ପ୍ରମୂଖ ଖବର
  • ବଜେଟ୍ ୨୦୨୪: ସଂସଦରେ ଜାମ୍ମୁ-କାଶ୍ମୀର ବଜେଟ୍ ଉପସ୍ଥାପିତ
  • ||
  • ବଜେଟ ୨୦୨୪: ଓଡ଼ିଶା ପର୍ଯ୍ୟଟନର ବିକାଶ ପାଇଁ ବଡ଼ ଘୋଷଣା, ପର୍ଯ୍ୟଟନର ବିକାଶ ପାଇଁ ମିଳିବ ଆର୍ଥିକ ସହାୟତା
  • ||
  • ବଜେଟ୍ ୨୦୨୪: ସରକାରୀ ସହାୟତାରେ ଛାତ ଉପରେ ଲାଗିବ ସୋଲାର ପ୍ୟାନେଲ, ପ୍ରତି ଘରୁ ମାସିକ ୩ଶହ ୟୁନିଟ ବିଜୁଳି ଉତ୍ପାଦନ ଲକ୍ଷ୍ୟ
  • ||
  • ବଜେଟ ୨୦୨୪:୧ କୋଟି ଘରକୁ ମାଗଣା ବିଜୁଳି ଯୋଗାଣ ହେବ,ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମୁକ୍ତ ବିଜୁଳି ଯୋଜନାରେ ମିଳିବ ସୁବିଧା
  • ||
  • ବଜେଟ୍୨୦୨୪: ବନ୍ୟା ମୁକାବିଲା ପାଇଁ ବିହାରକୁ ୧୧, ୫୦୦ କୋଟିର ସହାୟତା,ଆସାମ, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ସିକିମ୍‌କୁ ମିଳିବ ସହାୟତା
  • ||
  • ବଜେଟ ୨୦୨୪: ବନ୍ୟା ନିୟନ୍ତ୍ରଣ ପାଇଁ ସହାୟତା ଘୋଷଣା,ବନ୍ୟା କ୍ଷତିଗ୍ରସ୍ତ ୫ଟି ରାଜ୍ୟକୁ ସ୍ୱତନ୍ତ୍ର ସହାୟତାର ଘୋଷଣା
  • ||
  • ବଜେଟ ୨୦୨୪: ଜମିବାଡ଼ି ସୁବ୍ୟବସ୍ଥିତ କରିବାକୁ ଆରମ୍ଭ ହେବ ଭୂ-ଆଧାର, ଭୂ-ଆଧାର ଜରିଆରେ ଜମିବାଡ଼ି ଡିଜିଟାଇଜେସନ ହେବ
  • ||
  • ବଜେଟ୍ ୨୦୨୪: ମୁଦ୍ରା ଲୋନ୍‌ ୨୦ ଲକ୍ଷକୁ ବୃଦ୍ଧି ଘୋଷଣା କଲେ ଅର୍ଥମନ୍ତ୍ରୀ,ଧାର୍ଯ୍ୟ ସମୟରେ ପୈଠ କରିଥିବା ବ୍ୟକ୍ତି ଲୋନ୍‌ ପାଇପାରିବେ
  • ||
  • ବିଜେଟ୍ ୨୦୨୪-୨୫: ଗୟାରେ ହେବ ଇଣ୍ଡଷ୍ଟିଆଲ୍ କରିଡ଼ିର, ୧ ହଜାର ଆଇଟିଆଇକୁ ଅପଗ୍ରେଡ୍ କରାଯିବ
  • ||
  • ବିହାର, ଆନ୍ଧ୍ରପ୍ରଦେଶ ପାଇଁ ବଡ଼ ଘୋଷଣା କଲେ ଅର୍ଥମନ୍ତ୍ରୀ, ପୋଲାଭରମ ପ୍ରକଳ୍ପ ଶୀଘ୍ର ସମାପ୍ତ ହେବ, ବିହାରରେ ଏୟାରପୋର୍ଟ, ମେଡିକାଲ କଲେଜ ବିକାଶ
  • ||
  • ସପ୍ତମ ଥର ପାଇଁ ବଜେଟ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
  • ||
  • ବିଧାନସଭା ଅଧିବେଶନର ଦ୍ବିତୀୟ ଦିନ, ୪ଟା ଯାଏଁ ଗୃହ ମୁଲତବି
  • ||

