ଫୁଲବାଣୀ,୪/୨: ମାଓ ବିରୋଧୀ ଅଭିଯାନରେ କନ୍ଧମାଳ ପୁଲିସକୁ ମିଳିଛି ଏକ ବଡ ସଫଳତା। ଗୁଳି ବିନିମୟ ବେଳେ ଆଖିବୁଜିଲେ ମାଓ ନେତା ଦାସୁର। ଟପ୍ ମାଓନେତାଙ୍କ ମୃତଦେହ ଜବତ କଲା ପୁଲିସ।
ସୂଚନା ଅନୁଯାୟୀ, ଶନିବାର ରାତିରେ ବାଲିଗୁଡା ଥାନା ଅନ୍ତର୍ଗତ ସୁଡ୍ରା ଅଞ୍ଚଳରେ ସୁରକ୍ଷା ବାହିନୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଉଭୟ ପକ୍ଷରୁ ଗୁଳି ବିନିମୟ ହୋଇଥିବା ବେଳେ ଏଥିରେ ଜଣେ ଡିଭିଏଫ ଯବାନ ଆହତ ହୋଇଥିଲେ। ସର୍ଚ୍ଚ ଅପରେସନ ବେଳେ ଘଟଣାସ୍ଥଳରୁ ପୁଲିସକୁ ମିଳିଛି ମାଓ ନେତା ଦାସୁରଙ୍କ ମୃତଦେହ। କେକେବିଏନ ଡିଭିଜନରେ ଡିଭିଜନାଲ କମିଟି ମେମ୍ବର ଥିଲେ ଦାସୁର।
ପୁଲିସ ରେକର୍ଡ ଅନୁସାରେ ସେ ହତ୍ୟା, ଲୁଣ୍ଠନ ଭଳି ୨୨ଟି ଜଘନ୍ୟ ଅପରାଧରେ ସାମିଲ ଥିଲେ। ତାଙ୍କ ମୁଣ୍ଡ ଉପରେ ୫ ଲକ୍ଷ ଟଙ୍କାର ଅର୍ଥରାଶି ପୁରଷ୍କାର ରହିଥିଲା। ଶନିବାର ବାଲିଗୁଡା ଥାନା ଅନ୍ତର୍ଗତ ସୁଡ୍ରା ନିକଟବର୍ତ୍ତୀ କାକେରିକୁପା ଜଙ୍ଗଲରେ ପୁଲିସ ଓ ସୁରକ୍ଷା ବାହିନୀର ମିଳିତ କମ୍ବିଂ ଅପରେସନ ଚାଲିଥିବା ବେଳେ ସନ୍ଧ୍ୟା ପ୍ରାୟ ୭ଟା ବେଳେ ମାଓବାଦୀ ମାନଙ୍କ ସହିତ ଆମନା ସାମନା ହୋଇଥିଲେ। ମାଓବାଦୀ ପୁଲିସ ଉପରକୁ ଗୁଳି ଚଳାଇବାରେ ଏହାର ଜବାବରେ ସୁରକ୍ଷା ବାହିନୀ ପକ୍ଷରୁ ପାଲଟା ଗୁଳି ଚାଳନା କରାଯାଇଥିଲା। ଏହି ଅପରେସନ ସମୟରେ ଜଣେ ଡିଭିଏଫ ଜବାନ ଗୁରୁତର ହୋଇଛନ୍ତି। ତାଙ୍କୁ ବାଲିଗୁଡା ଡାକ୍ତରଖାନାରେ ଚିକିତ୍ସା କରାଯିବା ପରେ ବ୍ରହ୍ମପୁର ଏମକେସିଜି ଏମସ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି। ସମ୍ପୃକ୍ତ ଅଞ୍ଚଳରେ କମ୍ବିଂ ଜାରୀ ରହିଥିବା ଦକ୍ଷିଣାଞ୍ଚଳ ଆଇଜି ଜୟ ନାରାୟଣ ପଙ୍କଜ ସୂଚନା ଦେଇଛନ୍ତି।