ଭୁବନେଶ୍ୱର, ୦୪/୦୬: ପ୍ରତୀକ୍ଷାରେ ପଡ଼ିଲା ପୂର୍ଣ୍ଣଛେଦ । ଖୋଲିଲା ଇଭିଏମ୍ । ବାହାରିବ ଭାଗ୍ୟ ଫଳ। କିଏ ହେବ ଭୋଟ ଚବିଶର ବିଜେତା? କାହାକୁ ଆଶୀର୍ବାଦ ଢ଼ାଳିଛନ୍ତି ଜନତା । ଏହାର ସ୍ପଷ୍ଟ ଉତ୍ତର ଭୋଟ ଗଣତିରୁ ହେବ । ରାଜ୍ୟର ୧୪୭ ବିଧାନସଭା ଓ ୨୧ ଲୋକସଭାକୁ ମିଳିବେ ନୂଆ ନେତା । କିଏ ୫ ବର୍ଷ ପାଇଁ ସାଜିବେ ସେମାନଙ୍କର ଜନ ପ୍ରତିନିଧି, ତାହା ଚୂଡ଼ାନ୍ତ ହେବ । ରାଜ୍ୟର ୭୦ କେନ୍ଦ୍ରରେ ଭୋଟ ଗଣତି । ସକାଳ ୮ଟାରୁ ପୋଷ୍ଟାଲ ବାଲଟରୁ ଗଣତି ଆରମ୍ଭ ହୋଇଛି। ପରେ ଇଭିଏମ ଗଣତି ଆରମ୍ଭ ହେବ।
ମଙ୍ଗଳବାର ସକାଳ ୬ଟାରେ ଦଳୀୟ ପ୍ରାର୍ଥୀଙ୍କ ଏଜେଣ୍ଟଙ୍କ ଉପସ୍ଥିତିରେ ଷ୍ଟ୍ରଙ୍ଗରୁମରୁ କଡ଼ା ସୁରକ୍ଷା ବଳୟରେ ଗଣତି କେନ୍ଦ୍ରକୁ ଇଭିଏମ୍ ଅଣାଯାଇଥିଲା। ସକାଳ ୮ରୁ ଗଣତି ଆରମ୍ଭ ହୋଇଛି । ପ୍ରଥମ ପୋଷ୍ଟାଲ ବାଲଟ ଗଣତି ପରେ ଇଭିଏମ ଗଣତି କରାଯିବ । ପ୍ରତି ରାଉଣ୍ଡ ଗଣତି ପରେ ବାହାରେ ଥିବା ଡିସପ୍ଳେ ବୋର୍ଡରେ ଗଣତି ସଂପର୍କିତ ସୂଚନା ଦିଆଯିବ । ୧୪୭ ବିଧାନସଭା ମଧ୍ୟରୁ କେବଳ ୮ଟି ବିଧାନସଭାରେ ୩୦ ରାଉଣ୍ଡ ଗଣତି କରାଯିବ । ବଳକା ଆସନଗୁଡ଼ିକରେ ୩୦ରୁ କମ୍ ରାଉଣ୍ଡ ଗଣତି ହେବ । ସୁରୁଖୁରୁରେ ଗଣତି ସାରିିବାକୁ ସବୁ ଗଣତି କେନ୍ଦ୍ରରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।