ଆମ ଭାଷା : ଆମ ଅସ୍ମିତ

ଭୁବନେଶ୍ୱର: ଓଡ଼ିଶାର ଚାରି ଦିଗରେ ଚାରି ପ୍ରକାରର କଥିତ ଭାଷା ଦେଖାଯାଏ । ଏଥିରେ ଜନଜାତିମାନଙ୍କର ଭାଷା ମଧ୍ୟ ରହିଛି । ମାତ୍ର ଆଞ୍ଚଳିକ ଭାଷା ଭାବରେ ଯେପରିକି ଭଦ୍ରକ, ବାଲେଶ୍ୱରରେ- ଖାଇତେ, ପିଇତେ, ଯାଇତେ । ବ୍ରହ୍ମପୁରରେ- କିସ, କିଆଁ । ଜଗତସିଂହପୁର, ପୁରୀ ଅଞ୍ଚଳରେ ଯାଉଁଚି, ଖାଉଁଚି, ବାଇଁଗଣ ଇତ୍ୟାଦି । 

ଭାଷା ହିଁ ଏକ ଜାତିର ପ୍ରାଣ ଓ ଅସ୍ମିତା । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଆମେ ପ୍ରଥମେ ଭାଷାକୁ ନା ଲିପିକୁ– କାହାକୁ ଆଗେ ଭେଟିଥିଲେ? ଏହା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ । ହଁ, ଆମେ ଲିପି ଆଗରୁ ଭାଷାକୁ ଭେଟିଛେ । ମାତ୍ର ସେହି ଲିପି ଥିଲା– ତେଲୁଗୁ, ଭାଷା- ଓଡ଼ିଆ । ଓଡ଼ିଆ ଲିପିର ଆବିଷ୍କରଣ ପୂର୍ବରୁ ଏକାଦଶ ଶତାବ୍ଦୀରେ ଓଡ଼ିଆ ଭାଷାକୁ ଆମେ ପ୍ରଥମେ ଦେଖିଛୁ ଆନ୍ଧ୍ରପ୍ରଦେଶର ଉର୍ଜ୍ଜାମ ଶିଳାଲେଖରେ, ନାଗରୀ ଲିପିରେ । ମାତ୍ର ଓଡ଼ିଆ ଲିପିରେ ଓଡ଼ିଆ ଭାଷାକୁ ଲିଙ୍ଗରାଜ ମନ୍ଦିରରେ କପିଳେନ୍ଦ୍ରଦେବଙ୍କ ଶିଳାଲେଖରେ ହିଁ ପ୍ରଥମେ ଦେଖିବାକୁ ମିଳିଥିଲା । (ଉର୍ଜ୍ଜାମ ଶିଳାଲେଖ)

Image Cap

ଖ୍ରୀଷ୍ଟପୂର୍ବ ୩ୟ ଶତାବ୍ଦୀରେ ଅଶୋକଙ୍କ ଶିଳାଲେଖ ଓ ଖ୍ରୀଷ୍ଟପୂର୍ବ ପ୍ରଥମ ଶତାବ୍ଦୀରେ ଖାରବେଳଙ୍କ ହାତୀଗୁମ୍ଫା ଶିଳାଲେଖରୁ ଜଣାଯାଏ, କଳିଙ୍ଗନଗରୀ, ରାଜଧାନୀ ଭାବରେ ପ୍ରତିଷ୍ଠିତ ହେଲା । ବ୍ରାହ୍ମୀଲିପିରେ ଏବଂ ପ୍ରାକୃତ ଭାଷାରେ ସେ ସମସ୍ତ ପ୍ରଜାଙ୍କୁ ନିଜର ସନ୍ତାନତୁଲ୍ୟ ଦେଖୁଥିବା ଉଲ୍ଲେଖ ରହିଛି । ଏହା ଭାରତବର୍ଷର ଲିପି ଓ ଭାଷାର ପ୍ରଥମ ପଦଧ୍ୱନି । ଖାରବେଳଙ୍କ ଖଣ୍ଡଗିରି ଉଦୟଗିରି ହାତୀଗୁମ୍ଫା ଶିଳାଲେଖରେ ନିଜକୁ ଐର ମହାମେଘବାହାନ ମହାରାଜା ଖାରବେଳ ଭାବେ ଆବିଷ୍କୃତ କରିଥିଲେ ।

ଓଡ଼ିଆ ଲିପିର କ୍ରମବିକାଶ ଐତିହାସିକମାନେ ତୃତୀୟ ଶତାବ୍ଦୀଠାରୁ ଆରମ୍ଭ କରି ପଞ୍ଚଦଶ ଶତାବ୍ଦୀ ପର୍ଯ୍ୟନ୍ତ ଆବିଷ୍କାର କରିଯାଇଛନ୍ତି । ମାତ୍ର, ପଞ୍ଚଦଶ ଶତାବ୍ଦୀଠାରୁ ଊନବିଂଶ ଶତାବ୍ଦୀ ପର୍ଯ୍ୟନ୍ତ ଲିଖିତ ଓଡ଼ିଆ ଭାଷାର ସାହିତ୍ୟ ଓ ସଂସ୍କୃତି, ସବୁକିଛି ଅନ୍ୟ ଏକ ଲିପିରେ ବ୍ୟବହାର କରାଯାଇଛି, ଯାହାକୁ କୁହାଯାଉଛି କରଣୀଲିପି । ସେହି କରଣୀଲିପିରେ ଓଡ଼ିଆ ଭାଷାର ବହୁ ପ୍ରାଚୀନ ବେଦ, ସାହିତ୍ୟ, ବ୍ୟାକରଣ, ଗଣିତ, ବାସ୍ତୁ ଓ ଶିଳ୍ପ ସହିତ ସାରଳା ମହାଭାରତ, ଜଗନ୍ନାଥଙ୍କ ଭାଗବତ, ବଳରାମଙ୍କ ଜଗମୋହନରାମାୟଣ ଆଦି ତାଳପତ୍ରରେ ଓ ଚିତ୍ରରେ ଖୋଦିତ ହୋଇ ଗଚ୍ଛିତ ରହିଅଛି, ଯାହା ଆଜି ବି ପ୍ରଚଳିତ ଲିପିକୁ ଅପେକ୍ଷା ରଖିଛି । (କରଣୀ ଲିପି) 

