ଭୁବନେଶ୍ୱର ୧୯/୦୮: ଗଞ୍ଜେଇ । ଗାଁ ଠାରୁ ସହର ସମସ୍ତେ ପରିଚିତ ଏହି ଶବ୍ଦ ସହ । ଦେହର ଶିରାପ୍ରଶିରାକୁ ଏହା ଶିଥିଳ କରିବା ସହ ଫୁସଫୁସ୍କୁ ଧୀରେ ଧୀରେ ଅକାମୀ କରିଥାଏ । ତଥାପି ଏହା ମୋହରେ ପଡ଼ିଛନ୍ତି ଅନେକ । ଏହି ମୋହରୁ ଫାଇଦା ନେଉଛନ୍ତି ମାଫିଆ । ଓଡ଼ିଶାକୁ ସେମାନେ କରିଛନ୍ତି ଗଞ୍ଜେଇର ଉର୍ବର ଚାଷ ଜମି । ଟଙ୍କା ଖଟାଉଛନ୍ତି, ମୁନାଫା କମାଉଛନ୍ତି । ପୁଲିସ, ଅବକାରୀ, ରାଜସ୍ୱ, ଜଙ୍ଗଲ ବିଭାଗ ସହଯୋଗରେ ଚାଲିଛି ଗଞ୍ଜେଇ ଚାଷ ଓ ଚାଲାଣ । ଭାଗବାଣ୍ଟରେ ଉପକୃତ ହେଉଛନ୍ତି ଅନେକ । ଆଉ ଦେଶରେ ବଢ଼ି ଚାଲିଛି ଓଡ଼ିଶା ଉତ୍ପାଦିତ ସ୍ୱତନ୍ତ୍ର ଗଞ୍ଜେଇ "ଶିଳାବତୀ'ର ମହକ । ଏ ସମ୍ପର୍କରେ କିଛି....
ଓଡ଼ିଶା ମ୍ୟାପ୍ରେ ଗଞ୍ଜେଇ ଚାଷ
ଓଡ଼ିଶାରେ ମୁଖ୍ୟତଃ କନ୍ଧମାଳ, ଗଜପତି, ରାୟଗଡ଼ା, ମାଲକାନଗିରି, ବୌଦ୍ଧ, କୋରାପୁଟ ଜିଲ୍ଲାରେ ପ୍ରବଳ ଗଞ୍ଜେଇ ଚାଷ ହେଉଛି । ଅନୁଗୁଳ ଓ ସମ୍ବଲପୁର ଜିଲ୍ଲାରେ ପୂର୍ବରୁ ଏହା ହେଉଥିଲେ ମଧ୍ୟ ଏବେ ପ୍ରାୟ ବନ୍ଦ ରହିଛି । କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆ, ବାଲିଗୁଡ଼ା, ନୂଆଗାଁ ବ୍ଲକରେ ପ୍ରବଳ ଚାଷ ହେଉଥିବା ବେଳେ ଦାରିଙ୍ଗିବାଡ଼ି, ବ୍ରାହ୍ମଣୀଗାଁ, ଜି ଉଦୟଗିରି, ତୁମୁଡ଼ିବନ୍ଧ ସମେତ ଅନ୍ୟାନ୍ୟ ଅଞ୍ଚଳରେ ମଧ୍ୟ ଏହାକୁ ଅନେକ ଚାଷୀ ଆଦରିଛନ୍ତି । ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା, ମାଲକାନଗିରି, କାଲିମେଳା ବ୍ଲକରେ ବିନା ବାଧାରେ ହଜାର ହଜାର ଏକର ଜମିରେ ଏହା ଚାଲିଥିବା ବେଳେ ଅନ୍ୟାନ୍ୟ ଅଞ୍ଚଳରେ ମଧ୍ୟ ହେଉଛି । ସ୍ୱାଭିମାନ ଅଞ୍ଚଳ ଓ ଖଇରପୁଟ ଘାଟିରେ ଖୋଲାଖୋଲି ଚାଷ ଚାଲିଛି । ଗଜପତି ଜିଲ୍ଲାର ମୋହନା, ଉଦୟଗିରି, ନୂଆଗଡ଼, ଆର.ଉଦୟଗିରି, ମୋହନା, ଚନ୍ଦ୍ରଗରି, ଅଡ଼ବା, ଖଜୁରୀପଦାରେ ଗଞ୍ଜେଇ ଚାଷ କୁଟୀର ଶିଳ୍ପରେ ପରିଣତ ହେଲାଣି କହିଲେ ଅତ୍ୟୁକ୍ତି ହେବନାହିଁ । ରାୟଗଡ଼ା ଜିଲ୍ଲାର ପଦ୍ମପୁର,ଅମ୍ବାଦୋଳା, ରାମନାଗୁଡ଼ା, ଚନ୍ଦ୍ରପୁର, ଗୁଡ଼ାରୀ ଥାନାରେ ଏହା ଅଧିକ ହେଉଛି । ବୌଦ୍ଧ ଜିଲ୍ଲାର ବୌଦ୍ଧ ଓ କଣ୍ଟାମାଳ ବ୍ଲକ ଅଞ୍ଚଳରେ ଏହା ପ୍ରବଳ ହେଉଥିବା ବେଳେ ଅନ୍ୟ ଅଞ୍ଚଳରେ ମଧ୍ୟ ବ୍ୟାପିଛି । କୋରାପୁଟ ଜିଲ୍ଲାର ନନ୍ଦପୁର, କୁନ୍ଦୁଲି, ପଟ୍ଟାଙ୍ଗୀ ଏବଂ ଲମତାପୁଟ ଅଞ୍ଚଳରେ ଏହା ହେଉଛି । ଅନୁଗୁଳ ଜିଲ୍ଲାର ଛେଣ୍ଡିପଦା, କଣଲୋଇ, ମାରୁଢ଼ିପ ଆଦି ଅଞ୍ଚଳରେ ପୂର୍ବରୁ ହେଉଥିଲା, ଏବେ ପ୍ରାୟ ବନ୍ଦ ରହିଛି । କେଇ ମାସ ତଳେ ପୁରୀ ଜିଲ୍ଲାରେ ଏବଂ ମୟୁରଭଞ୍ଜ ଜିଲ୍ଲାର ଶିମିଳିପାଳ ପାଦଦେଶରେ ହୋଇଥିବା ଗଞ୍ଜେଇ ଚାଷକୁ ମଧ୍ୟ ନଷ୍ଟ କରାଯାଇଥିଲା
