ପ୍ରମୂଖ ଖବର
  • କଟକ: କୋର୍ଟରେ ହାଜର ହେଲେ ଅନୁଭବ ମହାନ୍ତି, ଘରୋଇ ହିିଂସା ମାମଲାରେ ଜାରି ହୋଇଥିଲା NBW
  • ||
  • ଓଡିଶା ବିଧାନସଭାକୁ ମିଳିଲା ନୂଆ ବାଚସ୍ପତି, ରଣପୁର ବିଧାୟିକା ସୁରମା ପାଢ଼ୀ ହେଲେ ବାଚସ୍ପତି
  • ||
  • ତୀର୍ଥଯାତ୍ରୀ ବସ ଉପରକୁ ଆତଙ୍କୀ ହମଲା ଘଟଣା, ଅଭିଯୁକ୍ତ ଗିରଫ
  • ||
  • ବିଶ୍ୱକପ୍‌ର ସୁପର-୮ ରାଉଣ୍ଡ୍‌: ଟିମ୍‌ ଇଣ୍ଡିଆ ପାଇଁ ଆଫଗାନ ସ୍ପିନ୍‌ ଚ୍ୟାଲେଞ୍ଜ, ଫୋକସ୍‌ରେ କୋହଲିଙ୍କ ଫର୍ମ
  • ||
  • ପଟିଆ ଛକ ନିକଟ ଲକି ଇଣ୍ଡିଆ ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡ, ଦୀର୍ଘ ଘଣ୍ଟା ପରେ ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ
  • ||
  • ବାଲେଶ୍ୱରରେ ସୁଧୁରୁଛି ସ୍ଥିତି: ସକାଳୁ କର୍ଫ୍ୟୁ କୋହଳ, ୧୧ଟା ସୁଦ୍ଧା କାମ ସାରି ଘରକୁ ଫେରିବାକୁ ନିବେଦନ
  • ||
  • ୨୭ରେ ଉତ୍ତର ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା, ପ୍ରବଳ ବର୍ଷିବ: ମାଲକାନଗିରିରେ ମୌସୁମୀ ସକ୍ରିୟ
  • ||

କନ୍ୟାକୁମାରୀରେ ସାଧନାରୁ ଜନ୍ମ ନେଲା ନୂଆ ସଂକଳ୍ପ

ମୋର ପ୍ରିୟ ଦେଶବାସୀଗଣ,  

ଗଣତନ୍ତ୍ରର ଜନନୀରେ ଗଣତନ୍ତ୍ରର ସବୁଠାରୁ ବଡ଼ ପର୍ବ  ଆଜି ଜୁନ୍‌ ପହିଲାରେ ପୂରଣ ହେଉଛି । କନ୍ୟାକୁମାରୀରେ  ତିନି ଦିନର ଆଧ୍ୟାତ୍ମିକ ଯାତ୍ରା ପରେ ମୁଁ ଏବେ ଦିଲ୍ଲୀ  ଅଭିମୁଖେ ବିମାନରେ ଚଢ଼ିଛି । କାଶୀ ସମେତ ଅନେକ  ଆସନରେ ମତଦାନ ଚାଲିଛି । ଅନେକ ଅଭିଜ୍ଞତା ଅଛି, ଅନେକ ଅନୁଭୂତି ବି ଅଛି... ମୁଁ ନିଜ ଭିତରେ ଅସୀମ  ଶକ୍ତିର ପ୍ରବାହ ଅନୁଭବ କରୁଛି । 