ଏହି ସମୟ ବେଳକୁ ଓଡ଼ିଶାରେ ଛାପାଖାନା ଆରମ୍ଭ ହୋଇନଥିଲା । ୧୮୩୭ ମସିହାରେ ପ୍ରଥମେ ପାଦ୍ରୀମାନଙ୍କର ମିଶନ୍‌ ପ୍ରେସ୍‌ କଟକରେ ସ୍ଥାପିତ ହେଲା । ମିଶନାରୀମାନଙ୍କ ଦ୍ୱାରା ୧୮୪୯ରେ "ଜ୍ଞାନାରୁଣ' ପତ୍ରିକା ପ୍ରକାଶ ପାଇଲା । ଜ୍ଞାନାରୁଣର ୧୭ବର୍ଷ ପରେ ଆତ୍ମପ୍ରକାଶ କଲା ଉତ୍କଳଦୀପିକା । ଏହି ସମୟ ଉତ୍କଳବାସୀଙ୍କ ପାଇଁ ଥିଲା ଏକ କରୁଣମୟ ସମୟ । କାରଣ ୧୮୬୬ ମସିହାରେ ଉତ୍କଳବାସୀ ଦେଖିଥିଲେ ଭୟଙ୍କର ନ'ଅଙ୍କ ଦୁର୍ଭିକ୍ଷ । କର୍ମବୀର ଗୌରୀଶଙ୍କର ସେତେବେଳେ ଅନୁଭବ କରିଥିଲେ ସମ୍ବାଦପତ୍ରର ଭୂମିକା । ତେଣୁ ଆତ୍ମପ୍ରକାଶ କଲା ଉତ୍କଳଦୀପିକା । ୧୮୬୬ରୁ ୧୮୬୯ ପର୍ଯ୍ୟନ୍ତ ଉତ୍କଳଦୀପିକାରେ ନିରନ୍ତର ଭାବେ ନ'ଅଙ୍କ ଦୁର୍ଭିକ୍ଷର କରାଳ ଚିତ୍ର ମର୍ମସ୍ପର୍ଶୀ ଭାବେ ପ୍ରକାଶ ପାଇ ଆସୁଥିଲା । ଏହା କେବଳ ଏକ ପତ୍ରିକା ନଥିଲା, ଏକ ଜାତୀୟ ଆନ୍ଦାଳନର ବାର୍ତ୍ତାବହ । ଏବଂ, ଓଡ଼ିଆମାନଙ୍କର ଭାବଧାରା ଓ ଚିନ୍ତାଚେତନାର ବିକାଶରେ ଏହାର ଭୂମିକା ଥିଲା ଗୁରୁତ୍ୱପୂର୍ଣ୍ଣ ।

ଏହା ପରେପରେ ସମ୍ବଲପୁର ହିତୈଷିଣୀ, ବିଜୁଳୀ, ଇନ୍ଦ୍ରଧନୁ, ଆଶା- ଏହିପରି ଅନେକ ପତ୍ରପତ୍ରିକା ଓଡ଼ିଆ ଜାତି ଓ ଭାଷା ପାଇଁ ଉଦ୍ୟମ ଆରମ୍ଭ କଲେ, ମାତ୍ର ଭାଷାଭିତ୍ତିକ ଓଡ଼ିଶା ଗଠନ ଦିଗରେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା ଉତ୍କଳଦୀପିକାର । ଓଡ଼ିଆମାନଙ୍କ ମନରେ ଜାତିପ୍ରୀତିର ଜାଗରଣରେ ତଥା ସମ୍ବାଦପତ୍ରର ଅଭ୍ୟୁଦୟରେ ଉତ୍କଳଦୀପିକାର ଥିଲା ଶ୍ରେଷ୍ଠ ଅବଦାନ । 

୧୮୬୮ରେ ବ୍ୟାସକବି ଫକୀରମୋହନ ସେନାପତିଙ୍କ ଦ୍ୱାରା ସ୍ଥାପିତ ହେଲା "ଉତ୍କଳ ପ୍ରିଣ୍ଟିଂ କମ୍ପାନୀ' । ଏହିଠାରୁ ପ୍ରକାଶ ପାଇଲା "ବୋଧଦାୟିନୀ' ଓ "ବାଲେଶ୍ୱର ସମ୍ବାଦବାହିକା' । ତାଙ୍କର ଅନେକ ସୃଷ୍ଟି ମଧ୍ୟରେ ସମାଜ ସଂସ୍କାର ମୂଳକ ରେବତୀ ଓ ଡାକମୁନସୀ ଅନ୍ୟତମ । ୧୮୬୮ରେ ଭାରତର ସଚିବ ଷ୍ଟାଫୋର୍ଡ ନର୍ଥକୋଟ୍‌ ଓଡ଼ିଶା ଓ ଆସାମକୁ ସ୍ୱତନ୍ତ୍ର ପ୍ରଶାସନ ପାଇଁ ସରକାରଙ୍କୁ ପ୍ରସ୍ତାବ ଦେଲେ । ଫଳରେ ୧୮୭୬ରେ କେବଳ ଆସାମ ଏକ ସ୍ୱତନ୍ତ୍ର ପ୍ରଦେଶ ଭାବେ ପ୍ରତିଷ୍ଠିତ ହେଲା, କିନ୍ତୁ ଦୁଃଖର ବିଷୟ ସେତେବେଳେ ଓଡ଼ିଶା ଏକ ସ୍ୱତନ୍ତ୍ର ପ୍ରଦେଶର ସ୍ୱୀକୃତି ପାଇପାରିଲା ନାହିଁ ।

