ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଶ୍ରୀମନ୍ଦିରରେ ଦ୍ୱାଦଶ ଶତାବ୍ଦୀରୁ ପଖାଳ ଭୋଗ, ସୁଖନିଦ୍ରା ପାଇଁ ବଡ଼ସିଂହାର ଭୋଗରେ ପଖାଳ ପ୍ରଥା

ପୁରୀ, ୨୦।୩: ଆସ ଜୀବନ ଧନ ମୋର ପଖାଳ କଂସା...ସଜନୀରେ ତୋ ବିହୁନେ ଉଡ଼ିଲା ହଂସା...ଆସ ଜୀବନ ଧନ... । କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକଙ୍କ ରଚିତ ଏହି ପଲ୍ଲୀଗୀତ ଓଡ଼ିଆଙ୍କର ପଖାଳ ପ୍ରତି ପ୍ରେମକୁ ପ୍ରମାଣ କରିବାରେ ଯଥେଷ୍ଟ । କବି ଭାବନାରେ ପଖାଳକୁ କେତେବେଳେ ‘ଜୀବନ ଧନ’ ଭାବେ ସମ୍ବୋଧନ କରାଯାଇଛି, ତ କେତେବେଳେ ପଖାଳ ପାଇଛି ଓଡ଼ିଆଙ୍କ ପ୍ରିୟ ଖାଦ୍ୟର ପରିଚୟ । ଓଡ଼ିଆ ଜାତିର ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରୀଜଗନ୍ନାଥ ମଧ୍ୟ ପଖାଳ ପ୍ରିୟ । ବର୍ଷକ ବାରମାସ ପ୍ରଭୁଙ୍କୁ ଲାଗିହୁଏ ନାନା ପ୍ରକାର ପଖାଳ । ସାଧାରଣ ମଣିଷଟିଏ ଭଳି ମହାପ୍ରଭୁଙ୍କୁ ମଧ୍ୟ ସୁଖ ନିଦ୍ରା ପାଇଁ ଶୋଇବା ପୂର୍ବରୁ ପଖାଳ ପରସା ଯାଏ । ନିଇତି ବଡ଼ସିଂହାର ଭୋଗରେ ପ୍ରଭୁଙ୍କୁ ଲାଗି ହୁଏ ପଖାଳ । ଶତାବ୍ଦୀ ଶତାବ୍ଦୀ ଧରି ମହାପ୍ରଭୁଙ୍କୁ ପଖାଳ ଭୋଗ ଲାଗି ହେଉଛି । ଏହାର ପ୍ରମାଣ ଏବେ ବି ଜୀବନ୍ତ । 

ଶ୍ରୀମନ୍ଦିରରେ ଥିବା ବଳି ପାତାଳ ମନ୍ଦିର ବା ପାତାଳେଶ୍ୱର ମନ୍ଦିରରେ ଥିବା ଏକ ଶିଳାଲେଖରେ ଦ୍ୱାଦଶ ଶତାବ୍ଦୀରେ ମହପ୍ରଭୁଙ୍କୁ ପଖାଳ ଭୋଗ ଲାଗି ହେବା ସଂପର୍କିତ ତଥ୍ୟ ଉଲ୍ଲେଖ ଅଛି । ଗଙ୍ଗ ବଂଶ ରାଜତ୍ୱ ସମୟରେ ପାଢ଼ୀ ସଂଜ୍ଞାଧାରୀ ଜଣେ ସେବାୟତଙ୍କ ମାର୍ଫତ୍‌ରେ ଦହି, ଚାଉଳ ଆଦି ପଖାଳ ପାଇଁ ଆବଶ୍ୟକୀୟ ଦ୍ରବ୍ୟ ଖଞ୍ଜା ଯାଉଥିଲା ବୋଲି ଶିଳାଲେଖରେ ବର୍ଣ୍ଣନା ହୋଇଛି । ପୁରୀ ନିକଟରୁ ମିଳିଥିବା ଅନ୍ୟ କେତେକ ଶିଳାଲେଖରେ ମଧ୍ୟ ପଖାଳ ବ୍ୟଞ୍ଜନ ଶତାବ୍ଦୀ ଶତାବ୍ଦୀ ପୁରୁଣା ହୋଇଥିବା ପ୍ରମାଣ ମିଳିଛି । ମହାପ୍ରଭୁଙ୍କୁ ବିଭିନ୍ନ ପ୍ରକାର ପଖାଳ ଭୋଗ ଲାଗି ହୁଏ । ସେଗୁଡ଼ିକ ହେଲା ସୁବାସିତ ପଖାଳ, ମିଠା ପଖାଳ, ଟଭା (କମଳା) ପଖାଳ, ପାଣି ପଖାଳ, ଚୁପୁଡ଼ା ପଖାଳ, ଦହି ପଖାଳ ଓ ଘିଅ ପଖାଳ । 