ବାସ୍ତବରେ ଏହି ୨୪ ନିର୍ବାଚନରେ ଅନେକ ସୁଖଦ  ସଂଯୋଗ ଦେଖିବାକୁ ମିଳିଛି  । ଅମୃତକାଳର ଏହି  ପ୍ରଥମ ଲୋକସଭା ନିର୍ବାଚନରେ ମୁଁ ୧୮୫୭ ମସିହାର  ପ୍ରଥମ ସ୍ୱାଧୀନତା ସଂଗ୍ରାମର ପ୍ରେରଣାସ୍ଥଳୀ ମେରଠରୁ  ପ୍ରଚାର ଆରମ୍ଭ କରିଥିଲି । ମା' ଭାରତୀର ପରିକ୍ରମା  କରି ଏହି ନିର୍ବାଚନରେ ମୋର ଶେଷ ସଭା ପଞ୍ଜାବର  ହୋସିଆରପୁରଠାରେ ଅନୁଷ୍ଠିତ ହୋଇଥିଲା । ସନ୍ଥ  ରବିଦାସଜୀଙ୍କ ତପୋଭୂମିରେ, ଆମ ଗୁରୁମାନଙ୍କ ଭୂମି  ପଞ୍ଜାବରେ ଶେଷ ସଭା ହେବାର ସୌଭାଗ୍ୟ ମଧ୍ୟ ଅତ୍ୟନ୍ତ  ସ୍ୱତନ୍ତ୍ର । ଏହାପରେ କନ୍ୟାକୁମାରୀରେ ଭାରତମାତାଙ୍କ  ଚରଣରେ ବସିବାର ସୁଯାଗ ପାଇଥିଲି । ସେହି ପ୍ରାରମ୍ଭିକ  ମୁହୂର୍ତ୍ତରେ ମୋ ମନରେ ନିର୍ବାଚନର କୋଳାହଳ ଗୁଞ୍ଜରିତ  ହେଉଥିଲା । ସଭା, ସଡ଼କ ଶୋଭାଯାତ୍ରାରେ ମୁଁ ଦେଖିଥିବା  ଅଗଣିତ ଚେହେରା ମୋ ଆଖି ସାମ୍ନାକୁ ଆସୁଥିଲା ।  ମା', ଭଉଣୀ ଓ ଝିଅମାନଙ୍କର ଅସୀମ ସ୍ନେହର ସେହି  ଜୁଆର, ସେମାନଙ୍କ ଆଶୀର୍ବାଦ... ସେହି ବିଶ୍ୱାସ, ଯାହା  ସେମାନଙ୍କ ଆଖିରେ ମୋ ପାଇଁ ପ୍ରତିଫଳିତ ହୋଇଥିଲା  ... ମୁଁ ସବୁ କିଛି ଅନୁଭବ କରୁଥିଲି । ମୋ ଆଖି ଆର୍ଦ୍ର  ହୋଇଯାଇଥିଲା... ମୁଁ ଶୂନ୍ୟତା ଭିତରକୁ ଯାଉଥିଲି,  ସାଧନାରେ ପ୍ରବେଶ କରୁଥିଲି ।  

ଅଳ୍ପ କିଛି ମୁହୂର୍ତ୍ତରେ ରାଜନୈତିକ ବିବାଦ, ଆକ୍ଷେପ  ଓ ପ୍ରତି-ଆକ୍ଷେପ... ଅଭିଯୋଗର ସ୍ୱର ଓ ଶବ୍ଦ ଶୂନ୍ୟତା  ଭିତରେ ସମାହିତ ହୋଇଯାଇଥିଲା । ମନରେ ଥିବା  ବୈରାଗ୍ୟ ଭାବନା ଆହୁରି ତୀବ୍ର ହୋଇଗଲା... ମୋ ମନ  ବାହ୍ୟଜଗତରୁ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଗଲା । 

ଏତେ ବଡ଼ ଦାୟିତ୍ୱ ମଧ୍ୟରେ ଏଭଳି ସାଧନା  କଷ୍ଟକର, କିନ୍ତୁ କନ୍ୟାକୁମାରୀର ମାଟି ଏବଂ ସ୍ୱାମୀ  ବିବେକାନନ୍ଦଙ୍କ ପ୍ରେରଣା ଏହାକୁ ସହଜ କରିଦେଇଥିଲା ।  ମୁଁ ମଧ୍ୟ ମୋ କାଶୀ ଭୋଟରଙ୍କ ଚରଣରେ ସାଂସଦ ଭାବେ  ମୋର ନିର୍ବାଚନକୁ ଛାଡି ଏଠାକୁ ଆସିଥିଲି । 

 ମୁଁ ଭଗବାନଙ୍କ ନିକଟରେ କୃତଜ୍ଞ ଯେ ସେ ମୋତେ  ଜନ୍ମରୁ ଏହି ସଂସ୍କାର ଦେଇଛନ୍ତି । ମୁଁ ଏହା ମଧ୍ୟ ଭାବୁଥିଲି  ଯେ ସ୍ୱାମୀ ବିବେକାନନ୍ଦଜୀ ସେହି ସ୍ଥାନରେ ତାଙ୍କ ସାଧନା  ସମୟରେ କ'ଣ ଅନୁଭବ କରିଥିବେ! ମୋ ସାଧନାର  କିଛି ଅଂଶ ଏହି ପ୍ରକାର ବିଚାରରେ ପ୍ରବାହିତ ହେଲା ।

ଏହି ବୈରାଗ୍ୟ ମଧ୍ୟରେ, ଶାନ୍ତି ଏବଂ ନିରବତା  ମଧ୍ୟରେ, ମୁଁ ଭାରତର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଭାରତର  ଲକ୍ଷ୍ୟ ପାଇଁ ନିରନ୍ତର ବିଚାରରେ ଡ଼ୁବି ରହିଥିଲି ।  କନ୍ୟାକୁମାରୀର ଉଦୀୟମାନ ସୂର୍ଯ୍ୟ ମୋ ବିଚାରକୁ ନୂତନ  ଉଚ୍ଚତା ଦେଇଥିଲା, ସମୁଦ୍ରର ବିଶାଳତା ମୋ ବିଚାରକୁ  ବିସ୍ତାରିତ କରିଥିଲା, ଆଉ ଦିଗନ୍ତର ବିସ୍ତାର ମୋତେ  ବ୍ରହ୍ମାଣ୍ଡର ଗଭୀରତାରେ ଥିବା ଏକାତ୍ମ ଭାବନା ଏବଂ  ମୁକ୍ତ ବିଚାର ବିଷୟରେ ନିରନ୍ତର ଅନୁଭବ କରାଇଥିଲା ।  ଲାଗୁଥିଲା, ଯେପରି କିଛି ଦଶନ୍ଧି ପୂର୍ବେ ହିମାଳୟ କାଳରେ  କରିଥିବା ଚିନ୍ତନ ଓ ଅନୁଭୂତି ପୁନର୍ଜୀବିତ ହେଉଛି ।  

