ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ସଂସଦର ବଜେଟ୍ ଅଧିବେଶନ, ମିଳିତ ଅଧିବେଶନକୁ ସମ୍ୱୋଧନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ, ୩୧।୧: ସଂସଦର ସ୍ୱଳ୍ପକାଳୀନ ବଜେଟ୍ ଅଧିବେଶନ ଆଜିଠୁ ଆରମ୍ଭ ହେବ । ଏହା ଆସନ୍ତା ଫେବ୍ରୁଆରୀ ୯ ତାରିଖ ପର୍ଯ୍ୟନ୍ତ ଚାଲିବ । ପରମ୍ପରା ଅନୁସାରେ ପ୍ରଥମ ଦିନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉଭୟ ଲୋକସଭା ଓ ରାଜ୍ୟସଭାର ମିଳିତ ଅଧିବଶେନକୁ ସମ୍ବୋଧନ କରିବେ । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଫେବ୍ରୁଆରୀ ୧ ତାରିଖରେ ସଂସଦରେ ୨୦୨୪-୨୫ ବର୍ଷ ପାଇଁ ଅନ୍ତରୀଣ (କାମଚଳା) ବଜେଟ ଆଗତ କରିବେ । ଆସନ୍ତା ଏପ୍ରିଲ-ମେ’ରେ ଲୋକସଭା ନିର୍ବାଚନ ହେବାକୁ ଥିବାରୁ ଏହା ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ଶେଷ ବଜେଟ ହେବ । ତେବେ ଏହି ବଜେଟରେ ବିଶେଷ କିଛି ବଡ଼ ଘୋଷଣା ହେବାର ସମ୍ଭାବନା ନାହିଁ । ଏକଥା ମଧ୍ୟ ପୂର୍ବରୁ ସୀତାରମଣ ସୂଚନା ଦେଇସାରିଛନ୍ତି । କେନ୍ଦ୍ରରେ ନୂଆ ସରକାର ଗଠନ ହେବା ପରେ ପୂର୍ଣ୍ଣାଙ୍ଗ ବଜେଟ ଅଣାଯିବ । 

ସଂସଦର ବଜେଟ ଅଧିବେଶନ ପୂର୍ବରୁ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଆଜି ସର୍ବଦଳୀୟ ବୈଠକ ଡାକିଥିଲେ । ପୂର୍ବାହ୍ନ ୧୧ଟା ୩୦ରେ ସଂସଦର ଲାଇବ୍ରେରୀ ହଲ୍‌ରେ ଏହି ବୈଠକ ବସିଥିଲା । ବୈଠକରେ ବିଭିନ୍ନ ଦଳର ଉଭୟ ସଦନ ନେତାମାନେ ଯୋଗଦେଇଥିଲେ । ଅଧିବେଶନ ସୁରୁଖୁରୁରେ ଚଳାଇବା ଲାଗି ସେ ସବୁ ଦଳର ନେତାଙ୍କ ସହଯୋଗ ଲୋଡ଼ିଥିଲେ । ପରମ୍ପରା ଅନୁସାରେ ସଂଦଦର ପ୍ରତ୍ୟେକ ଅଧିବେଶନ ପୂର୍ବରୁ ସରକାର ସର୍ବଦଳୀୟ ବୈଠକ ଡାକିଥାନ୍ତି ଏବଂ ଗୃହକାର୍ଯ୍ୟରେ ସହଯୋଗ କରିବାକୁ ସେମାନଙ୍କ ଠାରୁ ମତାମତ ଲୋଡିଥାନ୍ତି । ବୈଠକ ପରେ ଯୋଶୀ କହିଛନ୍ତି ସରକାର ସବୁ ପ୍ରସଙ୍ଗ ଉପରେ ଆଲୋଚନା କରିବାକୁ ପ୍ରସ୍ତୁତ ଅଛନ୍ତି । ବିଜେପି ପୂର୍ବରୁ କହିସାରିଛି କି ଇଣ୍ଡିଆ ମେଣ୍ଟ କେବଳ ଫଟୋସୁଟ୍‌ । ମେଣ୍ଟର ମୃତ୍ୟୁ ନିକଟତର ହୋଇସାରିଛି । ବର୍ତ୍ତମାନ ଏହାର ବ୍ରେନ୍‌ ଡେଡ୍‌ ହୋଇଛି । ବିରୋଧୀ ଦଳର ସଦସ୍ୟମାନେ ବୈଠକରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସିବିଆଇ ଓ ଇଡିର ଦୁରୂପଯୋଗ ପ୍ରସଙ୍ଗ ଉଠାଇଥିଲେ । ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ପିୟୁଷ ଗୋୟଲଙ୍କ ସମେତ ୩୦ ଦଳର ୪୫ ନେତା ଯୋଗଦେଇଥିଲେ । 

