ନୂଆଦିଲ୍ଲୀ, ୧୮।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୧ ତାରିଖରେ ତିନିଦିନିଆ ଆମେରିକା ଗସ୍ତରେ ଯାଉଛନ୍ତି । ନିଜ ରହଣି କାଳରେ ସେ ଚତୁର୍ଥ କ୍ୱାଡ ସମ୍ମିଳନୀରେ ଯୋଗଦେବେ । ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍ ଏଥିରେ ଅଧ୍ୟକ୍ଷତା କରିବାକୁ ଥିବାବେଳେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲ୍ବାନିସ ଓ ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା ବି ଏଥିରେ ସାମିଲ ହେବେ । ଡେଲାୱେର ପ୍ରଦେଶ ଅନ୍ତର୍ଗତ ୱିଲମିଙ୍ଗଟନରେ କ୍ୱାଡ ସମ୍ମିଳନୀ ଆୟୋଜିତ ହେବ ।
ଏହାବ୍ୟତୀତ କ୍ୱାଡ ସଦସ୍ୟ ରାଷ୍ଟ୍ର (ଭାରତ, ଆମେରିକା, ଜାପାନ ଓ ଅଷ୍ଟ୍ରେଲିଆ)ର ନେତାମାନେ ନ୍ୟୁୟର୍କରେ ସେପ୍ଟେମ୍ବର ୨୨ରୁ ୨୩ ପର୍ଯ୍ୟନ୍ତ ହେବାକୁ ଥିବା ଜାତିସଂଘ ସମ୍ମିଳନୀରେ ସାମିଲ ହେବେ । ଏହି ପରିପ୍ରେକ୍ଷୀରେ ମୋଦି ଏକ ପ୍ରବାସୀ ଭାରତୀୟ କାର୍ଯ୍ୟକ୍ରମକୁ ସମ୍ବୋଧନ କରିବା କାର୍ଯ୍ୟକ୍ରମ ରହିଛି । ଏଥିସହ ବିଭିନ୍ନ ଦେଶର ନେତାଙ୍କ ସହ ମଧ୍ୟ ମୋଦି ଦ୍ୱିପାକ୍ଷିକ ଆଲୋଚନା କରିପାରନ୍ତି । ଉଲ୍ଲେଖଯୋଗ୍ୟ, ଆମେରିକାର ଅନୁରୋଧକ୍ରମେ ଭାରତ ୨୦୨୫ରେ ହେବାକୁ ଥିବା ପରବର୍ତ୍ତୀ କ୍ୱାଡ ସମ୍ମିଳନୀ ଆୟୋଜନ ପାଇଁ ସହମତି ପ୍ରକାଶ କରିଛି ।