ସାଥୀମାନେ, କନ୍ୟାକୁମାରୀର ଏହି ସ୍ଥାନ ସବୁବେଳେ ମୋ ମନର  ଅତି ନିକଟତର ରହିଆସିଛି । କନ୍ୟାକୁମାରୀଠାରେ  ବିବେକାନନ୍ଦ ଶିଳା ସ୍ମାରକୀକୁ ଶ୍ରୀ ଏକନାଥ ରାନାଡେଜୀ  ନିର୍ମାଣ କରାଇଥିଲେ । ଏକନାଥଜୀଙ୍କ ସହ ମୋତେ  ଭ୍ରମଣ କରିବାର ଢେର୍‌ ସୁଯୋଗ ମିଳିଥିଲା । ଏହି ସ୍ମାରକୀ  ନିର୍ମାଣ ସମୟରେ କିଛି ସମୟ କନ୍ୟାକୁମାରୀରେ ରହିବା  ଓ ଦର୍ଶନ କରିବା ସ୍ୱାଭାବିକ ଥିଲା ।  

କାଶ୍ମୀରରୁ କନ୍ୟାକୁମାରୀ... ପ୍ରତ୍ୟେକ ଦେଶବାସୀଙ୍କ  ହୃଦୟରେ ଏହା ହେଉଛି ଆମର ସାଧାରଣ ପରିଚୟ ।  ଏହା ହେଉଛି ସେହି ଶକ୍ତିପୀଠ ଯେଉଁଠାରେ ମା' ଶକ୍ତି  କନ୍ୟାକୁମାରୀ ଭାବରେ ଅବତାର ନେଇଥିଲେ । ଏହି  ଦକ୍ଷିଣ ପ୍ରାନ୍ତରେ ମା' ଶକ୍ତି ତପସ୍ୟା କରି ଭାରତର ଉତ୍ତର  ପ୍ରାନ୍ତରେ ହିମାଳୟରେ ବିରାଜମାନ ଭଗବାନ ଶିବଙ୍କୁ  ଅପେକ୍ଷା କରି ରହିଥିଲେ । 

କନ୍ୟାକୁମାରୀ ହେଉଛି ସଙ୍ଗମସ୍ଥଳୀର ଭୂମି । ଆମ  ଦେଶର ପବିତ୍ର ନଦୀଗୁଡ଼ିକ ବିଭିନ୍ନ ସମୁଦ୍ରରେ ମିଶିଥାନ୍ତି  ଏବଂ ଏଠାରେ ସେହି ସମୁଦ୍ରମାନେ ମିଶିଛନ୍ତି । ଏଠାରେ  ଆଉ ଏକ ମହାନ ସମାଗମ ହୋଇଥାଏ - ଭାରତର  ଆଦର୍ଶଗତ ସଙ୍ଗମ!  ବିବେକାନନ୍ଦ ଶିଳା ସ୍ମାରକୀ ସହିତ ସନ୍ଥ  ତିରୁୱଲ୍ଲୁବରଙ୍କର ଏକ ବିଶାଳ ପ୍ରତିମୂର୍ତ୍ତି, ଗାନ୍ଧୀ ମଣ୍ଡପମ୍‌  ଏବଂ କାମରାଜର୍‌ ମଣି ମଣ୍ଡପମ୍‌ ରହିଛି । ମହାନ ବୀରମାନଙ୍କର ବିଚାର ଏଠାରେ ରାଷ୍ଟ୍ର ଚିନ୍ତନର ସଂଗମ ସୃଷ୍ଟି  କରିଥାଏ । ଏହା ଦ୍ୱାରା ରାଷ୍ଟ୍ର ନିର୍ମାଣ ପାଇଁ ମହାନ ପ୍ରେରଣା  ସୃଷ୍ଟି ହୋଇଥାଏ । ଯେଉଁମାନେ ଭାରତ ଓ ରାଷ୍ଟ୍ରର ଏକତା  ଉପରେ ସନ୍ଦେହ କରନ୍ତି, ସେମାନଙ୍କୁ କନ୍ୟାକୁମାରୀର ଏହି  ଭୂମି ଏକତାର ଏକ ଅବିସ୍ମରଣୀୟ ବାର୍ତ୍ତା ଦେଇଥାଏ ।  

କନ୍ୟାକୁମାରୀରେ ଥିବା ସନ୍ଥ ତିରୁୱଲ୍ଲୁବରଙ୍କ  ବିଶାଳ ପ୍ରତିମୂର୍ତ୍ତି ସମୁଦ୍ରରୁ ମା' ଭାରତୀଙ୍କ ବିସ୍ତାରକୁ  ଦେଖୁଥିବା ପ୍ରତୀୟମାନ ହୋଇଥାଏ । ତାଙ୍କ ରଚନା  "ତିରୁକୁରଲ' ତାମିଲ ସାହିତ୍ୟର ରତ୍ନ ସହ ଜଡ଼ିତ  ଏକ ମୁକୁଟ ପରି । ଏଥିରେ ଜୀବନର ପ୍ରତ୍ୟେକ  ଦିଗକୁ ବର୍ଣ୍ଣନା କରାଯାଇଛି, ଯାହା ଆମକୁ ନିଜ ପାଇଁ  ଏବଂ ଦେଶ ପାଇଁ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିବାକୁ  ପ୍ରେରଣା ଦେଇଥାଏ । ଏପରି ଜଣେ ମହାନ ବ୍ୟକ୍ତିତ୍ୱଙ୍କୁ  ଶ୍ରଦ୍ଧାଞ୍ଜଳି ଜଣାଇବା ମଧ୍ୟ ମୋର ବଡ଼ ସୌଭାଗ୍ୟ ।  

ସାଥୀମାନେ,  ସ୍ୱାମୀ ବିବେକାନନ୍ଦ କହିଥିଲେ- ପ୍ରତ୍ୟେକ ରାଷ୍ଟ୍ରର  ଏକ ବାର୍ତ୍ତା ଥାଏ, ପୂରଣ କରିବା ଲାଗି ଏକ ଲକ୍ଷ୍ୟ ଥାଏ,  ପହଞ୍ଚିବା ପାଇଁ ଏକ ଭାଗ୍ୟ ଥାଏ ।  

ହଜାର ହଜାର ବର୍ଷ ଧରି ଭାରତ ଏହି ଭାବନା ସହିତ  ସାର୍ଥକ ଉଦ୍ଦେଶ୍ୟ ନେଇ ଆଗେଇ ଚାଲିଛି । ଭାରତ ହଜାର  ହଜାର ବର୍ଷ ଧରି ବିଭିନ୍ନ ବିଚାରର ଗବେଷଣା କେନ୍ଦ୍ର  ପାଲଟିଛି । ଆମେ ଆର୍ଥିକ କିମ୍ବା ଭୌତିକ ମାନଦଣ୍ଡରେ  ଯାହା ଅର୍ଜନ କରିଥିଲୁ ତାହାକୁ ଆମର ବ୍ୟକ୍ତିଗତ ପୁଞ୍ଜି  କେବେ ବି ଭାବିନାହୁଁ । ସେଥିପାଇଁ "ଇଦଂ ନ ମମ'  ଏହା ଭାରତ ଚରିତ୍ରର ଏକ ପ୍ରାକୃତିକ ଓ ସ୍ୱାଭାବିକ ଅଙ୍ଗ  ପାଲଟିଯାଇଛି ।  

ଭାରତର କଲ୍ୟାଣ ମାଧ୍ୟମରେ ବିଶ୍ୱ କଲ୍ୟାଣ ଏବଂ  ଭାରତର ପ୍ରଗତି ମାଧ୍ୟମରେ ବିଶ୍ୱର ପ୍ରଗତି, ସ୍ୱାଧୀନତା  ଆନ୍ଦୋଳନ ମଧ୍ୟ ଏହାର ଏକ ବଡ଼ ଉଦାହରଣ ।  ୧୯୪୭ ମସିହା ଅଗଷ୍ଟ ୧୫ ତାରିଖରେ ଭାରତ ସ୍ୱାଧୀନ  ହୋଇଥିଲା । ସେତେବେଳେ ପୃଥିବୀର ଅନେକ ଦେଶ ଦାସତ୍ୱରେ ଆବଦ୍ଧ ଥିଲେ । ଭାରତର ସ୍ୱାଧୀନତା ମଧ୍ୟ  ସେହି ଦେଶଗୁଡ଼ିକୁ ପ୍ରେରଣା ଯୋଗାଇଥିଲା ଓ ସୁଦୃଢ଼  କରିଥିଲା, ଫଳରେ ସେମାନେ ସ୍ୱାଧୀନତା ପାଇଥିଲେ ।  ନିକଟରେ କରୋନା ଭଳି କଠିନ ସମୟର ଉଦାହରଣ  ମଧ୍ୟ ଆମ ସମ୍ମୁଖରେ ରହିଛି । ଯେତେବେଳେ ଗରିବ  ଏବଂ ବିକାଶଶୀଳ ଦେଶଗୁଡ଼ିକ ବିଷୟରେ ଆଶଙ୍କା  ପ୍ରକାଶ କରାଯାଉଥିଲା, ଭାରତର ସଫଳ ପ୍ରୟାସ  ସେସବୁ ଦେଶକୁ ଉତ୍ସାହିତ କରିଥିଲା ଏବଂ ସେମାନଙ୍କୁ  ସହଯୋଗ ମଧ୍ୟ ମିଳିଲା ।  

