ଧର୍ମଗଡ଼,୨୦/୦୯: ସ୍କୁଲ ଜାଗାକୁ ନିଜ ଜାଗା ଦାବି କରି ବିଦ୍ୟାଳୟରେ ତାଲା ପକାଇଲେ ବ୍ୟକ୍ତି । ବାହାରେ ଗଛ ମୂଳରେ ପଢୁଛନ୍ତି ପିଲା । କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅଧିନସ୍ତ ଧଅଁରାମାଲ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ।
ସୂଚନା ମୁତାବକ, ଧଅଁରାମାଲ ସରକାରୀ ପ୍ରାଥମିକ ବିଦ୍ୟାଳୟ ୧୯୭୦ ମସିହାରେ ସ୍ଥାପିତ ହୋଇଥିଲା । ସେହି ସମୟରୁ ସ୍କୁଲରେ ନିରନ୍ତର ଭାବରେ ପାଠ ପଢା ଚାଲିଥିଲା । କିନ୍ତୁ ସେପ୍ଟେମ୍ବର ୧୭ ତାରିଖରେ ଧଅଁରାମାଲ ଗାଁର ରାମଚନ୍ଦ୍ର ବାଗ ଏବଂ ତାଙ୍କ ପରିବାର ଆସି ସ୍କୁଲ ଯାଗା ତାଙ୍କ ନାଁରେ ଥିବା କହିଥିଲେ । ଏହା କହି ସ୍କୁଲରେ ତାଲା ପକାଇ ସମସ୍ତ ଛାତ୍ରଛାତ୍ରୀ ଏବଂ ଶିକ୍ଷକଙ୍କୁ ସ୍କୁଲରୁ ବାହାର କରିଦେଇ ଥିଲେ । ଫଳରେ ସ୍କୁଲର ପ୍ରଧାନ ଶିକ୍ଷକ,ସ୍କୁଲ କମିଟି ଏବଂ ଗ୍ରାମବାସୀ ମିଶି ଗୋଲାମୁଣ୍ଡା ବ୍ଲକ ବିଡିଓ, ଧର୍ମଗଡ ଉପଜିଲ୍ଲାପାଳଙ୍କୁ ଘଟଣା ବିଷୟରେ ଲିଖିତ ଅଭିଯୋଗ କରିଥିଲେ । ହେଲେ ଘଟଣାକୁ ୪ ଦିନ ବିତିଯାଇଥିଲେ ମଧ୍ୟ ପ୍ରଶାସନ କୌଣସି ପଦକ୍ଷେପ ନେଇ ନ ଥିବାରୁ ଗ୍ରାମବାସୀ ଏବଂ ଅଭିଭାବକ ଅସନ୍ତୋଷ ପ୍ରକାଶ କରିଛନ୍ତି l