ହାଇବ୍ରିଡ ମଞ୍ଜିକୁ ଧାଡ଼ିରୁଆ
ଗଞ୍ଜେଇ ବୋଲି ଯେ ଯାହିତାହି ଚାଷ ହେବ, ତା’ ନୁହେଁ, ମନଧ୍ୟାନ ଦେଇ ଚାଷ କରାଯିବ । ଅକ୍ଷିତୃତୀୟା ପରେ ବର୍ଷା ଦେଖି ଜମିକୁ ପ୍ରଥମେ ଗୋବଳେଇବେ (ମୁନିଆ କାଠବାଡ଼ିକୁ ଲଙ୍ଗଳ ସଦୃଶ କରାଯାଇ ସେଥିରେ ମାଟିକୁ ଖୋଳାଯାଏ) । ସାଇତି ରଖାଯାଇଥିବା କିମ୍ବା ରାଜ୍ୟ ବାହାର ମାଫିଆ ଯୋଗାଇ ଦେଉଥିବା ହାଇବ୍ରିଡ ମଞ୍ଜି ବୁଣାଯାଏ । ବର୍ଷାକୁ ଅପେକ୍ଷା । ନଚେତ ଜମିକୁ ଯଥେଷ୍ଟ ଜଳସେଚନ କରାଯାଏ । ତଳି ଉଠିବା ପରେ ଜମିରେ କିଛି ଛାଡ଼ି ବଳକା ତଳି ଓପାଡ଼ି ଭିନ୍ନ ଭିନ୍ନ ଜମିରେ ଧାଡ଼ି ରୁଆ କରାଯାଏ । ଦୁଇ ଫୁଟ ତଫାତରେ ଗୋଟିଏ ଗୋଟିଏ ମନ୍ଦାରେ ୬ ରୁ ୭ ଗଛ ରହେ । ଧାଡ଼ି ରୁଆରେ ପାଣି ମଡ଼ାଇବାକୁ ନାଳ ରୁହେ । ଗଛ ହୃଷ୍ଟପୃଷ୍ଟ ଓ ଶୀଘ୍ର ବଢ଼ିବା ପାଇଁ ୟୁରିଆ, ଗ୍ରୋମୋର ସାର ସହ ଗୋବର ଖତ କିମ୍ବା ଛେଳି ଖତ ଦିଆଯାଏ । ୫ ରୁ ୭ ଫୁଟ ଉଚ୍ଚ ହେବା ପରେ ପତ୍ର ହଳଦିଆ ହେବା ଆରମ୍ଭ କରେ ଏବଂ ଆରମ୍ଭ ହୁଏ ଗଛକଟା । ପୂର୍ବରୁ ମଜୁରି ଦେଇ ଗଛ କଟାଯାଉଥିବା ବେଳେ ଏବେ ଅନେକ ସ୍ଥାନରେ ମେସିନରେ ଗଛ କଟା ଚାଲିଛି।
ବାହାର ବେପାରୀଙ୍କ ନିବେଶ, ବିପୁଳ ଲାଭ
ରାଜ୍ୟରେ ଚାଲଥିବା ଗଞ୍ଜେଇ ଚାଷ କଟକ, ଭୁବନେଶ୍ୱର, ବ୍ରହ୍ମପୁର, ସମ୍ବଲପୁର, ବଲାଙ୍ଗିର, ବ୍ରହ୍ମପୁର ଓ ନୟାଗଡ଼ ଆଦି ଅଞ୍ଚଳର କେତେକ ମାଫିଆ ତଥା ରାଜ୍ୟ ବାହାର ମାଫିଆଙ୍କ ଅର୍ଥରେ ପରିଚାଳିତ ହେଉଛି । ଚାଷୀଙ୍କୁ ସେମାନେ ପ୍ରଥମେ ଏକର ପିଛା ୧୦ ହଜାର ଟଙ୍କା ସହ ଆବଶ୍ୟକ ଥିଲେ ପାଣି ମଡ଼ାଇବାକୁ ପମ୍ପ ଯୋଗାଇ ଦେଉଛନ୍ତି । ଏହାପରେ ପର୍ଯ୍ୟାୟକ୍ରମେ ସାର ଓ ଖତ ପାଇଁ ପଇସା ଏବଂ ଅମଳ ପରେ କିଲୋ ପିଛା ମୁନାଫା ଦେଉଛନ୍ତି । ମାଫିଆ ଓ ଚାଷୀମାନଙ୍କ ମଧ୍ୟରେ କେବେହେଲେ ସିଧାସଳଖ ଯୋଗାଯୋଗ ନଥାଏ । କେତେକ ଦଲାଲ ବା ମଧ୍ୟସି୍ଥଙ୍କ ଜରିଆରେ ଏହା ହୋଇଥାଏ । ତେଣୁ କାହା ଟଙ୍କାରେ ଚାଷ ହେଉଛି ତାହା ଚାଷୀ ଜାଣିପାରେନାହିଁ । ଗୁରୁତ୍ୱପୂର୍ଣ୍ଣ କଥା ଏହା ଯେ, ଏହି କାରବାରରେ କୌଣସି ପ୍ରକାର ଅନ୍ଲାଇନ କାରବାର ହୁଏନାହିଁ । ସବୁକିଛି ନଗଦ ଆକାରରେ ପଇଠ କରାଯାଏ । ଗୋଟିଏ ବର୍ଷର ଅମଳ ପରେ ଆସନ୍ତା ବର୍ଷ ପାଇଁ ଅଗ୍ରୀମ ଅର୍ଥ ମଧ୍ୟ ଚାଷୀଙ୍କୁ ଦିଆଯାଉଛି । ଉତ୍ପାଦିତ ଗଞ୍ଜେଇ କ୍ରୟ କରିନେବାକୁ ବେପାରୀମାନେ ଚାଷୀଙ୍କୁ ଗ୍ୟାରେଣ୍ଟି ଦେଇଥାନ୍ତି । କେବଳ ଟ୍ରାନ୍ସପୋର୍ଟ ପଏଣ୍ଟ ପାଖରେ ସେମାନଙ୍କୁ ଗଞ୍ଜେଇ ପ୍ୟାକେଟ ପହଞ୍ଚାଇବାକୁ ପଡ଼ିଥାଏ । ଗୋଟିଏ ଏକର ଜମିରେ ଅଢ଼େଇରୁ ୩ କ୍ୱିଣ୍ଟାଲ ଗଞ୍ଜେଇ ଅମଳ କରାଯାଉଛି । କିନ୍ତୁ ଖର୍ଚ୍ଚ ଅତିବେଶୀରେ ୫୦ ହଜାର ଟଙ୍କା ଭିତରେ ସୀମିତ ରହିଥାଏ । ଗଞ୍ଜେଇ ଅମଳ ପରେ ଅତି କମ୍ରେ କିଲୋ ପିଛା ହଜାରେ ଟଙ୍କାରେ ବିକ୍ରି କରାଯାଏ । ଭଲ କ୍ୱାଲିଟିର ହୋଇଥିଲେ ଦେଢ଼ରୁ ଅଢ଼େଇ ହଜାର ଟଙ୍କା ମଧ୍ୟ ହୋଇଥାଏ । ଅଫ୍ ସିଜନ (ବର୍ଷା ଋତୁ)ରେ କିଲୋ ୪ରୁ ୫ ହଜାର ଟଙ୍କା ଛୁଇଁଥାଏ । ଚାଷୀ ଯାହା ଦର କହିଲେ ବେପାରୀ ଦେବାକୁ ରାଜି ହୋଇଯାଆନ୍ତି, କାରଣ ଥରେ ଗଞ୍ଜେଇ ଓଡ଼ିଶା ବାହାରକୁ ଚାଲିଗଲେ ଏହାର ଦର ଦଶଗୁଣା ହୋଇଯାଉଛି । କେରଳ, ପଞ୍ଜାବ, ଆସାମ, ବିହାର, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ହରିଆନା, ତାମିଲନାଡ଼ୁରୁ ଅନେକ ମାଫିଆ ଫେବୃଆରୀ/ମାର୍ଚ୍ଚରେ ଆସି ମଧ୍ୟସ୍ଥିଙ୍କୁ ଅଗ୍ରୀମ ଦେଇଯିବା ସହ ପୁଣି ନଭେମ୍ବର ବେଳକୁ ଆସି କେତେ ଉତ୍ପାଦନ ହୋଇଛି ଏବଂ କେଉଁ ରାଜ୍ୟକୁ କେଉଁବାଟେ ତାହା ଚାଲାଣ ହେବ ବ୍ଲୁପ୍ରିଣ୍ଟ କରନ୍ତି ।
‘ବ୍ୟାଙ୍ଗ୍’ ଚକୋଲେଟରୁ ‘ଚାରମିନାର ଗୋଲ୍ଡ ମୁନାକା’
ବାଙ୍ଗାଲୋର ଓ ମାଙ୍ଗାଲୋରରେ ଛୋଟ ଛୋଟ ପିଲାମାନେ ବଜାରରେ ମିଳୁଥିବା ‘ବ୍ୟାଙ୍ଗ’ ଚକୋଲେଟ ଖାଇବାକୁ ଭଲ ପାଉଥିଲେ । ତେବେ ଏହା ଖାଇବାକୁ ସେମାନେ ଜିଦ୍ ଧରିବାରୁ ଏବଂ ସେମାନଙ୍କ ଆଚରଣରେ ପରିବର୍ତ୍ତନ ଆସିବାରୁ ଅଭିଭାବକ ମାନେ ସନ୍ଦେହ କରି ପୁଲିସକୁ ଜଣାଇଥିଲେ । ପୁଲିସ ଚକୋଲେଟକୁ ଲ୍ୟାବ୍କୁ ପଠାଇବାକୁ ଜଣାପଡ଼ିଥିଲା ଏହା ଏକ ପ୍ରକାର ଗଞ୍ଜେଇ ଚକୋଲେଟ ।
ସେହିପରି ଆନ୍ଧ୍ର ଓ ତେଲଙ୍ଗାନାର ଅନେକ ବଡ଼ ସହରରେ ‘ଚାରମିନାର ଗାଲ୍ଡ ମୁନାକା’ ନାମରେ ମିଳୁଥିବା ଚକୋଲେଟକୁ ପରୀକ୍ଷା କରିବାରୁ ଏହା ଗଞ୍ଜେଇ ଚକୋଲେଟ ବୋଲି ଜଣାପଡ଼ିଛି । ଓଡ଼ିଶାରୁ ଯାଉଥିବା ଗଞ୍ଜେଇକୁ ବିହାର, ମଧ୍ୟପ୍ରଦେଶ ଓ ଉତ୍ତର ପ୍ରଦେଶର କେତେକ ଫାର୍ମା କମ୍ପାନି ଚକୋଲେଟରେ ବିଶାଇ ପୁଣି