ଆଜି ଭାରତର ଶାସନ ମଡେଲ ବିଶ୍ୱର ଅନେକ  ଦେଶ ପାଇଁ ଉଦାହରଣ ପାଲଟିଛି । ମାତ୍ର ୧୦ ବର୍ଷ  ମଧ୍ୟରେ ୨୫ କୋଟି ଲୋକଙ୍କୁ ଦାରିଦ୍ର‌୍ୟମୁକ୍ତ କରିବା  ଅଭୂତପୂର୍ବ । ଜନହିତକର ସୁଶାସନ, ଆକାଙ୍‌କ୍ଷୀ ଜିଲ୍ଲା,  ଆକାଙ୍‌କ୍ଷୀ ବ୍ଲକ ଭଳି ଅଭିନବ ପରୀକ୍ଷଣ ଆଜି ବିଶ୍ୱରେ  ଚର୍ଚ୍ଚାର ବିଷୟ ପାଲଟିଛି । ଗରିବଙ୍କୁ ସଶକ୍ତ କରିବାଠାରୁ  ଆରମ୍ଭ କରି ଅନ୍ତିମ ସୋପାନରେ ସୁବିଧା ଓ ସେବା  ପହଞ୍ଚାଇବା ପର୍ଯ୍ୟନ୍ତ ଅନ୍ତିମ ପଙ୍‌କ୍ତିରେ ଥିବା ବ୍ୟକ୍ତିଙ୍କୁ  ପ୍ରାଥମିକତା ଦେବା ପାଇଁ ଆମର ପ୍ରୟାସ ବିଶ୍ୱକୁ ପ୍ରେରଣା  ଦେଇଛି । ଆମେ କିପରି ଗରିବମାନଙ୍କୁ ସଶକ୍ତ କରିବା,  ସ୍ୱଚ୍ଛତା ଆଣିବା ଏବଂ ସେମାନଙ୍କୁ ଅଧିକାର ଦେବା ପାଇଁ  ପ୍ରଯୁକ୍ତିର ବ୍ୟବହାର କରିପାରିଛୁ, ବିଶ୍ୱ ପାଇଁ ତାହାର ଏକ  ଶ୍ରେଷ୍ଠ ଉଦାହରଣ ପାଲଟିଛି ଭାରତର ଡିଜିଟାଲ ଇଣ୍ଡିଆ  ଅଭିଯାନ । ଭାରତରେ ଶସ୍ତା ଡାଟା ଗରିବ ଲୋକଙ୍କୁ ସୂଚନା  ଓ ସେବା ମିଳିବା ସୁନିଶ୍ଚିତ କରି ସାମାଜିକ ସମାନତାର  ମାଧ୍ୟମ ପାଲଟିଛି । ସମଗ୍ର ବିଶ୍ୱ ପ୍ରଯୁକ୍ତିବିଦ୍ୟାର ଏହି  ସାର୍ବଜନୀନକରଣକୁ ଗବେଷଣା ଦୃଷ୍ଟିକୋଣରୁ ଦେଖୁଛି  ଏବଂ ବଡ଼ ବଡ଼ ବୈଶ୍ୱିକ ସଂଗଠନମାନେ ଆମ ମଡେଲରୁ  ଶିଖିବା ପାଇଁ ଅନେକ ଦେଶଙ୍କୁ ପରାମର୍ଶ ଦେଉଛନ୍ତି ।  

ଆଜି ଭାରତର ପ୍ରଗତି ଏବଂ ଭାରତର ଉନ୍ନତି କେବଳ  ଭାରତ ପାଇଁ ଏକ ବଡ଼ ସୁଯୋଗ ନୁହେଁ । ସମଗ୍ର ବିଶ୍ୱରେ  ଥିବା ଆମର ସମସ୍ତ ସାଥୀ ଦେଶମାନଙ୍କ ପାଇଁ ମଧ୍ୟ ଏହା  ଏକ ଐତିହାସିକ ଅବସର । ଜି-୨୦ର ସଫଳତା ପରେ  ଭାରତର ଏହି ଭୂମିକାକୁ ବିଶ୍ୱ ଅଧିକ ମୁଖର ହୋଇ  ଗ୍ରହଣ କରୁଛି । ଆଜି ଭାରତ ଗ୍ଲୋବାଲ୍‌ ସାଉଥ୍‌ ବା ଦକ୍ଷିଣ  ବିଶ୍ୱର ଏକ ଶକ୍ତିଶାଳୀ ଏବଂ ଗୁରୁତ୍ୱପୂର୍ଣ୍ଣ ସ୍ୱର ଭାବରେ  ସ୍ୱୀକୃତି ହାସଲ କରିଛି  । ଭାରତର ଉଦ୍ୟମରେ ଆଫ୍ରିକୀୟ  ସଂଘ ଜି-୨୦ ରାଷ୍ଟ୍ର ଗୋଷ୍ଠୀରେ ସାମିଲ ହୋଇଥିଲା ।  ଏହା ସମସ୍ତ ଆଫ୍ରିକୀୟ ଦେଶର ଭବିଷ୍ୟତ ପାଇଁ ଏକ  ଗୁରୁତ୍ୱପୂର୍ଣ୍ଣ ମାଡ଼ ସାବ୍ୟସ୍ତ ହୋଇଛି ।  

ବନ୍ଧୁଗଣ,  ନୂଆ ଭାରତର ଏହି ରୂପ ଆମକୁ ଗର୍ବ ଓ  ଗୌରବରେ ଭରି ଦେଇଥାଏ, କିନ୍ତୁ ଏହା ସହିତ ୧୪୦  କୋଟି ଦେଶବାସୀଙ୍କୁ ନିଜ କର୍ତ୍ତବ୍ୟର ମଧ୍ୟ ଅନୁଭବ  କରାଇଥାଏ । ଏବେ ଗୋଟିଏ ମୁହୂର୍ତ୍ତ ବି ନଷ୍ଟ ନକରି  ଆମକୁ ବଡ଼ ଦାୟିତ୍ୱ ଓ ବଡ଼ ଲକ୍ଷ୍ୟ ଦିଗରେ ପଦକ୍ଷେପ  ନେବାକୁ ପଡ଼ିବ । ଆମର ନୂଆ ସ୍ୱପ୍ନ ଅଛି । ନିଜ ସ୍ୱପ୍ନକୁ  ନିଜ ଜୀବନ ଭାବେ ଗ୍ରହଣ କରନ୍ତୁ ଏବଂ ସେହି ସ୍ୱପ୍ନକୁ  ସାକାର କରିବା ଆରମ୍ଭ କରନ୍ତୁ ।  ଆମକୁ ଭାରତର ବିକାଶକୁ ଏକ ବିଶ୍ୱ ପରିପ୍ରେକ୍ଷୀରେ  ଦେଖିବାକୁ ପଡ଼ିବ ଏବଂ ଏଥିପାଇଁ ଆମେ ଭାରତର  ଅନ୍ତର୍ନିହିତ ସମ୍ଭାବନାକୁ ବୁଝିବା ଜରୁରି  । 

ଆମକୁ  ଭାରତର ଶକ୍ତିକୁ ସ୍ୱୀକାର ଏବଂ ସୁଦୃଢ଼ କରିବାକୁ ପଡ଼ିବ  ଏବଂ ବିଶ୍ୱର ସ୍ୱାର୍ଥ ପାଇଁ ଏହାର ପୂର୍ଣ୍ଣ ଉପଯାଗ କରିବାକୁ  ହେବ । ଆଜିର ବୈଶ୍ୱିକ ପରିସ୍ଥିତିରେ, ଏକ ଯୁବ ରାଷ୍ଟ୍ର  ଭାବରେ ଭାରତର ସାମର୍ଥ୍ୟ ଆମ ପାଇଁ ଏକ ଏପରି  ସୁଖଦ ସଂଯୋଗ, ଯେଉଁଠାରୁ ଆମକୁ ଆଉ ପଛକୁ ଫେରି  ଦେଖିବାକୁ ପଡ଼ିବନାହିଁ ।  

ଏକବିଂଶ ଶତାବ୍ଦୀର ବିଶ୍ୱ ଭାରତକୁ ବହୁତ ଆଶାର  ସହ ଦେଖୁଛି । ଆହୁରି ବିଶ୍ୱ ପରିପ୍ରେକ୍ଷୀରେ ଆଗକୁ  ବଢ଼ିବାକୁ ହେଲେ ଆମକୁ ଅନେକ ପରିବର୍ତ୍ତନ କରିବାକୁ  ପଡ଼ିବ । ସଂସ୍କାରକୁ ନେଇ ଆମର ପାରମ୍ପରିକ ଚିନ୍ତାଧାରା  ମଧ୍ୟ ଆମକୁ ବଦଳାଇବାକୁ ପଡ଼ିବ । ଭାରତ କେବଳ  ସଂସ୍କାରକୁ ଆର୍ଥିକ ପରିବର୍ତ୍ତନରେ ସୀମିତ ରଖିପାରିବ  ନାହିଁ । ଜୀବନର ପ୍ରତ୍ୟେକ କ୍ଷେତ୍ରରେ ସଂସ୍କାର ଦିଗରେ  ଆମକୁ ଆଗକୁ ବଢ଼ିବାକୁ ପଡ଼ିବ । 

