ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ମନ ଜିଣିବାକୁ କସରତ: ଭୋଟ୍‌ ଆସିଲା, ମନେ ପଡ଼ିଲା ‘ଓଡ଼ିଆ ଅସ୍ମିତା’

ଭୁବନେଶ୍ୱର,୦୪/୦୧: ମନ ଜିଣିବାକୁ ନୂଆ  କୌଶଳ । ଭୋଟ ଭିଡ଼ିବାକୁ ମିଛ ଡ୍ରାମା । ଓଡ଼ିଆ ଅସ୍ମିତା  ପ୍ରେମରେ ବିଜେଡି, ବିଜେପି ଓ କଂଗ୍ରେସ ଏବେ ବାୟା । ଭୋଟ  ପୂର୍ବରୁ ଭୋଟରଙ୍କୁ ଆକର୍ଷିତ କରିବାକୁ ‘ଓଡ଼ିଆ ଅସ୍ମିତା’ର  ଜାଲ ଫିଙ୍ଗିଛନ୍ତି ତିନି ଦଳ । ମାତ୍ର ପ୍ରକୃତରେ ଯେ ତିନି ଦଳର  ଆନ୍ତରିକତା କମ୍‌ ବରଂ ଅଭିନୟ ବେଶି ତାହା ଜଳଜଳ । 

କାଳେ ନାଇଁ, ବେଳେ ନାଇଁ... । ଆପେ ବଞ୍ଚିଲେ ବାପର ନାଁ । ଏ ନୀତିରେ ବର୍ଷ ବର୍ଷ ଧରି ବାଟ ଚାଲୁଛନ୍ତି ରାଜନୈତିକ  ଦଳ । ଭୋଟ ପୂର୍ବରୁ ଏମିତି ମନଲୋଭା ପ୍ରତିଶ୍ରୁତି ଓ  ଭାଷଣ । ଭୋଟ ପରେ ଫଳ କିନ୍ତୁ ଶୂନ । ସ୍ୱତନ୍ତ୍ର ଓଡ଼ିଶା  ପ୍ରଦେଶ ଗଠନକୁ ୮୮ ବର୍ଷ ପୂରିଛି । ଆଗକୁ ଆସୁଛି ଭୋଟ ମହାପର୍ବ । ତେଣୁ ଓଡ଼ିଆଙ୍କୁ ନିଜ ସପକ୍ଷରେ ନେବାକୁ ଶାସକ ବିଜୁ ଜନତା ଦଳ ସହ ବିରୋଧୀ ବିଜେପି  ଓ କଂଗ୍ରେସ ଖୋଲିଛନ୍ତି ଓଡ଼ିଆ କାର୍ଡ । 

ଓଡ଼ିଶାର ଆବେଗ ହିଁ ତା’ର ଅସ୍ମିତା । ଗୋଟିଏ ଜାତିର  ସ୍ୱପ୍ନର ଉଡ଼ାଣ ପାଇଁ ଅସ୍ମିତା ଜରୁରୀ । ମାତ୍ର ଆମ ଅସ୍ମିତା  ବା ଆତ୍ମଗୌରବ ଏବେ ବିପନ୍ନ । ବାରି ହେଉନି ଅସ୍ମିତାର  ମହକ । କର୍ପୂର ଉଡ଼ିଛି, କନା ପଡ଼ିଛି । ସବୁକିଛି ଯେମିତି  ଦରମରା । ଓଡ଼ିଆ ଅସ୍ମିତା, ଓଡ଼ିଆ ସ୍ୱାଭିମାନ ଓ ଓଡ଼ିଶାର  ଗୌରବକୁ ‘ଟ୍ରମ୍ପକାର୍ଡ’ ଭାବେ ଧରି ଭୋଟ ବୈତରଣୀ ପାର୍‌  ହେବାକୁ ପ୍ରସ୍ତୁତ ହୋଇଛି ବ୍ଲୁପ୍ରିଣ୍ଟ । ଏପରିକି ତିନି ଦଳ  ‘ଓଡ଼ିଆ ଅସ୍ମିତା’କୁ ନିଜ ନିର୍ବାଚନୀ ଇସ୍ତାହାରରେ ଅଗ୍ରାଧିକାର  ଦେବେ ବୋଲି କହୁଛନ୍ତି । ତିନି ଦଳର ନେତାମାନେ ଏବେ  ଓଡ଼ିଆ ଅସ୍ମିତା କଥା ବାରମ୍ବାର ଦୋହରାଉଛନ୍ତି । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ  ବାରମ୍ବାର କହୁଛନ୍ତି, ଓଡ଼ିଆ-ଅସ୍ମିତା, ଓଡ଼ିଶାର ଗୌରବ  ପାଇଁ ବିଜେପି ଏଥର ଜୋରଦାର ଲଢ଼େଇ ଲଢ଼ିବ ।  