ଓଡ଼ିଶା, ଆନ୍ଧ୍ର, ତେଲଙ୍ଗାନା, ତାମିଲନାଡ଼ୁ ଓ କର୍ଣ୍ଣାଟକକୁ ପଠାଉଛନ୍ତି । ଟଫି ଓ ଚକୋଲେଟରେ ଗଞ୍ଜେଇ ଏବଂ କିଛି ଆୟୁର୍ବେଦିକ ଔଷଧ ମିଶାଇ ଏହି ଚକୋଲେଟ ପ୍ରସ୍ତୁତ କରାଯାଉଛି । ଏଥିରେ ୨୦ ପ୍ରତିଶତରୁ ଅଧିକ ଟେଟ୍ରାହାଇଡ୍ରୋକାନାବିନୋଲ (ଟିଏଚସି) ମିଶୁଛି । ପ୍ରକୃତରେ ଗଞ୍ଜେଇ ଗଛର ପତ୍ର ଓ ଫୁଲରେ ଟିଏଚସି ଥାଏ । ଏହାକୁ .୩ ଧ କେତେକ ଔଷଧରେ ବ୍ୟବହାର କରାଯାଇଥାଏ । ଏହା ଆଇନାନୁମୋଦିତ । କିନ୍ତୁ ଉତ୍ତର ପ୍ରଦେଶର କେତେକ ଫାର୍ମା କମ୍ପାନି ଚକୋଲେଟରେ ୨୦% ଟିଏଚସି ମିଶାଇ ଗଞ୍ଜେଇ ଚକୋଲେଟ ପ୍ରସ୍ତୁତ କରୁଛନ୍ତି । ତେଲଙ୍ଗାନାରେ ଚକୋଲେଟ ଜବତ ହେବା ପରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ପକ୍ଷରୁ ନିକଟରେ ଉତ୍ତର ପ୍ରଦେଶର ବିଭିନ୍ନ ଫାର୍ମା କମ୍ପାନିରେ ଚଢ଼ାଉ ମଧ୍ୟ କରାଯାଇଥିଲା । ୭ଟି କମ୍ପାନିକୁ ତେଲଙ୍ଗାନା ଷ୍ଟେଟ ଆଣ୍ଟି ନାର୍କୋଟିକ୍ସ ବ୍ୟୁରୋ (ଟିଜିଏନଏବି) ପକ୍ଷରୁ ନୋଟିସ୍ କରାଯାଇଛି । ‘ଚାରମିନାର ଗୋଲ୍ଡ ମୁନାକା’ ନାମରେ ଏକ ପ୍ୟାକେଟରେ ମିଳୁଥିବା ଗଞ୍ଜା ଚକୋଲେଟ ଗୋଟା ୨୦ ଟଙ୍କା ଦରରେ ବିକ୍ରି ହେଉଛି । କେତେକ ସ୍ଥାନରେ ଏହି ଚକୋଲେଟ ୫୦ ଟଙ୍କା ଗୋଟା ମଧ୍ୟ ବିକ୍ରି ହେଉଛି । ୫ ଗ୍ରାମର ଏକ ଚକୋଲେଟରେ ୧୪% ଗଞ୍ଜେଇ ରହୁଥିବା ଜଣାପଡ଼ିଛି । ଚକୋଲେଟ୍ ପରେ ଏବେ ବଜାରକୁ ଆସିଛି ଗଞ୍ଜେଇ ପାଉଡର । ଏହାର ଦର କିଲୋ ପିଛା ୨୫୦୦ ଟଙ୍କାରୁ ୩୫୦୦ ଟଙ୍କା । ଏହି ପାଉଡରରେ ମିଲ୍କସେକ୍ ପ୍ରସ୍ତୁତ କରି ବିକ୍ରି କରାଯାଉଛି ।
ସାଟେଲାଇଟ୍ ଓ ଡ୍ରୋନ୍ କେଉଁ କାମକୁ?
ଗଞ୍ଜେଇ ଚାଷକୁ ରୋକିବା ଲାଗି ଆନ୍ଧ୍ର ଓ ତେଲଙ୍ଗାନାରେ ସରକାର କେଉଁଭଳି ପଦକ୍ଷେପ ନେଉଛନ୍ତି ତାହା ଓଡ଼ିଶାରେ ନାହିଁ । ଯେହେତୁ ସମ୍ପୂର୍ଣ୍ଣ ଭାବେ ସରକାରୀ ଓ ଜଙ୍ଗଲ ଜମିରେ ଏହା ଚାଷ କରାଯାଉଛି, ତେଣୁ ରାଜସ୍ୱ ଓ ଜଙ୍ଗଲ ବିଭାଗର ଭୂମିକା ଗୁରୁତ୍ୱପୂର୍ଣ୍ଣ । କିନ୍ତୁ ତହସିଲଦାର, ଆରଆଇ, ଡିଏଫଓ ଓ ରେଞ୍ଜର ମାନେ ଗଞ୍ଜେଇ ଚାଷକୁ ଦେଖି ଅଣଦେଖା କରିଥାନ୍ତି । କ୍ଷମତାର ଅଭାବ କିମ୍ବା ଲୋକବଳର ଅଭାବ ସେମାନଙ୍କ ପାଇଁ ବାଧକ ହେଉଛି । ଅପରପକ୍ଷରେ ପୁଲିସ ଓ ଅବକାରୀ ବିଭାଗ ସହ ମାଫିଆମାନଙ୍କ ବୁଝାମଣା ହିଁ ଏହି ଚାଷକୁ ବଢ଼ାଉଛି ବୋଲି କୁହନ୍ତି ଗଜପତି ଜିଲ୍ଲାର ଜଣେ ସମାଜସେବୀ । ଗତ ଏପ୍ରିଲ ମାସରେ କର୍ଣ୍ଣାଟକ ମହୀଶୂରର ବାସିନ୍ଦା ଲୋହିତ ଆର୍ଥର ସଦାଶିବଙ୍କୁ ମାଲକାନଗିରି ପୁଲିସ ଗଞ୍ଜେଇ ଚାଷ କରୁଥିବା ଅଭିଯୋଗରେ ଗିରଫ କରିଥିଲା । ରାଜ୍ୟରେ ଏହା ପ୍ରଥମ ଘଟଣା । ପେସାରେ ଆଇଟି ଇଞ୍ଜିନିୟର ଥିବା ଲୋହିତ କାଲିମେଳାର କୁରମାନୁର ଜଙ୍ଗଲରେ ବିଗତ ତିନି ବର୍ଷ ଧରି ଅତ୍ୟାଧୁନିକ ପଦ୍ଧତିରେ ଗଞ୍ଜେଇ ଚାଷ କରୁଥିଲେ । ମାଲକାନଗିରି ପୁଲିସର ଏକ ଟିମ୍ ମହୀଶୂର ଗସ୍ତ କରି ତାକୁ ଗିରଫ କରିଥିଲେ । ସେ ଗଞ୍ଜେଇ ଉତ୍ପାଦନ କରି ବିଭିନ୍ନ ରାଜ୍ୟକୁ ଚାଲାଣ କରୁଥିଲା । ଗଞ୍ଜେଇ ଚାଷ ଠାବ କରିବାକୁ ଆଜିକାଲି ସାଟେଲାଇଟ ଓ ଡ୍ରୋନ୍ର ସୁବିଧା ଥାଇ ମଧ୍ୟ ଓଡ଼ିଶାର ସରକାରୀ କଳ ତାହାର ଉପଯୋଗ କରିବାରେ ବିଫଳ ହେଉଥିବା କୁହନ୍ତି ତେଲଙ୍ଗାନାର ଜଣେ ବରିଷ୍ଠ ପୁଲିସ ଅଫିସର । ଏନସିବି ଜରିଆରେ ଆଡଭାନ୍ସଡ ଡାଟା ପ୍ରୋସେସିଂ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ (ଏଡିଆରଆଇଏନ୍) ଏବଂ ଭାସ୍କରାଚାର୍ଯ୍ୟ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଫର ସ୍ପେସ ଆପ୍ଲିକେସନ୍ସ ଆଣ୍ଡ ଜିଓ-ଇନଫର୍ମେଟିକ୍ସ (ବିଆଇଏସଏଜି-ଏନ) ଏହି ସାଟେଲାଇଟ ଇମେଜ ପଠାଉଛି । ତାହା ସହାୟତାରେ ଯେକୌଣସି ସ୍ଥାନରେ ହେଉଥିବା ଗଞ୍ଜେଇ ଚାଷକୁ ଠାବ କରି ହେବ।
ବଢ଼ୁଛି ଚାଷ, ଜମୁଛି ଚାଲାଣ
ରାଜ୍ୟ ସରକାରଙ୍କ ତଥ୍ୟ ଅନୁସାରେ ୨୦୧୮-୧୯ରେ ୭୮୪୪ କିହଲୋ ଗଞ୍ଜେଇ ଜବତ ହୋଇଥିବା ବେଳେ ୨୦୧୯-୨୦ରେ ୮୫୨୬ କିଲୋ,୨୦୨୦- ୨୧ରେ ୧୭ ହଜାର ୨୧ କିଲୋ, ୨୦୨୧-୨୨ରେ ୩୦ ହଜାର ୧୩୬ କିଲୋ ଏବଂ ୨୦୨୨-୨୩ରେ ୪୧ ହଜାର ୩୩୦ କିଲୋ ଗଞ୍ଜେଇ ପୁଲିସ ଓ ଅବକାରୀ ବିଭାଗ ଜବତ କରିଥିଲା । ସେହିପରି ୨୦୨୦-୨୧ରେ ୩ କୋଟି ୨୫ ଲକ୍ଷ ୩ ହଜାର ୬୬୪ ଗଞ୍ଜେଇ ଗଛ ନଷ୍ଟ କରାଯାଇଥିବା ବେଳେ ୨୦୨୩-୨୪ରେ କେବଳ ଜାନୁଆରୀ ମାସ ସୁଦ୍ଧା ୪ କୋଟି ୩୦ ଲକ୍ଷ ୯ ହଜାର ୩୧୨ ଗଛ ନଷ୍ଟ କରାଯାଇଥିଲା । ଏଥିରୁ ସ୍ପଷ୍ଟ ଚାଷ ବି ବଢ଼ୁଛି ଏବଂ ଚାଲାଣ ବି ବଢ଼ୁଛି ।
ଫଳ, ପରିବା ଟ୍ରକ, ଆମ୍ବୁଲାନ୍ସ ମାଧ୍ୟମ
