ଭୁବନେଶ୍ୱର: ପ୍ରକୃତିର କୋପ ଆଗରେ ମଣିଷ ଯେ କେତେ ଅସହାୟ ଓ ବିବଶ ତାର ଏକ ସଦ୍ୟତମ ଦୃଷ୍ଟାନ୍ତ ହେଉଛି କେରଳର ୱାୟନାଡ ଜିଲ୍ଲାରେ ଘଟିଥିବା ମୃତ୍ୟୁର ତାଣ୍ଡବ । ଗତ ଜୁଲାଇ ୨୯ ତାରିଖ ମଙ୍ଗଳବାର କାଳରାତି । ବର୍ଷା ବିତ୍ପାତ ସାଙ୍ଗକୁ ରାତିଅଧରେ ତାଣ୍ଡବ ରଚିଥିଲା ଭୂସ୍ଖଳନ । ଥରେ ନୁହେଁ, ଚାରିଘଣ୍ଟା ମଧ୍ୟରେ ପଶ୍ଚିମଘାଟର ତିନିଟି ସ୍ଥାନରେ ଭୂସ୍ଖଳନ ଫଳରେ ସଂପୂର୍ଣ୍ଣ ନିଶ୍ଚିହ୍ନ ହୋଇଗଲା ଚାରିଟି ଗାଁ । ସକାଳ ହେଲାବେଳକୁ ଲିଭିଯାଇ ସାରିଥିଲା ଶହ ଶହ ଲୋକଙ୍କ ଜୀବନଦୀପ । କିଏ ପାଣିସୁଅରେ ଭାସିଯାଇଥିଲା ତ କିଏ ଶୋଇଥିବା ଅବସ୍ଥାରେ ପୋତି ହୋଇପଡ଼ିଥିଲା ମାଟି, କାଦୁଅ ଓ ପଥର ତଳେ ।
ପ୍ରକୃତିର କରାଳ କୋପରେ ନଇଁଯାଇଥିଲା ଶହ ଶହ କୋଠାଘର । କେଉଁଠି ପୋଲ ଭୁଶୁଡ଼ି ପଡ଼ିଥିଲା ତ କେଉଁଠି ରାସ୍ତାରେ ସୃଷ୍ଟି ହୋଇଥିଲା ବିରାଟ ଫାଙ୍କ । ଏଣେତେଣେ ଗଦା ହୋଇ ପଡ଼ିଥିଲା ପାହାଡ଼ରୁ ଧସି ଆସିଥିବା ମାଟି, କାଦୁଅ ଓ ପଥର । ନଦୀ ବି ବଦଳେଇ ସାରିଥିଲା ଗତିପଥ । ପ୍ରକୃତି ଆଗରେ ମଣିଷର ଅସହାୟତା ବଖାଣୁଥିଲା ମୃତକମାନଙ୍କୁ ଚିହ୍ନଟ କରିବାକୁ ଆସୁଥିବା ପରିବାର ପରିଜନଙ୍କ ବୁକୁଫଟା କ୍ରନ୍ଦନ । ଇତିମଧ୍ୟରେ ତିନି ଶହରୁ ଅଧିକ ଲୋକଙ୍କ ମୃତଦେହ ଉଦ୍ଧାର ସରିଛି, ଯାହା ଭିତରେ ଅଛନ୍ତି ଜଣେ ଓଡ଼ିଆ ଡାକ୍ତର । ବିପର୍ଯ୍ୟୟର ଚାରିଦିନ ପରେ ବି ଗ୍ରାମ ସନ୍ନିକଟ ଚେଲି ନଦୀରୁ ଉଦ୍ଧାର ହେଉଛି ଶବ । ପ୍ରତିକୂଳ ପାଗ ସତ୍ତେ୍ୱ ମାଟିତଳୁ ଚାଲିଛି ମଣିଷ ଖୋଜା । ଦିନେ ଯେଉଁ ସୌନ୍ଦର୍ଯ୍ୟଭରା ଦେବଭୂମିରେ ମନକୁ ମୋହି ନେଉଥିଲା ପ୍ରକୃତିର ମୋହନ ରୂପ, ଆଜି ସେଠାରେ ମଣିଷକୁ ଯନ୍ତ୍ରଣାକାତର କରିଦେଇଛି ବିନାଶର କରାଳ ଦୃଶ୍ୟ ।