ସେପଟେ ଗତ ଶୀତ ଅଧିବେଶନ କାଳରେ ଉଭୟ ଲୋକସଭା ଓ ରାଜ୍ୟସଭାରେ ହଟ୍ଟଗୋଳ କରୁଥିବା ବିରୋଧୀ ଦଳର ୧୪୬ ଜଣ ସାଂସଦଙ୍କ ଉପରୁ ଆଜି ନିଲମ୍ବନ ଉଠାଇ ଦିଆଯାଇଛି ଏବଂ ଆସନ୍ତାକାଲିଠାରୁ ସେମାନେ ସଂସଦ ଅଧିବେଶନରେ ଯୋଗଦେଇ ପାରିବେ ବୋଲି ଯୋଶୀ କହିଛନ୍ତି । ସେ କହିଛନ୍ତି ନିଲମ୍ବିତ ସାଂସଦମାନଙ୍କ ଉପରୁ ସସ୍‌ପେଣ୍ଡ ଆଦେଶ ପ୍ରତ୍ୟାହାର କରିନେବା ପାଇଁ ସରକାରଙ୍କ ପକ୍ଷରୁ ଲୋକସଭା ବାଚସ୍ପତି ଏବଂ ରାଜ୍ୟସଭା ଅଧ୍ୟକ୍ଷଙ୍କୁ ଅନୁରୋଧ କରାଯାଇଥିଲା । ସଂସଦର ସୁରକ୍ଷା ଭଙ୍ଗ ମାମଲାରେ ପ୍ରଧାନମନ୍ତ୍ରୀ ଓ ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ବିବୃତ୍ତି ଦାବିକରି ଏହି ସାଂସଦମାନେ ଗୃହରେ ହଟ୍ଟଗୋଳ କରିଥିଲେ । ନିଲମ୍ବିତ ହୋଇଥିବା ୧୪୬ ଜଣ ସାଂସଦଙ୍କ ମଧ୍ୟରୁ ୧୩୨ ଜଣଙ୍କୁ ପୂରା ଶୀତ ଅଧିବେଶନରୁ ସସ୍‌ପେଣ୍ଡ କରାଯାଇଥିଲା । ତେଣୁ ଅଧିବେଶନ ଶେଷ ହେବା ପରେ ସେମାନଙ୍କ ଉପରୁ ସସ୍‌ପେଣ୍ଡ ଉଠିଯାଇଛି । ଅବଶିଷ୍ଟ ୧୪ ସାଂସଦ (ରାଜ୍ୟସଭାର ୧୧ ଓ ଲୋକସଭାର ୩)ଙ୍କ ସସ୍‌ପେଣ୍ଡ ମାମଲା ଉଭୟ ଗୃହର ସ୍ୱାଧୀକାର କମିଟି ନିକଟକୁ ପଠାଯାଇଥିଲା । ଗତ ୧୨ ତାରିଖରେ ଲୋକସଭା ସ୍ୱାଧୀକାର କମିଟି ୩ ସଦସ୍ୟଙ୍କ ଉପରୁ ନିଲମ୍ବନ ଉଠାଇ ଦେଇଥିଲା ବେଳେ ଆଜି ରାଜ୍ୟସଭାର ୧୧ ସଦସ୍ୟଙ୍କ ଉପରୁ ନିଲମ୍ବନ ଉଠିଯାଇଛି ।

  • prameyanews
  • PrameyaOdia
  • prameya
  • Union Budget 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.