ଉପରୋକ୍ତ ଜିଲ୍ଲା ଗୁଡ଼ିକରୁ ପନିପରିବା ସହ ପଣଷ, ସପୁରୀ, ଆମ୍ବ, ସୀତାଫଳ ସହ ଅନ୍ୟାନ୍ୟ ଫଳ ବିଭିନ୍ନ ଜିଲ୍ଲା ଓ ରାଜ୍ୟ ବାହାରକୁ ମଧ୍ୟ ଯାଇଥାଏ । ସେସବୁ ଗାଡ଼ିର ଡ୍ରାଇଭର କିମ୍ବା ଟ୍ରାନ୍ସପୋର୍ଟର ମାନଙ୍କୁ ହାତ କରି ଏହା ଭିତରେ ଗଞ୍ଜେଇ ପ୍ୟାକେଟ ପଠାଯାଉଛି । ଏପରିକି ଆମ୍ବୁଲାନ୍ସକୁ ମଧ୍ୟ ମାଫିଆ ମାନେ ବାଦ୍ ଦେଉନାହାନ୍ତି । କେତେକ ମାଫିଆ ଗଞ୍ଜେଇ ପରିବହନ ପାଇଁ ହାଇୱାର ଡାଲାକୁ ସ୍ୱତନ୍ତ୍ର ଭାବେ ନିର୍ମାଣ କରୁଛନ୍ତି । ନିକଟରେ ଓଡ଼ିଶାରୁ ଯାଇଥିବା ଏକ ଗଞ୍ଜେଇ ଟ୍ରକ ଉତ୍ତରାଖଣ୍ଡରେ ଧରାପଡ଼ିଥିଲା । ଏଥିରେ ଡାଲା ତଳେ ଗୁପ୍ତ ଡାଲା ଥିଲା, ଯାହାକି ରିମୋଟ୍ କଣ୍ଟ୍ରୋଲରେ ହିଁ ଖୋଲୁଥିଲ।
ବିଭିନ୍ନ ଜିଲ୍ଲାରୁ ଯାଉଛି ଖତ, ସାର
ଗଞ୍ଜେଇ ଗଛକୁ ହୃଷ୍ଟପୃଷ୍ଟ କରିବାକୁ ଏବଂ କିପରି ଅଧିକ ଭଲ ଫୁଲ ଓ କଲି ହେବ ସେଥିପାଇଁ ଚାଷୀ ତତ୍ପର । ତେଣୁ କନ୍ଧମାଳ, ବୌଦ୍ଧ ଓ ଗଜପତି ଜିଲ୍ଲାକୁ ଅନ୍ୟାନ୍ୟ ଜିଲ୍ଲାରୁ ଗୋବର ଖତ, ଛେଳି ଖତ ଓ ସାର ଯାଉଛି । କନ୍ଧମାଳ ଜିଲ୍ଲାର ଜଣେ ଚାଷୀଙ୍କ ମତରେ ପୂର୍ବରୁ କେବଳ ପାଣି ମଡ଼ାଇ ଚାଷ ହେଉଥିଲା । ଏବେ ଯଥେଷ୍ଟ ସାର ଓ ଖତ ପକାଯାଉଛି । ପ୍ରତି ବର୍ଷ ବଲାଙ୍ଗିର ଜିଲ୍ଲାରୁ ଗୋବର ଖତ କନ୍ଧମାଳ ଜିଲ୍ଲାକୁ ବୁହାଯାଉଛି । ରାୟଗଡ଼ା ଜିଲ୍ଲାରେ ଧାନ, କପା, ହରଡ଼ ଓ ମାଣ୍ଡିଆ ପାଇଁ ଆସୁଥିବା ସାରକୁ ମାଫିଆଙ୍କ ପ୍ରଦତ୍ତ ଅର୍ଥରେ ଅଧିକ ଟଙ୍କାରେ ଚାଷୀ କିଣି ନେଉଛନ୍ତି ।
ମାଓବାଦୀଙ୍କ ଭୂମିକା ହ୍ରାସ
ପୂର୍ବରୁ ରାଜ୍ୟରେ କେବଳ ମାଓ ଉପଦ୍ରୁତ ଅଞ୍ଚଳରେ ଗଞ୍ଜେଇ ଚାଷ ହେଉଥିଲା । ମାଓବାଦୀ ଚାଷୀ ଓ ବେପାରୀ ଉଭୟଙ୍କ ଠାରୁ ଲେଭି ହ୍ରାସ କରୁଥିଲେ ବୋଲି କୁହନ୍ତି ମାଲକାନଗିରିର ଜଣେ ପୁଲିସ ଅଫିସର । ଏପରିକି କିପରି ସାଟେଲାଇଟ ନଜରରୁ ବର୍ତ୍ତିବେ ସେଥଇପାଇଁ ବଡ଼ ଗଛ ଘେରରେ ଚାଷ କରିବାକୁ ପରାମର୍ଶ ଦେଇଥାନ୍ତି । କିନ୍ତୁ ଏବେ ଗଞ୍ଜେଇ ଚାଷ ଉପରୁ ସେମାନେ ନିୟନ୍ତ୍ରଣ ହରାଇଛନ୍ତି ଏବଂ ରାଜ୍ୟର ବାହାରର ବଡ଼ ବଡ଼ ମାଫିଆ ଏହାକୁ କବ୍ଜା କରିନେଇଥିବା ଦେଖିବାକୁ ମିଳୁଛି।
କେଇ ଘଣ୍ଟାରେ ମିଳୁଛି ହଜାର ହଜାର
ମାଫିଆ ଓ ଚାଷୀ ମାନେ ଗଞ୍ଜେଇ ଚାଲାଣରେ ମୁଖ୍ୟତଃ ଆଦିବାସୀ ଅଞ୍ଚଳରେ କାଉଡ଼ିଆ (ଭାରୁଆ) ଏବଂ ଅନ୍ୟ ଅଞ୍ଚଳରେ ବେକାର ଯୁବକମାନଙ୍କୁ ମାଧ୍ୟମ କରୁଛନ୍ତି । ସେମାନେ ନିର୍ଦ୍ଦିଷ୍ଟ ସ୍ଥାନରୁ ଗଞ୍ଜେଇ ପ୍ୟାକେଟ ନେଇ ଟ୍ରାନ୍ସପୋର୍ଟ ପଏଣ୍ଟରେ କେଇ ଘଣ୍ଟାରେ ପହଞ୍ଚାଇବାକୁ ମୋଟା ଅଙ୍କର ଅର୍ଥ ପାଇଥାନ୍ତି । ବୌଦ୍ଧ ଜିଲ୍ଲାରେ ୩୩ କିଲୋର ଏକ ବଣ୍ଡଲକୁ ନେଇ ପହଞ୍ଚାଇବାକୁ ୩ ହଜାର ଟଙ୍କା ମିଳିଥାଏ । ମହାନଦୀ, ତେଲନଦୀରେ ଗଞ୍ଜେଇ ପ୍ୟାକେଟ ପାରି କରିବାକୁ ନାଉରିଆ ମାନଙ୍କୁ ବି ଭଲ ପଇସା ଦିଆଯାଏ ।
ମାଲକାନଗିରିରେ କାଉଡ଼ିଆମାନଙ୍କୁ ସ୍ୱତନ୍ତ୍ର ଭାବେ ନିୟୋଜିତ କରାଯାଏ । କନ୍ଧମାଳ ଜିଲ୍ଲାରେ ଗଞ୍ଜେଇ ପରିବହନ ପାଇଁ ଅନେକ ଯୁବକ ସ୍ପିଡ୍ ବାଇକ ବ୍ୟବହାର କରିଥାନ୍ତି । ଜିଲ୍ଲାର କେତେକ ଅଞ୍ଚଳରେ ରୋଜଗାର ନ ଥାଇ ମଧ୍ୟ ଅନେକ ଯୁବକଙ୍କ ପାଖରେ ଦାମୀଦାମୀ ବାଇକ୍ ଦେଖିବାକୁ ମିଳୁଛି । ସେମାନେ ସ୍ଥାନୀୟ ଅଞ୍ଚଳର ଗଳି କନ୍ଦି, ଜଙ୍ଗଲ ରାସ୍ତା ସହ ପରିଚିତ ହୋଇଥିବାରୁ ଅକ୍ଳେଶରେ କାର୍ କିମ୍ବା ବାଇକରେ ପ୍ୟାକେଟ ନେଇ ନିର୍ଦ୍ଧାରିତ ସ୍ଥାନରେ ପହଞ୍ଚାଇ ମାତ୍ର କେଇ ଘଣ୍ଟାରେ ଭଲ ପଇସା ହାତେଇଥାନ୍ତି । ନିକଟରେ ଜଣେ ଯୁବକ ଗିରଫ ହେବା ପରେ ମାଫିଆଙ୍କ ଏହି ପନ୍ଥା ପଦାକୁ ଆସିଛି।
ଗୁଡ଼ ଗୋଳାଯାଏ, ଟ୍ୟୁବରେ ରଖାଯାଏ
ଗଞ୍ଜେଇ ଗଛ ଶୁଖିବା ପରେ ସେଥିରୁ ପତ୍ର, କଲି ଓ ମଞ୍ଜି ସଂଗ୍ରହ କରାଯାଏ । ବିଶେଷ କରି କଲି ହିଁ ଏକ ନମ୍ବର ଗଞ୍ଜେଇ ଭାବେ ଗଣ୍ୟ ହୁଏ । ଏହାପରେ ଗୁଡ଼ରେ ଗୋଳାଇ ଏହାକୁ ପାଗ କରାଯାଏ । ସମତଳ ସ୍ଥାନରେ ଖରାରେ ଶୁଖାଯାଏ । ଗୁଡ଼ରେ ଚାପି ହୋଇ ଅଧିକରୁ ଅଧିକ କଲି ଅଳ୍ପ ସ୍ଥାନରେ ଭର୍ତ୍ତି ହୋଇପାରିବ । ଆଉ କେତେକ ଚାଷୀ ସାଇକେଲ, ବାଇକ, ଟ୍ରକ ଚକାର ଟ୍ୟୁବରେ ସାଇଜ କରି କଲି ଓ ପତ୍ରକୁ ଭର୍ତ୍ତି କରି କିଛି ଦିନ ପାଇଁ ଚାପି ରଖନ୍ତି । ଯେପରି ପରିବହନ ସମୟରେ ତାହା ସ୍ୱଳ୍ପ ସ୍ଥାନ ନେବ । ପରେ ତାକୁ କାଢ଼ି ଇଟା ଆକୃତିର କରି ପ୍ୟାକ୍ କରାଯାଏ । ଏହାପରେ ତାକୁ ଜଙ୍ଗଲ ମଧ୍ୟରେ ପରିତ୍ୟକ୍ତ ଘର କିମ୍ବା ଛୋଟ ଛୋଟ କୁଡ଼ିଆରେ ଗଚ୍ଛିତ କରିରଖାଯାଏ । ସେଠାରୁ ସିଧାସଳଖ ଚାଲାଣ ପାଇଁ ଟ୍ରାନ୍ସପୋର୍ଟ ପଏଣ୍ଟକୁ ପଠାଯାଏ । ଅନେକ ସମୟରେ ଜଙ୍ଗଲ ଭିତରେ ମୋଟା ପଲିଥିନରେ ଭର୍ତ୍ତି କରି ଗାତ ଖୋଳି ପୋତି ଦିଆଯାଏ । ବର୍ଷା ଦିନରେ ଗଞ୍ଜେଇ ଚାଲାଣ ଦର ଉଚ୍ଚ ରହୁଥିବାରୁ ତାକୁ ବିକ୍ରି କରାଯାଏ । ଗଞ୍ଜେଇ ଚାଷ ଠାରୁ ଆରମ୍ଭ କରି ଚାଲାଣ ପର୍ଯ୍ୟନ୍ତ ସବୁ କିଛି ପାହାଡ଼ ତଳ ସ୍ଥାନ କିମ୍ବା ଜଙ୍ଗଲରେ କରାଯାଉଛି । ଗାଁ ସହ ତାର କୌଣସି ସମ୍ପର୍କ ନଥାଏ ।
ଜଙ୍ଗଲ ଓ ସରକାରୀ ଜମି ହିଁ ପସନ୍ଦ