ବିଭୀଷିକା ଓ ପରବର୍ତ୍ତୀ ଦୁଃଖ ଦୁର୍ଦ୍ଦଶା କାରୁଣ୍ୟ ଓ ପୁନରୁଦ୍ଧାର କାର୍ଯ୍ୟ ଭିତରେ ଯେଉଁ କଥାଟି ପରିବେଶ ବିଜ୍ଞାନୀ ଓ ସଚେତନବର୍ଗଙ୍କ ଭିତରେ ଚର୍ଚ୍ଚାର ବିଷୟ ପାଲଟିଛି, ତାହା ହେଲା ବିପର୍ଯ୍ୟୟର କାରଣ । ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ଅନୁସାରେ ବର୍ଷା ବିତ୍ପାତ ହିଁ ବିଭୀଷିକାର ଖଳକାରକ । ସେଠାରେ ସପ୍ତାହବ୍ୟାପୀ ଯେଉଁ ମାତ୍ରାରେ ବୃଷ୍ଟିପାତ ହେଲା, ତାହା ଭାରତୀୟ ପାଣିପାଗ ଆକଳନଠାରୁ ଢେର୍ ବେଶୀ । ପାଣିପାଗ ବିଶେଷଜ୍ଞଙ୍କ ମତରେ, ଆରବସାଗର ଉପରିସ୍ଥ ଜଳଭାଗ ଅତ୍ୟଧିକ ଉତ୍ତପ୍ତ ହେବାଯୋଗୁଁ ଯେଉଁ ବାୟୁଚାପ ବଳୟ ସୃଷ୍ଟି ହେଲା, ତାର ପ୍ରଭାବରେ ବୃଦ୍ଧିପାଇଲା ଆକସ୍ମିକ ବର୍ଷାର ପରିମାଣ । ଭାରୀ ବର୍ଷାକୁ ସହି ପାରିଲାନି ୱାୟାନାଡ ମାଟି । ମାତ୍ର ସବୁ ତର୍କ ଓ ତର୍ଜମା ପରେ ଯେଉଁ ଅବିସମ୍ବାଦିତ ସତ୍ୟଟି ଆଖିଆଗକୁ ଆସେ, ତାହା ହେଲା ମଣିଷର ମାତ୍ରାଧିକ ପରିବେଶ ଓ ପ୍ରକୃତି ବିରୋଧୀ କାର୍ଯ୍ୟକଳାପ । ପ୍ରକୃତି କେବେ ଇଚ୍ଛା କରି ରୁଦ୍ର ମୂର୍ତ୍ତି ଧାରଣ କରେନାହିଁ, ଅତ୍ୟାଚାରର ସୀମା ଟପିଲେ ସେ ହରାଇ ବସେ ଭାରସାମ୍ୟ । ବାରମ୍ବାର ସତର୍କ ସୂଚନା ଦେଲାପରେ ବି ପରିସ୍ଥିତିରେ ସୁଧାର ନଆସିଲେ ଧାରଣ କରେ ପ୍ରଳୟଙ୍କରୀ ରୂପ । ଏହି ଦୃଷ୍ଟିରୁ ବିଚାର କଲେ ପଶ୍ଚିମଘାଟ ପର୍ବତମାଳାରେ ଭୂସ୍ଖଳନ କିଛି ନୂଆ କଥା ନୁହେଁ, ବରଂ ଏକ ପୁରୁଣା ପାଣ୍ଡୁଲିପି । ବିପର୍ଯ୍ୟୟର ଏହି ଧାରାବାହିକତା କହେ ହିମାଳୟ ପରେ ପଶ୍ଚିମଘାଟ ହେଉଛି ଦେଶର ଦ୍ୱିତୀୟ ସର୍ବାଧିକ ଭୂସ୍ଖଳନପ୍ରବଣ ଅଞ୍ଚଳ । ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାରଙ୍କ ପକ୍ଷରୁ ୨୦୧୧ ମସିହାରେ ବିଶିଷ୍ଟ ପରିବେଶ ବିଜ୍ଞାନୀ ମାଧବ ଗାଡଗିଲଙ୍କ ଅଧ୍ୟକ୍ଷତାରେ ଗଠନ ହୋଇଥିଲା ପଶ୍ଚିମଘାଟ ପରିବେଶ ବିଶେଷଜ୍ଞ ମଣ୍ଡଳୀ । ଗୁଜରାଟ ଓ ମହାରାଷ୍ଟ୍ର ସୀମାରୁ ଆରମ୍ଭ ହୋଇ କର୍ଣ୍ଣାଟକ, ଗୋଆ ଓ କେରଳ ପର୍ଯ୍ୟନ୍ତ ବିସ୍ତାରିତ ପଶ୍ଚିମଘାଟର ୭୫ଭାଗ ଅଞ୍ଚଳକୁ ଜୈବ ସମ୍ବେଦନଶୀଳ ଅଞ୍ଚଳ ଭାବେ ଘୋଷଣା କରିବାପାଇଁ ସେହି ବିଶେଷଜ୍ଞମଣ୍ଡଳୀ ସୁପାରିସ କରିଥିଲା, ଯାହାକୁ ଲୋକଙ୍କ ଜୀବନ ଜୀବିକା ସହିତ ଯୋଡି କାର୍ଯ୍ୟକାରୀ କରିବାକୁ ଚାହିଁଲେନାହିଁ କୌଣସି ରାଜ୍ୟ ସରକାର । ବିଶେଷକରି ଭାରତର ସର୍ବାଧିକ ଶିକ୍ଷିତ ଓ ଶୃଙ୍ଖଳିତ ରାଜ୍ୟ ଭାବେ ପରିଚିତ କେରଳ ମଧ୍ୟ ସେହି ସୁପାରିସକୁ ଗ୍ରହଣ କରିବା ପରିବର୍ତ୍ତେ ସାମିଲ ହୋଇଗଲା ବିକାଶର ଚିନ୍ତାଜନକ ଦୌଡ଼ରେ ।
ବର୍ଷାର ବିତ୍ପାତ ବହନ କରିଚାଲିଥିବା କେରଳ ହେଉଛି ଏକ ଭୂସ୍ଖଳନ ପ୍ରବଣ ରାଜ୍ୟ, ଯେଉଁଠି ଅଧିକାଂଶ ଭୂଭାଗ ପାହାଡ଼ ପର୍ବତ ପରିବେଷ୍ଟିତ । ଏଠାରେ ସମତଳ ଭୂମି ବୋଲି ଯାହାକୁ କୁହାଯାଏ, ତାହା ୨୦ଡିଗ୍ରୀ ପର୍ଯ୍ୟନ୍ତ ଗଡ଼ାଣିଆ ହୋଇଥିବାରୁ ବର୍ଷାର ତୀବ୍ରତା ବୃଦ୍ଧିପାଇଲେ ବଢ଼ିଯାଏ ଭୂସ୍ଖଳନ ଆଶଙ୍କା । ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ପକ୍ଷରୁ ଜାରି ହୋଇଥିବା ସୂଚନା ଅନୁସାରେ, ଦେଶର ଭୂସ୍ଖଳନପ୍ରବଣ ତିରିଶଟି ଜିଲ୍ଲା ମଧ୍ୟରୁ କେବଳ କେରଳରେ ରହିଛି ଦଶଟି ଜିଲ୍ଲା । ଏହି ସୂଚୀରେ ତେର ନମ୍ବର ସ୍ଥାନରେ ରହିଛି ୱାୟାନାଡ ଜିଲ୍ଲା । ପୂର୍ବରୁ ଏଠାରେ ଥିଲା ବିସ୍ତୃତ ଘଞ୍ଚଜଙ୍ଗଲ । ଆର୍ଥିକ ସ୍ଥିତି ସୁଦୃଢ଼ କରିବା ଲକ୍ଷ୍ୟରେ ସରକାର ରବର ଚାଷ ଆଡ଼କୁ ଢଳିବା ଫଳରେ ପ୍ରାକୃତିକ ଜଙ୍ଗଲ ଉପରେ ପଡ଼ିଲା ପାହାର । ସରକାରଙ୍କୁ ଘାରିଲା ଘଞ୍ଚଜଙ୍ଗଲ ସଫା କରି ଅଧିକରୁ ଅଧିକ ରବର ଚାଷ କରିବାର ନିଶା । ଏହାଦ୍ୱାରା ରାଜ୍ୟର ଆର୍ଥିକ ବିକାଶ ଘଟିଲା ସତ, କିନ୍ତୁ ରବର ଗଛର ଦୁର୍ବଳ ମୃତ୍ତିକା ସଂରକ୍ଷଣ ଶକ୍ତି ଯୋଗୁଁ ହୁଗୁଳା ହେଲା ମୃତ୍ତିକା ବନ୍ଧନ ।
