ଗୁଣପୁର,୧୮/୦୯: ବାଇକ୍ ଚୋରି କରି ଦୁଇ ଜଣ ଯୁବକ ଚମ୍ପଟ ମାରୁଥିବା ବେଳେ ମାଡି ବସିଲେ ଗାଁ ଲୋକେ । ଘଟଣାର ତଦନ୍ତ କରି ୮ ଟି ବାଇକ୍ ଜବତ କରି ଏଥିରେ ସମ୍ପୃକ୍ତ ୨ଚୋରଙ୍କ ୩ଜଣ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଦୁଇ ବାଇକ ଚୋର କଲ୍ୟାଣସିଂପୁର ଥାନା ଅନ୍ତର୍ଗତ ଆଡାବାଡି ଗାଁର ରବିନ୍ଦ୍ର କୈାଶଲ୍ୟା ହୋଇଥିବା ବେଳେ ଅନ୍ୟ ଜଣେ ମୁନିଗୁଡା ଥାନା ଅନ୍ତର୍ଗତ ଗୈାରି ଶଙ୍କର ବେହୁରା ବୋଲି ଜଣାପଡ଼ିଛି । ଅନ୍ୟ ତିନି ଜଣ କଲ୍ୟାଣସିଂପୁର ଅଞ୍ଚଳର ଦେବ ହିଆଲ୍, କଳାହାଣ୍ଡି ଜିଲ୍ଲାର ସଂଗ୍ରାମ କେଶରୀ ସାହୁ ଏବଂ ସଦାନନ୍ଦ ସାହୁ । ରାୟଗଡ଼ା ଜିଲ୍ଲା ଗୁଣପୁର ଥାନା ଅନ୍ତର୍ଗତ ଗୁମୁଡା ଗାଁରେ ଏହି ଘଟଣା ଘଟିଛି ।
ସୂଚନା ମୁତାବକ,କିଛ ଦିନ ତଳେ ପଦ୍ମପୁର ବ୍ଲକ୍ ଅନ୍ତର୍ଗତ ଲଛମନ ଗୁଡାର ଲକ୍ଷ୍ମୀକାନ୍ତ ଶବର ନାରାୟଣଗୁଡ଼ା ନିକଟ ଚାଷ ଜମିରେ ଚାଷ କରିବା ପାଇଁ ଯାଇଥିଲେ । ସେଠାରେ ରାସ୍ତା ଉପରେ ବାଇକ୍ ରଖି ଚାଷ କାମ କରୁଥିଲେ । ଏହି ସମୟରେ ଦୁଇଜଣ ଅଜଣା ଯୁବକ ବାଇକ୍କୁ ଧରି ଚମ୍ପଟ ମାରିଥିଲେ । ଘଟଣା ହେବାର କିଛି ସମୟ ମଧ୍ୟରେ ଲକ୍ଷ୍ମୀକାନ୍ତ ବାଇକ୍ ଚୋରି ହୋଇଥିବା ନେଇ ପାଖଗ୍ରାମ ଗୁଡିକରେ ସାଙ୍ଗସାଥିକୁ ସୂଚନା ଦେଇଥିଲେ । ତେବେ ଗୁମୁଡା ନିକଟରେ ଚୋରି ବାଇକ୍ ଧରି ଚମ୍ପଟ ମାରିଥିବା ଯୁବକଙ୍କୁ କାବୁ କରିଥିଲେ ଗୁମୁଡା ଗାଁର କିଛି ଲୋକେ । ଏହା ସହ ଗୁଡାରି ଥାନା ଅନ୍ତର୍ଗତ ଗୁମୁଡା ଫାଣ୍ଡି ପୋଲିସ୍ ପାଖରେ ଯୁବକକୁ ଜିମାରେ ଦେଇଥିଲେ । ଏହି ଘଟଣାରେ ଲକ୍ଷ୍ମୀକାନ୍ତ ଶବର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଉକ୍ତ ଅଭିଯୋଗ ଆଧାରରେ ତଦନ୍ତ କରି ଘଟଣାର ପର୍ଦ୍ଦାଫାଶ କରିଛି ପୋଲିସ ।