ଆମ ସଂସ୍କାର ମଧ୍ୟ  ୨୦୪୭ର ବିକଶିତ ଭାରତ ସଂକଳ୍ପ ସହିତ ସମାନ ହେବା  ଉଚିତ୍‌ ।  ଆମକୁ ଏହା ମଧ୍ୟ ବୁଝିବାକୁ ହେବ ଯେ ସଂସ୍କାର  କେବେ ବି କୌଣସି ଦେଶ ପାଇଁ ଏକ ଭିନ୍ନ ପ୍ରକ୍ରିୟା  ହୋଇପାରିବ ନାହିଁ । ସେଥିପାଇଁ ମୁଁ ଦେଶ ନିମନ୍ତେ  "ସଂସ୍କାର, ପ୍ରଦର୍ଶନ ଏବଂ ରୂପାନ୍ତର'ର ଲକ୍ଷ୍ୟ ରଖିଥିଲି ।  ସଂସ୍କାରର ଦାୟିତ୍ୱ ନେତୃତ୍ୱ ଉପରେ ରହିଛି । ସେହି  ଆଧାରରେ ଆମ ଅମଲାତନ୍ତ୍ର କାର୍ଯ୍ୟ କରିଥାଏ ଏବଂ  ତା'ପରେ ଯେତେବେଳେ ଜନସାଧାରଣ ଏଥିରେ ସାମିଲ  ହୁଅନ୍ତି, ସେତେବେଳେ ଆମେ ପରିବର୍ତ୍ତନ ଘଟୁଥିବା  ଦେଖିଥାଉ ।  

ଭାରତକୁ ଏକ ବିକଶିତ ଭାରତରେ ପରିଣତ  କରିବାକୁ ହେଲେ ଆମକୁ ଶ୍ରେଷ୍ଠତାକୁ ମୌଳିକ ଭାବନା  ରୂପେ ଗ୍ରହଣ କରିବାକୁ ପଡିବ । ଆମକୁ ସ୍ପିଡ୍‌, ସ୍କେଲ୍‌,  ସ୍କୋପ୍‌ ଓ ଷ୍ଟାଣ୍ଡାର୍ଡ ଅର୍ଥାତ୍‌ ଗତି, ବ୍ୟାପକତା, ସେୁଯାଗ  ଓ ମାନ, ଏସବୁ ଦିଗରେ ଦ୍ରୁତ ଗତିରେ କାମ କରିବାକୁ  ପଡ଼ିବ । ଆମକୁ ଉତ୍ପାଦନ ସହିତ ଗୁଣବତ୍ତା ଉପରେ  ଗୁରୁତ୍ୱ ଦେବାକୁ ପଡ଼ିବ, ଆମକୁ ତ୍ରୁଟିଶୂନ୍ୟ-ପ୍ରଭାବଶୂନ୍ୟ  ବା ‘ଜିରୋ ଡିଫେକ୍ଟ-ଜିରୋ ଇଫେକ୍ଟ’ ମନ୍ତ୍ର ଗ୍ରହଣ  କରିବାକୁ ପଡ଼ିବ ।  ସାଥୀମାନେ,  ଆମେ ପ୍ରତି ମୁହୂର୍ତ୍ତରେ ଗର୍ବ କରିବା ଉଚିତ ଯେ  ଭଗବାନ ଆମକୁ ଭାରତ ମାଟିରେ ଜନ୍ମ ଦେଇଛନ୍ତି ।  

ଭାରତର ସେବା କରିବା ଏବଂ ଏହାର ଶିଖର ଯାତ୍ରାରେ  ଆମର ଭୂମିକା ନିର୍ବାହ କରିବାକୁ ଭଗବାନ ଆମକୁ ଚୟନ  କରିଛନ୍ତି ।  ପ୍ରାଚୀନ ମୂଲ୍ୟବୋଧକୁ ଆଧୁନିକ ସ୍ୱରୂପରେ ଗ୍ରହଣ  କରି ଆମକୁ ଆମ ଐତିହ୍ୟକୁ ଆଧୁନିକ ଢଙ୍ଗରେ ପୁନଃ  ପରିଭାଷିତ କରିବାକୁ ପଡ଼ିବ ।  ଏକ ରାଷ୍ଟ୍ର ଭାବରେ ଆମକୁ ପୁରୁଣା ଚିନ୍ତାଧାରା  ଏବଂ ମାନ୍ୟତାକୁ ମଧ୍ୟ ସଂଶୋଧନ କରିବାକୁ ପଡ଼ିବ ।  ସମାଜକୁ ପେସାଦାର ନିରାଶାବାଦୀଙ୍କ ଚାପରୁ ମୁକ୍ତ  କରିବାକୁ ହେବ ।