୧୮୯୬ ମସିହାରେ ଜି.ଏ. ଗ୍ରିୟରର୍ସନ ଭାରତୀୟ ଭାଷାକୁ ନେଇ କରିଥିବା ସର୍ବେକ୍ଷଣର ରିପୋର୍ଟ ପ୍ରକାଶ ପାଇଲା । ଏହି ରିପୋର୍ଟରେ ବଙ୍ଗଳା, ବିହାର ଓ ଓଡ଼ିଶା ସଂପର୍କରେ ବିସ୍ତୃତ ଆଲୋଚନା ରହିଥିଲା । ମାତ୍ର ଓଡ଼ିଶାକୁ ସ୍ୱତନ୍ତ୍ର ପ୍ରଦେଶ କରାଇବା ଦିଗରେ କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଦେଖିବାକୁ ମିଳିନଥିଲା । ତେଣୁ, ଉତ୍କଳକୁ ଏକ ସ୍ୱତନ୍ତ୍ର ପ୍ରଦେଶ ଭାବେ ଗଢ଼ି ତୋଳିବା ପାଇଁ "ଉତ୍କଳ ସମ୍ମିଳନୀ' ଜନ୍ମ ନେଲା । ବହୁ ବାଧାବିଘ୍ନ ମଧ୍ୟରେ ୧୯୦୩ ମସିହା ଡିସେମ୍ବର ମାସ ୩୦ ଓ ୩୧ ତାରିଖରେ ମଧୁସୂଦନ ଦାସ, ଗୌରୀଶଙ୍କର ରାୟ, କନିକା ରାଜା ରାଜେନ୍ଦ୍ର ନାରାୟଣ ଭଞ୍ଜ, ଗୋପାଳଚନ୍ଦ୍ର ପ୍ରହରାଜଙ୍କ ନେତୃତ୍ୱରେ କଟକର ଇଦଗା ପଡ଼ିଆରେ ଉତ୍କଳ ସମ୍ମିଳନୀର ପ୍ରଥମ ସଭା ଅନୁଷ୍ଠିତ ହେଲା । ଏହାର ଅଧ୍ୟକ୍ଷତା କଲେ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ । ଏହି ସମ୍ମିଳନୀ ସମୟକ୍ରମେ ବାଲେଶ୍ୱର, ବ୍ରହ୍ମପୁର, ପୁରୀ, କଟକ, ଚକ୍ରଧରପୁର, ଜଳନ୍ତର, ମଞ୍ଜୁଷା, ଜୟପୁର, ପାରଳାଖେମୁଣ୍ଡି ପ୍ରଭୃତି ସ୍ଥାନରେ ବିଭିନ୍ନ ଜାତି ଓ ଭାଷାପ୍ରେମୀ ଯଥା- ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ, ରାଜେନ୍ଦ୍ର ନାରାୟଣ ଭଞ୍ଜଦେଓ, ମଧୁସୂଦନ ଦାସ, ପଣ୍ଡିତ ଗୋପବନ୍ଧୁ ଦାସ, ଫକୀରମୋହନ ସେନାପତି, ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣଦେବ ଓ ମଧୁସୂଦନ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ବାରମ୍ବାର ଅନୁଷ୍ଠିତ ହେଲା ଏବଂ ଏହାର ସଫଳ ରୂପାୟନ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଗଲା ।