ବିଜେପି ପାଇଁ ଓଡ଼ିଶାର ସ୍ୱାଭିମାନ ବଡ଼ । ଆମ ଏଜେଣ୍ଡାରେ  ଓଡ଼ିଆ ସ୍ୱାଭିମାନ ସବୁବେଳେ ଶୀର୍ଷରେ ଥିଲା, ରହିଛି ଓ  ରହିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶାର ସ୍ୱାର୍ଥ ଓ  ସ୍ୱାଭିମାନକୁ ସବୁବେଳେ ଅଗ୍ରାଧିକାର ଦେଇ ଆସିଛନ୍ତି ।  ଓଡ଼ିଶାର କଳା, ସାହିତ୍ୟ, ପର୍ଯ୍ୟଟନ ଓ ସଂସ୍କୃତିର ବିକାଶକୁ  ମୋଦି ସବୁବେଳେ ଫୋକସ୍‌ କରିଛନ୍ତି । ପାଇକ ସଂଗ୍ରାମକୁ  ପ୍ରଥମ ସଶସ୍ତ୍ର ଗଣବିପ୍ଲବର ମାନ୍ୟତା ମିଳିଛି। ଆମ ଓଡ଼ିଆ  ମହାପୁରୁଷ ଓ ବୀରଙ୍କୁ ସମ୍ମାନ ମିଳିଛି । ଉଲ୍ଲେଖନୀୟ  ଅବଦାନ ପାଇଁ ବହୁ ଓଡ଼ିଆଙ୍କୁ ମିଳିଛି ପଦ୍ମ ସମ୍ମାନ । ଓଡ଼ିଶାର ଗୌରବର ପ୍ରତୀକ ‘କୋଣାର୍କ ଚକ୍ର’ ଜି-୨୦ ସମ୍ମିଳନୀର  ପ୍ରବେଶ ଦ୍ୱାରରେ ସାମିଲ ହେବା କମ୍‌ ବଡ଼ ଉପଲବ୍ଧି  ନୁହେଁ । ବିଜେପି ସବୁବେଳେ ଓଡ଼ିଆ ସ୍ୱାଭିମାନ ଓ ଅସ୍ମିତାକୁ  ଅଗ୍ରାଧିକାର ଦେଇ ଆସିଛି । ଆଗକୁ ମଧ୍ୟ ଦେବ । 

ବିଜେଡି ସାଂସଦ ତଥା ମୁଖପାତ୍ର ଡ.ସସ୍ମିତ ପାତ୍ରଙ୍କ  ଯୁକ୍ତି ହେଲା, ଓଡ଼ିଆ ସ୍ୱାଭିମାନ ଓ ଅସ୍ମିତାକୁ ରାଜ୍ୟ ସରକାର  ସବୁବେଳେ ଶୀର୍ଷରେ ରଖି ଆସିଛି । ଓଡ଼ିଆକୁ ସରକାରୀ  ଭାଷାର ମାନ୍ୟତା ବିଜେଡି ସରକାର ହିଁ ଦେଇଛି । ସରକାରୀ  ଓ ବେସରକାରୀ ସବୁକ୍ଷେତ୍ରରେ ଓଡ଼ିଆ ଭାଷାର ବ୍ୟବହାର  ପାଇଁ ଆଇନର ବ୍ୟବସ୍ଥା ହୋଇଛି । ସରକାର ଓଡ଼ିଆ  ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରିଛନ୍ତି । ବିଭିନ୍ନ ବିଶ୍ୱବିଦ୍ୟାଳୟରେ ଓଡ଼ିଆ ଚେୟାର ପ୍ରତିଷ୍ଠା ହୋଇଛି । ନିକଟରେ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ସଫଳତାର  ସହ ଆୟୋଜନ ହୋଇଛି । ଏହା ଓଡ଼ିଆ ଭାଷାକୁ ବିଶ୍ୱ  ଦରବାରରେ ପହଞ୍ଚାଇଛି । କେବଳ ଭାଷା ନୁହେଁ ଓଡ଼ିଆ  ସଂସ୍କୃତି ଓ ଐତିହ୍ୟକୁ ଉଜ୍ଜିବୀତ କରିବାକୁ ବିଜେଡି  ସରକାର ବହୁ ପଦକ୍ଷେପ ନେଇଛନ୍ତି । ମହାପ୍ରଭୁ  ଶ୍ରୀଜଗନ୍ନାଥ ହେଉଛନ୍ତି ଆମ ଓଡ଼ିଆ ସଂସ୍କୃତିର  ପ୍ରାଣକେନ୍ଦ୍ର । ନିଜ ନିଷ୍ଠା ଓ ଆନ୍ତରିକତା ବଳରେ ସରକାର  ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କରିଛନ୍ତି । ସାରା ବିଶ୍ୱର  ଜଗନ୍ନାଥପ୍ରେମୀ ଏହାକୁ ଭୂୟସୀ ପ୍ରଶଂସା କରୁଛନ୍ତି ।  ସମଲେଇ ପ୍ରକଳ୍ପ ସହ ବହୁ ମଠ ମନ୍ଦିରର ପୁନରୁଦ୍ଧାର  ସହ ବିକାଶ କରାଯାଇଛି । ସରକାର ଓଡ଼ିଶାବାସୀଙ୍କ  ସ୍ୱାଭିମାନ ଓ ସମ୍ମାନ ସହ ସବୁବେଳେ ରହି ଆସିଛନ୍ତି ।  ଗତ ନିର୍ବାଚନ ଇସ୍ତାହାରରେ ଏହା ପ୍ରସଙ୍ଗ ଥିଲା । ଏଥର  ମଧ୍ୟ ଆମେ ସ୍ଥାନିତ କରିବୁ । ନବୀନ ସରକାର ହେଉଛି  ଓଡ଼ିଶାବାସୀଙ୍କ ସରକାର ।  

