ଭୁବନେଶ୍ୱର,୧୩/୦୮: ରାଜଧାନୀର ଡ୍ୟାନ୍ସ ବାର ଓ ପବ୍ରେ ଅବକାରୀ ନିୟମକୁ କେହି ମାନୁନାହାନ୍ତି । ତେଣୁ କଠୋର ହୋଇଛି ଅବକାରୀ ବିଭାଗ । ଏଣିକି ଅନୁମତିପ୍ରାପ୍ତ ଠିପି ଖୋଲା ବିଦେଶୀ ମଦ ଦୋକାନଗୁଡ଼ିକରେ ମଦ ପିଇ ନାଚି ପାରିବେନି ଗରାଖ । ଅନୁମୋଦିତ ସ୍ଥାନଠାରୁ ଅନ୍ୟତ୍ର ମଦ ଦୋକାନ ଖୋଲିପାରିବେନି । ଏହାସହିତ ଜାତୀୟ ରାଜପଥ ଓ ରାଜ୍ୟ ରାଜପଥକୁ ଦୃଶ୍ୟମାନ ହେଲା ଭଳି ମଦ ଦୋକାନ ସାଇନବୋର୍ଡ କିମ୍ବା ହୋର୍ଡିଂକୁ ତୁରନ୍ତ ହଟାଇବାକୁ ପଡିବ ।
ଭୁବନେଶ୍ୱର ଅବକାରୀ ଜିଲ୍ଲା ଅଧୀକ୍ଷକ ସୁମତି ତ୍ରିପାଠୀ ସୋମବାର ସମସ୍ତ ଅବକାରୀ ଉପ ଅଧୀକ୍ଷକ, ଅବକାରୀ ଥାନା ଅଧିକାରୀଙ୍କୁ ଏହି ନିର୍ଦ୍ଦେଶନାମା ଜାରି କରିଛନ୍ତି । ନିୟମକୁ ଉଲ୍ଲଂଘନ କରୁଥିବା ମାଲିକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି । ମଦ ଦୋକାନଗୁଡ଼ିକର ସିସିଟିଭି ଫୁଟେଜ୍ ନିୟମିତ ଯାଞ୍ଚ କରାଯିବ । କିଛି ଆପତ୍ତିଜନକ ଦୃଶ୍ୟ ମିଳିଲେ, ତୁରନ୍ତ ବାର କର୍ତ୍ତୃପକ୍ଷଙ୍କ ବିରୋଧରେ ଅବକାରୀ ଆଇନ ଅନୁସାରେ ଗୁରୁତର ଅନିୟମିତତା ରିପୋର୍ଟ (ଏସଆଇଆର) ଲେଖାଯିବ ।
ଅଧିକାଂଶ ଅନୁମତିପ୍ରାପ୍ତ ଠିପି ଖୋଲା ବିଦେଶୀ ମଦ ଦୋକାନଗୁଡ଼ିକ ନିଜର ବାର ପରିସରରେ ମଦ ସହ ଗୀତ ବଜାଇ ଗ୍ରାହକଙ୍କୁ ଡ୍ୟାନ୍ସ ପାଇଁ ସୁଯୋଗ ଦେଉଛନ୍ତି । କିଛି ଅନୁମତିପ୍ରାପ୍ତ ଠିପି ଖୋଲା ଓ ଠିପି ବନ୍ଦ ବିଦେଶୀ ମଦ ଦୋକାନଗୁଡ଼ିକ ନିଜର ଅନୁମୋଦିତ ସ୍ଥାନ ପରିବର୍ତ୍ତେ ଅନ୍ୟତ୍ର ବାର ଖୋଲିଥିବା ଉଦାହରଣ ରହିଛି । ଏସବୁ ତୁରନ୍ତ ବନ୍ଦ କରାଯାଇ ଅନୁପାଳନ ରିପୋର୍ଟ ପଠାଇବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।
କୌଣସି ମଦ ଦୋକାନର ସାଇନବୋର୍ଡ କିମ୍ବା ହୋର୍ଡିଂ ରାଜ୍ୟ ରାଜପଥ କିମ୍ବା ଜାତୀୟ ରାଜପଥକୁ ଦୃଶ୍ୟମାନ ନ ହେବା ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶନାମା ରହିଛି । ଏସବୁ ହୋର୍ଡିଂକୁ ହଟାଇବାକୁ ସମସ୍ତ ଅବକାରୀ ଥାନା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଯେଉଁସବୁ ଦୋକାନ ଦୀର୍ଘଦିନ ଧରି ବନ୍ଦ ରହିଛି କିନ୍ତୁ ତା'ର ସାମ୍ନାରେ ସାଇନବୋର୍ଡ ରହିଛି ସେସବୁ ତୁରନ୍ତ ହଟାଇବାକୁ ତାଗିଦ୍ କରାଯାଇଛି।