କେବେ କୌଣସି ବ୍ୟକ୍ତିଗତ ଜମିରେ ଗଞ୍ଜେଇ ଚାଷ ଦେଖିବାକୁ ମିଳେନାହିଁ । ଧରାପଡ଼ିବା ଭୟରେ କେବଳ ଜଙ୍ଗଲ ଓ ସରକାରୀ ଜମିକୁ ହିଁ ଚାଷୀ ଓ ମାଫିଆ ମାନେ ପ୍ରକୃଷ୍ଟ କ୍ଷେତ୍ର ଭାବେ ପସନ୍ଦ କରନ୍ତି । ଯଦି ଚାଷ କାହା ନଜରକୁ ଆସିଲା ତେବେ କେହି ଦାୟୀ ହୁଅନ୍ତି ନାହିଁ । ତେଣୁ ଆଜି ପର୍ଯ୍ୟନ୍ତ ଗଞ୍ଜେଇ ଚାଷୀ ଗିରଫ ହେବା କିମ୍ବା ଦଣ୍ଡିତ ହେବା ନଜିର ପ୍ରାୟ ନାହିଁ । ଅନେକ ସମୟରେ ଗୋଟିଏ ଜମିରେ ଏ ବର୍ଷ ଚାଷ ହୋଇଥିଲେ, ପରବର୍ଷ ଭିନ୍ନ ଜମିକୁ ଚାଷୀ ବାଛୁଥିବା ଲକ୍ଷ୍ୟ କରାଯାଉଛି । କେତେକ ସ୍ଥାନରେ ଖାଲି ପଡ଼ିଥିବା ସରକାରୀ ଜମିକୁ ପସନ୍ଦ କରାଯାଉଛି । ଅନ୍ୟ କେତେକ ଅଞ୍ଚଳରେ ପ୍ରଥମେ ପୋଡ଼ୁ କରି ଜଙ୍ଗଲକୁ ସଫା କରାଯାଉଛି । ବିଶେଷ କରି ଜଳସେଚନର ସୁବିଧା ଥିବା ଅଞ୍ଚଳକୁ ଚିହ୍ନଟ କରାଯାଉଛି । ପାହାଡ଼ରୁ ପାଣି ଗଡ଼ୁଥିବ କିମ୍ବା ପମ୍ପ ଯୋଗେ ଜଳସେଚନର ବ୍ୟବସ୍ଥା ଯେପରି ହୋଇପାରିବ । ବିଶେଷ କରି ଜନବସତିରୁ ଦୂରରେ ଥିବା କିମ୍ବା ଜଙ୍ଗଲ ଭିତରେ ଥିବା ଜମିକୁ ଚିହ୍ନଟ କରାଯାଉଛି । କିନ୍ତୁ ମାଲକାନଗିରି ଜିଲ୍ଲାର ଖଇରପୁଟ ଘାଟି ଓ ଅନ୍ୟ କେତେକ ସ୍ଥାନରେ ବିନା ଭୟରେ ରାସ୍ତାପାଶ୍ୱର୍ରେ ଗଞ୍ଜେଇ ଚାଷ ହୋଇଥିବା ଦେଖିବାକୁ ମିଳେ ।
ଶିଳାବତୀର ମୋହରେ ପୂରା ଦେଶ
ଭିନ୍ନ ଭିନ୍ନ ଜଳବାୟୁରେ ଚାଷ ହେଉଥିବା ଗଞ୍ଜେଇର ଫ୍ଲେଭର ମଧ୍ୟ ସ୍ୱତନ୍ତ୍ର । ଯେପରିକି ଏକଦା ହିମାଚଳ ପ୍ରଦେଶର କୁଲୁ ଅଞ୍ଚଳରେ ଉତ୍ପାଦିତ ଗଞ୍ଜେଇ ‘ମାଲାନା କ୍ରିମ୍’ ଭାବେ ପରିଚିତ ଥିଲା । ଏହା ଭାରତର ଗଞ୍ଜେଇ ବଜାରରେ ରାଜ୍ କରୁଥିଲା । ରାଜ୍ୟ ସରକାରଙ୍କ କ୍ରମାଗତ ଚଢ଼ାଉ ଯୋଗୁ ଏବେ ସେଠାରେ ଚାଷ ହ୍ରାସ ପାଇଛି । କେରଳରେ ଉତ୍ପାଦିତ ଗଞ୍ଜେଇ ‘ଇଡ଼ୁକୀ ଗୋଲ୍ଡ’ ନାମରେ ଏବଂ କର୍ଣ୍ଣାଟକ ଓ ତାମିଲନାଡ଼ୁ ସୀମାରେ ଉତ୍ପାଦିତ ଗଞ୍ଜେଇ ‘ମହୀଶୂର ମ୍ୟାଙ୍ଗୋ’ ନାମରେ ଜଣା । ଆନ୍ଧ୍ରର ଆଲ୍ଲୁରୀ ସୀତାରାମ ରାଜୁ (ଏଏସ୍ଆର), ଆନ୍ଧ୍ର-ଓଡ଼ିଶା ବର୍ଡର (ଏଓବି), ଓଡ଼ିଶା ଏବଂ ଇଷ୍ଟର୍ଣ୍ଣ ଘାଟ ଅଞ୍ଚଳରେ ଚାଷ ହେଉଥିବା ଗଞ୍ଜେଇ ‘ଶିଳାବତୀ’ ନାମରେ ପ୍ରସିଦ୍ଧ । ଏବେ ସାରା ଭାରତର ଗଞ୍ଜେଇ ବଜାରକୁ ଏହା କବ୍ଜା କରିନେଇଛି ବୋଲି କୁହନ୍ତି ଦିଲ୍ଲୀର ଜଣେ ବରିଷ୍ଠ ପୁଲିସ ଅଧିକାରୀ । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ତଥ୍ୟ ଅନୁସାରେ ୨୦୨୦ରୁ ୨୦୨୩ ମଧ୍ୟରେ ଜବତ ହୋଇଥିବା ଗଞ୍ଜେଇରୁ ୬୦% କେବଳ ଶିଳାବତୀ ଶ୍ରେଣୀର ଏବଂ ଏହା ଓଡ଼ିଶା କିମ୍ବା ଆନ୍ଧ୍ର-ଓଡ଼ିଶା ସୀମାରୁ ଚାଲାଣ ହୋଇଛି ।