ଆନନ୍ଦପୁର,୦୨/୦୯: ମାତ୍ର ସାତ ଦିନ ତଳେ ଜନ୍ମ ଦେଇଥିଲେ ୨ଜାଆଁଳା ଶିଶୁ । ରାତିରେ ପାଇଖାନା ଯାଇଥିବା ବେଳେ ବିଷଧର ସାପ କାମୁଡ଼ାରେ ପ୍ରାଣ ହରାଇଲେ ମା' । ମୃତକ ଜଣକ ସୁକାନ୍ତ ରାଉତଙ୍କ ପତ୍ନୀ ଇନ୍ଦୁମତୀ ବୋଲି ଜଣାପଡ଼ିଛି । ଯାଜପୁର ଜିଲ୍ଲା ଟମକା ଥାନା ଅନ୍ତର୍ଗତ ବାଙ୍ଗରକଟା ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି ।
ସୂଚନା ଅନୁଯାୟୀ, ସୁକାନ୍ତ ରାଉତଙ୍କ ପତ୍ନୀ ଇନ୍ଦୁମତୀ ସାତ ଦିନ ତଳେ ଦୁଇଟି ଜାଆଁଳା ଶିଶୁଙ୍କୁ ଜନ୍ମ ଦେଇଥିଲେ । ଗୋଟିଏ ପୁଅ ଓ ଅନ୍ଯଟି ଝିଅ ଜନ୍ମଲାଭ କରିଥିଲେ । ତେବେ ନବଜାତ ଶିଶୁ ପୁତ୍ରଟି ଭଲ ଥିବା ବେଳେ ଶିଶୁ କନ୍ଯାଟି ଅସୁସ୍ଥ ହୋଇପଡ଼ିଥିଲା । ତେଣୁ ଝିଅକୁ କଟକ ଶିଶୁ ଭବନରେ ଚିକିତ୍ସା ପାଇଁ ଭର୍ତି କରାଇଥିଲେ ଦମ୍ପତି । ଏଭଳି ପରିସ୍ଥିତିରେ ରବିବାର ରାତିରେ ପାଇଖାନା ଯାଇଥିବା ବେଳେ ଇନ୍ଦୁମତୀଙ୍କୁ ଏକ ବିଷଧର ସାପ କାମୁଡ଼ିଥିଲା । ଏହା ଦେଖି ସ୍ଥାନୀୟଲୋକେ ଇନ୍ଦୁମତୀଙ୍କୁ ତୁରନ୍ତ ନିକଟସ୍ଥ ଆନନ୍ଦପୁର ଡାକ୍ତରଖାନାକୁ ଆଣିଥିଲେ । ହେଲେ ଡାକ୍ତରଖାନା ଆଣିବା ବାଟରେ ତାଙ୍କର ମୃତ୍ଯୁ ଘଟିଥିବା ପରିବାର ଲୋକେ କହିଛନ୍ତି । ପରେ ଏନେଇ ଟମକା ପୋଲିସକୁ ଖବର ଦେଇଥିଲେ ପରିବାର ଲୋକେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି ।