କାଠମାଣ୍ଡୁ,୩୦/୦୯: ନେପାଳରେ ଭୀଷଣ ବନ୍ୟାର ପ୍ରକୋପ ଜାରି ରହିଛି । ଦୁଇ ଦିନ ଧରି ପ୍ରବଳ ବର୍ଷା ଯୋଗୁ ବନ୍ୟା, ଭୂସ୍ଖଳନଜନିତ ମୃତ୍ୟୁସଂଖ୍ୟା ରବିବାର ୧୭୦କୁ ବୃଦ୍ଧି ପାଇଛି । ଏବେ ବି ୪୨ ଜଣ ନିଖୋଜ। ଭୂସ୍ଖଳନ ଯୋଗୁ ଏକ ଘର ଭୁଷୁଡ଼ି ପଡ଼ିବାରୁ ଜଣେ ଗର୍ଭବତୀ ମହିଳା, ଜଣେ ୪ ବର୍ଷର ଶିଶୁକନ୍ୟାଙ୍କ ସମେତ ୫ ଜଣଙ୍କ ମୃତ୍ୟୁ ଘଟିଛି ।
କାଠମାଣ୍ଡୁରେ ଭୂସ୍ଖଳନ ୬ ଫୁଟ୍ବଲ୍ ଖେଳାଳିଙ୍କ ଜୀବନ ନେଇଛି । ଅନେକ ନିଖୋଜ ଅଛନ୍ତି । ନିଜକୁ ସୁରକ୍ଷିତ ରଖିବା ପାଇଁ ଲୋକେ ଗୋଟିଏ ଛାତରୁ ଅନ୍ୟ ଛାତକୁ ଡେଇଁ ଅନ୍ୟ ଜାଗାକୁ ଯାଉଥିବାର ଦୃଶ୍ୟ ବି ଦେଖିବାକୁ ମିଳିଛି । ବହୁସଂଖ୍ୟାରେ ଘରେ ବନ୍ୟା ପାଣି ପଶିଯାଇଛି । ହେଲିକପ୍ଟର ଜରିଆରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରାଯାଉଛି । ପ୍ରାୟ ୩ ହଜାର ଲୋକଙ୍କୁ ଉଦ୍ଧାର କରାଯାଇଥିବା ଜଣାପଡ଼ିଛି । ମଙ୍ଗଳବାର ପର୍ଯ୍ୟନ୍ତ ବର୍ଷା ଲାଗି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । କୌଣସି ସ୍ଥାନକୁ ଏବେ ଅନାବଶ୍ୟକ ଭାବେ ବୁଲିବାକୁ ନ ଯିବାକୁ ନେପାଳ ସରକାର ଲୋକଙ୍କୁ ପରାମର୍ଶ ଦେଇଛନ୍ତି ।