ମୁମ୍ବାଇ ୧୯/୦୩: ଖୁବ୍ଶୀଘ୍ର ବଲିଉଡ୍ରେ ଏଣ୍ଟ୍ରି କରିବେ ସୁପରଷ୍ଟାର୍ ଋତ୍ୱିକ ରୋଶନଙ୍କ ସମ୍ପର୍କୀୟ ଭଉଣୀ ପଶ୍ମିନା ରୋଶନ । ଫିଲ୍ମ ‘ଇଶ୍କ ଭିଶ୍କ ରିବାଉଣ୍ଡ’ ରେ ସେ ବଡ଼ ପରଦାରେ ନଜର ଆସିବେ । ଫିଲ୍ମଟି ଆସନ୍ତା ଜୁନ୍ ୨୮ ତାରିଖରେ ମୁକ୍ତିଲାଭ କରିବ । ଏଥିରେ ତାଙ୍କ ସହ ମୁଖ୍ୟ ଭୂମିକାରେ ନଜର ଆସିବେ ରୋହିତ ସରଫ, ଜିବରାନ ଖାନ୍ ଓ ନୈନା ଗ୍ରେୱାଲ । ଫିଲ୍ମ ବିଷୟରେ ପଶ୍ମିନା ନିଜ ଇନ୍ଷ୍ଟାଗ୍ରାମ୍ରେ ପୋଷ୍ଟ୍ କରିବା ପରେ ତାଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି । ବଡ଼ ଭାଇ ଋତ୍ୱିକ ଏହି ପୋଷ୍ଟ୍ର ପ୍ରତିକ୍ରିୟା ଦେଇ ଲେଖିଛନ୍ତି ‘ଆଉ ଅପେକ୍ଷା କରିପାରୁନାହିଁ ।’ । ଫିଲ୍ମର ରିଲିଜ୍ ତାରିଖ ଘୋଷଣା କରି ପଶ୍ମିନା ସିନେ ଦୁନିଆରେ ପ୍ରବେଶକୁ ନେଇ ଦର୍ଶକଙ୍କ ଉତ୍ସାହ ବଢ଼ାଇ ଦେଇଛନ୍ତି ।
‘ଇଶ୍କ ଭିଶ୍କ ରିବାଉଣ୍ଡ୍’ ହେଉଛି ୨୦୦୩ ମସିହାରେ ମୁକ୍ତିପ୍ରାପ୍ତ ଶାହିଦ କପୁର, ଅମୃତା ରାଓ ଓ ଶେହନାଜ ଟ୍ରେଜରୀଙ୍କ ଅଭିନୀତ ‘ଇଶ୍କ ଭିଶ୍କ’ର ସିକ୍ୱେଲ । ଫିଲ୍ମକୁ ଦର୍ଶକ ଖୁବ୍ ଭଲପାଇଥିଲେ । ବକ୍ସ ଅଫିସ୍ରେ ତାହା ଭଲ ବ୍ୟବସାୟ ମଧ୍ୟ କରିଥିଲା । ସିକ୍ୱେଲର ପ୍ରଯୋଜନା ଦାୟିତ୍ୱରେ ଅଛନ୍ତି ରମେଶ ତୌରାନି । ନିର୍ଦ୍ଦେଶନା ଦେଇଛନ୍ତି ନିପୂନ ଅବିନାଶ ଧର୍ମାଧିକାରୀ । ପଶ୍ମିନା ହେଉଛନ୍ତି ସଙ୍ଗୀତ ନିର୍ଦ୍ଦେଶକ ରାଜେଶ ରୋଶନଙ୍କ ଝିଅ । ସେହି ଦୃଷ୍ଟିରୁ ବଲିଉଡ୍ ପାଇଁ ସେ ଆଦୌ ନୂଆ ନୁହନ୍ତି । ଏଇଟି ତାଙ୍କର ପ୍ରଥମ ପଦାର୍ପଣ ହେଲେ ମଧ୍ୟ ଫିଲ୍ମ ଦୁନିଆ ସହ ତାଙ୍କ ସମ୍ପର୍କ ଅତି ପୁରୁଣା । ୨୦୧୯ ମସିହାରେ ସେ ଥିଏଟରରେ ‘ଦ ଇମ୍ପୋର୍ଟାନ୍ସ ଅଫ୍ ବିଇଙ୍ଗ୍ ଅର୍ନେଷ୍ଟ’ ନାଟକରେ ଅଭିନୟ କରିଥିଲେ । କଲେଜ ପଢ଼ା ପରେ ଅଭିନୟ ଶିକ୍ଷା ଲାଗି ମୁମ୍ବାଇ ସ୍ଥିତ ଜେଫ୍ ଗୋଲ୍ଡବର୍ଗ ଷ୍ଟୁଠିଓରେ ସେ ଯୋଗ ଦେଇଥିଲେ ।