ଫଳସ୍ୱରୂପ ୧୯୩୬ ମସିହା ଏପ୍ରିଲ ମାସ ୧ ତାରିଖରେ ଭାଷାଭିତ୍ତିକ ଓଡ଼ିଶା ପ୍ରଦେଶ ଗଠନ ହେଲା । ଏବଂ, ଏହାର ଅନେକ ବର୍ଷ ପରେ ଭାରତବର୍ଷର ଷଷ୍ଠ ଶାସ୍ତ୍ରୀୟ ଭାଷା ଭାବରେ ୨୦୧୪ ମସିହା ମାର୍ଚ୍ଚ ମାସ ୧୧ ତାରିଖରେ ଓଡ଼ିଆ ଭାଷାକୁ ମିଳିଲା ଶାସ୍ତ୍ରୀୟ ଭାଷାର ମାନ୍ୟତା ଏବଂ ଏକମାତ୍ର ଭାଷା ଯାହା ଆର୍ଯ୍ୟ ଭାଷା ଭାବରେ ଶାସ୍ତ୍ରୀୟ ମାନ୍ୟତା ଲାଭ କରିଅଛି । ତେଣୁ ଆମ ଭାଷା, ଆମ ଜାତିର ଅସ୍ମିତାର ପରିଚୟ ।

ଅବଶ୍ୟ ଓଡ଼ିଶାର ଚାରି ଦିଗରେ ଚାରି ପ୍ରକାରର କଥିତ ଭାଷା ଦେଖାଯାଏ । ଏଥିରେ ଜନଜାତିମାନଙ୍କର ଭାଷା ମଧ୍ୟ ରହିଛି । ମାତ୍ର ଆଞ୍ଚଳିକ ଭାଷା ଭାବରେ ଯେପରିକି ଭଦ୍ରକ, ବାଲେଶ୍ୱରରେ- ଖାଇତେ, ପିଇତେ, ଯାଇତେ । ବ୍ରହ୍ମପୁରରେ- କିସ, କିଆଁ । ଜଗତସିଂହପୁର, ପୁରୀ ଅଞ୍ଚଳରେ ଯାଉଁଚି, ଖାଉଁଚି, ବାଇଁଗଣ ଇତ୍ୟାଦି । ପୁଣି ଯେଉଁଠି ଚନ୍ଦ୍ରବିନ୍ଦୁ ରହିବା କଥା ସେଠାରେ ସେମାନେ ରଖନ୍ତି ନାହିଁ । ଯଥା- ହଁ’କୁ ହ କହିଥାନ୍ତି । ପଶ୍ଚିମ ଓଡ଼ିଶାର କାଣା ହେ, କେମତା ଅଛ, ଏପରିକି କଟକର ସ୍ଥାୟୀ ବାସିନ୍ଦା କୁହନ୍ତି- କୁଅକୁ କୁଅଁ, ଆଖିକୁ ଆଁଖି ଇତ୍ୟାଦି । ଏହା ଆଞ୍ଚଳିକ ସମ୍ବେଦନଶୀଳତାର ଭାଷା ଏବଂ ଯାହାକୁ ଉକ୍ତ ଅଞ୍ଚଳର ଅନ୍ତରର ଅସ୍ମିତା ବୋଲି କହିପାରିବ ।