 ଆମକୁ ମନେ ରଖିବାକୁ ହେବ ଯେ,  ନକାରାତ୍ମକତାରୁ ମୁକ୍ତି ହିଁ ସଫଳତାର ସିଦ୍ଧିରେ ପହଞ୍ଚିବା  ପାଇଁ ପ୍ରଥମ ପୁଞ୍ଜି । ସକାରାତ୍ମକତାର କୋଳରେ ହିଁ  ସଫଳତା ମିଳିଥାଏ ।  ଭାରତର ଅସୀମ ଓ ଅମର ଶକ୍ତି ପ୍ରତି ମୋର ଆସ୍ଥା,  ଶ୍ରଦ୍ଧା ଓ ବିଶ୍ୱାସ ଦିନକୁ ଦିନ ବଢ଼ିବାରେ ଲାଗିଛି । ମୁଁ ଗତ  ୧୦ ବର୍ଷ ମଧ୍ୟରେ ଭାରତର ଏହି ସାମର୍ଥ୍ୟକୁ ଅଧିକ ବୃଦ୍ଧି  ପାଉଥିବା ଦେଖିଛି ଏବଂ ଏହାକୁ ଅଧିକ ଅନୁଭବ କରିଛି ।  

ଆମେ ଯେପରି ବିଂଶ ଶତାବ୍ଦୀର ଚତୁର୍ଥ-ପଞ୍ଚମ  ଦଶନ୍ଧିକୁ ସ୍ୱାଧୀନତା ପାଇଁ ବ୍ୟବହାର କରିଥିଲୁ, ଠିକ୍‌  ସେହିଭଳି ଏକବିଂଶ ଶତାବ୍ଦୀର ଏହି ୨୫ ବର୍ଷରେ ଆମକୁ  ଏକ ବିକଶିତ ଭାରତର ଭିତ୍ତିପ୍ରସ୍ତର ସ୍ଥାପନ କରିବାକୁ  ପଡ଼ିବ । ସ୍ୱାଧୀନତା ସଂଗ୍ରାମ ସମୟରେ ଦେଶବାସୀଙ୍କ  ଆଗରେ ବଳିଦାନର ସମୟ ଆସିଥିଲା । ଆଜି ବଳିଦାନର  ସମୟ ନୁହେଁ ବରଂ ନିରନ୍ତର ଯୋଗଦାନର ସମୟ ।  

ସ୍ୱାମୀ ବିବେକାନନ୍ଦ ୧୮୯୭ରେ କହିଥିଲେ ଯେ  ଆମକୁ ଆଗାମୀ ୫୦ ବର୍ଷ କେବଳ ଦେଶ ପାଇଁ ସମର୍ପିତ  କରିବାକୁ ପଡିବ । ତାଙ୍କ ଆହ୍ୱାନର ଠିକ୍‌ ୫୦ ବର୍ଷ ପରେ  ୧୯୪୭ ମସିହାରେ ଭାରତ ସ୍ୱାଧୀନ ହୋଇଥିଲା ।  ଆଜି ଆମ ପାଖରେ ଏଭଳି ଏକ ସୁବର୍ଣ୍ଣ ସୁଯୋଗ  ରହିଛି । ଆସନ୍ତୁ ଆଗାମୀ ୨୫ ବର୍ଷ କେବଳ ଦେଶ ପାଇଁ  ନିଜକୁ ସମର୍ପିତ କରିବା । ଆମର ଏହି ପ୍ରୟାସ ଆଗାମୀ ପିଢ଼ି  ଏବଂ ଆଗାମୀ ଶତାବ୍ଦୀ ପାଇଁ ନୂତନ ଭାରତର ଏକ ମଜଭୁତ  ଭିତ୍ତିଭୂମି ଭାବରେ ଅମର ହୋଇ ରହିବ । ଦେଶର ଶକ୍ତିକୁ  ଦେଖି ମୁଁ କହିପାରିବି ଯେ ଏହି ଲକ୍ଷ୍ୟ ଅଧିକ ଦୂରରେ ନାହିଁ ।  ଆସନ୍ତୁ ତୁରନ୍ତ ପଦକ୍ଷେପ ନେବା... ଆସନ୍ତୁ ମିଳିମିଶି ଆଗକୁ  ବଢ଼ିବା, ଭାରତକୁ ବିକଶିତ କରିବା ।  

(କନ୍ୟାକୁମାରୀରୁ ଦିଲ୍ଲୀ ବିମାନରେ ଫେରିବା  ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୁନ ୧  ଅପରାହ୍ନ ୪ଟା ୧୫ରୁ ସନ୍ଧ୍ୟା ୭ଟା ମଧ୍ୟରେ ଏହି  ଆଲେଖ୍ୟ ଲେଖିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.