ଭୂସ୍ଖଳନ ପ୍ରଭାବିତ ଏହି ସ୍ଥାନ ପର୍ଯ୍ୟଟନ କ୍ଷେତ୍ର ଭାବରେ ପରିଚିତ ହେଲେ ମଧ୍ୟ ଭୌଗୋଳିକ ଗଠନ ଦୃଷ୍ଟିରୁ ଏହା ପଶ୍ଚିମଘାଟର ସବୁଠାରୁ ସ୍ପର୍ଶକାତର ଅଞ୍ଚଳ । ମାତ୍ର ରାଜସ୍ୱ ଆୟ ବଢ଼େଇବା ଲକ୍ଷ୍ୟରେ ସରକାର ଭୁଲିଗଲେ ତାର ଭୌଗୋଳିକ ସ୍ଥିତି । ଭିତ୍ତିଭୂମିର ବିକାଶ ଦିଗରେ ଧ୍ୟାନିତ ହେଲା ସରକାରଙ୍କ ଦୃଷ୍ଟି । ଆଉ ରହିଲାନି ନଦୀରୁ ବାଲି ଉଠାଣ, ଖଣି ଖନନ, ପୋଲ, ସଡ଼କ ଓ ଗୃହ ନିର୍ମାଣ ଆଦି ଉପରେ କଟକଣା । କେଉଁଠି ବେଆଇନ ଭାବେ କୋଠା ଉପରେ କୋଠା ଗଢ଼ିଉଠିଲା ତ କେଉଁଠି ହୋଟେଲ ଶିଳ୍ପର ବିକାଶ ପାଇଁ ନଦୀନାଳର ପ୍ରାକୃତିକ ପ୍ରବାହର ଗତିରୋଧ କରି ନିର୍ମାଣ ହେଲା ସଡ଼କ । ନରମ ଭୂମି ଉପରେ ନିର୍ମାଣ ଭାରୀ ପଡ଼ିବା କାରଣରୁ ତାସ୍ଘର ପରି ଭୁଶୁଡ଼ି ପଡ଼ିଲା ଅହରହ ସଂଘର୍ଷ ଭିତରେ ଗଢ଼ିଉଠିଥିବା ବିକାଶର ଭିତ୍ତିଭୂମି ।
ସମଗ୍ର ସୃଷ୍ଟିକୁ ପାଳନ ପୋଷଣ ଓ ପରିଚାଳନା କରିବାର ଦାୟିତ୍ୱ ବିଶ୍ୱ ପ୍ରକୃତିର । ପ୍ରକୃତି ମଣିଷର ବୁଦ୍ଧିଦ୍ୱାରା ନୁହେଁ, ନିର୍ଦ୍ଦିଷ୍ଟ ନିୟମ ଦ୍ୱାରା ପରିଚାଳିତ । ସେହି ନିୟମ ଅନୁସାରେ ପୃଥିବୀ ସୂର୍ଯ୍ୟଙ୍କ ଚାରିପଟେ ପରିକ୍ରମା କରିବା ସହିତ ନିଜ କକ୍ଷପଥରେ ଘୂରୁଛି ଏବଂ ଏହି ପରିକ୍ରମଣ ଓ ଆବର୍ତ୍ତନ ଗତି ମଧ୍ୟରେ ତାର ପୃଷ୍ଠଭାଗରେ ଥିବା ସମସ୍ତ ପଦାର୍ଥକୁ ସେ କେନ୍ଦ୍ର ଆଡ଼କୁ ଟାଣିଧରି ଭାରସାମ୍ୟ ରକ୍ଷା କରିଛି ମାଧ୍ୟାକର୍ଷଣ ଶକ୍ତି ବଳରେ । ଏଥିପାଇଁ ପୃଥିବୀପୃଷ୍ଠରେ ଯେଉଁଠି ଯେଉଁ ପରିମାଣରେ ମାଟି, ପାଣି, ପାହାଡ଼ ଓ ବୃକ୍ଷଲତା ରହିବା କଥା, ତାହା ସଜାଡ଼ି ହୋଇ ରହିଛି ଏକ ସ୍ୱୟଂକ୍ରିୟ ପ୍ରକ୍ରିୟା ମାଧ୍ୟମରେ । ଏହି ଦୃଷ୍ଟିରୁ ପାହାଡ଼ ପର୍ବତ ପ୍ରକୃତିର ଏକ ଅନବଦ୍ୟ ସୃଷ୍ଟି । ଜୀବଜଗତ ପାଇଁ ଈଶ୍ୱରଙ୍କର ଅମୂଲ୍ୟ ଦାନ । ପାହାଡ଼ରୁ ସୃଷ୍ଟିହୁଏ ଝରଣା ଓ ଝରଣାରୁ ନଦୀ । ନଦୀକୂଳରେ ଗଢ଼ିଉଠେ ଜନବସତି । ପାହାଡ଼ ନଥିଲେ ରହିବନି ବନସ୍ପତି ଓ ଜୀବଜଗତ । ଏକଥା ଜାଣି ସୁଦ୍ଧା ବିକାଶ ନାଁରେ ପାହାଡ଼ ପର୍ବତ ପାଖରୁ ସବୁ କିଛି ଛଡ଼େଇ ନେବାପାଇଁ ଚାଲିଛି ନିରନ୍ତର ପ୍ରୟାସ। ଏହାଦ୍ୱାରା କ୍ଷୁବ୍ଧ ହେଉଛି ପ୍ରକୃତି । ପ୍ରଳୟ ରଚିବା ପୂର୍ବରୁ ଏ ସଂପର୍କରେ ବାରମ୍ବାର ସତର୍କ କରେଇ ଦେଇଛି କ୍ରୋଧିତ ପଶ୍ଚିମଘାଟ ପର୍ବତମାଳା । ୨୦୧୯ କୋଟାୟମ ଭୂସ୍ଖଳନ ହେଉଛି ତାର ଏକ ଦୃଷ୍ଟାନ୍ତ । ମାତ୍ର ଏଥିପ୍ରତି କେହି କର୍ଣ୍ଣପାତ କଲେନାହିଁ, ଯାହାର ପରିଣତି ହେଲା ୱାୟାନାଡ ବିପର୍ଯ୍ୟୟ ।
କେବଳ କେରଳ ନୁହେଁ, ପୂର୍ବରୁ ଉତ୍ତରାଖଣ୍ଡ, ମହାରାଷ୍ଟ୍ର ଆଦି ରାଜ୍ୟରେ ମଧ୍ୟ ଭୂସ୍ଖଳନ ରଚିଛି ମୃତ୍ୟୁର ତାଣ୍ଡବ । ୨୦୧୩ ମସିହା ଜୁନ୍ ମାସରେ ଉତ୍ତରାଖଣ୍ଡରେ ସୃଷ୍ଟି ହୋଇଥିଲା ଭାରତ ଇତିହାସର ସବୁଠାରୁ ବଡ଼ ଭୂସ୍ଖଳନ । ଏଥିରେ ପାଞ୍ଚ ହଜାରରୁ ଅଧିକ ଲୋକ ପ୍ରାଣ ହରାଇବା ସହିତ ନିଶ୍ଚିହ୍ନ ହୋଇଯାଇଥିଲା ଚାରି ହଜାର ଗାଁ । ଭୂସ୍ଖଳନ ପରିପ୍ରେକ୍ଷୀରେ ଓଡ଼ିଶା କଥା ଭାବିଲେ ଛାତି ଥରେଇ ଦିଏ ୨୦୧୮ ଅକ୍ଟୋବର ତିତିଲି ବାତ୍ୟା ସମୟର ବିଭୀଷିକା । ସେଦିନ ଗଜପତି ଜିଲ୍ଲାର ସାମୁଦ୍ରିକ ଝଡ଼ ଓ ଭୂସ୍ଖଳନ ଫଳରେ ଷାଠିଏରୁ ଅଧିକ ଲୋକ ପ୍ରାଣ ହରେଇବା ସହିତ ଧ୍ୱଂସ ପାଇଯାଇଥିଲା କୋଡ଼ିଏଟି ଗାଁ । ବିଶେଷଜ୍ଞଙ୍କ କହିବା ଅନୁସାରେ ଓଡ଼ିଶାର ମାଲକାନଗିରି, କଳାହାଣ୍ଡି, କୋରାପୁଟ, ଗଜପତି, ମୟୂରଭଞ୍ଜ ଓ କେନ୍ଦୁଝର ଆଦି ଜିଲ୍ଲା ଭୂସ୍ଖଳନପ୍ରବଣ । ଅଥଚ ସେସବୁ ଜିଲ୍ଲାରେ ବେଆଇନ ଭାବରେ ଚାଲିଛି ଗଛକଟା ଓ ଖଣିଖନନ । କେହି ଭାବୁନାହାଁନ୍ତି ଖଣି ଖନନ ପରେ ମାଟିରେ ସୃଷ୍ଟି ହେଉଥିବା ଶୂନ୍ୟସ୍ଥାନ ପୂରଣ କଥା । ପ୍ରାକୃତିକ ଅବସ୍ଥିତି ଦୃଷ୍ଟିରୁ ଓଡ଼ିଶା ପ୍ରତି ଭୂସ୍ଖଳନ ଭୟ ନାହିଁ ବୋଲି ଅନେକ ଭାବନ୍ତି ସତ, ହେଲେ ବିପର୍ଯ୍ୟୟ ହଠାତ୍ ଆସେ ଓ ସବୁ ସଫା କରିଦିଏ କେଇ ମିନିଟ୍ ଭିତରେ ।