ତେବେ କେତୋଟି କଥିତ ଓଡ଼ିଆ ଶବ୍ଦ ସଂପର୍କରେ ଆମେ ଚର୍ଚ୍ଚା କରିବା । ଏହାର ଆବଶ୍ୟକତା ରହିଛି । କାରଣ ବହୁ ସମୟରେ ଦେଖିବାକୁ ମିଳୁଛି, ଏହା ଠିକ୍‌ଭାବେ ଉଚ୍ଚାରଣ ହେଉନାହିଁ । ଅନେକ ଶବ୍ଦ ରହିଛି ଯେଉଁଥିପାଇଁ ଜ୍ଞାନ, ଗବେଷଣା ବା ଅଭିଧାନର ଆବଶ୍ୟକତା ପଡ଼ିଥାଏ । ମାତ୍ର ସେ ସଂପର୍କରେ ଆମେ ଆଲୋଚନା କରୁନାହୁଁ । ଯାହା ଦୈନନ୍ଦିନ ଜୀବନରେ ବ୍ୟବହାର ହୋଇଥାଏ, ତାହା କେତେକ ଭ୍ରମାତ୍ମକ ଉଚ୍ଚାରଣରେ ଶୁଣିବାକୁ ମିଳୁଛି । ସେଗୁଡ଼ିକର ବାସ୍ତବ ଉଚ୍ଚାରଣ ସଂପର୍କରେ ଅନ୍ୟମାନଙ୍କୁ ଜଣାଇଦେବା ଉଚିତ୍‌ ହେବ ବୋଲି ଆଶା କରାଯାଏ । ଯେପରିକି ନିକଟ ଅତୀତରେ ଶେଷ ହୋଇଥିବା ନିର୍ବାଚନ ବେଳର କଥା କୁହାଯାଇପାରେ । ଅନେକ ସମୟରେ ପ୍ରବକ୍ତା ହୁଅନ୍ତୁ, ନେତା ହୁଅନ୍ତୁ ବା ସାଧାରଣ ଜନତା ହୁଅନ୍ତୁ, ଶବ୍ଦ ଉଚ୍ଚାରଣରେ ତ୍ରୁଟି ପରିଦୃଷ୍ଟ ହୋଇଛି । ଯଥା- କେହି କେହି ଏକ ଶବ୍ଦ "ପ୍ରାର୍ଥିକୁ' ନେଇ ଏହିପରି କହୁଥିବାର ଲକ୍ଷ୍ୟ କରାଯାଇଛି । ଯଥା- ପ୍ରାର୍ଥି: -ପ୍ରାଥୀ, ପାର୍ଥୀ, ପାଥି ଏହିପରି ଅନେକ । ଠିକ୍‌’କୁ ସଠିକ୍‌, ସଂକ୍ଷେପ ସ୍ଥାନରେ ସମ୍ୟକ୍‌, ଉତ୍କର୍ଷତା ଜାଗାରେ ଉକ୍ରର୍ଷତା, ନିର୍ଦ୍ଦିଷ୍ଟ ପ୍ରମାଣ-ଠୋସ୍‌ ପ୍ରମାଣ, ଅନ୍ତଃର୍ଜାତୀୟ-ଆନ୍ତର୍ଜାତିକ ମଧ୍ୟରେ ଆନ୍ତର୍ଜାତୀୟ-ଅନ୍ତର୍ଜାତିକ, ପ୍ରାଶାସନିକ-ପ୍ରଶାସନିକ, ମିଷ୍ଟାନ୍ନ-ମିଷ୍ଠାନ୍ନ, ଆର୍ଶୀବାଦ-ଆଶ୍ରୀବାଦ, ନିର୍ଦ୍ଦୋଷ-ନିର୍ଦ୍ଧୋଷୀ, ଅବସୋସ -ଅବଶୋଷ, ନିଷ୍ପାପ-ନିଷ୍ପାପୀ, ଅଜ୍ଞାନ-ଅଜ୍ଞାନୀ, ନିର୍ଦ୍ଧନ-ନିର୍ଦ୍ଧନୀ, ଅପୁତ୍ରକ-ଅପୁତ୍ରିକ ଏମିତି ଅନେକ ଶବ୍ଦ । ଏହିସବୁ ପ୍ରଚଳିତ ଶବ୍ଦର ନିର୍ଭୁଲ ଉଚ୍ଚାରଣ ହେବା ଜରୁରୀ । ମାର୍ଜିତ ହୋଇପାରିଲେ ଖୁବ୍‌ ଭଲ ହୁଅନ୍ତା । ଏଥିପାଇଁ ସଚେତନତାର ଆବଶ୍ୟକତା ନିଶ୍ଚୟ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.