବକୁଳବନରେ ଆଉ ଉଧଉନି । ଅନୁରୂପ ଭାବେ ବକୁଳବନ ବିଦ୍ୟାଳୟ ଉନ୍ନତୀକରଣ ଘୋଷଣା ବାସ୍ତବ ରୂପ ନେଇପାରିନି ।
୨୦୨୨-୨୩ରେ ଏହି ସ୍ଥାନର ବିକାଶ ନିମନ୍ତେ ୨ କୋଟି ୫୭ ଲକ୍ଷରୁ ଅଧିକ ଟଙ୍କା ମଂଜୁର କରିଥିଲେ । ଗତ ୩ ଦଶନ୍ଧି ଭିତରେ ବକୁଳବନର ବିକାଶ ନିମନ୍ତେ କୋଟି କୋଟି ଟଙ୍କା ମଂଜୁର ହୋଇଛି । ମାତ୍ର ଏହାର ଠିକ୍ ଉପଯୋଗ ହୋଇପାରିନି । ବିଜେଡି ସରକାର ହେବା ପୂର୍ବରୁ ଶାସନରେ ଥିବା ସରକାରଙ୍କ ସମୟରେ କୋଟି କୋଟି ଟଙ୍କା ବ୍ୟୟ କରି ୧୯ ଏକରରେ ବ୍ୟାପ୍ତ ବକୁଳବନରେ ବୁଲିବା ନିମନ୍ତେ ଚଲାପଥ, ବିରାଟ ମୁକ୍ତାକାଶ ରଙ୍ଗମଞ୍ଚ, ପଞ୍ଚଶଖାଙ୍କ ୫ ପ୍ରତିମୂର୍ତ୍ତି, ଦୋକାନ ଘର, ବିଶ୍ରାମ ଗୃହ ପ୍ରଭୃତି ବ୍ୟବସ୍ଥା କରାଯାଇଥିଲା । ଏକଦା ମହମହ ବକୁଳ ଗଛ ଫୁଲର ବାସ୍ନାରେ ମହକୁଥିବା ଏହି ପବିତ୍ର ସ୍ଥାନ ସରକାରୀ ଦାୟିତ୍ୱହୀନତାରୁ ତାହାର ସ୍ମ୍ମୃତି ହରାଇବାକୁ ବସିଲାଣି । ପ୍ରତିବର୍ଷ ଏଠାରୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିମନ୍ତେ ବାହୁଟ କଣ୍ଟ ନିମନ୍ତେ କାଠ ଯାଇଥାଏ । ମାତ୍ର ପ୍ରଶାସନ ପକ୍ଷରୁ ମହାପ୍ରଭୁଙ୍କ ସେବାରେ ଲାଗୁଥିବା ଏହି ପବିତ୍ର ସ୍ଥାନ ତଥା ସରକାରଙ୍କ ଦ୍ୱାରା ଘୋଷିତ ଏକମାତ୍ର ଜାତୀୟ ବନବିଦ୍ୟାଳୟକୁ ଉପେକ୍ଷା କରିଚାଲିଛନ୍ତି । ଯାହା ଉଦ୍ବେଗର ବିଷୟ ହୋଇଛି ।