କଂଗ୍ରେସ କିନ୍ତୁ ଏ ପ୍ରସଙ୍ଗରେ ଉଭୟ ବିଜେଡି  ଓ ବିଜେପିକୁ କଡ଼ା ସମାଲୋଚନା କରିଛି । ଦଳର ରାଜନୈତିକ ବ୍ୟାପର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ ଯୁକ୍ତି ଦର୍ଶାଇଛନ୍ତି, ଦୁଇ ଦଳ ହେଉଛନ୍ତି ଗୋଟିଏ ମୁଦ୍ରାର ଦୁଇ ପାଶ୍ୱର୍ । ଆମ ରାଜ୍ୟରେ ଆମ ଭାଷାର ଭାଗ୍ୟ  ପଥର ତଳେ । ଆଇନ କରିଦେଇ ସରକାର ନିଘୋଡ଼  ନିଦରେ ଘୁଙ୍ଗୁ୍‌ଡ଼ି ମାରୁଛନ୍ତି । ରାଜ୍ୟସ୍ତରରେ ପ୍ରଶାସନିକ  କାମ ଓଡ଼ିଆ ଭାଷାରେ କେବେ ହେବ ? ସରକାରୀ  ଭାଷା ଆଇନ ଅଛି ବୋଲି ଖୋଦ ସରକାର ମଧ୍ୟ  ନିଜେ ଭୂଲି ଯାଇଛନ୍ତି । ଓଡ଼ିଆ ଶିକ୍ଷକ ଓ ଅଧ୍ୟାପକ  ପଦବି ବର୍ଷ ବର୍ଷ ଧରି ଖାଲି ପଡ଼ିଛି । ମଠ ଓ ମନ୍ଦିର  ପାଇଁ ସରକାରଙ୍କ ଆନ୍ତରିକତା କମ୍‌, ରାଜନୀତି  ବେଶୀ । କେନ୍ଦ୍ରର ବିଜେପି ସରକାର ମଧ୍ୟ ଓଡ଼ିଆ  ଅସ୍ମିତାକୁ ସବୁବେଳେ ଅଣଦେଖା କରି ଆସିଛନ୍ତି ।  ଭୋଟ ମୁଣ୍ଡ ଉପରେ ଥିବାରୁ ଏବେ ଖାଲି ଅସ୍ମିତା ଓ  ସ୍ୱାଭିମାନ କଥା କହୁଛନ୍ତି । ମାତ୍ର କଂଗ୍ରେସ ହିଁ ଓଡ଼ିଶାର  ସ୍ୱାଭିମାନକୁ ସବୁବେଳେ ଗୁରୁତ୍ୱ ଦେଇ ଆସିଛି ।  

ଓଡ଼ିଶାରେ ପ୍ରାୟ ଦେଢ଼କୋଟି ଯୁବ ଭୋଟର  (୧୮-୩୯ ବର୍ଷ) ଅଛନ୍ତି । ପ୍ରତିନିଧି ଚୟନ ସହ  ସରକାର ଗଠନରେ ଏମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା  ରହିବ । ତେଣୁ ଏମାନଙ୍କୁ ନିଜ ଆଡ଼କୁ ଟାଣିବାକୁ  ତିନିଦଳ ବେଶ୍‌ କସରତ କରୁଛନ୍ତି । ଯୁବଗୋଷ୍ଠୀଙ୍କ ପାଇଁ  ମନଜିଣା ଶବ୍ଦର ବ୍ୟବହାର କରୁଛନ୍ତି । ମାତ୍ର ବାସ୍ତବରେ  ଓଡ଼ିଶାର ଗୌରବ ଓ ଓଡ଼ିଆ ସ୍ୱାଭିମାନ ପାଇଁ କେତେ ନିଷ୍ଠା ଓ ଆନ୍ତରିକତା ରହିଛି ତାହା ସନ୍ଦେହରେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.