ବିଭିନ୍ନ ସମୟରେ ନୀତି ଓ ତିଥି ମୁତାବକ ଭିନ୍ନଭିନ୍ନ ପ୍ରକାର ପଖାଳ ଭୋଗ ଲାଗେ । ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ଡକ୍ଟର ଭାସ୍କର ମିଶ୍ରଙ୍କ ସୂଚନା ମୁତାବକ, ମଧ୍ୟାହ୍ନ ଧୂପରେ ମହାପ୍ରଭୁଙ୍କୁ ୧୧ ଓଳି ସୁବାସ ପଖାଳ ଲାଗି ହୋଇଥାଏ । ସନ୍ଧ୍ୟା ଧୂପରେ ୨୩ ଓଳି ପାଣି ପଖାଳ ଓ ୧୪ ଓଳି ଚୁପୁଡ଼ା ପଖାଳ ପରସା ଯାଏ । ସେହିଭଳି ବଡ଼ସିଂହାର ଭୋଗରେ ୧୧ ଓଳି ମିଠା ପଖାଳ ମହାପ୍ରଭୁଙ୍କୁ ଭୋଗ ଲାଗେ । ଚିତାଲାଗି ଅମାବାସ୍ୟାରେ ବିଭିନ୍ନ ନିଯୋଗ ପକ୍ଷରୁ ଦହି ପଖାଳ ବରାଦ ହେଲେ ମଧ୍ୟ ଭୋଗ ଲାଗି ହୁଏ । ରଥଯାତ୍ରା ପୂର୍ବ ଦିନଠୁ ପ୍ରସ୍ତୁତ ହୋଇଥିବା ପଖାଳକୁ ମଧ୍ୟ ସେବାୟତଙ୍କ ପକ୍ଷରୁ ରଥଯାତ୍ରା ଦିନ ଅତିଥିଙ୍କୁ ପରସା ଯାଏ । ମହାପ୍ରଭୁଙ୍କୁ ଲାଗି ହେଉଥିବା ଦହି ପଖାଳରେ ଲଙ୍କା ବ୍ୟବହାର କରାଯାଏ ନାହିଁ । ଦହି, ଅଦା ଏବଂ ଘିଅରେ ଭଜା ହୋଇଥିବା ଜିରା ଦହି ପଖାଳର ସ୍ୱାଦ ବଢ଼ାଇଥାଏ । ଏହି ସମସ୍ତ ପଖାଳ ଭୋଗ ମହାପ୍ରଭୁଙ୍କୁ ମାଟି ଓଳିରେ ପରସା ଯାଏ ବୋଲି ଶ୍ରୀ ମିଶ୍ର କହିଛନ୍ତି ।  

ଶ୍ରୀମନ୍ଦିର ସୁଆର ମହାସୁଆର ନିଯୋଗ ସଂପାଦକ ନାରାୟଣ ସୁଆରଙ୍କ କହିବା ମୁତାବକ, ପଖାଳ ପ୍ରସ୍ତୁତି ପାଇଁ ରୋଷଘରେ ରହିଛି ମୁଗୁନି ପଥରରେ ପ୍ରସ୍ତୁତ ୨ଟି ପଖାଳ କୁଣ୍ଡ । ଗୋଟିଏ ତୁଣ ସୁଆର ଓ ଅନ୍ୟଟି ଥାଳି ସୁଆରଙ୍କ ପାଇଁ ଉଦ୍ଦିଷ୍ଟ । ଅନ୍ନ ରନ୍ଧା ପରେ ପଖାଳ କୁଣ୍ଡରେ ପଡ଼ିଥାଏ । ତାହା ଥଣ୍ଡା ହେଲା ପରେ ସେବକଙ୍କୁ ମିଳିଥିବା ଅନ୍ୟାନ୍ୟ ସାମଗ୍ରୀ ପଡ଼ି ପଖାଳ ପ୍ରସ୍ତୁତ ହୋଇଥାଏ । ପଖାଳ ଦିବସ ଗତ କିଛିବର୍ଷ ହେଲା ପାଳନ ହେଉଛି ହେଲେ ଭୋଜନ ପ୍ରିୟ ମହାପ୍ରଭୁଙ୍କ ପାଇଁ ବର୍ଷକ ବାରମାସ ପଖାଳ ଦିବସ । ଏପରିକି ଗୁଣ୍ଡିଚା ଘରେ ଥିବା ସମୟରେ ମଧ୍ୟ ମହାପ୍ରଭୁଙ୍କ ନିକଟରେ ପଖାଳ ଭୋଗ ଲାଗିଥାଏ ବୋଲି ସେ କହିଛନ୍ତି । 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.